ମନୋରଞ୍ଜନ
ବରିଷ୍ଠ ନାଗରିକଙ୍କ ବେଦନା
ପିତାମାତାଙ୍କ ବିନା ଜୀବନ ଅପୂର୍ଣ୍ଣ ଓ ଅକଳ୍ପନୀୟ। ଟାଣ ଖରାରୁ ବଞ୍ଚାଇବା ପାଇଁ ମାର ପଣତ ସର୍ବଦା ଉନ୍ମୁକ୍ତ ଥିଲାବେଳେ ପିତା ହେଉଛନ୍ତି ମୁହଁରୁ ସବୁ ଦୁଃଖ କଷଣକୁ ଶୋଷି ନେଉଥିବା ଏକ ଥଣ୍ଡା ପବନ। କିନ୍ତୁ ଯେଉଁ ହାତଧରି ଆମେ ଛୋଟବେଳେ ଚାଲିବା ଶିଖିଥାଉ ସେହି ହାତର ଲାଠି ହେବା ପାଇଁ ଆମେ କଦାପି ଚିନ୍ତା କରି ନ ଥାଉ। ଏହା ହିଁ ପରିଣତ ବୟସରେ ବ୍ୟକ୍ତିଙ୍କୁ ଏକୁଟିଆ ଓ ନିଃସହାୟ କରିଦେଉଛି। ଏକାକୀ ଜୀବନ […]
ପିତାମାତାଙ୍କ ବିନା ଜୀବନ ଅପୂର୍ଣ୍ଣ ଓ ଅକଳ୍ପନୀୟ। ଟାଣ ଖରାରୁ ବଞ୍ଚାଇବା ପାଇଁ ମାର ପଣତ ସର୍ବଦା ଉନ୍ମୁକ୍ତ ଥିଲାବେଳେ ପିତା ହେଉଛନ୍ତି ମୁହଁରୁ ସବୁ ଦୁଃଖ କଷଣକୁ ଶୋଷି ନେଉଥିବା ଏକ ଥଣ୍ଡା ପବନ। କିନ୍ତୁ ଯେଉଁ ହାତଧରି ଆମେ ଛୋଟବେଳେ ଚାଲିବା ଶିଖିଥାଉ ସେହି ହାତର ଲାଠି ହେବା ପାଇଁ ଆମେ କଦାପି ଚିନ୍ତା କରି ନ ଥାଉ। ଏହା ହିଁ ପରିଣତ ବୟସରେ ବ୍ୟକ୍ତିଙ୍କୁ ଏକୁଟିଆ ଓ ନିଃସହାୟ କରିଦେଉଛି।
ଏକାକୀ ଜୀବନ ଅତିବାହିତ କରିବାର ଅନେକ କାରଣ ରହିଛି। ସେଗୁଡ଼ିକ ମଧ୍ୟରୁ ଆମ ଦେଶରେ ପ୍ରମୁଖ କାରଣଗୁଡ଼ିକ ହେଲା ସନ୍ତାନମାନଙ୍କ ଦ୍ୱାରା ଅବହେଳିତ ହେବା, ସନ୍ତାନମାନଙ୍କ ବାହାର ରାଜ୍ୟ କିମ୍ୱା ବିଦେଶରେ କର୍ମସଂସ୍ଥାନ, ବୟସ୍କମାନଙ୍କ ମାନ-ଅଭିମାନ-ସ୍ୱାଭିମାନ, ଆର୍ଥିକ ସ୍ୱାଧୀନତା, ସ୍ୱାଧୀନଚେତା ଚିନ୍ତାଧାରା ଓ ଆଧ୍ୟାତ୍ମିକ ଭାବନା।
ସମାଜରେ ବୟସ୍କ ବ୍ୟକ୍ତିମାନଙ୍କ ସୁରକ୍ଷା ଓ ଯତ୍ନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ସମାଜ ପାଇଁ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ନିମନ୍ତେ ୧୯୯୧ ମସିହାରୁ ଅକ୍ଟୋବର ୧ ତାରିଖଟିକୁ ସମଗ୍ର ବିଶ୍ୱରେ ‘ବିଶ୍ୱ ବୃଦ୍ଧଜନ ଦିବସ’ ଭାବେ ପାଳିତ ହୋଇ ଆସୁଛି। ଆମେରିକାର ଗବେଷଣା ସଂସ୍ଥା ‘ପିଉ ଗବେଷଣା କେନ୍ଦ୍ର’ ତରଫରୁ ୨୦୨୦ ମସିହାରେ ଭାରତ ସମେତ ୧୩୦ ଗୋଟି ଦେଶରେ କରାଯାଇଥିବା ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ୧୬ ପ୍ରତିଶତ ବରିଷ୍ଠ ନାଗରିକ ଏକାକୀ ଜୀବନଯାପନ କରୁଛନ୍ତି। ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରଣୟନ ମନ୍ତ୍ରାଳୟଙ୍କ ତଥ୍ୟ ଅନୁଯାୟୀ ୨୦୨୨ ମସିହା ସୁଦ୍ଧା ଭାରତରେ ୧୩ କୋଟି ୨୯ ଲକ୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ବାସ କରୁଥିଲେ। ଏମାନଙ୍କ ମଧ୍ୟରୁ ୪ କୋଟି ଏକାକୀ ବାର୍ଦ୍ଧକ୍ୟ ଜୀବନ ଅତିବାହିତ କରୁଛନ୍ତି, ଯାହାକି ଆମ ରାଜ୍ୟର ଲୋକସଂଖ୍ୟା ସହିତ ପ୍ରାୟ ସମାନ ଅଟେ। ଜାତିସଂଘ ଜନସଂଖ୍ୟା ପରିଷଦର ଆକଳନ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ଭାରତରେ ଏତେ ମାତ୍ରାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବ, ଯେପରିକି ସମଗ୍ର ଭାରତୀୟ ସମାଜ ବୟସ୍କ ହୋଇଯିବ। ସେହିପରି ୨୦୧୧ ମସିହାରେ ଓଡ଼ିଶାରେ ୩.୯୮୪ ନିୟୁତ ଲୋକ ୬୦ ବର୍ଷରୁ ଅଧିକ ବୟସର ଥିଲା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୫.୧୯୪ନିୟୁତ ହୋଇଛି। ଏହି ଧାରା ଜାରି ରହିଲେ ୨୦୩୧ ମସିହା ସୁଦ୍ଧା ଏହି ବର୍ଗର ଲୋକଙ୍କ ସଂଖ୍ୟା ୭.୧୦୦ନିୟୁତ ହେବ ବୋଲି ଆକଳନ କରାଯାଇଛି। ଏହି ତଥ୍ୟ ଅନୁଯାୟୀ ୨୦୩୧ ସୁଦ୍ଧା ଓଡ଼ିଶା ବୟସ୍କଙ୍କ ଜନସଂଖ୍ୟାରେ ଦେଶର ଷଷ୍ଠ ରାଜ୍ୟ ଭାବରେ ପରିଗଣିତ ହେବ।
ଭାରତର ଆସନ୍ନ ବାର୍ଦ୍ଧକ୍ୟରେ ଉପନୀତ ନାଗରିକ ହାରାହାରି ୫୩ ବର୍ଷ ବୟସରେ ସାତଗୋଟି ଦୀର୍ଘସ୍ଥାୟୀ ରୋଗ ଯଥା ମଧୁମେହ, ଉଚ୍ଚରକ୍ତଚାପ, ବାତରୋଗ, ଶ୍ୱାସରୋଗ, କର୍କଟ, ସ୍ନାୟୁଗତ ରୋଗ ଓ ହୃଦରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି। ବାର୍ଦ୍ଧକ୍ୟ ଯନ୍ତ୍ରଣା କବଳରେ ଯେକେହି ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆ ନଯାଇ ପାରେ। ପୂର୍ବତନ ନିର୍ବାଚନ କମିଶନର ଟି ଏନ୍ ଶେଷାନ କେରଳରେ ନିଜ ବାସଗୃହ ଥାଇ ମଧ୍ୟ ଜୀବନର ଅନ୍ତିମ ତିନିବର୍ଷ ସସ୍ତ୍ରୀକ ଚେନ୍ନାଇ ସ୍ଥିତ ଏକ ବୃଦ୍ଧାଶ୍ରମରେ ଜୀବନ ଅତିବାହିତ କରିଥିଲେ।
ଆମର ଯେତେବେଳେ ଚାକିରି, ବଳ ବୟସ, ମନୋବଳ ଓ ଶାରିରୀକ କ୍ଷମତା ଅଛି ସେତେବେଳେ ଆମେମାନେ ପ୍ରାୟତଃ ବାହ୍ୟଶକ୍ତି କିମ୍ୱା ସ୍ତ୍ରୀର ପ୍ରରୋଚନାରେ ଉନ୍ମାଦ ହୋଇ ଆମ ପିତାମାତାଙ୍କୁ ଅବହେଳା କରି, ପାଖରେ ନରଖି ପାଦରେ ଆଡ଼େଇ ଦେଉଛୁ। କିନ୍ତୁ ଯେତେବେଳେ ଆମେ ଅବସର ଗ୍ରହଣ କରି ବେସାହାରା ହୋଇ ଯାଉଛେ ସେତେବେଳେ ଏକଦା ହତାଦର କରିଥିବା ସେହିମାନଙ୍କୁ ଆପଣାର କରିବା ପାଇଁ ପ୍ରୟାସ କରିବାକୁ କୁଣ୍ଠାବୋଧ କରୁନାହୁଁ। ପିତାମାତା ଓ ଗୁରଜନମାନଙ୍କୁ ଲୁଚାଇ ଦରମାକୁ ବ୍ୟାଙ୍କରେ ସଞ୍ଚୟ କରି ଶଶୁର ଘର ପାଖରେ ଘରଦ୍ୱାର କରି ରହିବା ଓ ଅଭାବରେ ଅଛି ବୋଲି ଦର୍ଶାଇ ପିତାମାତାଙ୍କ ପେନସନରେ ଚଳିବା ଆମର ସଉକ ହୋଇଯାଇଛି। ଆମେ ଏତେମାତ୍ରାରେ ସ୍ୱାର୍ଥପର ହୋଇଯାଇଛୁ ଯେ ଆମ ପିତାମାତା, ଯେଉଁମାନେ ଗାଁ ରେ ପୈତୃକ ଦଦରା ଘରେ ଏକାକୀ ବେସାହାରା ହୋଇ ଗୃହପାଳିତ ପଶୁମାନଙ୍କ ସହିତ ନିଃସହାୟ ଜୀବନ କାଟୁଛନ୍ତି, ସେମାନଙ୍କୁ ପାଖରେ ଆଣି ରଖିବା ତ ଦୂରର କଥା ଆମେ ନା ନିଜେ ସେମାନଙ୍କ ପାଖକୁ ଯାଇ ତାଙ୍କ ଦେଖାଚାହାଁ କରୁଛେ ନା ନିଜର ସନ୍ତାନମାନଙ୍କୁ ସେମାନଙ୍କ ପାଖକୁ ଛୁଟି ଦିନମାନଙ୍କରେ ସମୟ କାଟିବା ପାଇଁ ଅନୁମତି ପ୍ରଦାନ କରୁଛେ। ଆମ ରୋଗିଣା ମାତାଙ୍କୁ ଆମେ ଘରେ ତାଲା ପକାଇ କିମ୍ୱା ଡାକ୍ତରଖାନାରେ ଛାଡ଼ି ଚାଲି ଯାଉଛୁ। ଆମର ଏହି ପଦ୍ଧତିକୁ ଆମ ସନ୍ତାନମାନେ ଆସନ୍ତାକାଲି ନିଶ୍ଚୟ ଅନୁସରଣ କରିବେ। ଆମେ ଯାହା ସଂସ୍କାର ଦେଇଥିବା ସେମାନେ ସେଇଟା ଶିଖିବେ ଓ ସେମାନଙ୍କ ସମୟ ଆସିଲେ ସେମାନେ ମଧ୍ୟ ଆମକୁ ଅବହେଳିତ କରି ଅନ୍ୟତ୍ର ଚାଲିଯିବେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କଥାରେ ଅଛି – ଦେଇଥିଲେ ପାଇ, ବୁଣି ଥିଲେ ଦାୟୀ।’ ଆମେ ଭୁଲିଯାଉଛୁ ଯେ ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା କହୁଛି ମୋ ଦିନ କାଳ ଆସୁଛି।
