ସ୍ମୃତିତୀର୍ଥ ‘ଉତ୍କଳ ଦୀପିକା’: ଜାତୀୟତାବାଦର ମୁଖପତ୍ରରୁ ବିକାଶର ବାର୍ତ୍ତାବହ

The Sakala Picture
Published On

୧୫୭ ବର୍ଷ ତଳେ ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ସାପ୍ତାହିକ ଖବରକାଗଜ ଭାବେ କଟକରେ ପ୍ରକାଶ ପାଇଥିଲା ‘ଉତ୍କଳ ଦୀପିକା’। ୧୮୬୬ର ଅଭୂତପୂର୍ବ ନଅଙ୍କ ଦୁର୍ଭିକ୍ଷର ପ୍ରେକ୍ଷାପଟ୍ଟରେ କେବଳ ଭୌଗୋଳିକ ପରିପ୍ରକାଶ ମଧ୍ୟରେ ସୀମିତ ଥିବା ‘ଓଡ଼ିଶା’ ନାମକ ଏକ ଭୂଖଣ୍ଡରେ ବ୍ରିଟିଶ ଶାସକର ଶୋଷଣ କଷଣ ବିରୋଧରେ ଲଢ଼ିବା ସହିତ ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠା ଏବଂ ନବଜାଗରଣ ସୃଷ୍ଟି ପାଇଁ ଏହା ଥିଲା ଉତ୍କଳ ଦୀପିକାର ପ୍ରତିଷ୍ଠାତା ଗୌରୀଶଙ୍କର ରାୟ ଓ ତାଙ୍କ ଅନୁଗାମୀ […]

୧୫୭ ବର୍ଷ ତଳେ ଅଗଷ୍ଟ ୪ ତାରିଖରେ ପ୍ରଥମ ଓଡ଼ିଆ ସାପ୍ତାହିକ ଖବରକାଗଜ ଭାବେ କଟକରେ ପ୍ରକାଶ ପାଇଥିଲା ‘ଉତ୍କଳ ଦୀପିକା’। ୧୮୬୬ର ଅଭୂତପୂର୍ବ ନଅଙ୍କ ଦୁର୍ଭିକ୍ଷର ପ୍ରେକ୍ଷାପଟ୍ଟରେ କେବଳ ଭୌଗୋଳିକ ପରିପ୍ରକାଶ ମଧ୍ୟରେ ସୀମିତ ଥିବା ‘ଓଡ଼ିଶା’ ନାମକ ଏକ ଭୂଖଣ୍ଡରେ ବ୍ରିଟିଶ ଶାସକର ଶୋଷଣ କଷଣ ବିରୋଧରେ ଲଢ଼ିବା ସହିତ ଓଡ଼ିଆ ସ୍ୱାଭିମାନର ପ୍ରତିଷ୍ଠା ଏବଂ ନବଜାଗରଣ ସୃଷ୍ଟି ପାଇଁ ଏହା ଥିଲା ଉତ୍କଳ ଦୀପିକାର ପ୍ରତିଷ୍ଠାତା ଗୌରୀଶଙ୍କର ରାୟ ଓ ତାଙ୍କ ଅନୁଗାମୀ ତଥା ସହକର୍ମୀମାନଙ୍କ ପ୍ରଥମ ପ୍ରୟାସ। ଏହାକୁ ପ୍ରେରଣା ଯୋଗାଉଥିଲା ଦୃଢ଼ ଜାତୀୟତାବାଦ ଓ ନିର୍ବେଦ ହୋଇପଡୁଥିବା ଏକ ଜାତିକୁ ଉଜାଗର କରିବାର ଦୁଃସାହସ। ଉତ୍କଳ ଦୀପିକା ସହିତ ଓଡ଼ିଆ ସାମ୍ବାଦିକତା ଖଡ଼ିପାଠ ଆରମ୍ଭ ହୋଇଥିଲା ଜାତିର ଏଭଳି ଏକ ଦୁଃସମୟରେ।

