ଦେଶଦ୍ରୋହ ଆଇନ ନୂଆ ରୂପରେ ନ ଫେରୁ
୨୦୨୨ରେ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ପରେ ଏହାର ପରିବର୍ତ୍ତନ ପାଇଁ ସରକାର ଏକ ବିଲ୍ ସଂସଦରେ ଉପସ୍ଥାପନ କରିଛନ୍ତି, ଯାହା ଭାରତୀୟ ନ୍ୟାୟ ସଂହିତା ବିଲ୍ ନାମରେ ପରିଚିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତୀୟ ପିଙ୍ଗଳ ଆଇନ ବା ଦଣ୍ଡବିଧି ଆଇନ ଆଇପିସିର ଅବସାନ ଘଟାଇ ନୂଆ ବିଧି ପ୍ରସ୍ତୁତ କରିବା। ତେବେ ସରକାରଙ୍କ ଏହି ପ୍ରୟାସ ପ୍ରତି ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନଜର ନ ଦେଇ ଦେଶଦ୍ରୋହ […]
୨୦୨୨ରେ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ପରେ ଏହାର ପରିବର୍ତ୍ତନ ପାଇଁ ସରକାର ଏକ ବିଲ୍ ସଂସଦରେ ଉପସ୍ଥାପନ କରିଛନ୍ତି, ଯାହା ଭାରତୀୟ ନ୍ୟାୟ ସଂହିତା ବିଲ୍ ନାମରେ ପରିଚିତ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତୀୟ ପିଙ୍ଗଳ ଆଇନ ବା ଦଣ୍ଡବିଧି ଆଇନ ଆଇପିସିର ଅବସାନ ଘଟାଇ ନୂଆ ବିଧି ପ୍ରସ୍ତୁତ କରିବା। ତେବେ ସରକାରଙ୍କ ଏହି ପ୍ରୟାସ ପ୍ରତି ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନଜର ନ ଦେଇ ଦେଶଦ୍ରୋହ ଆଇନର ଯଥାର୍ଥତା ଓ ବିଭିନ୍ନ ଦିଗ ଉପରେ ଶୁଣାଣି ଜାରି କରିଥିଲେ। ଏ ସଂକ୍ରାନ୍ତ ଶେଷ ଘଟଣା ହେଲା ସୁପ୍ରିମକୋର୍ଟ ମଙ୍ଗଳବାର ଦେଶଦ୍ରୋହ ଆଇନର ବୈଧତା (ଆଇପିସିର ଧାରା ୧୨୪ବି)କୁ ପରଖିବା ପାଇଁ ଏହାକୁ ପାଞ୍ଚଜଣିଆ ସମ୍ବିଧାନ ପୀଠକୁ ପଠାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆଇପିସି ବଦଳରେ ସରକାର ଯେଉଁ ନୂଆ ଆଇନ ବା ନ୍ୟାୟ ସଂହିତା ଆଣିବେ, ତାହା ଉପରେ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣିର ପ୍ରଭାବ ପଡ଼ିବା ପ୍ରାୟ ନିଶ୍ଚିତ ବୋଲି ମନେ ହୁଏ।
ଆମ ଦେଶରେ ବ୍ରିଟିଶ ଶାସନକାଳର ଦେଶଦ୍ରୋହ ଆଇନକୁ ନେଇ ଅନେକ ଚର୍ଚ୍ଚା ଓ ବିରୋଧର ସ୍ୱର ଉଠିଛି। ଏହି କଠୋର ଆଇନ ବଳରେ ୨୦୧୮ ରୁ ଅଦ୍ୟାବଧି ୧୨୨ ଜଣଙ୍କୁ ଦେଶଦ୍ରୋହ ମାମଲାରେ କେନ୍ଦ୍ର ସରକାର ଗିରଫ କରିଛନ୍ତି। ଏହାଛଡ଼ା ଆଉ ୧୫୭ ମାମଲାର ତଦନ୍ତ ଚାଲିଛି। ଏହି ଆଇନ ବଳରେ ଅଦାଲତରେ ଦୋଷୀ ସାବ୍ୟସ୍ତଙ୍କ ହାର ୨.୫% ଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟରୁ ଜଣାପଡ଼େ। ତେଣୁ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ସପକ୍ଷରେ ବହୁ ଜ୍ଞାନୀଗୁଣୀ ଓ ଆଇନ ବିଶାରଦ ମତ ଦେଇଆସୁଛନ୍ତି। ସତକଥା ହେଲା ଭାରତରେ ଦେଶଦ୍ରୋହ ଆଇନର ଯଥେଷ୍ଟ ଅପବ୍ୟବହାର ହୋଇଛି। ଆନ୍ଦୋଳନକାରୀଙ୍କୁ ଜବତ କରିବାକୁ ସ୍ୱାଧୀନତା ପରବର୍ତ୍ତୀ କାଳରେ ଭାରତ ସରକାର ଓ କର୍ତ୍ତୃପକ୍ଷ ଏହାକୁ ଅମୋଘ ଅସ୍ତ୍ରଭାବେ ପ୍ରୟୋଗ କରିଛନ୍ତି। ଦେଶଦ୍ରୋହ ଆଇନର ଜଟିଳତା ହେଲା ଏହା ଥରେ ଲାଗୁ ହେଲେ ଅଭିଯୁକ୍ତ ସହଜରେ ଜାମିନ୍ ପାଇନଥାଏ ଏବଂ ତା’କୁ ବିନା ବିଚାରରେ ଦୀର୍ଘକାଳ କାରାଦଣ୍ଡ ଭୋଗିବାକୁ ପଡ଼େ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ନିଶ୍ଚିତ ଏକ ନିର୍ମମ ଆଇନ। ବାକ୍ ସ୍ୱାଧୀନତା ଓ ପରିପ୍ରକାଶ ଅଧିକାରକୁ ଲଗାମଛଡ଼ା ଭାବେ ସାବ୍ୟସ୍ତ କରିବା ଏବଂ ସରକାରଙ୍କୁ ସମାଲୋଚନା କରି ପ୍ରତିବାଦ କରିବା ଆଦି ଘଟଣାକୁ ରାଷ୍ଟ୍ରଦ୍ରୋହ ଭାବେ ଗ୍ରହଣ କରାଯିବା ଅନୁଚିତ। କାରଣ ସରକାରଙ୍କ ବିରୋଧକୁ ସର୍ବଥା ରାଷ୍ଟ୍ରବିରୋଧ ଭଳି ଧରାଯିବା କଥା ନୁହେଁ। ଗୋଟିଏ ଆଇନର ଦୁରୁପଯୋଗ କରି ଏହାକୁ ନାଗରିକ, ଗୋଷ୍ଠୀ, ବିରୋଧୀପକ୍ଷ, ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ବିରୋଧରେ ବ୍ୟବହାର କରିବା କସ୍ମିନକାଳେ ଗ୍ରହଣୀୟ ନୁହେଁ। ଅତଏବ ସରକାର ଯେତେବେଳେ ଏହାର ଅବସାନ ପାଇଁ ବିଲ୍ ଆଣିଲେ ସେତେବେଳେ ସମସ୍ତେ ଆଶା କଲେ ଯେ ପରୋକ୍ଷରେ ହେଉ ଅଥବା ପ୍ରକାରାନ୍ତରେ ଏଭଳି ଆଇନର ପୁନଃ ଆବିର୍ଭାବ ଯେପରି ନହୁଏ।
ତେବେ ସରକାର ନୂଆ ବିଲ୍ ଆଣିଥିବାବେଳେ ସୁପ୍ରିମକୋର୍ଟ ରାଜଦ୍ରୋହ ବା ଦେଶଦ୍ରୋହ ଆଇନକୁ ସମ୍ବିଧାନ ପୀଠକୁ ବିଚାର ପାଇଁ କାହିଁକି ପଠାଇଲେ ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। କୁହାଯାଉଛି ଯେ ଭାରତୀୟ ନ୍ୟାୟ ସଂହିତା ବିଲ୍ରେ ଥିବା ଧାରା ୧୫୦ରେ ଯେଉଁ ସବୁ ଶବ୍ଦ ବ୍ୟବହାର ହୋଇଛି, ତାହା ଆଇପିସିର ଦେଶଦ୍ରୋହ ଆଇନକୁ ଉଲ୍ଲେଖନୀୟ ଭାବେ ଅଧିକ୍ରମଣ କରୁଛି। ଅତଏବ ସମ୍ବିଧାନ ପୀଠଙ୍କ ରାୟ ଆସିଗଲେ ଏ ନେଇ ଆଉ କୌଣସି ସଂଶୟ ବା ଭୟ ରହିବ ନାହିଁ। ବିଲ୍କୁ ଏବେ ଅନୁଧ୍ୟାନ କରୁଥିବା ସଂସଦୀୟ କମିଟିର କାମ ମଧ୍ୟ ସହଜ ହେବ। ଦେଶଦ୍ରୋହ ଆଇନରେ ଯେଉଁ ସବୁ ଶବ୍ଦ ବ୍ୟବହାର କରାଯାଇଥିଲା, ତାହା ସ୍ପଷ୍ଟ ନଥିଲା। ତେଣୁ ଏହାର ଅପବ୍ୟବହାର ପାଇଁ ପୁଲିସ୍କୁ ସୁଯୋଗ ମିଳୁଥିଲା। ଆଇନରେ ଭାଷାଗତ ଅସ୍ପଷ୍ଟତା ଯୋଗୁଁ ବିଚାରପତିମାନେ ମଧ୍ୟ ବିଭିନ୍ନ ସମୟରେ ଦ୍ୱନ୍ଦ୍ୱରେ ପଡୁଥିଲେ। ଯେତେବେଳେ ଆଇନରେ ଭାଷାଗତ ଅସ୍ପଷ୍ଟତା ଓ ଜଟିଳତା ରହେ ସେତେବେଳେ ଏହାର ଦୁରୁପଯୋଗ ଅଧିକ ହୁଏ। ତେଣୁ ଆଇନରେ ସ୍ପଷ୍ଟତା ଓ ଭାଷାଗତ ଶୁଦ୍ଧତା ରହିବା ଆବଶ୍ୟକ। ଏହାଛଡ଼ା ରାଷ୍ଟ୍ରଦ୍ରୋହ ଭଳି ଅସ୍ପଷ୍ଟ ଓ କଠୋର ଆଇନ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ମଧ୍ୟ ଆସୁଥିଲା। ସରକାର ମଧ୍ୟ ନିଜର ସୁରକ୍ଷା ପାଇଁ ଏବଂ ପ୍ରତିବାଦ ଓ ବିରୋଧରୁ ବଞ୍ଚିବା ନିମନ୍ତେ ଏହାକୁ ଢାଲ ଭାବେ ବ୍ୟବହାର କରୁଥିଲେ।
କେତେକ ଯୁକ୍ତି କରନ୍ତି ଯେ ଦେଶର ଏକତା ଓ ସଂହତି ରକ୍ଷା ପାଇଁ ରାଜଦ୍ରୋହ ଭଳି କଠୋର ଆଇନର ଆବଶ୍ୟକତା ରହିଛି। ଏହା କେତେକାଂଶରେ ଯୁକ୍ତିଯୁକ୍ତ ହୋଇପାରେ। ତଥାପି ଆମ ପାଖରେ ଯେତିକି ଆଇନ ରହିଛି, ପୁଲିସ୍ ତା’କୁ ପ୍ରୟୋଗ କଲେ ରାଷ୍ଟ୍ରଦ୍ରୋହ ଭଳି କଠୋର ଆଇନର ଆବଶ୍ୟକତା ପଡ଼ିବ ନାହିଁ। ଆଇନଶୃଙ୍ଖଳା ରକ୍ଷା ଅର୍ଥ ନୁହେଁ ପ୍ରତିବାଦକାରୀଙ୍କ ଉପରେ ପ୍ରତିଶୋଧ ନେବା। ଆମର ମତ ହେଲା ଭାରତରେ ଦେଶଦ୍ରୋହ ଭଳି କଠୋର ଓ ନିଷ୍ଠୁର ଆଇନର ସମ୍ପୂର୍ଣ୍ଣ ଅବସାନ ଘଟୁ ଏବଂ ନୂଆ ଆଇନରେ ଏହାର ଲେଶମାତ୍ର ଉପସ୍ଥିତି ପରୋକ୍ଷରେ ମଧ୍ୟ ନ ରହୁ। ସର୍ବୋଚ୍ଚ ନ୍ୟାୟାଳୟ ଏ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଅବଶ୍ୟ ସ୍ୱାଗତଯୋଗ୍ୟ। ସର୍ବୋଚ୍ଚ ଅଦାଲତଙ୍କ ସମ୍ଭାବ୍ୟ ରାୟକୁ ସରକାର ଭିନ୍ନ ଅର୍ଥରେ ନ ନେଇ ମୁକାବିଲାମୂଳକ ପରିସ୍ଥିତିରୁ ବିରତି ରହି ସତ୍ ବିଶ୍ୱାସରେ ଏ ଦିଗରେ କାମ କରିବା ଉଚିତ। ଆମ ବିଚାରରେ କେନ୍ଦ୍ର ସରକାର ଏଭଳି ପୁରୁଣାକାଳିଆ କଠୋର ଆଇନର ଅବସାନ ଆନୁଷ୍ଠାନିକ ଭାବେ ଘଟାଇ ନୂଆ ଆଇନ ସବୁପକ୍ଷଙ୍କ ସହ ଆଲୋଚନା କରି ପ୍ରଣୟନ କରିବା ଠିକ୍ ହେବ।