ନୀଳ ଅଙ୍ଗାର
ଯେତେବେଳେ ଆମେ ଅଙ୍ଗାର କଥା ଚିନ୍ତା କରୁ ଆମ ମାନସ ଚକ୍ଷୁରେ ଉଭା ହୁଏ ଅତ୍ୟନ୍ତ କଳାରଙ୍ଗର ଏକ ପଦାର୍ଥ। ତେବେ ପ୍ରକୃତି କ୍ଷେତ୍ରରେ ଏହା ରହିଛି ବହୁ ରୂପ ଏବଂ ରଙ୍ଗରେ। ସେଗୁଡ଼ିକୁ ‘ଏଲୋଟ୍ରୋପସ୍’ ବୋଲି କୁହାଯାଏ। ଉଦାହରଣ ସ୍ୱରୂପ ଦୀପ ଶିଖାରୁ ଓ ପୋଡ଼ାକାଠରୁ ଉତ୍ପନ୍ନ ମସୃଣ ଅଙ୍ଗାର ସମ୍ପୂର୍ଣ୍ଣ କଳା ହେଲା ବେଳେ ଗ୍ରାଫାଇଟ୍ର ରଙ୍ଗ ଧୂସର-କଳା, ମୁକ୍ତା ରଙ୍ଗହୀନ ଏବଂ ଫୁଲେରେନ୍ସେ ହଳିଦିଆରୁ ବାଦାମୀ। ଏହି ଅଜୈବ ଅଙ୍ଗାର ମଧ୍ୟ ଆହୁରି […]
ଯେତେବେଳେ ଆମେ ଅଙ୍ଗାର କଥା ଚିନ୍ତା କରୁ ଆମ ମାନସ ଚକ୍ଷୁରେ ଉଭା ହୁଏ ଅତ୍ୟନ୍ତ କଳାରଙ୍ଗର ଏକ ପଦାର୍ଥ। ତେବେ ପ୍ରକୃତି କ୍ଷେତ୍ରରେ ଏହା ରହିଛି ବହୁ ରୂପ ଏବଂ ରଙ୍ଗରେ। ସେଗୁଡ଼ିକୁ ‘ଏଲୋଟ୍ରୋପସ୍’ ବୋଲି କୁହାଯାଏ। ଉଦାହରଣ ସ୍ୱରୂପ ଦୀପ ଶିଖାରୁ ଓ ପୋଡ଼ାକାଠରୁ ଉତ୍ପନ୍ନ ମସୃଣ ଅଙ୍ଗାର ସମ୍ପୂର୍ଣ୍ଣ କଳା ହେଲା ବେଳେ ଗ୍ରାଫାଇଟ୍ର ରଙ୍ଗ ଧୂସର-କଳା, ମୁକ୍ତା ରଙ୍ଗହୀନ ଏବଂ ଫୁଲେରେନ୍ସେ ହଳିଦିଆରୁ ବାଦାମୀ। ଏହି ଅଜୈବ ଅଙ୍ଗାର ମଧ୍ୟ ଆହୁରି ଅନେକ ପ୍ରକାର ଅଛି। ଅନ୍ୟପକ୍ଷରେ ଜୈବ ଅଙ୍ଗାରକୁ ଭିନ୍ନ ଭିନ୍ନ ଅନୁସାରେ ବିଭକ୍ତ କରାଯାଏ, ତାହାର ଧର୍ମ ଏବଂ ପ୍ରକୃତି କ୍ଷେତ୍ରରେ ଆବଣ୍ଟନ ଉପରେ ନିର୍ଭର କରି। ଏଥି ଅନୁଯାୟୀ ତାହା କଳା, ବାଦାମୀ, ଲାଲ୍, ନୀଳ, ସବୁଜ କିମ୍ବା ନୀଳରୁ ସବୁଜ ହୋଇପାରେ।
ତନ୍ମଧ୍ୟରୁ ହେନ୍ତାଳବଣ, ଲବଣାକ୍ତ ଆର୍ଦ୍ରଭୂମି, ସମୁଦ୍ରଘାସ (ଅଗଚ୍ଛା ଓ ପଟୁମାଟି ସମେତ) ଆଦି ସାମୁଦ୍ରିକ ପରିବେଶ ଶୋଷଣ କରୁଥିବା ଅଙ୍ଗାରକୁ ‘ନୀଳ ଅଙ୍ଗାର’ ରୂପେ ନାମିତ କରାଯାଇଛି। ସେହିପରି ଭୂଭାଗର ପରିସଂସ୍ଥା ଦ୍ୱାରା ଶୋଷିତ ଅଙ୍ଗାରକୁ ‘ସବୁଜ ଅଙ୍ଗାର’ ଏବଂ ଭୂଭାଗର ମଧୁରଜଳ ଆର୍ଦ୍ରଭୂମି ଦ୍ୱାରା ଶୋଷିତ ଅଙ୍ଗାରକୁ ‘ନୀଳ-ସବୁଜ ଅଙ୍ଗାର’ ବୋଲି କୁହାଯାଉଛି। ଏଗୁଡ଼ିକ ଜଳବାୟୁ ପରିବର୍ତ୍ତନର ଉପଶମ ସହିତ ସମ୍ପୃକ୍ତ। ଅନ୍ୟପକ୍ଷରେ କଳା, ବାଦାମୀ ଏବଂ ଲାଲ୍ ଅଙ୍ଗାରର ପୃଥିବୀର ତାପ ସନ୍ତୁଳନ କିମ୍ବା ହିମମଣ୍ଡଳୀୟ ବିଗଳନ ସହିତ ସମ୍ପର୍କ ରହିଛି।
ପରିବେଶବିତ୍ମାନଙ୍କ ମତରେ ‘ନୀଳ ଅଙ୍ଗାର’ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଲାଗି ଅତୀବ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପରିସଂସ୍ଥା ପୃଥିବୀରେ ସବୁଠାରୁ ଫଳପ୍ରଦ। ଅର୍ଥାତ ଏହା ଖୁବ୍ ଶୀଘ୍ର ବଢ଼େ ଏବଂ ସେହି ପ୍ରକ୍ରିୟାରେ ଅଧିକ ମାତ୍ରାରେ ଅଙ୍ଗାର ଶୋଷଣ କରେ। ପୁନଶ୍ଚ ଏହାର ମୃତ୍ତିକା ମୁଖ୍ୟତଃ ବାୟୁ ବା ଅମ୍ଳଜାନ ବିହୀନ ହୋଇଥିବାରୁ ଏଥିରେ ସଞ୍ଚିତ ଅଙ୍ଗାର ଖୁବ୍ ମନ୍ଥର ଭାବେ ବିଗଳିତ ହୁଏ। ଏଣୁ ତାହା ତହିଁରେ ହଜାର ହଜାର ବର୍ଷ ଧରି ରହିଥାଏ। ଏକ ଆକଳନ ଅନୁସାରେ ବର୍ତ୍ତମାନ ‘ସବୁଜ ଅଙ୍ଗାର’ ପରିସଂସ୍ଥାରେ ପ୍ରାୟ ୩୩ ହଜାର ନିୟୁତ ମେଟ୍ରିକ୍ଟନ୍ ଅଙ୍ଗାର ଗଚ୍ଛିତ ହୋଇରହିଛି। ଅଙ୍ଗାର ଶୋଷଣ ବ୍ୟତୀତ ଏଗୁଡ଼ିକ ଆହୁରି ଅନେକ ଉପକାର ଏବଂ ସେବା ପ୍ରଦାନ କରିଥାଏ। ସାରାଦୁନିଆରେ ତାହା ବାତ୍ୟା ଓ ଉଚ୍ଚ ଲହରୀରୁ ସୁରକ୍ଷା ଦେବା, ଉପକୂଳରେ ଭୂସ୍ଖଳନ ରୋକିବା, ଉପକୂଳ ଅଞ୍ଚଳର ଜଳର ମାନ ରକ୍ଷା କରିବା, ମାଛ ଏବଂ ବିଲୁପ୍ତ ପ୍ରାୟ ଅନ୍ୟାନ୍ୟ ଜଳଜୀବମାନଙ୍କୁ ବାସ ଯୋଗାଇବା ଏବଂ ସ୍ଥାନୀୟ ଲୋକଙ୍କୁ ଖାଦ୍ୟ ଓ ନିରାପତ୍ତା ଦେବା ଆଦି କାର୍ଯ୍ୟ କରେ।
ଏହି ପରିସଂସ୍ଥାର ତିନୋଟି ମୁଖ୍ୟ ଅଙ୍ଗ ହୋଇଥିବା ହେନ୍ତାଳବଣ, ଲବଣାକ୍ତ ଆର୍ଦ୍ରଭୂମି ଏବଂ ସମୁଦ୍ର ଘାସମାନଙ୍କର ଅଙ୍ଗାର ଶୋଷଣ ସାମର୍ଥ୍ୟ ସମ୍ପର୍କରେ ନିମ୍ନରେ ସୂଚନା ପ୍ରଦାନ କରାଯାଇଛି। ହେନ୍ତାଳ ବଣର ବାର୍ଷିକ ଅଙ୍ଗାର ଶୋଷଣ ହାର ବର୍ଗମିଟର ପିଛା ୨୨୬ ଗ୍ରାମ୍ ହୋଇଥିବା ବେଳେ ଲବଣାକ୍ତ ଆର୍ଦ୍ରଭୂମିର ୨୧୮ ଗ୍ରାମ୍, ସମୁଦ୍ର ଘାସର ୧୩୮ ଗ୍ରାମ୍, ନାତିଶିତୋଷ୍ଣ ଅରଣ୍ୟର ୫.୧ ଗ୍ରାମ୍, ଉତ୍ତରଗୋଲାର୍ଦ୍ଧର ପର୍ଣ୍ଣମୋଚି ଅରଣ୍ୟର ୪.୬ ଗ୍ରାମ୍, ବିଷୁବୀୟ ଅରଣ୍ୟର ୪.୦ ଗ୍ରାମ୍। ଏଥିରୁ ସ୍ପଷ୍ଟ ଯେ ବିଷୁବୀୟ ଅରଣ୍ୟ ତୁଳନାରେ ହେନ୍ତାଳବଣର ଏହା ପ୍ରାୟ ୫୬ ଗୁଣ ଅଧିକ। କେବଳ ଆଣ୍ଟର୍କାଟିକାକୁ ବାଦ ଦେଲେ, ସମୁଦ୍ର ଉପକୂଳବର୍ତ୍ତୀ ‘ନୀଳ ଅଙ୍ଗାର’ ପରିସଂସ୍ଥା ପୃଥିବୀର ପ୍ରାୟ ସର୍ବତ୍ର ଦେଖାଯାଏ।
ହେନ୍ତାଳ ବଣ ମୁଖ୍ୟତଃ ବିଷୁବୀୟ ଏବଂ ଅଣ-ବିଷୁବୀୟ ଅଞ୍ଚଳରେ, ବିଶେଷକରି ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ମେକ୍ସିକୋ, ବ୍ରାଜିଲ, ନାଇଜେରିଆ, ମାଲେସିଆ, ମିଆଁମାର, ପପୁଆ ନିଉଗିନି, କ୍ୟୁବା, ଭାରତ, ବଙ୍ଗଳାଦେଶ, ମୋଜାମ୍ବିକ୍ ଆଦି ଦେଶରେ ଦୃଷ୍ଟିଗୋଚର ହୁଏ। ସେହିପରି ୟୁରୋପ, ଉତ୍ତର-ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକା ଇତ୍ୟାଦିର ନାତିଶୀତୋଷ୍ଣ ଅଞ୍ଚଳ ଦେଇ ମେରୁ ପ୍ରଦେଶ ନିକଟବର୍ତ୍ତୀ ଅଞ୍ଚଳରୁ ବିଷୁବୀୟ ଅଞ୍ଚଳ ଯାଏଁ ହେନ୍ତାଳ ବଣ ବ୍ୟାପିଛି। ଅନ୍ୟପକ୍ଷରେ, ସମୁଦ୍ରଘାସ ଆଣ୍ଟର୍କାଟିକା ବ୍ୟତୀତ ସମସ୍ତ ମହାଦେଶୀୟ ସମୁଦ୍ର ଉପକୂଳର ଜଳଭାଗରେ ଥାଏ। ଏହାର ପ୍ରାୟ ୬୦ ରୁ ଅଧିକ ପ୍ରଜାତି ରହିଛି ଏବଂ ତହିଁରୁ ୧୦ ରୁ ୧୩ଟି ବିଷୁବୀୟ ଅଞ୍ଚଳମାନଙ୍କରେ ଏକତ୍ର ଦେଖାଯା’ନ୍ତି। ପୁନଶ୍ଚ ଲବଣ।।କ୍ତ ଆର୍ଦ୍ରଭୂମି ମଧ୍ୟ ଏ ସମସ୍ତ ଅଞ୍ଚଳରେ ରହିଛି।
‘ନୀଳ ଅଙ୍ଗାର’ ପରିସଂସ୍ଥାର ଅଙ୍ଗାର ଶୋଷଣ ସତ୍ତ୍ବେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଘନତ୍ୱ ବଢ଼଼ି ବଢ଼଼ି ଏବେ ତା’ର ବିପଦଜନକସ୍ତର ନିୟୁତ ପ୍ରତି ୪୧୦ ରୁ ୪୨୦ ଭାଗରେ ପହଞ୍ଚିଲାଣି। ତଥାପି ଏହାର ସୁରକ୍ଷା ଏବଂ ପରିବର୍ଦ୍ଧନ ଲାଗି ଆବଶ୍ୟକ ତତ୍ପରତା ପ୍ରକାଶ ପାଇପାରୁନାହିଁ। ଫଳରେ ଏହା ପରିଣତ ହେଲାଣି ସବୁଠାରୁ ଅଧିକ ବିପଦସଂକୁଳ ପରିସଂସ୍ଥାରେ। ପ୍ରତିବର୍ଷ ତହିଁରୁ ୩, ୪୦, ୦୦୦ରୁ ୯୮୦, ୦୦୦ ହେକ୍ଟର ହାରରେ ବିଲୁପ୍ତ ହେବାରେ ଲାଗିଛି। ଏକ ଆକଳନ ଅନୁସାରେ ବିଗତ କିଛି ଦଶକ ମଧ୍ୟରେ ହେନ୍ତାଳବଣ, ଲବଣାକ୍ତ ଅର୍ଦ୍ରଭୂମି ଏବଂ ସମୁଦ୍ରଘାସ ଯଥାକ୍ରମେ ୬୭%, ୩୫% ଏବଂ ୨୯% ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ୧୦୦ ବର୍ଷ ମଧ୍ୟରେ ଅଣସଂରକ୍ଷିତ ହେନ୍ତାଳବଣ ଶତ ପ୍ରତିଶତ ଏବଂ ଲବଣାକ୍ତ ଆର୍ଦ୍ରଭୂମି ଓ ସମୁଦ୍ରଘାସ ୩୦ ରୁ ୪୦ ଶତାଂଶ ପର୍ଯ୍ୟନ୍ତ ଲୋପ ପାଇଯିବା ଅସମ୍ଭବ ନୁହେଁ।
ଯେତେବେଳେ ନୀଳ ଅଙ୍ଗାର ପରିସଂସ୍ଥା ଅବକ୍ଷୟପ୍ରାପ୍ତ ହୁଏ, ତାହାର କାର୍ଯ୍ୟଢଙ୍ଗ ଓଲଟିଯାଏ। ଏଣୁ ତହିଁରୁ ପ୍ରଚୁର ଅଙ୍ଗାରକାମ୍ଳ ନିର୍ଗତ ହୋଇ ବାୟୁରେ ମିଶେ। ଏହାପଛର କାରଣ ହେଲା ଯେ ମୃତ୍ତିକାରେ ଶହ ଶହ ବର୍ଷ ଧରି ଗଚ୍ଛିତ ଅଙ୍ଗାର ଉନ୍ମୁକ୍ତ ହୋଇପଡ଼େ ଏବଂ ତାହା ତହିଁରୁ ନିର୍ଗତ ହୁଏ। ଏକ ଆକଳନ ଅନୁସାରେ ବର୍ତ୍ତମାନ ଏହି କାରଣରୁ ବର୍ଷକୁ ପ୍ରାୟ ୧.୦୨ ହଜାର ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେଉଛି, ଯାହାକି ବିଶ୍ୱର ସମସ୍ତ ଅରଣ୍ୟ ବିଧ୍ୱଂସ କାରଣରୁ ନିର୍ଗତ ଏହି ବାଷ୍ପର ପ୍ରାୟ ୧୯ ଶତାଂଶ।
ଏପରିସ୍ଥଳେ ଏହାକୁ ସୁରକ୍ଷା ଦେବା ଏବଂ ଏହାର ବୃଦ୍ଧି ଘଟାଇବା ପରିବେଶ ଦୃଷ୍ଟିକୋଣରୁ ଅତ୍ୟାବଶ୍ୟକ ହୋଇପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି ‘ଇଣ୍ଟରନ୍ୟାସନାଲ ବ୍ଲୁ-କାର୍ବନ ଇନିସେନ୍ଣ୍ଟିଭ୍’। ଏହା ହେଉଛି ଏକ ଜାଗତିକ ଭାବେ ସଂଯୋଜିତ ପରିଯୋଜନା, ଯାହାକି ଜଳବାୟୁ, ଜୈବ ବିବିଧତା ଏବଂ ଲୋକଙ୍କ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ ଲାଗି ସମୁଦ୍ର ଉପକୂଳବର୍ତ୍ତୀ ପରିସଂସ୍ଥାର ସୁରକ୍ଷା ଏବଂ ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦେବା ପାଇଁ ଅଭିପ୍ରେତ। ଏଥିଲାଗି ଏହା ‘ଇଣ୍ଟରନ୍ୟାସନାଲ ବ୍ଲୁ-କାର୍ବନ୍ ୱାର୍କିଂ ଗ୍ରୁପ୍’ ମାଧ୍ୟମରେ ଏହି ପରିସଂସ୍ଥା ସମ୍ପର୍କୀୟ ଅତ୍ୟାବଶ୍ୟକୀୟ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ ଘଟାଇବା ଲକ୍ଷ୍ୟରେ କାର୍ଯ୍ୟ କରେ। ଏହାର ସୁରକ୍ଷା ତଥା ସଦୁପଯୋଗ ଲାଗି ବୈଶ୍ୱିକ ତଥା ଜାତୀୟସ୍ତରରେ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକ୍ରମ ସ୍ଥିର କରିବା ଲାଗି ପରାମର୍ଶ ଦିଏ। ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଅଛନ୍ତି ‘ଦି ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସେନୋଗ୍ରାଫିକ୍ କମିଶନ’, ‘ଦି କଞ୍ଜରଭେସନ୍ ଇଣ୍ଟରନ୍ୟାସନାଲ’ ଏବଂ ‘ଦି ଇଣ୍ଟରନ୍ୟାସନାଲ ୟୁନିୟନ୍ ଫର କଞ୍ଜରଭେସନ ଅଫ୍ ନେଚର୍’। ଏହା ଅଧୀନରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଲା ସାମଗ୍ରିକ ଭାବେ ‘ନୀଳ ଅଙ୍ଗାର’ ପରିସଂସ୍ଥାର ସୁରକ୍ଷା ଏବଂ ପୁନରୁଦ୍ଧାର।
ବିଶ୍ୱର ସର୍ବବୃହତ୍ ‘ନୀଳ ଅଙ୍ଗାର’ ପ୍ରକଳ୍ପ ‘ଡେଲ୍ଟା ବ୍ଲୁ-କାର୍ବନ୍’ ପାକିସ୍ତାନ ସ୍ଥିତ ସିନ୍ଧପ୍ରଦେଶର ଦକ୍ଷିଣ-ପୂର୍ବ ଉପକୂଳରେ କାର୍ଯ୍ୟ କରୁଛି। ସେଠାରେ ପ୍ରାୟ ୩୫୦୦୦ ହେକ୍ଟର ଏ ପ୍ରକାର ପରିସଂସ୍ଥାର ସୁରକ୍ଷା ଏବଂ ପୁନରୁଦ୍ଧାର ଦାୟିତ୍ୱରେ ରହିଛି। ସେହିପରି ମେକ୍ସିକୋଠାରେ ପ୍ରାୟ ୧୫୦୦୦ ହେକ୍ଟର ପରିମିତ ଅଞ୍ଚଳରେ ଏପରି ଭୂମିକା ଗ୍ରହଣ କରିଛି ‘ବେ ବ୍ଲୁ-କାର୍ବନ୍ ପ୍ରୋଜେକ୍ଟ’। ଏହାବ୍ୟତୀତ ବର୍ତ୍ତମାନ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ଏତାଦୃଶ ପ୍ରକଳ୍ପମାନ ଆରମ୍ଭ ହୋଇଛି। ତନ୍ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ହେଲା ଭାରତର ସୁନ୍ଦରବନରେ ‘ଲାଇଭିଲ୍ ହୁଡ୍ ପ୍ରୋଜେକ୍ଟସ୍’, ସେନେଗାଲର ‘କାସାମାନସ୍’, ଇଣ୍ଡୋନେସିଆର ‘ୟାଗାନସୁ’ ଓ ‘ରିସର୍ଚ୍ଚସେଣ୍ଟର ଫର ମେରାଇନ୍ ରିସୋରସେସ୍’, ତାଞ୍ଜାନିଆ ଓ ଜିମ୍ବାବ୍ୱେର ‘ମ୍ୟାନ୍ଗ୍ରୋଭ କାର୍ବନ୍ ପ୍ରୋଜେକ୍ଟ’ ଇତ୍ୟାଦି। ସମୁଦ୍ର ଉପକୂଳବର୍ତ୍ତୀ ସାମୁଦ୍ରିକ ପରିସଂସ୍ଥାର ସୁପରିଚାଳନା ଏବଂ ପୁନରୁଦ୍ଧାର ଏଗୁଡ଼ିକର ଆଭିମୁଖ୍ୟ। ତେବେ ଏ ସମସ୍ତ ଏକତ୍ର କିମ୍ବା ପରସ୍ପର ସହିତ ସମ୍ପର୍କ ରକ୍ଷା କରି କାର୍ଯ୍ୟ କଲେ ତହିଁରୁ ଅଧିକ ସୁଫଳ ମିଳିପାରନ୍ତା ବୋଲି ବହୁ ପରିବେଶବିତ୍ମାନଙ୍କର ମତ।
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