କୋଟିଆରେ ପୁଣି ଆନ୍ଧ୍ରର ବଦମାସୀ, ବିବାଦର ରାଜନୈତିକ ସମାଧାନ ଲୋଡ଼ା

The Sakala Picture
Published On

ନ୍ୟାୟିକ ଦୃଷ୍ଟିରୁ ଯାହା ଠିକ୍‌‌ ନୁହେଁ, ତାହାକୁ ରାଜନୈତିକ ପ୍ରଭାବ ଓ ଶକ୍ତି ପ୍ରୟୋଗ କରି ଠିକ୍‌‌ କରିହେବ ନାହିଁ। କୋଟିଆ ଗ୍ରାମପୁଞ୍ଜ ବିବାଦରେ ଆନ୍ଧ୍ରପ୍ରଦେଶ ସରକାର ବୋଧହୁଏ ଏହି ମୌଳିକ ବିଷୟଟିକୁ ପାସୋରି ଯାଉଛନ୍ତି। ଦୀର୍ଘ ୫୦ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେବ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାନ୍ତର ୨୮ କୋଟିଆ ଗ୍ରାମ ମଧ୍ୟରୁ ୨୧ଟିକୁ ନେଇ ବିବାଦ ରହିଛି। ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମନେବା (୧୯୫୬ ନଭେମ୍ବର ୧)ର ବହୁପୂର୍ବରୁ ୧୯୩୬ ଏପ୍ରିଲ୍‌‌ […]

ନ୍ୟାୟିକ ଦୃଷ୍ଟିରୁ ଯାହା ଠିକ୍‌‌ ନୁହେଁ, ତାହାକୁ ରାଜନୈତିକ ପ୍ରଭାବ ଓ ଶକ୍ତି ପ୍ରୟୋଗ କରି ଠିକ୍‌‌ କରିହେବ ନାହିଁ। କୋଟିଆ ଗ୍ରାମପୁଞ୍ଜ ବିବାଦରେ ଆନ୍ଧ୍ରପ୍ରଦେଶ ସରକାର ବୋଧହୁଏ ଏହି ମୌଳିକ ବିଷୟଟିକୁ ପାସୋରି ଯାଉଛନ୍ତି। ଦୀର୍ଘ ୫୦ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ହେବ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାନ୍ତର ୨୮ କୋଟିଆ ଗ୍ରାମ ମଧ୍ୟରୁ ୨୧ଟିକୁ ନେଇ ବିବାଦ ରହିଛି। ଆନ୍ଧ୍ରପ୍ରଦେଶ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମନେବା (୧୯୫୬ ନଭେମ୍ବର ୧)ର ବହୁପୂର୍ବରୁ ୧୯୩୬ ଏପ୍ରିଲ୍‌‌ ପହିଲାରେ ଓଡ଼ିଶା ବ୍ରିଟିଶ ଇଣ୍ଡିଆର ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ହେବା କାଳରୁ ତତ୍‌‌କାଳୀନ ମାଡ୍ରାସ୍‌‌ ପ୍ରେସିଡେନ୍ସି ସହିତ ଯେଉଁ ଦକ୍ଷିଣ ସୀମାନ୍ତ ସୀମା ଧାର୍ଯ୍ୟ ହୋଇଥିଲା ସେଥିରେ ଏହି ଗ୍ରାମପୁଞ୍ଜ ଓଡ଼ିଶାର ଅନ୍ତର୍ଭୁକ୍ତ ହୋଇଥିଲା। ତେବେ ପରବର୍ତ୍ତୀ କାଳରେ ନୂତନ ଆନ୍ଧ୍ର ଜନ୍ମ ନେବା ପରେ ପ୍ରାୟ ୨୦ ବର୍ଷର ଓଡ଼ିଶାର ଦାବିକୁ ବଦଳାଇ ଏସବୁ ଗ୍ରାମପୁଞ୍ଜ ଉପରେ ନିଜର ଅଧିକାର ଜାହିର କରିଆସୁଛି। ମାମଲାଟି ଏବେ ସୁପ୍ରିମକୋର୍ଟର ବିଚାରଧୀନ ଅଛି ଏବଂ ଓଡ଼ିଶା ସପକ୍ଷରେ ସ୍ଥିତାବସ୍ଥା ରହିଛି।

ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୀଡ଼ିକା ରାଜନ୍ନା ଦୋରାଙ୍କ ବାରମ୍ବାର ବିବାଦୀୟ ଅଞ୍ଚଳଗସ୍ତ ଏବଂ ସେଠାରେ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ ଆପତ୍ତିଜନକ ନିଶ୍ଚିତ। ଏହାପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଭଳି ମନେ ହେଉଛି। କିଛିଦିନ ତଳେ ଆନ୍ଧ୍ରର କିଛି ସରକାରୀ କର୍ମଚାରୀ କୋଟିଆ ପୁଞ୍ଜର କେତେକ ଗ୍ରାମରେ ଜବରଦସ୍ତ ପ୍ରବେଶ କରି ସେଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମିତ ଗ୍ରାମୀଣ ଆବାସ ଯୋଜନାର ଘରଗୁଡ଼ିକରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ମାରିଥିଲେ। ଓଡ଼ିଶାର ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇ ଦେବା ପରେ ସେମାନେ ପଳାଇଯିବାର ଦୁଇଦିନ ପରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଦୋରା ପୁଣି ସଦଳବଳ ସମ୍ପୃକ୍ତ ଗ୍ରାମଗୁଡ଼ିକୁ ଆସିଥିଲେ। ବିଗତ ପାଞ୍ଚମାସରେ ଏହା ତାଙ୍କର ତୃତୀୟ କୋଟିଆ ଗସ୍ତ। ନିଜ ସଫେଇରେ ସେ କହିଛନ୍ତି ଯେ ଏସବୁ ଗ୍ରାମରେ ବିକାଶମୂଳକ କାମ କିପରି କାର୍ଯ୍ୟକାରୀ ହେଉଛି, ସେ ତାହା ଦେଖିବାକୁ ଆସିଥିଲେ। ତାଙ୍କ ଗସ୍ତକାଳରେ ସେ ସମ୍ପୃକ୍ତ ଗ୍ରାମବାସୀମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପୁସ୍ତିକା ପ୍ରଦାନ କରିବା ସହିତ ଯାବତୀୟ ଲୋଭନୀୟ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।। ଆହୁରି ଆପତ୍ତିଜନକ ହେଲା ଯେ ଗ୍ରାମଗୁଡ଼ିକର ପୁନଃ ଡିଜାଇନ୍‌‌ ପ୍ରସ୍ତୁତ କରିବାକୁ ସେ ତାଙ୍କ ଅଧିକାରୀମାନଙ୍କ ଜରିଆରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ରହିତାଦେଶ ଜାରିଥିବା ଏକ ଅଞ୍ଚଳ ଉପରେ ବାରମ୍ବାର ଅନୁପ୍ରବେଶ କରି ଏଭଳି କାର୍ଯ୍ୟ କରିବା ଆଇନତଃ ଗର୍ହିତ ହୋଇଥିବା ସତ୍ତ୍ବେ ଆନ୍ଧ୍ର ସରକାର ଓ ତାଙ୍କ ଉପମୁଖ୍ୟମନ୍ତ୍ରୀ ଏହାକୁ ଭ୍ରୂକ୍ଷେପ କରୁନାହାନ୍ତି। ଏହା ତ ଗୁରୁତର ଅଦାଲତ ଅବମାନନା ଘଟଣା ଓ ସ୍ୱାଧୀନ ଭାରତର ଏକ ବଡ଼ ବିଡ଼ମ୍ବନା।

ପୀଡ଼ିକା ଡୋରା ଏଥର ତାଙ୍କ କୋଟିଆ ଗସ୍ତବେଳେ ‘ଆନ୍ଧ୍ର-ଓଡ଼ିଶା ଭାଇଭାଇ’, ‘ଓଡ଼ିଶା ମୁଖ୍ୟମନ୍ତ୍ରୀ ତାଙ୍କ ପିତା ସମାନ’ ଭଳି ମନ୍ତବ୍ୟ ଦେବା ତାଙ୍କ ଉଦ୍ଦେଶ୍ୟକୁ ଅଧିକ ସନ୍ଦିଗ୍ଧ କରୁଛି। ସେ ଯେ ଏକ ବୃହତ୍ତର ଯୋଜନାର ମସୁଧାରେ ଅଛନ୍ତି, ଏହା ତାଙ୍କ ମିଠା କଥାରୁ ଜାଣି ହୋଇଯାଉଛି। ପ୍ରଶ୍ନ ହେଉଛି ସମ୍ପୃକ୍ତ ବିବାଦୀୟ ଗ୍ରାମର ଲୋକମାନେ କିଛି ରାଜନୈତିକ ଦଲାଲଙ୍କ ପ୍ରରୋଚନାରେ ପଡ଼ି ଦୁଇପଟରୁ ଲାଭ ଉଠାଉଛନ୍ତି ଏବଂ ଏହି ପ୍ରକ୍ରିୟାରେ ସେମାନଙ୍କର ଭାଷା, ଜାତି ଓ ରାଜ୍ୟପ୍ରେମ ଗୌଣ ହୋଇଯାଉଥିବା ଅଭିଯୋଗ ହେଉଛି। ସ୍ୱାର୍ଥ ଅଧିକାର ପାଇଲେ ସ୍ୱାଭିମାନ ନଷ୍ଟ ହୋଇଯାଏ ଏବଂ ଏହାକୁ କୌଣସି ସରକାର ବନ୍ଦ କରିପାରିବ ନାହିଁ। ତେଣୁ ପ୍ରଥମେ ସେହି ରାଜନୈତିକ ଦଲାଲ ଓ ଫାଇଦା ଉଠାଉଥିବା ଗୋଷ୍ଠୀଙ୍କୁ ଠାବ କରି ସେମାନଙ୍କୁ ଓଡ଼ିଶା ସାବାଡ଼ କରିବା ଆବଶ୍ୟକ।

କୋଟିଆରେ ଓଡ଼ିଶା ସରକାର କିଛି କରୁନାହାନ୍ତି ବୋଲି ବିରୋଧୀଦଳର ଯେଉଁ ନେତାମାନେ ଚିତ୍କାର କରୁଛନ୍ତି, ସେମାନେ ଜାଣିବା ଦରକାର ଯେ ଏ ସମସ୍ୟା ଏବେକାର ନୁହେଁ; ବେଶ୍‌‌ ପୁରୁଣା। ବିଗତ ୨୦ ବର୍ଷ ମଧ୍ୟରେ କୋଟିଆରେ କ’ଣ ବିକାଶ ହୋଇଛି, ସେମାନେ ନିଜେ ଯାଇ ଦେଖି ଆସିବା ଉଚିତ। ଆନ୍ଧ୍ର ସରକାର ସେଠାରେ ଓ ଆଉ କେତେକ ସୀମାନ୍ତବର୍ତ୍ତୀ ରାଜ୍ୟରେ ଯେଉଁ ପ୍ରତିଯୋଗିତାମୂଳକ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଉଦ୍ଦେଶ୍ୟମୂଳକ ଭାବେ ଚଳାଇଛନ୍ତି, ତାହା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପଡ଼ୋଶୀ ରାଜ୍ୟରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଏହା ତ ଏକ ଧର୍ତ୍ତବ୍ୟ ଅପରାଧ ସହ ସମାନ।
କୋରାପୁଟ ଜିଲ୍ଲାପାଳ କହିଛନ୍ତି ଯେ କୋଟିଆରେ ନିର୍ମିତ ଭିତ୍ତିଭୂମି ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଠିକ୍‌‌ ଠାକ୍‌‌ ଅଛି। ସେଠାରେ ଆନ୍ଧ୍ରର ହସ୍ତକ୍ଷେପବାଦୀ ପ୍ରୟାସକୁ ପ୍ରତିହତ କରାଯାଇଛି। କିନ୍ତୁ ପରିସ୍ଥିତିର ସମ୍ବେଦନଶୀଳତା ଦୃଷ୍ଟିରୁ ଏହା ଯଥେଷ୍ଟ ହେବା ପରି ଲାଗୁନାହିଁ। ନିଜ ସୀମାର ସୁରକ୍ଷା ପାଇଁ ପରିସ୍ଥିତି ଓ ସମୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲୋଡ଼ୁଛି। ଦୁର୍ଭାଗ୍ୟଜନକ ହେଲା, ଆମ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଦା ବିଷ୍ଣୁ ସାଜିଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବହୁଦିନର ଜଟିଳ ସୀମା ବିବାଦ ସବୁକୁ ସମାଧାନ କରିବାରେ କେନ୍ଦ୍ର ସରକାର ଯେଉଁ ତତ୍ପରତା ପ୍ରକାଶ କରୁଛନ୍ତି, କୋଟିଆରେ ତାହା ଦେଖିବାକୁ ମିଳୁନାହିଁ। ଏହି ପ୍ରସଙ୍ଗରେ ରାଜନୈତିକ ସମାଧାନ ନ୍ୟାୟିକ ନିଷ୍ପତ୍ତିଠାରୁ ଅଧିକ ଗୁରୁତ୍ୱ ବହନ କରେ। ଓଡ଼ିଶା ବାରମ୍ବାର ଏ କଥା କେନ୍ଦ୍ରର ନଜରକୁ ଆଣୁଛି, ସଂଘୀୟ ମଞ୍ଚରେ ଉପସ୍ଥାପନ କରୁଛି; କିନ୍ତୁ କିଛି ଫଳ ହେଉ ନାହିଁ। ଏହା ସୂଚାଉଛି ଯେ କେନ୍ଦ୍ର ସରକାର ସୀମା ପ୍ରସଙ୍ଗରେ ଓଡ଼ିଶା ପାଇଁ ଦୋହରା ମାନଦଣ୍ଡ ପ୍ରୟୋଗ କରୁଛନ୍ତି।
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର କୋଟିଆ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ସୃଷ୍ଟି ହେବା ସ୍ୱାଭାବିକ। ଓଡ଼ିଶା ସରକାରଙ୍କୁ ସେଥିପ୍ରତି ଅବଶ୍ୟ ସତର୍କ ରହିବାକୁ ପଡ଼ିବ।

05 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର