‘ତପସ୍ୱିନୀ’ର ବିନୟ ପତର: ଏକ ଅନନ୍ୟ ସୃଷ୍ଟି
ସାହିତ୍ୟରେ ପତ୍ରଲିଖନର ପରମ୍ପରା ବହୁ ପ୍ରାଚୀନ। ପୃଥିବୀର ବିଭିନ୍ନ ଭାଷାର ସାହିତ୍ୟ ମଧ୍ୟରେ ବହୁପତ୍ର ସ୍ଥାନିତ ହୋଇ ବିଷୟବସ୍ତୁକୁ ଅଧିକ ଆକର୍ଷଣୀୟ କରିବାର ଦେଖାଯାଏ। ଏଇକ୍ରମରେ ଓଡ଼ିଆ ସାହିତ୍ୟରେ ପଦ୍ୟାକାରରେ ଲିଖିତ, ‘ଲେଖି ଆରମ୍ଭିଲା ବସି ବିନୟ ପତର’, ‘ଲେଖି ଅଛି କଂସ ହୋଇ ମହାରୋଷ’ ପ୍ରଭୃତି ପତ୍ର ତଥା ଆଧୁନିକ ଯୁଗରେ ଲିଖିତ ‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସରେ ମନୀଷାର ଚିଠି, ‘ଅମୃତ ଫଳ’ରେ ଆଉ ଜଣେ ମନୀଷାର ଦୁଇ ଖଣ୍ଡ ଚିଠି ଇତ୍ୟାଦି ପାଠକ ପ୍ରାଣରେ […]
ସାହିତ୍ୟରେ ପତ୍ରଲିଖନର ପରମ୍ପରା ବହୁ ପ୍ରାଚୀନ। ପୃଥିବୀର ବିଭିନ୍ନ ଭାଷାର ସାହିତ୍ୟ ମଧ୍ୟରେ ବହୁପତ୍ର ସ୍ଥାନିତ ହୋଇ ବିଷୟବସ୍ତୁକୁ ଅଧିକ ଆକର୍ଷଣୀୟ କରିବାର ଦେଖାଯାଏ। ଏଇକ୍ରମରେ ଓଡ଼ିଆ ସାହିତ୍ୟରେ ପଦ୍ୟାକାରରେ ଲିଖିତ, ‘ଲେଖି ଆରମ୍ଭିଲା ବସି ବିନୟ ପତର’, ‘ଲେଖି ଅଛି କଂସ ହୋଇ ମହାରୋଷ’ ପ୍ରଭୃତି ପତ୍ର ତଥା ଆଧୁନିକ ଯୁଗରେ ଲିଖିତ ‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସରେ ମନୀଷାର ଚିଠି, ‘ଅମୃତ ଫଳ’ରେ ଆଉ ଜଣେ ମନୀଷାର ଦୁଇ ଖଣ୍ଡ ଚିଠି ଇତ୍ୟାଦି ପାଠକ ପ୍ରାଣରେ ଗଭୀର ଆଲୋଡ଼ନ ସୃଷ୍ଟି କରେ। ଏଇଦୃଷ୍ଟିରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରମୁଖ ରଚନା (ମାଷ୍ଟରପିସ୍) ଭାବରେ ପ୍ରସିଦ୍ଧି ଲାଭ କରିଥିବା ସୀତା କାବ୍ୟ ‘ତପସ୍ୱିନୀ’ର ଏକାଦଶ ସର୍ଗସ୍ଥିତ ସୀତାଙ୍କ ଦ୍ୱାରା ଶ୍ରୀରାମଙ୍କୁ ଲିଖିତ ‘ବିନୟ ପତର’ର ଏକ ନିଜସ୍ୱ ଆବେଦନ ରହିଛି। ଏଇ ପତ୍ରଟି ଭାବ, ବିଷୟବସ୍ତୁ ତଥା କାବ୍ୟଶିଳ୍ପ ଦୃଷ୍ଟିରୁ ଅନନ୍ୟ ଅଟେ।
