ଆମ ମାତୃଭାଷାର ସ୍ଥିତି

The Sakala Picture
Published On

ଥରେ ଆମ ରାଜ୍ୟର ଜଣେ ବିଶିଷ୍ଟ ବାଗ୍ମୀ, ଅଧ୍ୟାତ୍ମ ଏବଂ ଦର୍ଶନ କ୍ଷେତ୍ରର ଜଣେ ଧୂରୀଣ ବ୍ୟକ୍ତିତ୍ୱ ପ୍ରଫେସର ହୃଦାନନ୍ଦ ରାୟ ଆକାଶବାଣୀ କଟକ କେନ୍ଦ୍ରକୁ କୌଣସି ଏକ ରେକର୍ଡିଂ ପାଇଁ ଆସିଥା’ନ୍ତି। ମୁଁ ସେତେବେଳେ କଟକ କେନ୍ଦ୍ରରେ ଥାଏ। ସାହିତ୍ୟର ଜଣେ ପ୍ରଗଳ୍‌‌ଭ ବକ୍ତା ଏବଂ ଭଞ୍ଜଭୂମି ପ୍ରତି ତାଙ୍କ ପ୍ରଗାଢ଼ ଅନୁରାଗ ଏବଂ ମୁଁ ସେ ଭୂମିର ସନ୍ତାନ ହୋଇଥିବାରୁ ମୋ ପ୍ରତି ତାଙ୍କର ବିଶେଷ ସ୍ନେହ ଥାଏ। କାର୍ଯ୍ୟ ସାରି ଫେରିଲା ବେଳକୁ […]

ଥରେ ଆମ ରାଜ୍ୟର ଜଣେ ବିଶିଷ୍ଟ ବାଗ୍ମୀ, ଅଧ୍ୟାତ୍ମ ଏବଂ ଦର୍ଶନ କ୍ଷେତ୍ରର ଜଣେ ଧୂରୀଣ ବ୍ୟକ୍ତିତ୍ୱ ପ୍ରଫେସର ହୃଦାନନ୍ଦ ରାୟ ଆକାଶବାଣୀ କଟକ କେନ୍ଦ୍ରକୁ କୌଣସି ଏକ ରେକର୍ଡିଂ ପାଇଁ ଆସିଥା’ନ୍ତି। ମୁଁ ସେତେବେଳେ କଟକ କେନ୍ଦ୍ରରେ ଥାଏ। ସାହିତ୍ୟର ଜଣେ ପ୍ରଗଳ୍‌‌ଭ ବକ୍ତା ଏବଂ ଭଞ୍ଜଭୂମି ପ୍ରତି ତାଙ୍କ ପ୍ରଗାଢ଼ ଅନୁରାଗ ଏବଂ ମୁଁ ସେ ଭୂମିର ସନ୍ତାନ ହୋଇଥିବାରୁ ମୋ ପ୍ରତି ତାଙ୍କର ବିଶେଷ ସ୍ନେହ ଥାଏ। କାର୍ଯ୍ୟ ସାରି ଫେରିଲା ବେଳକୁ ମୁଁ ତାଙ୍କୁ ବଧେଇ ଦେବାକୁ ଗଲାବେଳେ ସେ ମୋତେ କହିଲେ- ‘ଆପଣଙ୍କ ସହ କଥା ହେଲେ ଖୁବ୍‌‌ ଭଲ ଲାଗୁଛି’। ମୁଁ କହିଲି, ‘ମୁଁ ପରା ବାକ୍‌‌କଲ୍ୟାଣୀ। ଏହି ଶବ୍ଦଟିର ଅର୍ଥ ବ୍ରାହ୍ମଣ। ବର୍ଣ୍ଣରେ ବ୍ରାହ୍ମଣ ହୋଇଥିବାରୁ ଆମ ମୁହଁରୁ କଲ୍ୟାଣ କଥା ହିଁ ବାହାରିବା କଥା। ମୋ କଥା ଯଦି ଆପଣଙ୍କୁ ଭଲ ଲାଗୁଛି ତା’ହେଲେ ମୁଁ ଯଥାର୍ଥରେ ବାକ୍‌‌କଲ୍ୟାଣୀ।’ ଶ୍ରୀରାୟ ଅଟକିଗଲେ ଏବଂ ମୋତେ ଚାହିଁ ପଚାରିଲେ- ‘ଏ ଶବ୍ଦଟି ଆପଣ କୋଉଠୁ ପାଇଲେ? ମୁଁ ତ କେବେ ଶୁଣିନାହିଁ’। ମୁଁ କହିଲି ଏ ଶବ୍ଦଟିକୁ ଭଞ୍ଜ ବୈଦେହୀଶ ବିଳାସ କାବ୍ୟରେ ଚତୁର୍ଥ ଛାନ୍ଦରେ ବ୍ୟବହାର କରିଛନ୍ତି। ସମ୍ଭବତଃ, ଏ ଶବ୍ଦଟି ଭଞ୍ଜ ବ୍ରାହ୍ମଣ ଅର୍ଥରେ ନିଜେ ତିଆରି କରିଥିବେ। ଓଡ଼ିଆ ଅଭିଧାନରେ ଏ ଶବ୍ଦଟି ନାହିଁ। ଲୋମପାଦ ରାଜାଙ୍କ ଦ୍ୱାରା ନିଯୁକ୍ତ ହୋଇ ଜରତା ବେଶ୍ୟା ଋଷ୍ୟଶୃଙ୍ଗ ଋଷିଙ୍କୁ ଆଣିବା ପରେ ଅେଯାଧ୍ୟାେର ବର୍ଷା ହୋଇଛି ଏବଂ ଋଷି ପୁତ୍ରେଷ୍ଟି ଯଜ୍ଞ କରିବା କଥା ବ୍ରାହ୍ମଣମାନେ ଯାଇ ରାଜା ଦଶରଥଙ୍କୁ କହିଛନ୍ତି। ବୈଦେହୀଶ ବିଳାସର ଚତୁର୍ଥ ଛାନ୍ଦ ଏକାଅଶୀ ପଦରେ ଭଞ୍ଜ କବି ଲେଖିଛନ୍ତି, ‘ବାକକଲ୍ୟାଣୀ ଶୁଣି ଦଶରଥେ କହି, ବେଶ୍ୟ ଜରତା ପ୍ରମୁଖ ଜାଙ୍ଗଳିକା ହୋଇ ଯେ’। ଦଶରଥ ଅପୁତ୍ରିକ ଥିବାରୁ ତାଙ୍କର କଲ୍ୟାଣ ଭାବନା କରି ବ୍ରାହ୍ମଣମାନେ ତାଙ୍କୁ ଋଷି ଋଷ୍ୟଶୃଙ୍ଗଙ୍କର ଏ ମହିମା ସମ୍ପର୍କରେ ସୂଚନା ଦେଇଛନ୍ତି। ତେଣୁ ଏଠି ବ୍ରାହ୍ମଣ ଅର୍ଥରେ ‘ବାକକଲ୍ୟାଣୀ’ ଶବ୍ଦର ପ୍ରୟୋଗ ଅତ୍ୟନ୍ତ ଯଥାର୍ଥ। ବ୍ରାହ୍ମଣ ଅର୍ଥରେ ଏକାଧିକ ଶବ୍ଦ ଯଥା ଦ୍ୱିଜ, ବିପ୍ର ଇତ୍ୟାଦି ଥିଲେ ମଧ୍ୟ ସବୁଗୁଡ଼ିକର ତାତ୍ପର୍ଯ୍ୟ ଭିନ୍ନ ଭିନ୍ନ।’ ଶ୍ରୀଯୁକ୍ତ ରାୟ ଖୁବ୍‌‌ ଆନନ୍ଦିତ ହେଲେ ଏବଂ ବିଦାୟ ନେଲେ।

କବିବର ରାଧାନାଥ ରାୟ ସ୍ୱୀୟ ‘ଚିଲିକା’ କାବ୍ୟରେ ଅସ୍ତଗାମୀ ସୂର୍ଯ୍ୟଙ୍କ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି- ‘ପାରିଲେଣି ଏବେ ଦେବ ବିକର୍ତ୍ତନ, ଭାଲେରୀ ଶିଖରେ ସ୍ୱର୍ଣ୍ଣ ସିଂହାସନ’। ବିକର୍ତ୍ତନ ଶବ୍ଦର ଅର୍ଥ ସୂର୍ଯ୍ୟ। ସୂର୍ଯ୍ୟଙ୍କ ପାଇଁ ଅନେକ ଶବ୍ଦ ଅଛି। କିନ୍ତୁ ଅସ୍ତାଚଳଗାମୀ ସୂର୍ଯ୍ୟଙ୍କ ପାଇଁ ବିକର୍ତ୍ତନ ଶବ୍ଦଟି ଅତ୍ୟନ୍ତ ଯଥାର୍ଥ। କାରଣ ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଉପର ଆଡ଼ୁ ସୋରା ସୋରା ହୋଇ କଟାହେଲା ଭଳି ଦିଶୁଥାଏ। ବିକର୍ତ୍ତନ ଅର୍ଥ ହେଉଛି ବିଶେଷ ଭାବରେ କର୍ତ୍ତିତ ହୋଇଥିବା କିରଣଧାରୀ ସୂର୍ଯ୍ୟ। ସୂର୍ଯ୍ୟଙ୍କର ଅନ୍ୟ ଯେକୌଣସି ନାଁ ଏଠି ବ୍ୟବହାର କରିଥିଲେ ତାହା ଏତେ ଅର୍ଥବୋଧକ ହୋଇନଥା’ନ୍ତା। ଏଇଭଳି ଆମ ଭାଷାରେ ଥିବା ବହୁ ଶବ୍ଦ, ପ୍ରତିଶବ୍ଦମାନଙ୍କ ବ୍ୟବହାରରେ ଆମର ପ୍ରାଚୀନ କବିଗଣ ଅସାମାନ୍ୟ ସିଦ୍ଧହସ୍ତତା ପ୍ରଦର୍ଶନ କରିଛନ୍ତି। ଏବେ କିନ୍ତୁ ସେ ଶବ୍ଦ ସବୁ ପ୍ରଚଳନକୁ ଆସୁନାହାନ୍ତି। ଆମେ ତା’ର ଆବଶ୍ୟକତା, ମହତ୍ତ୍ୱ ଏବଂ ତାତ୍ପର୍ଯ୍ୟ ଅନୁଭବ ମଧ୍ୟ କରୁନାହୁଁ। ବଡ଼ କଥା ହେଲା ଏପରି ଶବ୍ଦ ସବୁ ଆମ ଗନ୍ତାଘରେ ଅଛି ବୋଲି ଆମେ ଜାଣି ମଧ୍ୟ ନାହୁଁ। ଖୋଲା ହୋଇ ପାରୁନଥିବା ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ବହୁମୂଲ୍ୟ ଅଳଙ୍କାର ଏବଂ ରତ୍ନମାନେ ଯେପରି କ୍ଷୟିଷ୍ଣୁ ହୋଇପଡ଼ିଛନ୍ତି, ଆମ ଶବ୍ଦ ଭଣ୍ଡାରରେ ସେପରି ଅଜସ୍ର ଶବ୍ଦ ଅଲୋଡ଼ା ହୋଇ ପଡ଼ି ରହିଲେଣି।

ଉପରୋକ୍ତ ଦୁଇଟି ଉଦାହରଣ ଦେଇ ଏ ଆଲେଖ୍ୟ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଲା ଏଇ ନିକଟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ଏକ ମତ ବିନିମୟ ସଭା ହୋଇଥିଲା। ସେଥିରେ ଏ ଲେଖକ ମଧ୍ୟ ଥିଲେ। ଓଡ଼ିଆ ଭାଷା କ୍ଷେତ୍ରରେ ସମ୍ପ୍ରତି ଦେଖାଦେଇଥିବା ସଂକଟ ସମ୍ପର୍କରେ କେତେକ ବ୍ୟକ୍ତି ମତ ଦେଲାବେଳେ କିଛି ବ୍ୟକ୍ତି କହିଲେ ଓଡ଼ିଆ ଭାଷା କ୍ଷେତ୍ରରେ କିଛି ସଂକଟ ନାହିଁ। ଓଡ଼ିଆ ଭାଷା ତା’ ବାଟରେ ଠିକ୍‌‌ ଅଛି। ଉଭୟେ ନିଜ ନିଜ ବିଚାରରେ ସ୍ୱତନ୍ତ୍ର। କିଛି ବାସ୍ତବ ସ୍ଥିତି ଜାଣିବାକୁ ହେଲେ ଏହାର ଏକ ନିସ୍ପକ୍ଷ ଅନୁଶୀଳନ ଆବଶ୍ୟକ। ଏମିତିରେ ଦେଖିଲେ ଯେକୌଣସି ଭାଷା ପରି ଆମ ଓଡ଼ିଆ ଭାଷାର ମଧ୍ୟ ଦୁଇଟି ରୂପ। ଗୋଟିଏ ହେଲା କଥିତ ବା ମୌଖିକ। ଏହି ଭାଷାଟି ବ୍ୟାବହାରିକ। ଦୈନନ୍ଦିନ ଜୀବନର ଚଳଣି, ତାହା ଚାଷବାସ ହେଉ କି ବେପାର ବଣିଜ ହେଉ, ପର୍ବପର୍ବାଣି ହେଉ କି ବାହା ପୁଆଣି ହେଉ, ଲୋକ ଜୀବନ ସହ ସଂଶ୍ଳିଷ୍ଟ ସବୁ ବ୍ୟାପାର ପାଇଁ ବ୍ୟବହାର ହେଉଥିବା ଭାଷା। ଏଥିରେ ସ୍ଥାନୀୟ ଲୋକଶବ୍ଦ ପ୍ରଚୁର, ଯେଉଁଗୁଡ଼ିକ ଅଞ୍ଚଳ ଭେଦରେ ବିବିଧ। ଏ ଭାଷା ବ୍ୟାକରଣ ନିୟମକୁ ଧରାବନ୍ଧା ଭାବରେ ମାନେ ନାହିଁ। ଏହାସତ୍ତ୍ବେ ଏଥିରେ ଚମତ୍କାର ଭାବରେ ଭାବ ପ୍ରକାଶ ପାଇଯାଏ। ଏଥିରେ ବ୍ୟବହୃତ ଶବ୍ଦ ସମୂହ ଚଳଣିରୁ ଆସିଥିବାରୁ ସେଗୁଡ଼ିକ ଭିତରେ ଗୋଟିଏ ସଂସ୍କୃତିର ଝଲକ ଦିଶୁଥାଏ। ଏହାକୁ ଗାଁ ଗହଳିର ଭାଷା କୁହାଯାଇପାରେ। ଏ ଭାଷାର ବିପୁଳ ଭାବ ପ୍ରକାଶ କ୍ଷମତା ଥିବାରୁ ଏଥିରେ ହିଁ ସୃଷ୍ଟି ହୁଏ ଲୋକସାହିତ୍ୟ, ଯେଉଁଥିରେ ଏ ଭାଷା ସାଇତା ହୋଇ ରହିଯାଏ। ଭାଷାର ବଳ ହେଲା ଶବ୍ଦ ଭଣ୍ଡାର। ଯେଉଁ ଭାଷାର ଶବ୍ଦଭଣ୍ଡାର ଯେତେ ସମୃଦ୍ଧ ସେ ଭାଷା ମଧ୍ୟ ସେତେ ସମୃଦ୍ଧ। ଆମର ବିପୁଳ ଲୋକସାହିତ୍ୟ ଏହି ଶବ୍ଦ ଭଣ୍ଡାରକୁ ନିଜ ଭିତରେ ଧାରଣ କରିଛନ୍ତି। କିନ୍ତୁ ତା’ର ଚର୍ଚ୍ଚା କାହିଁ? ଲୋକସାହିତ୍ୟ ରଚନା କାହିଁ? ଲୋକସାହିତ୍ୟର ଆଦର ମଧ୍ୟ କାହିଁ? ତେବେ ଲୋକଭାଷାକୁ ଧରି ରଖିବ କିଏ? ଆଗ କାଳରେ ଲୋକେ ନିଜ ନିଜ ଅଞ୍ଚଳରେ ସୀମାବଦ୍ଧ ହୋଇ ରହୁଥିଲେ। ଗମନାଗମନର ସୁବିଧା ନଥିଲା। ଏତେ ବେଶୀ ଯିବା ଆସିବା ଦରକାର ମଧ୍ୟ ପଡୁନଥିଲା। ତେଣୁ ନିଜ ଅଞ୍ଚଳର ଭାଷାଟି ଅବିକୃତ ରହୁଥିଲା। ଏବେ ଗମନାଗମନ, ଯୋଗାଯୋଗ, ଗଣମାଧ୍ୟମର ପ୍ରଚଣ୍ଡ ପ୍ରଗତିରେ ଲୋକଭାଷା ମଧ୍ୟ ତା’ର ସ୍ୱରୂପ ହରାଇ ସାରିଲାଣି। ବଦଳିଗଲାଣି ଗାଁ ଗହଳିର ଲୋକମୁହଁର ଭାଷା। ଲୋକ ସାହିତ୍ୟର ଧାରା ଶୁଖିଗଲା। ଲୋକ ଭାଷା ବଦଳିଗଲା। ଭାଷାର ଗୋଟିଏ ପକ୍ଷ କଟିଗଲା। ଆମ ଭିତରୁ ଯେ କେହି ଗାଁ ଗହଳିକୁ ଯାଇ ଏହାର ସତ୍ୟତା ପରଖି ପାରିବେ। ଗତ ଷାଠିଏ ବର୍ଷ ଧରି ଗାଁ ସହିତ ନିରବଚ୍ଛିନ୍ନ ଭାବେ ସମ୍ପୃକ୍ତ ରହି ନିଜର ଅନୁଧ୍ୟାନ ଆଧାରରେ ଏକଥା କହୁଛି ଏ ଲେଖକ।

ଓଡ଼ିଆ ସାହିତ୍ୟର ମଧ୍ୟଯୁଗରେ ସଂସ୍କୃତ ଭାଷାର ଅତ୍ୟଧିକ ପ୍ରଭାବରେ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ କାବ୍ୟ-ସାହିତ୍ୟ ଏକ ମାଧ୍ୟମ ହୋଇଯାଇଥିବାରୁ କବିମାନେ ଏଥିରେ ଅଧିକ ତତସମ ଶବ୍ଦ ବ୍ୟବହାର କରିବାର ଧାରା ଆରମ୍ଭ କରିଥିଲେ। ଏଥିପାଇଁ ଅବଲମ୍ବନ ଥିଲା ସଂସ୍କୃତ କୋଷଗ୍ରନ୍ଥ ସମୂହ। କିନ୍ତୁ କିଛିକାଳ ପରେ ଲୋକଭାଷା ଅବହେଳିତ ହୋଇ ପଡୁଥିବା ଅନୁଭବ କରି କବିମାନେ ଦିବ୍ୟ ଭାଷା ସହ ଅଦିବ୍ୟ ଭାଷା କିମ୍ବା ଦିବ୍ୟ ଶବ୍ଦ ସହ ଅଦିବ୍ୟ ଶବ୍ଦକୁ ମିଶାଇ କାବ୍ୟ ରଚନା କଲେ। ଏହା ଫଳରେ ଦିବ୍ୟ ଏବଂ ଲୋକ ଭାଷାର ସମନ୍ୱୟରେ କାବ୍ୟ ସାହିତ୍ୟର ଏକ ନବ ବର୍ଣ୍ଣବିଭା ଫୁଟି ଉଠିଲା। କାବ୍ୟ କବିତା ଭିତରେ ଦିବ୍ୟ ଏବଂ ଅଦିବ୍ୟ ଶବ୍ଦ ହାତ ଧରାଧରି ହୋଇ ଚାଲିଲେ। ଲୋକଶବ୍ଦ ସବୁ ଦିବ୍ୟ ସାହିତ୍ୟ ଭିତରକୁ ଆସି ମହିମା ମଣ୍ଡିତ ହୋଇଗଲେ। ସମ୍ପ୍ରତି ସାହିତ୍ୟ ରଚନାର ସେ ଧାରାଟି ଲୁପ୍ତ। ସାମ୍ପ୍ରତିକ ସାହିତ୍ୟିକମାନେ ହୁଏତ ଏକଥା ଚାହୁଁନାହାନ୍ତି କିମ୍ବା ତାଙ୍କର ସେତିକି ଦକ୍ଷତା ନାହିଁ। ଏହା ସହଜ ନୁହେଁ ମଧ୍ୟ। ଉଭୟ ଅଭିଜାତ ଭାଷା ଓ ଲୋକ ଭାଷାରେ ଯଥେଷ୍ଟ ପ୍ରବେଶ ନଥିଲେ ଏହା କହିହେବ ନାହିଁ। ଗୋଟିଏ ଦୃଷ୍ଟିରୁ ଲୋକଭାଷାଟି ଅଭିଜାତ ଭାଷାର ସାଥୀ ହେବା ପ୍ରକ୍ରିୟାଟି ବନ୍ଦ ହୋଇଗଲା। ସିଏ ତା’ ମୂଲକ ମାଟିତଳେ ପୋତି ହେବାକୁ ବସିଲାଣି।

ଭାଷାର ଦ୍ୱିତୀୟ ସ୍ୱରୂପଟି ହେଲା ଲିଖିତ, ଯାହା ପୁରାଣ, ଇତିହାସଠାରୁ ଆରମ୍ଭ କରି ଆଧୁନିକ ସାହିତ୍ୟ ପର୍ଯ୍ୟନ୍ତ ପ୍ରଲମ୍ବିତ। ସମ୍ବାଦପତ୍ର, ଦଲିଲ, ସରକାରୀ ଚିଠିପତ୍ର ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଆଜିକାଲି ପ୍ରକାଶ ପାଉଥିବା ଓଡ଼ିଆ ପତ୍ରପତ୍ରିକା, ପୁସ୍ତକ ଇତ୍ୟାଦିକୁ ଲକ୍ଷ୍ୟ କଲେ ଜଣାଯାଉଛି ଯେ ସେଥିରେ ବ୍ୟବହାର ହେଉଥିବା ଶବ୍ଦ ସଂଖ୍ୟା ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାର ତୁଳନାରେ ସୀମିତ। କାରଣ ସାହିତ୍ୟ ରଚନା କରୁଥିବା ସାହିତ୍ୟିକମାନଙ୍କ ମଧ୍ୟରୁ ସିଂହଭାଗ ହେଉଛନ୍ତି ଅଭିଜାତ ବର୍ଗର ଏବଂ ସହରବାସୀ। ସେମାନେ ଚଳପ୍ରଚଳ ହେଉଥିବା ପରିବେଶରେ କେତେ ବା ଶବ୍ଦ ଆବଶ୍ୟକ? ଯେତିକିରେ କାମ ଚଳେ ସେତିକି ଶବ୍ଦ ଆମେ ବ୍ୟବହାର କରୁ। ଏଥିରେ କୌଣସି ସୂକ୍ଷ୍ମ ଅନୁଭବକୁ ପ୍ରକାଶ କରିବାର ଆବଶ୍ୟକତା ନଥିବାରୁ ଶବ୍ଦ ସଂଧାନ କରିବା ବି ଆବଶ୍ୟକ ହୁଏ ନାହିଁ। ଏବେ ପୁଣି ଅନ୍ୟ ଭାଷା ଯଥା ଇଂରାଜୀ, ହିନ୍ଦୀ ଶବ୍ଦମାନେ ଆମ ଭାଷାରେ ଅନୁପ୍ରବେଶ କରିଥିବା ହେତୁ ତାକୁ ମଧ୍ୟ ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରି ଆମ କାମ ଚଳେଇଦେଉ। ଏହାଦ୍ୱାରା କାମ ସିନା ଚଳିଯିବ, କିନ୍ତୁ ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି ହୋଇପାରିବ ନାହିଁ। ଆମ ଭିତରେ ସୃଷ୍ଟି ହେଉଥିବା ସୂକ୍ଷ୍ମ, ସୁକୁମାର ଭାବରାଜିକୁ ପ୍ରକାଶିତ କରିବା ପାଇଁ ଦୈନନ୍ଦିନ ଚଳଣିର ଏହି କାମଚଳା ଶବ୍ଦମାନେ ସମର୍ଥ ହୋଇପାରିବେ ନାହିଁ। ସେଥିପାଇଁ ଆମକୁ ଉପଯୁକ୍ତ ଭାବପ୍ରକାଶକ୍ଷମ ଶବ୍ଦ ଖୋଜିବାକୁ ପଡ଼ିବ। ଏଇଥିପାଇଁ କବିମାନେ ଶବ୍ଦଟିଏ ଖୋଜିବା ପାଇଁ ଦିନ ଦିନ ଧନ୍ଦି ହୁଅନ୍ତି। ଆମ ଭାଷାରେ ବିପୁଳ ଶବ୍ଦ ଭଣ୍ଡାର ଅଛି। ତାକୁ ଆମେ ନ ଜାଣିଲେ ସାହିତ୍ୟ ପାଇଁ ଆମେ ଯଥାର୍ଥ ଶବ୍ଦ ସବୁ କେଉଁଠୁ ପାଇବା? ବର୍ତ୍ତମାନ ଲେଖାଯାଉଥିବା ରଚନାମାନଙ୍କୁ ଆମେ ଭାବ ଏବଂ ବିଷୟବସ୍ତୁ ଦୃଷ୍ଟିରୁ ଆଲୋଚନା କରୁଛୁ। ଭାଷା ଦୃଷ୍ଟିରୁ ସେଗୁଡ଼ିକ କେତେ ସମୃଦ୍ଧ ତାହା ଆଲୋଚନା କରୁନାହୁଁ। ସମ୍ପ୍ରତି ପ୍ରକାଶିତ ହେଉଥିବା ରଚନାମାନଙ୍କ ଉପରେ ଏକ ବିହଙ୍ଗମ ଦୃଷ୍ଟି ନିକ୍ଷେପ କଲେ ଜଣାଯିବ କେତେ ସଂକୁଚିତ ହୋଇଗଲାଣି ଆମ ଶବ୍ଦ ଭଣ୍ଡାର। ଏବେ ମଧ୍ୟ ପାରମ୍ପରିକ ସାହିତ୍ୟ ପ୍ରତି ରୁଚି ରଖୁଥିବା କେତେକ ବ୍ୟକ୍ତି ମଧ୍ୟଯୁଗୀୟ ଶୈଳୀରେ କିଛି କିଛି ସାହିତ୍ୟ ରଚନା କରୁଛନ୍ତି। ସେମାନଙ୍କ ରଚନାରେ ଅନେକ ପାରମ୍ପରିକ, ଲୋକ ଶବ୍ଦାବଳୀ ଉଙ୍କି ମାରୁଛନ୍ତି। କିନ୍ତୁ ସେ ରଚନା ପୁରୁଣା କାଳିଆ କହି ଆମେ ଆଡ଼େଇ ଦେଉଛୁ ଏବଂ ସେ ରଚନାକାରମାନଙ୍କୁ ପ୍ରଶଂସାର ପଦୁଟିଏ ମଧ୍ୟ କହୁନାହୁଁ।

ଆମ ଭାଷା ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଛି। କିନ୍ତୁ ଏବେ ଆମ ପିଲାମାନେ ଏବଂ ଆମେ କହୁଥିବା ଭାଷା ଯେ ବର୍ଣ୍ଣସଙ୍କର ହୋଇ ଏକ କାମଚଳା ଭାଷା ସ୍ତରକୁ ଖସି ଆସିଲାଣି, ତାହା ଚିନ୍ତାର ବିଷୟ ନିଶ୍ଚୟ। ସବୁକାଳେ କଥିତ ଭାଷାର କାମ ଦୈନନ୍ଦିନ ଜୀବନକୁ ଚଳେଇବା। ସେଥିରେ ଅପମିଶ୍ରଣର ମାତ୍ରା ବେଳକୁ ବେଳ ଯେପରି ବଢ଼଼ୁଛି, ତାହା ଆମ ଭାଷା ପାଇଁ ସଂକଟ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି। ପ୍ରଥମ ହେଲା, ଆମେ ଆମ ବିପୁଳ ଶବ୍ଦ ଭଣ୍ଡାରକୁ ଆଉ ଲିଖିତ ବା କଥିତ ଭାଷାକୁ ଆଣିବା ଊଣା କରିଦେଲୁଣି। ଦ୍ୱିତୀୟରେ, ଲୋକସାହିତ୍ୟ ଏବଂ ପାରମ୍ପରିକ ସାହିତ୍ୟର ପ୍ରୋତ୍ସାହନ ନାହିଁ। ତୃତୀୟରେ, ଆମର କଥିତ ଭାଷାରେ ଅନ୍ୟ ଭାଷାର ଶବ୍ଦମାନଙ୍କୁ ଯାଦୃଚ୍ଛିକ ଭାବରେ ବ୍ୟବହାର କରି ଆମେ ଆମ ଭାଷାକୁ ଏକ କାମଚଳା ଭାଷାରେ ପରିଣତ କରିଚାଲିଛୁ। ଏଗୁଡ଼ିକ ଭାଷା ପାଇଁ ସଂକଟ ନୁହେଁ ତ ଆଉ କ’ଣ? ଆମେ କହୁନାହୁଁ ଯେ କାଲି ଆମ ଭାଷାଟା ଲୋପ ପାଇଯିବ। କିନ୍ତୁ ଏହି ପ୍ରକ୍ରିୟା ଜାରି ରହିଲେ ଆମ ଭାଷାର ମର୍ଯ୍ୟାଦା, ବିଭୂତି ଯେ ଆମେ ହରେଇବୁ, ଏଥିରେ ସନ୍ଦେହ ନାହିଁ। ପୃଥିବୀର ଅନେକ ଭାଷା ଏହି ପ୍ରକ୍ରିୟାରେ ହିଁ ଲୋପ ପାଇଛନ୍ତି। ଏ ପରିପ୍ରେକ୍ଷୀରେ ଆମର କର୍ତ୍ତବ୍ୟ ହେଉଛି ଆମେ ପ୍ରାଚୀନ ସାହିତ୍ୟକୁ ଆଦର କରିବା, ଲୋକସାହିତ୍ୟ ଏବଂ ଲୋକଭାଷାକୁ ଭଲ ପାଇ ଲିଖିତ ଭାଷା ଭିତରକୁ ଆଣିବା। ପାରମ୍ପରିକ କାବ୍ୟ କବିତା ରଚନା କରୁଥିବା କବିମାନଙ୍କୁ ପ୍ରୋତ୍ସାହିତ କରିବା। ଏହାଦ୍ୱାରା ହିଁ ଆମ ଭାଷା ପୁଣି ଥରେ ତା’ର ମହିମା ଏବଂ ବିଭୂତି ଲାଭ କରିବ।

ଡ. ଶାନ୍ତନୁ କୁମାର ରଥ
ଭୁବନେଶ୍ୱର, ମୋ: ୯୪୩୭୪୮୦୮୦୬

19 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର