ଲୁପ୍ତପ୍ରାୟ ଲୋକକଳା ସଖୀନାଚ
ଓଡ଼ିଆ ଲୋକନାଟ୍ୟ ପରମ୍ପରାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଅଞ୍ଚଳ କେବଳ ଗବେଷକମାନଙ୍କ ପାଇଁ ସଂସ୍କୃତି ଗବେଷଣାର ଗନ୍ତାଘର ହୋଇ ରହିନାହିଁ, ବରଂ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ଚର୍ଚ୍ଚିତ ଓ ଆଲୋଚିତ ହୋଇ ଭାରତର କଳା ଓ ସଂସ୍କୃତିକୁ ସମୃଦ୍ଧ କରିପାରିଛି। ଏହି ଆଲେଖ୍ୟରେ ଗଞ୍ଜାମର ବହୁପ୍ରଚଳିତ ଓ ବହୁଆଦୃତ ଏକାଧିକ ଲୋକନାଟ୍ୟ ମଧ୍ୟରୁ ଅନ୍ୟତମ ‘ସଖୀନାଚ’ର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ସଂକ୍ଷିପ୍ତରେ ଆଲୋଚନା […]
ଓଡ଼ିଆ ଲୋକନାଟ୍ୟ ପରମ୍ପରାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଅଞ୍ଚଳ କେବଳ ଗବେଷକମାନଙ୍କ ପାଇଁ ସଂସ୍କୃତି ଗବେଷଣାର ଗନ୍ତାଘର ହୋଇ ରହିନାହିଁ, ବରଂ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ଚର୍ଚ୍ଚିତ ଓ ଆଲୋଚିତ ହୋଇ ଭାରତର କଳା ଓ ସଂସ୍କୃତିକୁ ସମୃଦ୍ଧ କରିପାରିଛି। ଏହି ଆଲେଖ୍ୟରେ ଗଞ୍ଜାମର ବହୁପ୍ରଚଳିତ ଓ ବହୁଆଦୃତ ଏକାଧିକ ଲୋକନାଟ୍ୟ ମଧ୍ୟରୁ ଅନ୍ୟତମ ‘ସଖୀନାଚ’ର ଅତୀତ ଓ ବର୍ତ୍ତମାନ ସମ୍ପର୍କରେ ସଂକ୍ଷିପ୍ତରେ ଆଲୋଚନା କରାଯାଇଛି।
ପ୍ରମୁଖ ଲୀଳା ନାଟକ ଅର୍ଥାତ୍ ରାସଲୀଳା, ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମ ଲୀଳା ଓ ଭାରତ ଲୀଳାର କ୍ରମବିକାଶ ପଥରେ ଏକଦା ପ୍ରତିଭାତ ହୋଇଥିଲା ସଖୀନାଚ। ଅବିଭକ୍ତ ଗଞ୍ଜାମ ଅନ୍ତର୍ଗତ ପ୍ରମୁଖ ଗଡ଼ଜାତର ରାଜା, ଜମିଦାର ଓ ମଠାଧୀଶମାନଙ୍କ ସାହିତ୍ୟ, କଳା ଓ ସଂସ୍କୃତି ପ୍ରତି ବିଶେଷ ଆକର୍ଷଣ ଓ ଶ୍ରଦ୍ଧା ଯୋଗୁଁ ଏହା କେବଳ ସମ୍ଭବ ହେଇପାରିଥିଲା। ମୁଖ୍ୟତଃ ସାମନ୍ତବାଦୀ ସଭ୍ୟତା ସହ ସଖୀନାଚ ଯୋଡ଼ି ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି। ପୁରୁଷ ଓ ନାରୀ ସମେତ ଅନ୍ୟାନ୍ୟ ଲୋକନାଟ ପରି ସଖୀନାଚରେ ବହୁ କଳାକାରଙ୍କ ଅଭିନୟ, ଆକର୍ଷଣୀୟ ରଙ୍ଗମଞ୍ଚ ଓ ପ୍ରେକ୍ଷାଳୟ, ହାରମୋନିୟମ୍, ମର୍ଦ୍ଦଳ, ତବଲା ଓ ଛୋଟ ଗିନି ବ୍ୟତୀତ ଅନ୍ୟ କୌଣସି ସାଂଗୀତିକ ଉପକରଣର ଆବଶ୍ୟକତା ନଥିଲା କି ଏବେ ବି ନାହିଁ। ଆୟୋଜକମାନଙ୍କ ବଙ୍ଗଳାର ପ୍ରାଙ୍ଗଣରେ ଖୋଲା ଆକାଶ ତଳେ ଏହା ପରବେଷିତ ହେଉଥିଲା। କେବଳ ଅନ୍ତେବାସୀଙ୍କ ଛଡ଼ା ଅନ୍ୟମାନେ ଏହି ନାଚକୁ ଉପଭୋଗ କରିପାରୁନଥିଲେ। ମାତ୍ର ଦୁଇ ଜଣ ପୁଅ, ଝିଅ ବେଶରେ ସଜ୍ଜିତ ହୋଇ ନାଚ କରୁଥିଲେ। ଏଥିପାଇଁ ନିଯୁକ୍ତି ପାଇଥିବା ନାଟ୍ୟଗୁରୁଙ୍କ ନିର୍ଦ୍ଦେଶନାରେ ଏମାନେ ମାସ ମାସ ଧରି ନାଟ୍ୟାଭାସ କରୁଥିଲେ। ସମସ୍ତଙ୍କୁ ଉପଯୁକ୍ତ ପାରିଶ୍ରମିକର ବ୍ୟବସ୍ଥା ଥିଲା। ସ୍ୱଳ୍ପ ବ୍ୟୟରେ ଏହାର ପରିବେଷଣ ଶୈଳୀ ମନୋରଞ୍ଜନର ବେଶ୍ ଖୋରାକ୍ ଯୋଗାଇ ପାରୁଥିଲା।
ବିଂଶ ଶତାବ୍ଦୀର ମଧ୍ୟାନ୍ତରରେ ଜମିଦାରୀ ପ୍ରଥାର ଉଚ୍ଛେଦ ପରେ ପରେ ଏହି ନାଚ କ୍ରମଶଃ ଗ୍ରମାଞ୍ଚଳ, ନଗର, ଜନପଦର ଜାନିଯାତ୍ରା, ମେଳା ମହୋତ୍ସବରେ ପ୍ରଦର୍ଶିତ ହୋଇ ଜନଜୀବନକୁ ଯଥେଷ୍ଟ ପ୍ରଭାବିତ କଲା। ସମ୍ପୃକ୍ତ କଳାକାରମାନେ ପେସାଦାର ହୋଇଥିବାରୁ ଏହାକୁ ଛାଡ଼ି ପାରିନଥିଲେ। ସେମାନଙ୍କର ମନମୁଗ୍ଧକର କଳାତ୍ମକ ପରିପ୍ରକାଶ ଆଧୁନିକ ସଭ୍ୟତାରୁ ବାଦ୍ ପଡ଼ିନଥିଲା। ଏଥିପାଇଁ ତଦାନୀନନ୍ତ ଅଗଣିତ ସଙ୍ଗୀତ ଓ ନାଟ୍ୟପ୍ରେମୀଙ୍କ ପ୍ରୋତ୍ସାହନ ବି କମ୍ ନଥିଲା।
ସଖୀନାଚର ଆଙ୍ଗିକତା, ଆତ୍ମିକତା ଏବଂ ଗୁଣାତ୍ମକ ଦୃଷ୍ଟିଭଙ୍ଗୀ ବିଷୟରେ ସଂକ୍ଷେପରେ ଗବେଷକମାନେ କହିଛନ୍ତି ଯେ, ଶିକ୍ଷାଗତ ଯୋଗ୍ୟତା ନଥିଲେ ବି ଦୁଇଜଣ ଯୁବକ ସଖୀ ବେଶରେ ଅବତୀର୍ଣ୍ଣ ହେଇ ସୁର, ତାଳ ଓ ଲୟ ସାଙ୍ଗକୁ ଅଭିନୟର ସମନ୍ୱୟତା ରକ୍ଷା କରନ୍ତି। ଏଥିପାଇଁ ଦରକାର ପଡ଼ିଥାଏ ସେ ଦୁହିଁଙ୍କ ସୁଲଳିତ କଣ୍ଠସ୍ୱର ଓ ଦୀର୍ଘ ସମୟ ଧରି ଜଣକ ପରେ ଜଣେ ଅଭିନୟ କରିବାର ଧୈର୍ଯ୍ୟ ଓ ଦକ୍ଷତା। ତା’ ନ ହେଲେ ଏହାର ଗତିଶୀଳତା ବ୍ୟାହତ ହେଇଯାଏ।
ପ୍ରାରମ୍ଭରୁ ମଙ୍ଗଳାଚରଣ ପରେ ପରେ ମୁଖ୍ୟତଃ ଏହି ନାଚର ପ୍ରକୃତି ଓ ପୁରୁଷ ତଥା ରାଧା ଓ କୃଷ୍ଣଙ୍କ ମାନ, ଅଭିମାନ, ଅଭିସାର, ଶାଶ୍ୱତ ପ୍ରେମ ଓ ବିରହ ସମ୍ପର୍କିତ ପାରମ୍ପରିକ ସଙ୍ଗୀତ ଥିଲା ଉପଜୀବ୍ୟ ବସ୍ତୁ। ଏଗୁଡ଼କ ବିଭିନ୍ନ ରାଗ ରାଗିଣୀଯୁକ୍ତ ହୋଇଥାଏ। ଛାନ୍ଦ, ଚୌପଦୀ ବି ଏଥିରେ ଗାନ କରାଯାଏ। ଯଥା –