ବାଲ୍ମୀକି କୃତ ‘ରାମାୟଣ’ର ଉତ୍ତରା କାଣ୍ଡ, କବି କୁଳଗୁରୁ କାଳିଦାସଙ୍କ ‘ରଘୁବଂଶ’ର ଚତୁର୍ଦ୍ଦଶ ସର୍ଗ ତଥା ମହାକବି ଭବଭୂତିଙ୍କ ‘ଉତ୍ତରରାମଚରିତମ୍’ର କଥାବସ୍ତୁ ଆଧାରରେ ତପସ୍ୱିନୀର କଥାବସ୍ତୁ ରଚିତ ହେଲେ ମଧ୍ୟ ସ୍ୱଭାବ କବିଙ୍କ କଳ୍ପନାର କମନୀୟ ସ୍ପର୍ଶରେ ଅନେକ ନୂତନ ବିଷୟ ସଂଯୋଜିତ ହୋଇ ସମଗ୍ର ତପସ୍ୱିନୀକୁ ଏକ ସ୍ୱାତନ୍ତ୍ର୍ୟ ପ୍ରଦାନ କରିଛି।
କବିବର ରାଧାନାଥ ରାୟଙ୍କ ବଂଗଳା ଭାଷାରେ ଲିଖିତ ‘ଲେଖାବଳୀ’ର ପ୍ରଥମ ପତ୍ର ‘ରାମଚନ୍ଦ୍ରେର ପ୍ରତି ଜାନକୀ’ ତଥା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ‘ସୀତାର ବନବାସ’ରେ ସନ୍ନିବେଶିତ ପତ୍ରଗୁଡ଼ିକରୁ ପ୍ରେରଣା ନେଇ ମେହେର କବି ଏଭଳି ଏକ ବିନୟ ପତରର ପରିକଳ୍ପନା କରିଥାଇ ପାରନ୍ତି, କିନ୍ତୁ ଉକ୍ତ ପତ୍ରଗୁଡ଼ିକର ବିଷୟବସ୍ତୁଠାରୁ ‘ତପସ୍ୱିନୀ’ର ବିନୟ ପତରର ବିଷୟବସ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ।
ନିରପରାଧିନୀ ସୀତା ପତି କର୍ତ୍ତୃକ ନିର୍ବାସିତା ହେବା ପରେ ବାଲ୍ମୀକି ଆଶ୍ରମରେ ତପସ୍ୱିନୀର ଜୀବନ ଅତିବାହିତ କରିବା ସହ ଏକ ଆଦର୍ଶ ଜନନୀର ଭୂମିକା ନିର୍ବାହ କରିଛନ୍ତି। ତଥାପି କାୟମନୋବାକ୍ୟରେ ପତି ଶ୍ରୀରାମଙ୍କ ପ୍ରତି ସମର୍ପିତା ସିଏ। ପ୍ରତିଟି ଉଷାକାଳରେ ଶ୍ରୀରାମଙ୍କ ଛବିକୁ ସ୍ମରଣ କରି ଶଯ୍ୟାତ୍ୟାଗ କରିବା ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟ। ଅତି ଚମତ୍କାର ଶୈଳୀରେ ସ୍ୱଭାବ କବିଙ୍କ ଲେଖନୀରେ ଏ ବ୍ୟାପାରଟି ଚିତ୍ରିତ।
ପଦ୍ମିନୀ-ହୃଦ-ଶିଶିର- ବିନ୍ଦୁରେ ଖର-ରଶ୍ମିର / ପ୍ରତିବିମ୍ୱ ପରି, ବୀର ରାମ ମୂରତି। ଶୋକ ଜର୍ଜରିତ ଚିତ୍ତ- ଫଳକେ କରି ଚିତ୍ରିତ / ହେଲେ ଆସନୁ ଉତ୍ଥିତ ଜାନକୀ-ସତୀ।