ଓଡ଼ିଶା ସମେତ ପ୍ରାୟ ସମଗ୍ର ଦେଶରେ ବୈଧବ୍ୟ ଯନ୍ତ୍ରଣା ଅନେକାଂଶରେ ଏକାକୀ ଜୀବନଯାତ୍ରା ଶୈଳୀକୁ ଆବୋରି ନେବାରେ ବାଧ୍ୟ କରିଥାଏ। ଆମ ସମାଜରେ ସ୍ତ୍ରୀର ଦେହାନ୍ତ ହୋଇଗଲେ ସ୍ୱାମୀ ଅବିଳମ୍ୱେ ବହୁତ ଆଳ ଦେଖାଇ ପୁନର୍ବିବାହ କରିବା ପାଇଁ ମାନସିକତା ଥିଲା ବେଳେ ସ୍ୱାମୀର ମୃତ୍ୟୁ ହୋଇଗଲେ ସ୍ତ୍ରୀକୁ ବିଧବା ଆଖ୍ୟା ଦେଇ ସାରା ଜୀବନ ବିଭିନ୍ନ କଟକଣା ସହିତ ଏକାକୀ ରହିବା ପାଇଁ ବାଧ୍ୟ କରାଯାଉଛି। ଏଥିପାଇଁ ପରିବାରର ପୁରୁଷ ଅପେକ୍ଷା ସ୍ତ୍ରୀ ସଦସ୍ୟା ଅନେକାଂଶରେ ଦାୟୀ ରହିଥାଆନ୍ତି। ଏଥିପାଇଁ ସମାଜରେ ଅନେକ ସଂସ୍କାରର ଆବଶ୍ୟକତା ରହିଛି। ତତ୍କାଳୀନ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢଳ ଦେବ ନିଜ ରାଜ୍ୟରେ ଅକ୍ଷତ ଯୋନି ବିଧବା ବିବାହ ବ୍ୟବସ୍ଥାକୁ ସମ୍ମତି ଦେବା ବାସ୍ତବିକ ସ୍ୱାଗତଯୋଗ୍ୟ।
ଆମ ଦେଶରେ ବାର୍ଦ୍ଧକ୍ୟ ଆଜି ଅବହେଳିତ। ଆମ ସନ୍ତାନମାନଙ୍କ ପରି ସରକାର ମଧ୍ୟ ଆମ ପାଇଁ ବିମୁଖ। ଯଦିଓ ସରକାରଙ୍କୁ ଆମେ ସମସ୍ତ ପ୍ରକାର କର ଦେବାକୁ ବାଧ୍ୟ, ଯଦିଓ ଆମରି ଭୋଟ ପାଇ ଆମ ରାଜ୍ୟ ଓ ଦେଶରେ ସରକାର ଗଠନ ହୁଏ, ତଥାପି ୭୦ ବର୍ଷ ପରେ ସ୍ୱାସ୍ଥ୍ୟବୀମା ଏବଂ ଋଣ ପାଇବା ପାଇଁ ଆମେ ଅଯୋଗ୍ୟ ହୋଇଯାଆନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇବାରୁ ଆମେ ବଞ୍ଚିତ। ଆମକୁ କୌଣସି ପ୍ରକାର କାର୍ଯ୍ୟ ଦେବାକୁ ସମସ୍ତେ ଅରାଜୀ। ଏବେ ପେନସନ ବ୍ୟବସ୍ଥା ଆମ ପାଇଁ ସାତ ସ୍ୱପ୍ନ। ଏହି ପରିପ୍ରେକ୍ଷୀରେ ଆମେ ଚଳିବୁ କେମିତି? ଏକଦା ପରିବାର, ସମାଜ ଓ ଦେଶ ତଥା ସରକାରଙ୍କ ପାଇଁ କର୍ତ୍ତବ୍ୟନିଷ୍ଠ ଭାବରେ ଜୀବନକୁ ଉତ୍ସର୍ଗ କରିଥିବା ଏହି ଅବହେଳିତ ବାର୍ଦ୍ଧକ୍ୟକୁ ଆପଣାର କରିବାର ସମୟ ଅସିଛି।
ଡକ୍ଟର ସମୀର କୁମାର ନନ୍ଦ
ଦେବଗଡ଼, ମୋ: ୯୪୩୭୨୧୮୯୧୭