‘ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି। ସେ ଯଦି କରିବେ ମାନ ଭାଙ୍ଗି ଭୁଞ୍ଜାଇବି ପାନ ଗଣ୍ଡେ ଦେଇଣ ଚୁମ୍ୱନ ହରଷ କରାଇବି…/ ତୋରେ ଶରଣ ଗଲିରେ ମୁରଲୀ ଦିନେ ନ ଡାକିବୁ ରାଧିକା ବୋଲି… / ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ। ଏ ବେଶ ହୋଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବ ନାହିଁ … / କି ଶୋଭା ଗୋକୁଞ୍ଜେ ମଦନ ମୋହନ ଚାହାଁରେ ପ୍ରାଣ ସଜନୀ…/ କାହିଁ ଗଲେ ମୁରଲୀ ଫୁଙ୍କା, ଯୁବତୀ ରସିଆ କାମିନୀ ରଙ୍କା / ଗଲାଣି ତ ଗଲା କଥାରେ ସଙ୍ଗାତ ଗଲାଣି ତ ଗଲା କଥା। ଗୁପତେ ସିନା ମୁଁ ତତେ ପଚାରୁଛି ବଳି ପଡ଼ିବାରୁ ବ୍ୟଥା… / ମୁଁ ତ କୁଳରୁ ହେଲି ବାହାର ଲୋ ଶ୍ୟାମପ୍ରୀତି କରି ଗଳାହାର… / ମୋର ନିଦ କେଣେ ଦେଲୁ ଭାଙ୍ଗିରେ ସ୍ୱପ୍ନେ ଦେଖୁଥିଲି ପ୍ରାଣସଙ୍ଗୀରେ…/ ଆଜି ଏ କି ଗୁମାନରେ ଚନ୍ଦ୍ରାନନା ଦେଖି ନାହିଁ ସପନ… / ଘନଶ୍ୟାମ ସୁନ୍ଦରରେ ସଜନୀ। ହେମ ବରନୀ ଶ୍ୟାମ ପ୍ରେମରେ ତୋର ନିତି ଜର ଜରରେ…/ ଯମୁନା କୂଳେ କିଏ ମୁରଲୀ ବଜାଏ ଲୋ ରାଧା ରାଧା ରାଧା ବୋଲି… / ବାଟ ଛାଡ଼ ସୁହଟ ନାଗର ଯମୁନାକୁ ଯିବି ନିର ଆଣିକି, ବନ୍ଧା ଦେବି ମୋର ମଥାମଣି କି… / କାନ୍ତ ବିନା ଦିବା ରଜନୀ ସଜନୀ… / ଏ ଘନ କାଳରେ କାନ୍ତ କରିଯା ଗଲେ ଏକାନ୍ତ…/ ଆହା ମୋ ଜୀବନ ଧନୀ ଜୀବନେ କି ଥିବରେ… ଇତ୍ୟାଦି। ଏହି ସଙ୍ଗୀତ ଓ ନୃତ୍ୟ ଘଣ୍ଟା ଘଣ୍ଟା ଧରି ଦର୍ଶକମାନଙ୍କୁ ଆମୋଦିତ କରିଥାଏ। କିନ୍ତୁ କେତୋଟି ଅନିବାର୍ଯ୍ୟ କାରଣରୁ ଆଜି ହୁଏତ ସଖୀନାଚ ଗବେଷଣାର ପରିସରଭୁକ୍ତ ହୋଇନପାରି ବିଲୁପ୍ତ ହେବାକୁ ବସିଲାଣି। ଅବଶ୍ୟ ଲୋକକଳା ଓ ଲୋକନାଟକର ଅଭିବୃଦ୍ଧି ସକାଶେ ସରକାରୀ ପ୍ରୋତ୍ସାହନ ରାଶି କମ୍ ନ ହେଲେ ବି ଏହାର ପରିପ୍ରସାର ଗତିରୋଧ ହେବା ଦୁର୍ଭାଗ୍ୟଜନକ। ତେଣୁ ଏହାର ପୁନରୁଦ୍ଧାର ନିମନ୍ତେ ଯଦି ଉଦ୍ୟମ କରାଯାଇପାରନ୍ତା ତାହା ହେଲେ ସାମ୍ପ୍ରତିକ ଲୋକ ନାଟକର ଭିଡ଼ ଭିତରେ ଏହା ପୂର୍ବାପେକ୍ଷା ଉନ୍ନତ ମାନର ପ୍ରଦର୍ଶନ ପୂର୍ବକ ଆହୁରି ଚିତ୍ତାକର୍ଷକ ଓ ଉପଭୋଗ୍ୟ ହୋଇପାରନ୍ତା। ଏଥିପାଇଁ ନାଟ୍ୟବିତ୍, ଗବେଷକ, ନାଟ୍ୟ ସଂଗଠନ ଓ ନୃତ୍ୟ ସଙ୍ଗୀତ ପ୍ରେମୀମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ।
ବିପିନ ମହାପାତ୍ର
ବ୍ରହ୍ମପୁର, ମୋ: ୯୮୫୩୭୫୧୩୨୨