ସେବେଠାରୁ ଏ ଯାଏଁ ଓଡ଼ିଆ ସାମ୍ବାଦିକତା ବହୁ ଉତ୍‌‌ଥାନ-ପତନ ଦେଇ ଗତି କରି ୧୫୭ ବର୍ଷ ପୂରଣ କରିଛି। ଏଥିସହିତ ଓଡ଼ିଆ ସାମ୍ବାଦିକତା ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ନିର୍ବାହ କରିଛି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେଥିପାଇଁ ଅଗଷ୍ଟ ୪ ତାରିଖକୁ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଭାବେ ପାଳନ କରାଯାଉଛି। ଜଣେ ବଙ୍ଗୀୟ ମୂଳର ହୋଇ ମଧ୍ୟ ଗୌରୀଶଙ୍କର ରାୟ ଓଡ଼ିଆ ସାମ୍ବାଦିକତା ଓ ଜାତୀୟତା କ୍ଷେତ୍ରରେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହାର ପଟ୍ଟାନ୍ତର ନାହିଁ। ତାଙ୍କୁ ଏହି ଦୁଃସାହସିକ କାର୍ଯ୍ୟରେ ସାହସ ଦେଇଥିଲେ ତାଙ୍କ ଭାଇ ରାମଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସ। ବାବୁ ବିଚିତ୍ରାନନ୍ଦ ଦାସ ୧୮୬୬ରେ ସ୍ଥାପନ କରିଥିଲେ କଟକ ପ୍ରିଣ୍ଟିଂ ପ୍ରେସ୍‌‌। ସେଠାରୁ ଗୌରୀଶଙ୍କରଙ୍କ ସମ୍ପାଦନାରେ ଉତ୍କଳ ଦୀପିକାର ଛାପା କାମ କରାଯାଉଥିଲା। ୧୯୧୭ରେ ମୃତ୍ୟୁ ପର୍ଯ୍ୟନ୍ତ ଗୌରୀଶଙ୍କର ରାୟ ଏହି ପତ୍ରିକାର ସମ୍ପାଦନା ଦାୟିତ୍ୱ ଅତ୍ୟନ୍ତ ନିଷ୍ଠାର ସହ ନିର୍ବାହ କରିଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମୂହର ଏକୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ଉତ୍କଳ ଦୀପିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହାର ଉଦ୍ୟମ ଯୋଗୁଁ ଓଡ଼ିଆ ଭାଷା ଓ ଶିକ୍ଷାର ମଧ୍ୟ ପ୍ରସାର ଘଟିଥିଲା।

ଗୋଟିଏ ଖବରକାଗଜକୁ ପରାଧୀନ ତଥା ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇ ରଖିବା ସହଜ କାମ ନଥିଲା। ଏଥିପାଇଁ ଅର୍ଥ, ପାଠକୀୟ ଶ୍ରଦ୍ଧା, ଯୋଗାଡ଼, ବ୍ୟବସାୟ ଲାଭ ଓ ସାହସ ବିଶେଷ ଜରୁରୀ ଥିଲା। ଏହାକୁ ଓଡ଼ିଶାର ପ୍ରଥମ ଖବର କାଗଜ କୁହାଯାଉଥିଲେ ମଧ୍ୟ ତା’ ଆଗରୁ ୧୮୩୭ରେ ସାଧୁ ସୁନ୍ଦର ଦାସଙ୍କ କୁଜିବର ପତ୍ରିକା, ୧୮୬୧ରେ ବୋଧଦାୟିନୀ ଓ ଜ୍ଞାନାରୁଣ ଆଦି ଖବରକାଗଜ ଅଳ୍ପଦିନ ପାଇଁ ପ୍ରକାଶିତ ହୋଇ ଅର୍ଥ ତଥା ମୌଳିକ ସୁବିଧା ସୁଯୋଗ ଅଭାବରୁ ବନ୍ଦ ହୋଇଯାଇଥିଲା।

ତେବେ ଉତ୍କଳ ଦୀପିକା କ୍ଷେତ୍ରରେ କିଛି ବ୍ୟତିକ୍ରମ ଥିବାରୁ ଏହା ତିଷ୍ଠି ରହିଲା। ଊନବିଂଶ ଶତାବ୍ଦୀରେ ପରାଧୀନ ଭାରତ ଓ ରାଜ୍ୟ ନଥିବା ଓଡ଼ିଆଙ୍କ ସମସ୍ୟା, ଦୁଃଖ ଦୁର୍ଦ୍ଦଶା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସରକାରୀ ଅବହେଳା କଥା ଏହି କାଗଜ ନିୟମିତ ଲେଖିଲା। ଏହାଛଡ଼ା କେନ୍ଦ୍ରୀୟ ଆସେମ୍ଲି ଓ ପ୍ରାଦେଶିକ ଆସେମ୍ଲିରେ ଓଡ଼ିଶା ନେତା ଓ ଲୋକପ୍ରତିନିଧିମାନଙ୍କର ସ୍ୱତନ୍ତ୍ର ଓଡ଼ିଶା ଦାବି ଏବଂ ଅନ୍ନକ୍ଲିଷ୍ଟ ଦରିଦ୍ର ଓଡ଼ିଆଙ୍କ କଥାକୁ ଏହି ପତ୍ରିକା ଛାପି ଏବଂ ଜନଜାଗରଣ ସୃଷ୍ଟି କରିଥିଲା। ପରେ ପରେ ରାଜ୍ୟର ବିଭିନ୍ନ ଭାଗରୁ ଜାତୀୟତାବାଦୀ ଖବରକାଗଜମାନ ବାହାରିଲା ଏବଂ ଉତ୍କଳ ଦୀପିକା ଦୁର୍ବଳ ହେବାବେଳକୁ ମୁକ୍ତି ସଂଗ୍ରାମ କାଳରେ ‘ସମାଜ’ ଆରମ୍ଭ କଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଖୁବ୍‌‌ କମ୍‌‌ ସମୟ ମଧ୍ୟରେ ‘ସମାଜ’ ଜାତୀୟ ମୁକ୍ତି ଆନ୍ଦୋଳନ ଓ ଓଡ଼ିଆଙ୍କ ମୁଖପତ୍ରରେ ପରିଣତ ହୋଇଗଲା। ଏଥିସହିତ ଗଣମାଧ୍ୟମର ଏକ ନୂଆ ପ୍ରଭାବଶାଳୀ ଯୁଗ ଓଡ଼ିଶାରେ ଆସିଲା। ଏହାର ପରିଣତି ହେଲା ସ୍ୱତନ୍ତ୍ର ଓଡ଼ିଶା ଗଠନ, ଯାହା ଗଣ ଆନ୍ଦୋଳନ ଫଳରେ ଥିଲା ପରାଧୀନ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ତା’ପରେ ଆସିଲା ସ୍ୱାଧୀନତା। ଏଥିସହିତ ରାଜ୍ୟ ନିର୍ମାଣ ଓ ଦେଶ ନିର୍ମାଣ କାର୍ଯ୍ୟରେ ଖବରକାଗଜଗୁଡ଼ିକ ବ୍ରତୀ ହେବା ସଂଗେ ସଂଗେ ଏହାକୁ ଏକ ମିଶନରେ ପରିଣତ କଲେ। ଲୋକଙ୍କ ଅଭାବ ଅସୁବିଧା ଉପସ୍ଥାପନ କରିବା ସହ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପକାଇ ଗଣତନ୍ତ୍ରର ଜାଗ୍ରତ ପ୍ରହରୀଭାବେ କାମକଲେ। ଲୋକଙ୍କ ସୂଚନା ଆବଶ୍ୟକତା ପୂରଣ ସହିତ ଓଡ଼ିଆ ସମ୍ବାଦପତ୍ରମାନେ ଜନମତ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ।

୧୮୭ ବର୍ଷରେ ସାମ୍ବାଦିକତା ଯଥେଷ୍ଟ ବଦଳି ଯାଇଛି। ଏହାସହିତ ଓଡ଼ିଆ ସାମ୍ବାଦିକତା ବଦଳିବାକୁ ବାଧ୍ୟ ହୋଇଛି। ଏହା ଅବଶ୍ୟ ସତ୍ୟ ଯେ ଟେକ୍‌‌ନୋଲୋଜି ପ୍ରୟୋଗ ଓ ବୃତ୍ତିଗତ ସାମ୍ବାଦିକତା କରିବା କ୍ଷେତ୍ରରେ ଓଡ଼ିଆ ସାମ୍ବାଦିକତା ତୁଳନାତ୍ମକ ଭାବେ ବହୁ ପଛରେ ଦୀର୍ଘ ଦିନ ଧରି ପଡ଼ି ରହିଥିଲା। ଏହାର ମୁଖ୍ୟ କାରଣ ଥିଲା ପୁଞ୍ଜିର ଅଭାବ। ତେବେ ସେ ଯା’ହେଉ ୧୯୮୦ ଦଶକରୁ ମୁଦ୍ରଣ ଓ ଖବରକାଗଜ ଛାପା କ୍ଷେତ୍ରରେ ପରିବର୍ତ୍ତନ ଆସିଲା ଏବଂ ନୂଆ ଟେକ୍‌‌ନୋଲୋଜି ଯନ୍ତ୍ରପାତି ଓ ପରିପାଟୀ ସହିତ ଖବରକାଗଜ ସବୁ ବାହାରିଲେ। ବିଡ଼ମ୍ବନା ହେଉଛି ଓଡ଼ିଶାର ଖବରକାଗଜ ସବୁ ସମୟକ୍ରମେ ନିଜର ନିରପେକ୍ଷତା ବିଭିନ୍ନ କାରଣରୁ ହରାଇବାକୁ ବାଧ୍ୟ ହୋଇଛନ୍ତି। ବିଜ୍ଞାପନର ଅଭାବ ଯୋଗୁଁ ଅଧିକାଂଶ ଖବରକାଗଜ ନିଜର ନୀତି ସହିତ ସାଲିସ କରିବାକୁ ବାଧ୍ୟ ହେଉଛନ୍ତି।

ଏକଥା ଅବଶ୍ୟ ସତ୍ୟ ଯେ ପୃଥିବୀର କୌଣସି ଖବରକାଗଜ ସମ୍ପୂର୍ଣ୍ଣ ନିରପେକ୍ଷ ନୁହେଁ। ତେଣୁ ନିଜେ ବଞ୍ଚିବା ନ୍ୟାୟରେ ଅନେକ କାଗଜ ନିଜକୁ ରାଜନୀତିରେ ପକ୍ଷଭୁକ୍ତ କରିଛନ୍ତି। ଖବରକାଗଜ ପ୍ରକାଶନ ଏକ ଅତ୍ୟନ୍ତ ବ୍ୟୟବହୁଳ ଓ ଜଟିଳ ବ୍ୟବସ୍ଥା। ତା’ସହିତ ନ୍ୟୁମିଡିଆର ପ୍ରସାର ଏବଂ ଲୋକପ୍ରିୟତା ବୃଦ୍ଧି ଖବରକାଗଜର ଚାହିଦାକୁ କେତେକାଂଶରେ ପ୍ରଭାବିତ କରିଛି। ତେଣୁ ଅନେକ ପ୍ରତିଷ୍ଠିତ କାଗଜର ପ୍ରସାରଣ ମଧ୍ୟ ପ୍ରଭାବିତ ହୋଇଛି। ଏହାସତ୍ତ୍ବେ ଛାପା ଗଣମାଧ୍ୟମର ପ୍ରଭାବ ଓ ପ୍ରତିଷ୍ଠା ସମ୍ପୂର୍ଣ୍ଣ କ୍ଷୁଣ୍ଣ ହୋଇନାହିଁ। ଏବେ ମଧ୍ୟ ଲୋକେ ଏହାକୁ ଅନ୍ୟତମ ବିଶ୍ୱସ୍ତ ତଥା ପ୍ରମୁଖ ଗଣମାଧ୍ୟମ ଭାବେ ବିବେଚିତ କରୁଛନ୍ତି। ଓଡ଼ିଆ ସାମ୍ବାଦିକତା ଆଜି ଆଉ କେବଳ ଛାପା ଗଣମାଧ୍ୟମରେ ସୀମିତ ନାହିଁ। ଟିଭି, ୱେବ, ଇଣ୍ଟରନେଟ୍‌‌, ମୋବାଇଲ୍‌‌ ଆଦି ବିଭିନ୍ନ ମାଧ୍ୟମରେ ଏହି ସାମ୍ବାଦିକତା ଚାଲିଛି। ଖବରକାଗଜ ଓ ଖବର ‘ସାମଗ୍ରୀ’ ହେବା ପରେ ତା’ର ପରିଭାଷା ବଦଳିଛି ସତ, ଖବରର ସଂଜ୍ଞା କିନ୍ତୁ ବଦଳି ନାହିଁ। ଖବରର ସତ୍ୟତା, ବିଶ୍ୱସନୀୟତା, ଭାଷା ନିରପେକ୍ଷତା ଓ ଉପଯୁକ୍ତ ଉପସ୍ଥାପନର ମୂଲ୍ୟ ଅକ୍ଷୁଣ୍ଣ ରହିଛି। ଖବରର ଏହି ମୌଳିକ ଉପାଦନଗୁଡ଼ିକ ଯେତେଦିନ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିବ, ସେତେଦିନ ପର୍ଯ୍ୟନ୍ତ ଓଡ଼ିଆ ସାମ୍ବାଦିକତା ବଞ୍ଚି ରହିଥିବ। ତେଣୁ ଏ କ୍ଷେତ୍ରରେ ନିରାଶ ହେବାର ଅବକାଶ ନାହିଁ। ଓଡ଼ିଶାରେ ସାମ୍ବାଦିକତାର ପ୍ରବାହ ଜାତୀୟତାବାଦର ମୁଖପତ୍ର ଭାବେ ଜନ୍ମ ନେଇ ଏବେ ସମାବେଶୀ ବିକାଶର ବାର୍ତ୍ତାବହ ସାଜିଛି।

05 Aug 2023 By The Sakala

https://www.thesakala.in/sakala-editorial/sakala-editorial-05-08-2023/article-24146
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର