ପୃଥିବୀ ଓ ପ୍ଳାଷ୍ଟିକ୍‌‌

The Sakala Picture
Published On

ଜୈବ ବିଘଟନ ଅକ୍ଷମ, ବିଶେଷକରି ଏକକ ବ୍ୟବହୃତ ପ୍ଲାଷ୍ଟିକର ବହୁଳ ବ୍ୟବହାର ଆଜି ପୃଥିବୀ ପାଇଁ ପ୍ରମୁଖ ଆତଙ୍କର କାରଣ ପାଲଟିଛି। ବର୍ଷକୁ ପ୍ରାୟ ୪୦୦ ନିୟୁତ ଟନ୍‌‌ରୁ ଅଧିକ ପ୍ଲାଷ୍ଟିକ ସାରା ବିଶ୍ୱରେ ଉତ୍ପାଦିତ ହୋଇଥାଏ। ତନ୍ମଧ୍ୟରୁ ପଚାଶ ଶତାଂଶରୁ ଅଧିକ ପ୍ଲାଷ୍ଟିକ ଦ୍ରବ୍ୟ କେବଳ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ। ପ୍ଲାଷ୍ଟିକ ପରିବେଶରେ ବିଘଟିତ ହେବା ପାଇଁ ୫୦୦ ରୁ ୧୦୦୦ ବର୍ଷ ଲାଗିଯାଏ। ତେଣୁ କ୍ରମାଗତ ଭାବେ ଭୂପୃଷ୍ଠ ଓ […]

ଜୈବ ବିଘଟନ ଅକ୍ଷମ, ବିଶେଷକରି ଏକକ ବ୍ୟବହୃତ ପ୍ଲାଷ୍ଟିକର ବହୁଳ ବ୍ୟବହାର ଆଜି ପୃଥିବୀ ପାଇଁ ପ୍ରମୁଖ ଆତଙ୍କର କାରଣ ପାଲଟିଛି। ବର୍ଷକୁ ପ୍ରାୟ ୪୦୦ ନିୟୁତ ଟନ୍‌‌ରୁ ଅଧିକ ପ୍ଲାଷ୍ଟିକ ସାରା ବିଶ୍ୱରେ ଉତ୍ପାଦିତ ହୋଇଥାଏ। ତନ୍ମଧ୍ୟରୁ ପଚାଶ ଶତାଂଶରୁ ଅଧିକ ପ୍ଲାଷ୍ଟିକ ଦ୍ରବ୍ୟ କେବଳ ଥରେ ମାତ୍ର ବ୍ୟବହାର କରି ଫିଙ୍ଗି ଦିଆଯାଏ। ପ୍ଲାଷ୍ଟିକ ପରିବେଶରେ ବିଘଟିତ ହେବା ପାଇଁ ୫୦୦ ରୁ ୧୦୦୦ ବର୍ଷ ଲାଗିଯାଏ। ତେଣୁ କ୍ରମାଗତ ଭାବେ ଭୂପୃଷ୍ଠ ଓ ସମୁଦ୍ର ଗର୍ତ୍ତ ପ୍ଲାଷ୍ଟିକ ଆବର୍ଜନାରେ ଭରି ଯାଉଛି ଏବଂ ପରିବେଶ ଶୋଚନୀୟ ଭାବରେ ପ୍ରଦୂଷିତ ହେବାରେ ଲାଗିଛି। ପ୍ଲାଷ୍ଟିକ ପାହାଡ଼ର ଆବର୍ଜନା ସ୍ତୂପ ତଳୁ କିପରି ପୃଥିବୀକୁ ରକ୍ଷା କରାଯାଇପାରିବ, ସେ ବିଷୟରେ ବିଶ୍ୱର ମାନବ ସମାଜକୁ ସଚେତନ କରିବା ହିଁ ଚଳିତ ବର୍ଷ ‘ଧରିତ୍ରୀ ଦିବସ’ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ୨୦୨୪ ବର୍ଷରେ ‘ଧରିତ୍ରୀ ଦିବସ’ର ପ୍ରସଙ୍ଗ ରହିଛି – ‘ପ୍ଲାନେଟ୍‌‌ ଓ ପ୍ଲାଷ୍ଟିକ୍‌‌’, ଅର୍ଥାତ୍‌‌ ‘ପୃଥିବୀ ଓ ପ୍ଲାଷ୍ଟିକ’। ଏ ବର୍ଷ ବିଶ୍ୱର ୧୯୩ଟି ରାଷ୍ଟ୍ର ଏବଂ ସେଠି ବସବାସ କରୁଥିବା ୧୦୦ କୋଟି ଜନତା ‘ଧରିତ୍ରୀ ଦିବସ’ ସମାରୋହରେ ଅଂଶ ଗ୍ରହଣ କରିବେ ବୋଲି ଆଶା ରଖାଯାଇଛି।