କେବଳ ସ୍ୱାମୀଙ୍କର ନୁହେଁ, ସମସ୍ତ ରଘୁବଂଶୀଙ୍କ ମଙ୍ଗଳକାମନାରେ ଉଷାଙ୍କ ସମକ୍ଷରେ ତାଙ୍କର ପ୍ରାର୍ଥନା ‘ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ’ ପାଠକକୁ ଅଭିଭୂତ କରେ। ପତିଙ୍କଠାରୁ ବିଚ୍ଛିନ୍ନା ହୋଇ ରହିଥିବାର ତୀବ୍ର ମନୋବେଦନା ମଧ୍ୟରେ ବଞ୍ଚୁଥିଲେ ମଧ୍ୟ ଶ୍ରୀରାମଙ୍କ ପ୍ରତି ସୀତାଙ୍କର ବିଶ୍ୱାସ ତାଙ୍କୁ ମାନସିକ ସ୍ତରରେ ଦୃଢ଼ କରି ରଖିଥିଲା। ସୀତାଙ୍କ ମନ ଫରୁଆରେ ଏକମାତ୍ର ଆଶ୍ୱାସନାର ରତ୍ନଟି ସଯତ୍ନେ ସାଇତା ଥିଲା ଯେ ସ୍ୱାମୀ ତାଙ୍କର ‘ଏକପତ୍ନୀବ୍ରତ’ ଧାରଣ କରିଛନ୍ତି। ଅତଃ, ସ୍ୱାମୀଙ୍କ ହୃଦୟରେ ପତ୍ନୀ ରୂପରେ ତାଙ୍କ ସ୍ଥାନ ମଧ୍ୟ ଯଥାବତ୍ ସୁରକ୍ଷିତ ରହିଥିବ। କିନ୍ତୁ ହଠାତ୍ ଶ୍ରୀରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞ ବୃତ୍ତାନ୍ତ ଶ୍ରବଣ ତାଙ୍କ ହୃଦୟକୁ ବ୍ୟଥାସିକ୍ତ କରିଦେଇଛି। ସଂସ୍କୃତି ସମ୍ପନ୍ନା ସୀତା ଭଲ ଭାବରେ ଜାଣିଥିଲେ ‘ସସ୍ତ୍ରୀକୋ ଧର୍ମମାଚରେତ୍।’ ଅର୍ଥାତ୍, ପତ୍ନୀ ସହିତ ହିଁ କୌଣସି ଯଜ୍ଞାନୁଷ୍ଠାନ କରିବା ଉଚିତ। ତେଣୁ ଅଶ୍ୱମେଧ ଯଜ୍ଞ ଦୀକ୍ଷିତ ଶ୍ରୀରାମଙ୍କୁ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବାକୁ ହିଁ ହୋଇଥିବ।
ତେଣେ ଶୁଣି ମୁନି ମୁଖୁଁ ଅଶ୍ୱମେଧ କଥା / ବୈଦେହୀ ହୃଦୟେ ହେଲା ଆକସ୍ମିକ ବ୍ୟଥା। ଭାବିଲେ ନିଶ୍ଚୟ ରଘୁକୁଳ ଚୂଡ଼ାମଣି / ଅଙ୍କେ ବସାଇଲେ ଆଣି ଦ୍ୱିତୀୟା ରମଣି।
ସୀତାଙ୍କ ମଧ୍ୟସ୍ଥ ନିରୋଳା ନାରୀସତ୍ତାଟି କଳ୍ପିତ ସପତ୍ନୀର ଭାବନାରେ ଆର୍ତ୍ତନାଦ କରି ଉଠିଲା। କୌଣସି ନାରୀ ନିଜ ପତି ଉପରେ ଅନ୍ୟ କୌଣସି ନାରୀର ଅଧିକାରକୁ ସ୍ୱୀକାର କରିପାରେନାହିଁ। ସୀତା ବା ଏଥିରୁ ବାଦ୍ ଯିବେ କିପରି?
ରାମାୟଣରେ ସୀତାଙ୍କୁ ଅରଣ୍ୟରେ ଛାଡ଼ିବାକୁ ଯାଇଥିବା ଲକ୍ଷ୍ମଣ ତାଙ୍କୁ ଜଣାଇ ଦେଇଥିଲେ ଯେ, ଭବିଷ୍ୟତରେ ଶ୍ରୀରାମ ସୁବର୍ଣ୍ଣ ସୀତା ନିର୍ମାଣ କରାଇ ଧାର୍ମିକ ପ୍ରସଙ୍ଗରେ ସୀତାଙ୍କର ଅଭାବ ପୂରଣ କରିବେ। ‘ଉତ୍ତରରାମଚରିତମ୍’ରେ ମଧ୍ୟ ବାସନ୍ତୀ ସହ ବାର୍ତ୍ତାଳାପ କାଳରେ ଶ୍ରୀରାମ ସୁବର୍ଣ୍ଣ ସୀତା ପ୍ରସଙ୍ଗ କହିଥିଲେ। ସେଠାରେ ଅନ୍ତରାଳରେ ଅବସ୍ଥାନ କରୁଥିବା ସୀତା ତାହା ଶ୍ରବଣ କରି ଆଶ୍ୱସ୍ତା ହୋଇଥିଲେ। କିନ୍ତୁ ତପସ୍ୱିନୀରେ ମେହେର କବି ସୀତାଙ୍କୁ ସେ ସୁଯୋଗ ଦେଇ ନାହାନ୍ତି। ହଠାତ୍ ଅଶ୍ୱମେଧ ଯଜ୍ଞ ବିଷୟ ଶ୍ରବଣ କରି ସୀତାଙ୍କ ହୃଦୟ ବ୍ୟଥିତ ହୋଇଛି। ସ୍ୱଭାବ କବିଙ୍କ ବର୍ଣ୍ଣନାର ଏ ସ୍ୱାତନ୍ତ୍ର୍ୟ ପ୍ରସଙ୍ଗରେ ନାଟକୀୟତା ଭରିଦେଇଛି ଏବଂ ବିନୟ ପତର ପାଇଁ ସ୍ଥାନ ସୃଷ୍ଟି କରିଛି।
ସୀତାଙ୍କ ମନରେ ଅନେକ ପ୍ରଶ୍ନ। ଯେଉଁ ରମଣୀଟି ଶ୍ରୀରାମଙ୍କ ଦ୍ୱିତୀୟା ପତ୍ନୀ ରୂପେ ଆସିଥିବେ, ସେ କୌଣସି ସାଧାରଣ ନାରୀ ହୋଇନଥିବେ। କାରଣ ଶ୍ରୀରାମଙ୍କ ପତ୍ନୀତ୍ୱର ସୌଭାଗ୍ୟ ଲାଭ କରିବା ସହଜ କଥା ନୁହେଁ। ଏଥିପାଇଁ ଅନେକ କଠିନ ତପସ୍ୟା ସେ ଆଚରଣ କରିଥିବେ। ସେଇ କଳ୍ପିତା ସପତ୍ନୀଙ୍କର କଠୋର ତପଶ୍ଚର୍ଯ୍ୟା ସହ ନିଜର ତପସ୍ୟାକୁ ତୁଳନା କରି ତପସ୍ୱିନୀ ସୀତା ନିଜକୁ ନ୍ୟୂନା ମନେକରିଛନ୍ତି। ଶ୍ରୀରାମଙ୍କ ନବବଧୂର ତପସ୍ୟାର ସ୍ୱରୂପ ଜାଣିବା ନିମନ୍ତେ ସେ ବ୍ୟଗ୍ରା ତଥା ଉଦ୍ବିଗ୍ନା ହୋଇ ଉଠିଛନ୍ତି। ତପସ୍ୟାର ସ୍ୱରୂପ ଜାଣିଲେ, ତାଠୁ ଅଧିକ କଠୋର ତପସ୍ୟା କରିପାରିବାର ଏକ ପ୍ରତିଯୋଗିତାମୂଳକ ଭାବ ତାଙ୍କ ମନରେ ଉଦିତ ହୋଇଛି। ପରିଶେଷରେ ଶ୍ରୀରାମଙ୍କୁ ହିଁ ପଚାରିବାକୁ ମନସ୍ଥ କରି ସେ ପତ୍ରର ସାହାଯ୍ୟ ନେଇଛନ୍ତି।
ଉପାୟେ ଆଣିବି ସେହି ନିଗୂଢ଼ ମନ୍ତର / ବିଚାରି ଲେଖିଲେ ସତୀ ବିନୟ ପତର।
ପତ୍ରର ଆଦ୍ୟରେ ନମନୀୟତାର ଶିଖରକୁ ସ୍ପର୍ଶ କରି ସୀତା, ରାଜା ରାମଚନ୍ଦ୍ରଙ୍କ ନିକଟରେ ‘ଦୀନା ଭିଖାରିଣୀ’ ଭାବରେ ନିଜକୁ ଉପସ୍ଥାପିତା କରିଛନ୍ତି। ଏଥିସହିତ ଶ୍ରୀରାମଙ୍କ ଦାନଶୀଳତାର ଭୂୟସୀ ପ୍ରଶଂସା କରିଛନ୍ତି। ଦ୍ୱିତୀୟତଃ, ନିଜର ବାସ୍ତବ ପରିଚୟକୁ ଗୋପନ ରଖି ସେ ନିଜକୁ ଆଶ୍ରମ ବାସିନୀ ଜଣେ ତପସ୍ୱିନୀ ବୋଲି କହିଛନ୍ତି। ପୁନଶ୍ଚ ଶ୍ରୀରାମଙ୍କୁ ‘ତାପସ-ଅଶାନ୍ତି ନାଶକ’ ଭାବରେ ଉପସ୍ଥାପନ କରିବା ଦ୍ୱାରା ତପସ୍ୱିନୀଙ୍କ ଯାଚନା ପ୍ରତି ସେ ନିଶ୍ଚୟ ଗୁରୁତ୍ୱ ଦେବେ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି।
ସମଗ୍ର ପତ୍ରଟିରେ ସୀତା, ଶ୍ରୀରାମଙ୍କଠାରୁ ଦୁଇଟି ଭିକ୍ଷା କରିଛନ୍ତି। କେଉଁ ତପସ୍ୟା ବଳରେ ଶ୍ରୀରାମଙ୍କ ନବବିବାହିତ ପତ୍ନୀ ତାଙ୍କର ଦୁର୍ଲଭ ପତ୍ନୀତ୍ୱ ଲାଭ କରିପାରିଛନ୍ତି କେବଳ ଏତିକି ମାତ୍ର ରହସ୍ୟ ସେ ଶ୍ରୀରାମଙ୍କଠାରୁ ଜାଣିବାକୁ ଚାହିଁଛନ୍ତି। ଅତ୍ୟନ୍ତ ଉଦ୍ବିଗ୍ନା ସୀତା ପତରରେ ଲେଖୁଛନ୍ତି –
ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ / କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ। ଏହାମାତ୍ର ପ୍ରଭୋ, ମତେ ଦେବଟି ଜଣାଇ / ଅନ୍ୟକିଛି ଧନେ ମୋର ପ୍ରୟୋଜନ ନାହିଁ।
ଶ୍ରୀରାମ ଯଦି ଏହି ମାଗୁଣି ପୂରଣ କରନ୍ତି, ତେବେ ତାହା ତାଙ୍କୁ କୋଟି ଅଶ୍ୱମେଧ ଯଜ୍ଞରୁ ଅଧିକ ପୁଣ୍ୟ ପ୍ରଦାନ କରିବ ବୋଲି ମଧ୍ୟ ସେ ଜଣାଇଛନ୍ତି। ସୀତାଙ୍କ ଉକ୍ତିରୁ ତାଙ୍କର ତୀବ୍ର ମାନସିକ ଦୋଳନର ପରିଚୟ ମିଳୁଛି।
କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ / ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ।
ଏହାଥିଲା ସୀତାଙ୍କର ପ୍ରଥମ ଭିକ୍ଷା। ବିନୟ ପତରସ୍ଥ ସୀତାଙ୍କର ଦ୍ୱିତୀୟ ଭିକ୍ଷାଟି ଥିଲା ଏହିପରି – ପତ୍ର ଲେଖିକାର ଆବାଲ୍ୟ ପିତୃସ୍ନେହରୁ ବଞ୍ଚିତ ଅବୋଧ ପୁତ୍ରଦ୍ୱୟ ସୁଲଳିତ କଣ୍ଠରେ ରାମାୟଣ ଗାନ କରନ୍ତି। ସେମାନଙ୍କ ଗୀତ ଶୁଣି ତରୁ ଲତା ମଧ୍ୟ ଦୁଃଖାଭିଭୂତ ହୋଇ ଉଠନ୍ତି। ତେଣୁ ସେ କରୁଣ ରସମୟ ଗୀତ ଯଦି ଶ୍ରୀରାମଙ୍କ ମନରେ ସୀତା ସମ୍ପର୍କିତ ସ୍ମୃତି ଉଜାଗର କରିବ, ତେବେ ନବବିବାହିତା ପତ୍ନୀଙ୍କ ମୁଖପଦ୍ମକୁ ସଂଦର୍ଶନ କରି ସେ ବୈଦେହୀଙ୍କୁ ସ୍ୱପ୍ନ ପରି ପାଶୋରି ଦେବେ।
ଧୀର ବର, ସେକଥାକୁ ଘେନି ତୁମ୍ଭ ଶ୍ରୁତି / ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି। ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ / ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ ଲପନ।
ପ୍ରଥମ ଭିକ୍ଷାଟିରେ ସୀତାଙ୍କ ଆତ୍ମବିଶ୍ଳେଷଣର ସ୍ୱର ଶୁଭେ। କଳ୍ପିତା ସପତ୍ନୀ କିଏ, ତାଙ୍କର ପରିଚୟ ଜାଣିବାକୁ ସେ ଇଚ୍ଛା କରିନାହାନ୍ତି, ବରଂ ତାଙ୍କର ତପସ୍ୟାର ଶୈଳୀ ଓ ନିଷ୍ଠା କଥା ଜାଣିବାକୁ ବ୍ୟଗ୍ର ହେବା ସହ ତାଙ୍କଠାରୁ ନିଜ ତପସ୍ୟାକୁ ନ୍ୟୂନ ମନେ କରିଛନ୍ତି। ଏହା ତାଙ୍କର ନମ୍ରତାକୁ ବହୁଗୁଣିତ କରିବା ସହ ପାତିବ୍ରତ୍ୟକୁ ଅଧିକ ଉଦ୍ଭାସିତ କରୁଛି। ଦ୍ୱିତୀୟ ଭିକ୍ଷାଟି ପତି ବିରହରେ ଜର୍ଜରିତା ଜଣେ ପତ୍ନୀର ସ୍ୱାଭାବିକ ଆଭିମାନରେ ଆର୍ଦ୍ର ହୋଇଗଲା ପରି ମନେହୁଏ। ନିଜର ତଥା ପିତୃ ଅନୁରାଗ ବର୍ଜିତ ପୁତ୍ରମାନଙ୍କର ବୃତ୍ତାନ୍ତ ବର୍ଣ୍ଣନା ଛଳରେ ସେ ଶ୍ରୀରାମଙ୍କ ମନରେ ଆସନ୍ନ ସଂଭବା ନିର୍ବାସିତା ପତ୍ନୀ ଓ ଜନ୍ମିତ ସନ୍ତାନଙ୍କ ସ୍ମୃତି ଆଣିବାର ପ୍ରୟାସ କଲାପରି ମନେ ହୁଏ।
ଆଉ ଏକ କଥା ମାତ୍ର ଅଛି ଅନୁରୋଧ / ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ। ନାହିଁ ତାଙ୍କ ପିତୃ କୋଳ ଆରୋହଣ ଭାଗ୍ୟ / ନଜାଣନ୍ତି ଜନ୍ମକାଳୁ ପିତୃ-ଅନୁରାଗ।
ରାମ ଜାନକୀ ଚରିତ ଶୁଣି ବୈଦେହୀଙ୍କୁ ଭୁଲି ଯିବାକୁ ଯେଉଁ ନିବେଦନ ସେ କରିଛନ୍ତି, ତାହା ଜାନକୀଙ୍କୁ ମନେ ରଖିବା ପାଇଁ ଅଧିକ ପ୍ରଚୋଦିତ କଲାପରି ମନେହୁଏ।
ସୀତାଙ୍କର ପତ୍ର ଲେଖା ଚାଲିଥାଏ। ଆଖିର ଅଶ୍ରୁଧାରରେ ଧୌତ ହେଉଥାଏ ସେ ପତ୍ରର ଅକ୍ଷର ସବୁ। ତାହାପରେ ଆଉ କ’ଣ ଲେଖିବେ ବୋଲି ଭାବୁ ଭାବୁ କୁଶଲବଙ୍କର ପ୍ରବେଶ ଘଟେ। ଅନ୍ୟ ଏକ ନାଟକୀୟତା ସୃଷ୍ଟି କରି କବି ଗଙ୍ଗାଧର ସୀତାଙ୍କ ବିନୟ ପତରକୁ ଅସମ୍ପୂର୍ଣ୍ଣ ରଖି ଦେଇଛନ୍ତି। ଶ୍ରୀରାମଙ୍କ ବାମ ଭାଗର ଅଧିକାରିଣୀ କୌଣସି ମାନବୀ ନଥିଲେ। ତାହା ସୀତାଙ୍କର ସୁବର୍ଣ୍ଣ ପ୍ରତିକୃତି ହିଁ ଥିଲା। ପୁତ୍ରମାନଙ୍କଠାରୁ ପ୍ରାପ୍ତ ଏ ସମ୍ୱାଦରେ ସୀତାଙ୍କର କଳ୍ପିତ ଧାରଣା ରୂପାନ୍ତରିତ ହେଲା। ଅଭିମାନ ପରିବର୍ତ୍ତିତ ହେଲା ଅନୁତାପରେ। ସେହି ଅନୁତାପ ତପସ୍ୱିନୀ ସୀତାଙ୍କ ଚରିତ୍ରକୁ ଅଧିକ ଜାଜ୍ୱଲ୍ୟମାନ କଲା। ଆଶ୍ୱସ୍ତା ସୀତାଙ୍କ ମୁଖରୁ ନିସୃତ ହେଲା –
ଅପରାଧ କ୍ଷମ ନାଥ, କ୍ଷମାର ସାଗର / ବିଧି କଲା ମତେ ତୁମ୍ଭ ହୃଦୟର ଗର।
ଉଲ୍ଲେଖଯୋଗ୍ୟ ଯେ, ଅସମ୍ପୂର୍ଣ୍ଣ ବିନୟ ପତରଟି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚି ନାହିଁ। ତା’ର ଆଉ ଆବଶ୍ୟକତା ନଥିବାର ଅନୁଭବ କରି ସୀତା ତାକୁ ଲୁଚାଇ ଦେଇଛନ୍ତି। କିନ୍ତୁ କବି ଗଙ୍ଗାଧରଙ୍କର ଏକ ଅଭିନବ କଳ୍ପନାର ସାକ୍ଷ୍ୟ ପ୍ରଦାନ କରୁଥିବା ଏଇ ପତରଟି, ସୀତାଙ୍କ ନାରୀସୁଲଭ ଅଭିମାନ ସହ ନମ୍ରତାର ଅପୂର୍ବ ମିଶ୍ରଣ ରୂପେ ଚିରଦିନ ପାଠକମାନସରେ ଏକ ଅନନ୍ୟ ମର୍ଯ୍ୟାଦିତ ସ୍ଥାନ ଅଳଂକୃତ କରୁଥିବ। ଡ. ସଙ୍ଗୀତା ରଥ ବରଗଡ଼, ମୋ: ୯୬୬୮୬୫୮୧୪୨