ପ୍ରତିବର୍ଷ ଏପ୍ରିଲ ମାସ ୨୨ ତାରିଖ ଦିନଟିକୁ ଧରିତ୍ରୀ ଦିବସ ବା ‘ଆର୍ଥ ଡେ’ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ୧୯୭୦ ମସିହା ଏପ୍ରିଲ ୨୨ ତାରିଖରେ ପ୍ରଥମଥର ପାଇଁ ‘ବିଶ୍ୱ ଧରିତ୍ରୀ ଦିବସ’ ପାଳନର ଅୟମାରମ୍ଭ ହୋଇଥିଲା। ୧୯୬୯ ମସିହାରେ ସାନଫ୍ରାନ୍‌‌ସିସ୍‌‌କୋଠାରେ ଅନୁଷ୍ଠିତ ହୋଇଥିବା ‘ୟୁନେସ୍କୋ’ର ଏକ ସମ୍ମିଳନୀରେ ଜନ୍‌‌ ମିକୋନେଲ ପ୍ରଥମେ ଧରିତ୍ରୀକୁ ସମ୍ମାନିତ କରିବା ଓ ଶାନ୍ତି ଭାବଧାରା ପ୍ରତିଷ୍ଠା ଦିବସରେ ୧୯୭୦ ମସିହା ମାର୍ଚ୍ଚ ମାସ ୨୧ ତାରିଖ ଦିନଟିକୁ ବିଶ୍ୱବାସୀ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। କାରଣ ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ପ୍ରବେଶ କରିଥାଏ ଏବଂ ସୂର୍ଯ୍ୟ ବିଷୁବ ରେଖା ଅତିକ୍ରମ କରିଥା’ନ୍ତି। ଏହି ଦିନଟିକୁ ‘ସମକାଳ ଦିବାରାତ୍ର’ ମଧ୍ୟ କୁହାଯାଏ। ଅର୍ଥାତ ମାର୍ଚ୍ଚ ୨୧ ତାରିଖ ଦିନ ଭୂପୃଷ୍ଠରେ ଦିନ ଓ ରାତିର ଉପସ୍ଥିତି ସମାନ ରୁହେ। କିନ୍ତୁ ପରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌‌ର ‘ଗେ ଲର୍ଡ ନେଲସନ୍‌‌’ ପରିବେଶ ପ୍ରଶିକ୍ଷଣ ଓ ସୁଧାର ନିମନ୍ତେ ଏପ୍ରିଲ ୨୨ ତାରିଖ ଦିନଟିକୁ ବିଶ୍ୱବ୍ୟାପୀ ‘ଧରିତ୍ରୀ ଦିବସ’ ରୂପେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହା ସ୍ୱୀକୃତ ହୋଇଥିଲା। ସେବେଠାରୁ ପରିବେଶକୁ ସୁରକ୍ଷା ଦେବା ନିମନ୍ତେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ, ଏପ୍ରିଲ ୨୨ ତାରିଖ ଦିନ ସାରା ବିଶ୍ୱରେ ପାଳନ କରାଯାଉଛି। ପ୍ରଥମବର୍ଷ ଅର୍ଥାତ୍‌‌ ୧୯୭୦ ମସିହାର ଏହି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ହଜାର ହଜାର ସ୍ଥାନରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଗେ ଲର୍ଡ ନେଲସନ୍‌‌ଙ୍କୁ ‘ଧରିତ୍ରୀ ଦିବସ’ର ଜନକ ବୋଲି ଅଭିହିତ କରାଯାଏ। ‘ଆର୍ଥ ଡେ ନେଟ୍‌‌ୱାର୍କ’ ନାମକ ଏକ ସଂସ୍ଥା ସାରା ବିଶ୍ୱରେ ‘ଧରିତ୍ରୀ ଦିବସ’ ପାଳନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥାଏ।

ଚାରିବର୍ଷ ତଳକୁ ଫେରିଗଲେ ୨୦୨୦ ମସିହାରେ ପ୍ରଥମ ‘ବିଶ୍ୱ ଧରିତ୍ରୀ ଦିବସ’ ୩୦ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା। ସେ ବର୍ଷର ପ୍ରସଙ୍ଗ ଥିଲା ‘ବିଶ୍ୱ ତାପନ ଓ ସ୍ୱଚ୍ଛ ଏବଂ ସବୁଜ ଇନ୍ଧନର ପ୍ରୟୋଜନୀୟତା। ଆମେ ସମସ୍ତେ ଉଣାଅଧିକେ ଅବଗତ ଯେ ଯାନ ବାହନ ଚଳାଚଳ, ତାପଜ କେନ୍ଦ୍ରରୁ ବିଦ୍ୟୁତ ଉତ୍ପାଦନ ଏବଂ ଅନ୍ୟାନ୍ୟ ଶିଳ୍ପ, କଳକାରଖାନାରେ ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାର ଫଳରେ ବାୟୁମଣ୍ଡଳକୁ ଯେଉଁ ସବୁଜ ଗୃହ ବାଷ୍ପ ଅଙ୍ଗାରକାମ୍ଳ ନିର୍ଗତ ହେଉଛି, ତାହା ହିଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବାର ପ୍ରମୁଖ କାରଣ। ତେଣୁ କିପରି ଭାବେ ଆମେ ଜୀବାଶ୍ମ ଇନ୍ଧନ ଯଥା ପେଟ୍ରୋଲ, ଡିଜେଲ ଓ କୋଇଲା ବ୍ୟବହାର ହ୍ରାସ କରି ଅଧିକରୁ ଅଧିକ ସବୁଜ ଇନ୍ଧନ ବା ନବୀକରଣୀୟ ଇନ୍ଧନ ଉତ୍ପାଦନ ତଥା ବ୍ୟବହାର କରିପାରିବା, ସେ ଦିଗରେ ପ୍ରଚେଷ୍ଟା ଜାରି ରଖିବାକୁ ୨୦୨୦ ମସିହା ‘ଧରିତ୍ରୀ ଦିବସ’ରେ ଆହ୍ୱାନ ଦିଆଯାଇଥିଲା। ୨୦୨୧ ମସିହା ଧରିତ୍ରୀ ଦିବସର ପ୍ରସଙ୍ଗ ଥିଲା – ‘ପୃଥିବୀ’କୁ ତା’ର ପୂର୍ବାବସ୍ଥାକୁ ଫେରାଇ ଆଣ’। ପ୍ରାକୃତିକ ପ୍ରକ୍ରିୟାରେ ସବୁଜ, ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଓ ନୂତନ ଚିନ୍ତାଧାରା ପ୍ରୟୋଗ ଫଳରେ ଧରିତ୍ରୀର ଅବକ୍ଷୟିତ ପରିସଂସ୍ଥାର ପୁନରୁଦ୍ଧାର ସମ୍ଭବ ହୋଇପାରିବ। ତା’ପରବର୍ଷ ଅର୍ଥାତ ୨୦୨୨ ମସିହାରେ ‘ଧରିତ୍ରୀ ଦିବସ’ର ପ୍ରସଙ୍ଗ ଥିଲା – ‘ପ୍ରକୃତି ସହ ସୁସମନ୍ୱୟରେ ଜୀବନଯାପନ’। ଏହି ଆହ୍ୱାନର ଅର୍ଥ ହେଉଛି ଆମେ ଆମର ଜୀବନଶୈଳୀକୁ ଏପରି ନିୟନ୍ତ୍ରଣ କରିବା, ଯେପରି ଆମର ବାର୍ଷିକ ପରିବେଶ ପଦଚିହ୍ନ, ପୃଥିବୀର ବାର୍ଷିକ ଦୈନିକ ଉତ୍ପାଦନ କ୍ଷମତାଠାରୁ ଅଧିକ ହେବ ନାହିଁ। ଗତ ୨୦୨୩ ମସିହା ‘ଧରିତ୍ରୀ ଦିବସ’ର ପ୍ରସଙ୍ଗ ଥିଲା ‘ଆମ ଗ୍ରହରେ ଅର୍ଥ ବିନିଯୋଗ କର। ଏହି କ୍ରମରେ ବ୍ୟବସାୟିକ ସଂସ୍ଥାମାନଙ୍କୁ ସହନୀୟ ପ୍ରକ୍ରିୟାରେ ବିକାଶ ହାସଲ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଏଠି କେବଳ ବିଗତ ପାଞ୍ଚ ବର୍ଷର ‘ଧରିତ୍ରୀ ଦିବସ’ ସମାରୋହର ପ୍ରାସଙ୍ଗିକତା ଉପରେ ସୂଚନା ଦିଆଯାଇଛି। ବିଭିନ୍ନ ବର୍ଷର ପ୍ରସଙ୍ଗକୁ ବିଚାରକୁ ନେଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ମାନବ ସମାଜ ପ୍ରକୃତି ସହିତ ସମନ୍ୱୟ ରକ୍ଷାକରି ସହନୀୟ ବିକାଶ ପଛରେ ଆପଣେଇଥିବା ଜୀବନଶୈଳୀକୁ ନିୟନ୍ତ୍ରିତ କଲେ ପୃଥିବୀ ପାରିପାର୍ଶ୍ବିକ ଅବକ୍ଷୟ ଓ ବିପନ୍ନ ଜୈବ ବିବିଧତା ଆଦି ସଙ୍କଟକୁ ପ୍ରତିହତ କରି ପୁନର୍ବାର ପୂର୍ବାବସ୍ଥାକୁ ଫେରି ଆସିପାରିବ। ଶସ୍ୟ, ଶ୍ୟାମଳା, ସବୁଜିମାରେ ଭରିଯିବ ଆମର ପ୍ରିୟ ପୃଥିବୀ। ଏଠି ସୂଚାଇଦେବା ଆଦୌ ଅପ୍ରାସଙ୍ଗିକ ହେବ ନାହିଁ ଯେ ପୃଥିବୀ ବାହାରେ ଅନ୍ୟ ଏକ ଜୀବନ୍ତ ଗ୍ରହର ଆବିଷ୍କାର ନିମନ୍ତେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ବୈଜ୍ଞାନିକ ଓ ଖଗୋଳ ଶାସ୍ତ୍ରୀମାନଙ୍କର ଗବେଷଣା ଓ ଅବିରତ ଅନ୍ୱେଷଣ ସତ୍ତ୍ବେ ଏ ଯାବତ୍‌‌ କୌଣସି ସୁଫଳ ପ୍ରାପ୍ତ ହୋଇନାହିଁ। ହୁଏତ ଭବିଷ୍ୟତରେ ସଫଳତା ମିଳିପାରେ – ଏକଥା ଅସ୍ୱୀକାର କରାଯାଇ ନପାରେ। କିନ୍ତୁ ଏ କଥା ସତ୍ୟ ଯେ ଏ ପର୍ଯ୍ୟନ୍ତ ଆମ ପାଖରେ ଏକମାତ୍ର ପୃଥିବୀ ଅଛି। ଆମର ପ୍ରିୟ ବାସସ୍ଥଳୀ, ଯାହାର ସୁରକ୍ଷା ଏକାନ୍ତ ଜରୁରୀ। ଏ ଦାୟିତ୍ୱ ସମଗ୍ର ମାନବ ସମାଜର।
ସୁଭାଷିତ ରତ୍ନମାଳା-୫୮ ଶ୍ଳୋକରେ କୁହାଯାଇଛି-

‘ଯୋ ଧ୍ରୁବାଣି ପରିତ୍ୟଯ୍ୟ, ଅଧ୍ରୁବାଣି ନିସବତେ / ଧ୍ରୁବାଣି ତସ୍ୟ ନଶ୍ୟନ୍ତି, ଅଧ୍ରୁବଂ ନଷ୍ଟମେବ ହି।’
ଅର୍ଥାତ ଯେଉଁ ମନୁଷ୍ୟ ନିଶ୍ଚିତ ତଥା ସ୍ଥାୟୀପ୍ରାପ୍ତିକୁ ଛାଡ଼ି ଅନିଶ୍ଚିତ ପ୍ରାପ୍ତି ଆଶାରେ ଧାଏଁ, ସେ ପ୍ରାପ୍ତ ପଦାର୍ଥକୁ ତ ହରାଇବସେ, ଅପ୍ରାପ୍ତ ପଦାର୍ଥ ମଧ୍ୟ ତା’କୁ ମିଳେ ନାହିଁ। ଏବେ ଆମ ପାଇଁ ନିଶ୍ଚିତ ପ୍ରାପ୍ତି ଆମର ଏକ ମାତ୍ର ପୃଥିବୀ, ମା’ ଧରିତ୍ରୀ। ଅଚଳା ସେ, ସର୍ବସଂହା ସେ। ଯୁଗ ଯୁଗ ଧରି ମାନବ ସମାଜର ଅଳି, ଅର୍ଦ୍ଦଳି ସହି ଆସିଛି। ଜନନୀ ପରି ନିଜର ପାରିପାର୍ଶ୍ବିକ ମୂଲ୍ୟବୋଧକୁ ବଳ ିଦେଇ ସନ୍ତାନ ସନ୍ତତିମାନଙ୍କର ଉଚ୍ଚାଭିଳାଷ ଓ ପରିବର୍ତ୍ତିତ ଜୀବନଶୈଳୀର ଅଭୀପ୍‌‌ସା ସେ ପୂରଣ କରି ଚାଲିଛି। ତା’ର ସେଇ ନିରବତା ଓ ମୌନତାର ସୁଯୋଗ ନେଇ ସମସ୍ତେ ତା’କୁ ସାଧ୍ୟମତେ ଲୁଣ୍ଠନ କରି ଚାଲିଛନ୍ତି। ବିଶେଷକରି ଏଇ ମାଟିର ମଣିଷ ଦିନେ ପୁଣି ସେଇ ମାଟିର କୋଳରେ ଅନ୍ତିମ ଆଶ୍ରୟ ନେବ – ଏ କଥା ଜାଣି ମଧ୍ୟ ଯାନ୍ତ୍ରିକ ମଣିଷ ସାଜି କୃଷି ପାଇଁ, ଶିଳ୍ପ ପାଇଁ ପୃଥିବୀର ଶରୀରକୁ କ୍ଷତବିକ୍ଷତ କରି ପକାଉଛି। ବିଭିନ୍ନ ରସାୟନିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ଜରିଆରେ ମାଟିକୁ ବିଷାକ୍ତ କରି ଦେଉଛି। ଉଭୟ କଠିନ ଓ ତରଳ ବର୍ଜ୍ୟ ନିଷ୍କାସନ କରି ତା’କୁ ପ୍ରଦୂଷିତ କରିବା ସହିତ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଗଦେଇ ଶ୍ୱାସରୁଦ୍ଧ କରିଦେଉଛି। ଏ ସବୁର କୁପରିଣାମ ସୁଦୂରପ୍ରସାରୀ। ପୃଥିବୀ ବଞ୍ଚି ରହିଲେ, ଜୈବ ବିବିଧତା ରହିଲେ ହିଁ ମାନବଜାତି ତିଷ୍ଠି ରହିବ। ଏଥିରେ ଦ୍ୱିମତ ନାହିଁ।

ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪

22 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର