ସଂସ୍କୃତି ନା ଅପସଂସ୍କୃତି!

The Sakala Picture
Published On

ପୁଣ୍ୟଭୂମି ଭାରତ ବର୍ଷ ଏକ ସଂସ୍କୃତିସମ୍ପନ୍ନ ଦେଶ। ଏହି ଦେଶର ସମୃଦ୍ଧ ସାଂସ୍କୃତିକ ପରମ୍ପରା ବିଶ୍ୱବିଖ୍ୟାତ। ଆମର ବେଦ, ବେଦାନ୍ତ, ଉପନିଷଦ, ପୁରାଣ ପ୍ରଭୃତି ବିଶ୍ୱରେ ବିରଳ। ରାମାୟଣ, ମହାଭାରତ ତଥା ମନୁସ୍ମୃତି ଭଳି ଗ୍ରନ୍ଥ ଏ ଜାତିର ଜୀବନଚର୍ଯ୍ୟାକୁ ନିୟନ୍ତ୍ରିତ, ସଂଯତ ଓ ମାର୍ଜିତ କରିଆସିଛି। ଏହି ହେତୁ ଆମ ସାମାଜିକ ଜୀବନର ଶୃଙ୍ଖଳା ଅନ୍ୟତ୍ର ଦେଖିବାକୁ ମିଳେନାହିଁ। ଓଡ଼ିଶାର ମଧ୍ୟ ଏକ ଗୌରବାବହ, ମର୍ଯ୍ୟାଦାବନ୍ତ, ସମ୍ଭ୍ରମ ଓ ମୌଳିକ ସଂସ୍କୃତି ରହିଛି। ଆମ ପରମ୍ପରା […]

ପୁଣ୍ୟଭୂମି ଭାରତ ବର୍ଷ ଏକ ସଂସ୍କୃତିସମ୍ପନ୍ନ ଦେଶ। ଏହି ଦେଶର ସମୃଦ୍ଧ ସାଂସ୍କୃତିକ ପରମ୍ପରା ବିଶ୍ୱବିଖ୍ୟାତ। ଆମର ବେଦ, ବେଦାନ୍ତ, ଉପନିଷଦ, ପୁରାଣ ପ୍ରଭୃତି ବିଶ୍ୱରେ ବିରଳ। ରାମାୟଣ, ମହାଭାରତ ତଥା ମନୁସ୍ମୃତି ଭଳି ଗ୍ରନ୍ଥ ଏ ଜାତିର ଜୀବନଚର୍ଯ୍ୟାକୁ ନିୟନ୍ତ୍ରିତ, ସଂଯତ ଓ ମାର୍ଜିତ କରିଆସିଛି। ଏହି ହେତୁ ଆମ ସାମାଜିକ ଜୀବନର ଶୃଙ୍ଖଳା ଅନ୍ୟତ୍ର ଦେଖିବାକୁ ମିଳେନାହିଁ। ଓଡ଼ିଶାର ମଧ୍ୟ ଏକ ଗୌରବାବହ, ମର୍ଯ୍ୟାଦାବନ୍ତ, ସମ୍ଭ୍ରମ ଓ ମୌଳିକ ସଂସ୍କୃତି ରହିଛି। ଆମ ପରମ୍ପରା ଓ ରୀତିନୀତି ଏହି ସଂସ୍କୃତିର ନିୟମ ଓ ଶୃଙ୍ଖଳାରେ ବନ୍ଧା। ଶ୍ରୀଜଗନ୍ନାଥ-ମହାଲକ୍ଷ୍ମୀଙ୍କ ମାନବୀୟ ଲୀଳାରେ ଆମ ଉତ୍କଳୀୟ ସଂସ୍କୃତି ଆହୁରି ରୁଚିଶୀଳ ଓ ମଧୁସିକ୍ତ ହୋଇଛି। କିନ୍ତୁ ଆମର ଏହି ମହାନ୍‌‌ ମୌଳିକ ପରମ୍ପରାରେ ଏବେ କେତେକ ବିଦେଶୀ ପରମ୍ପରା ଓ ଧର୍ମଧାରଣାର ପ୍ରକ୍ଷେପ ଘଟିଥିବା ଦେଖାଯାଉଛି। ଏହାଦ୍ୱାରା ଆମ ସଂସ୍କୃତିର ମୌଳିକତା କେତେ କ୍ଷୁର୍ଣ୍ଣ ହେଉଛି ସେହି ପ୍ରଶ୍ନ ଅପେକ୍ଷା ଗୋଟିଏ ମହାନ ସଂସ୍କୃତି ‘ଅପସଂସ୍କୃତି’ ଭାବରେ ତେଜ୍ୟ ହେବା କେତେ ଗ୍ରହଣୀୟ ତାହା ବଡ଼ ପ୍ରଶ୍ନ ଭାବେ ଆନ୍ଦୋଳିତ କରୁଛି।

ଆମ ପରମ୍ପରାରେ ବର୍ଷକ ମଧ୍ୟରେ ଦୁଇଟି ଦୁର୍ଗାପୂଜା ପାଳିତ ହୁଏ। ଗୋଟିଏ ଶାରଦୀୟ ଦୁର୍ଗାପୂଜା ଓ ଅନ୍ୟଟି ବାସନ୍ତୀ ଦୁର୍ଗାପୂଜା। ଶାରଦୀୟ ଦୁର୍ଗାପୂଜା ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଦିନାତ୍ମକ ପୂଜା ସମ୍ପନ୍ନ ହୁଏ। ଦଶହରାରେ ଏହାର ପରିସମାପ୍ତି ଘଟେ। ଏହି ଅବସରରେ ବିଭିନ୍ନ ଦେବୀପୀଠରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ। ଶ୍ରୀମନ୍ଦିର ସମେତ ସମସ୍ତ ଶକ୍ତି ପୀଠରେ ମଧ୍ୟ ଏହି ନୀତି ଅନୁସୃତ ହୁଏ। ବାସନ୍ତୀ ଦୁର୍ଗା ପୂଜା ଚୈତ୍ର ଶୁକ୍ଳ ପ୍ରତିପଦାରେ ଆରମ୍ଭ ହୋଇ ନବମୀରେ ଶେଷ ହୁଏ। ଏହି ପରିପ୍ରେକ୍ଷୀରେ ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇ ଉଠେ। ଆଜିକାଲି କିନ୍ତୁ ଶାରଦୀୟ ଦୁର୍ଗୋତ୍ସବ ସମୟରେ ନାନା ସ୍ଥାନରେ ମୃଣ୍ମୟୀ ଦୁର୍ଗାମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରାଯାଉଛି। ସହରାଞ୍ଚଳରେ ଦୁର୍ଗାପୂଜା ମଣ୍ଡପରେ ଅନେକ ସ୍ଥାନରେ ଦୁର୍ଗାମେଢ଼ ଓ ବହୁବିଧ ସାଜସଜ୍ଜା କରାଯାଉଛି। ଆଶ୍ୱିନ ଶୁକ୍ଳ ଷଷ୍ଠୀଠାରୁ ଦଶହରା ପର୍ଯ୍ୟନ୍ତ ରଙ୍ଗବେରଙ୍ଗର ଆଲୋକମାଳାରେ ସହର ଝଲସି ଉଠୁଛି। ଅନେକ ମଣ୍ଡପରେ ଚାନ୍ଦି ମେଢ଼ ଓ ସୁନା ମେଢ଼ ମଧ୍ୟର ପ୍ରତିଯୋଗିତା ଆରମ୍ଭ ହୋଇସାରିଛି। ରାବଣ ପୋଡ଼ି ସହିତ ଆତସବାଜି ଓ ବିସର୍ଜନର ରୋଷଣୀରେ ମଧ୍ୟ ପ୍ରତିଯୋଗିତା ଚାଲିଛି। ବାସ୍ତବରେ ଏହା ଆମ ଉତ୍କଳୀୟ ସଂସ୍କୃତି ବା ପରମ୍ପରା ନୁହେଁ। ମୃଣ୍ମୟୀ ମୂର୍ତ୍ତି କରି ପୂଜାପରେ ବିସର୍ଜନ ଦେବାର ବ୍ୟବସ୍ଥା ବଙ୍ଗୀୟ ପରମ୍ପରା। ବଙ୍ଗାଳୀମାନେ ଇଂରେଜମାନଙ୍କର ସୂର୍ଯ୍ୟାସ୍ତ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ଜମିବାଡ଼ି କିଣି ଏଠାକୁ ଆସିଛନ୍ତି। ଅନେକେ ଶ୍ରୀଚୈତନ୍ୟଙ୍କ ସହିତ ଆସି ଓଡ଼ିଶାରେ ରହିଯାଇଛନ୍ତି। ଏଠାକୁ ଆସି ବସବାସ କରିବା ପରେ ଓଡ଼ିଶାର ଧର୍ମଧାରଣାରେ ବଙ୍ଗୀୟ ପରମ୍ପରାର ପ୍ରକ୍ଷେପ ସୃଷ୍ଟି ହୋଇଛି। ଏହି ଧାରା ବେଶି ପୁରୁଣା ନୁହେଁ। ବ୍ରିିଟିଶ୍‌‌ ଶାସନ କାଳରେ ବଙ୍ଗଳା ବାଟଦେଇ କଟକୁ ଆସିବା ପରେ ସାରା ଓଡ଼ିଶାକୁ ବ୍ୟାପିଛି। ଏହିକ୍ରମରେ କାଳୀପୂଜା, ଗଜଲକ୍ଷ୍ମୀ ପୂଜା, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, କାର୍ତ୍ତିକେଶ୍ୱର ପୂଜା ଆଦିରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଓ ବିସର୍ଜନ ରୀତି ଓଡ଼ିଶାରେ ପାଳିତ ହୋଇ ଆସୁଛି। ଏହା ଏବେ ଆମ ସଂସ୍କୃତିରେ ପ୍ରାୟ ମିଶିଗଲାଣି। ଆଗେ ଗଣେଶ ପୂଜା କେବଳ ବିଦ୍ୟାଳୟମାନଙ୍କରେ ପାଳିତ ହେଉଥିଲା। ଏବେ ତାହା ସର୍ବତ୍ର ପାଳନ କରାଗଲାଣି।

ଅତୀତରେ ଆମ ସମାଜ ଓ ପରମ୍ପରାରେ ‘ବୋଲ୍‌‌ ବମ୍‌‌’ ବା ‘କାଉଡ଼ିବାଲା’ ଶୁଣା ନଥିଲା। ବିଗତ ଅଳ୍ପ କେତେ ବର୍ଷ ହେଲା ଏହା ଆମ ଓଡ଼ିଶାରେ ପ୍ରବେଶ କରି ବେଶ୍‌‌ ପ୍ରସାର ଲାଭ କରିଛି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ‘କାଉଡ଼ିବାଲା’ ସାଜି ଅନେକ ଓଡ଼ିଆ ଯୁବକ ବାହୁଙ୍ଗୀରେ ନଦୀର ବର୍ଷାଜଳ ଲୋଟାରେ ଭାର କରି ବିଭିନ୍ନ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗରେ ଢାଳୁଛନ୍ତି। ଏହା ରାଜସ୍ଥାନୀ ପରମ୍ପରା। ରାଜସ୍ଥାନରେ କମ୍‌‌ ବର୍ଷା ହୁଏ। ତେଣୁ ସେମାନେ ଶ୍ରାବଣ ମାସର ପ୍ରଥମ ବର୍ଷାଜଳକୁ ନଦୀରୁ ସଂଗ୍ରହ କରି ଶିବ ଲିଙ୍ଗଙ୍କୁ ଅର୍ପଣ କରନ୍ତି। କାଳକ୍ରମେ ଏହା ରାଜସ୍ଥାନରୁ ମହାରାଷ୍ଟ୍ର ବାଟ ଦେଇ ଓଡ଼ିଶାକୁ ଆସିଛି। ମାରୱାଡ଼ିମାନେ ବ୍ୟବସାୟ କରିବାକୁ ଆସି ଓଡ଼ିଶାରେ ବସବାସ କଲେ। ତଥ୍ୟାଭିଜ୍ଞ ମହଲର କହିବା ଅନୁସାରେ ସେମାନେ ପ୍ରଥମେ ଲୋକଙ୍କୁ ଅର୍ଥ ବା ପାରିଶ୍ରମିକ ଦେଇ ଏ କାର୍ଯ୍ୟ କରାଇଲେ। ଅଳ୍ପ କେତେଜଣ ବ୍ୟକ୍ତି ଜଳଭାର ନେଇ ଶିବ ମନ୍ଦିରକୁ ଗଲେ। ମାରୱାଡ଼ିମାନେ ମନ୍ଦିର ପାଖରେ ରହି ତାଙ୍କର ବିଧିବିଧାନ ପୂଜକଙ୍କୁ କହି କରାଇ ନେଲେ। ଏହାଦ୍ୱାରା ପୂଜକଙ୍କ ମଧ୍ୟ ବେଶ୍‌‌ ଦି ପଇସା ରୋଜଗାର ହେଲା। ଜଳଭାର ବୋହି ବୋହି ନେଇଥିବା ବ୍ୟକ୍ତି ମଧ୍ୟ କିଛି ଅର୍ଥ ଉପାର୍ଜନ କଲା। ପରବର୍ତ୍ତୀ କାଳରେ ସେମାନଙ୍କୁ ଦେଖି ଆମ ଓଡ଼ିଆ ଯୁବକମାନେ ମଧ୍ୟ ସ୍ୱତଃପ୍ରବୃତ୍ତ ହୋଇ ବାହାରିଲେ। ଦେଖାଦେଖି ହୋଇ ଏହା ଓଡ଼ିଶାରେ ଏକ ପରମ୍ପରା ହୋଇଗଲା। ଏବେ ଦେଖାଯାଉଛି କିଛି ଯୁବତୀ ଏବଂ ମଧ୍ୟ ବୟସ୍କା ମହିଳା ମଧ୍ୟ ଏଥିରେ ସାମିଲ ହେଉଛନ୍ତି। ଈପ୍‌‌ସିତ ଫଳପ୍ରାପ୍ତି ଓ ମାନସିକ ପୂରଣ ପାଇଁ ସେମାନେ କଷ୍ଟ ସ୍ୱୀକାର କରି ଦୀର୍ଘ ପଥ ଚାଲିଚାଲି ଶିବ ମନ୍ଦିରରେ ଜଳାଭିଷେକ କରୁଥିବା କଥା କହୁଛନ୍ତି।

‘ବୋଲ୍‌‌ବମ୍‌‌’ ପରମ୍ପରା ପାଇଁ ଶ୍ରାବଣ ମାସର ପ୍ରତି ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ। ଏପରିକି ବେଳେ ବେଳେ ଦୁର୍ଘଟଣା ଘଟି ଜୀବନହାନିର।ବର ମଧ୍ୟ ଆସେ। ଅନେକ ସ୍ଥାନରେ କାଉଡ଼ିବାଲାଙ୍କ ଦ୍ୱାରା ଗଞ୍ଜେଇ ଆଦି ମାଦକ ଦ୍ରବ୍ୟର ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୁଏ। କାଉଡ଼ିବାଲାଙ୍କୁ ପୁଲିସ୍‌‌ ବାଟରେ ଅଟକ ରଖେ, କେତେକ ସ୍ଥଳେ ଗିରଫ ମଧ୍ୟ କରେ। ଏହାଫଳରେ କିନ୍ତୁ ପବିତ୍ର ଓ ନିର୍ମଳ ଧର୍ମୀୟ ଭକ୍ତି ଭାବନାରେ ଜଳଭାର ନେଇ ଯାଉଥିବା ଅନ୍ୟ ଭକ୍ତମାନେ ପ୍ରଭାବିତ ହୁଅନ୍ତି। ରାସ୍ତାରେ ଭାର ଧରି ଗଲାବେଳେ କେତେକ ସ୍ଥାନରେ ଅଶ୍ଳୀଳତା ପ୍ରବେଶ କରିଥିବା ଦେଖାଯାଉଛି। ଏହାଦ୍ୱାରା ଦେବାଦେବୀଙ୍କୁ ଅପମାନିତ କରାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନେକ ସ୍ଥାନରୁ ଅସଂଯତ ଅବସ୍ଥାରେ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ କେତେକ ସ୍ଥାନରେ ବାହା ହୋଇ ଫେରାର ହୋଇଯାଉଥିବା।ବର ପ୍ରକାଶ ପାଉଛି। ଏହା ଆମ ପବିତ୍ର ସଂସ୍କୃତିରେ ଘୋର କୁଠାରଘାତ ନୁହେଁ କି? ଏଭଳି ଅନେକ ଅପସଂସ୍କୃତି ଆମ ମହାନ ସଂସ୍କୃତି ଓ ପରମ୍ପରାରେ ପଶିଯାଇ ପ୍ରାଚୀନ ସଂସ୍କୃତିକୁ କଳୁଷିତ ଓ ବିକଳାଙ୍ଗ କରିଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଉଦେ୍‌‌ବେଗ ପ୍ରକାଶ ପାଉଛି।

ସେହିପରି ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀହନୁମାନଙ୍କ ଜୟନ୍ତୀକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଉକ୍ତ ଦିନକୁ ‘ପଣା ସଂକ୍ରାନ୍ତି’ ବୋଲି ମଧ୍ୟ କୁହାଯାଏ। ସେହିଦିନ ଭଗବାନ ସୂର୍ଯ୍ୟ ବିଷୁବ ରେଖା ଉପରେ ରହନ୍ତି। ସେହିଦିନଠାରୁ ସୌରବର୍ଷ ଆରମ୍ଭ ହୁଏ। ମେଷମାସ (ବୈଶାଖ) ସୌର ବର୍ଷର ପ୍ରଥମ ମାସ ଅଟେ। ଶ୍ରୀମହାବୀର ହନୁମାନଙ୍କ ପୀଠ ଉତ୍ସବମୁଖର ହୋଇ ଉଠେ। ସର୍ବତ୍ର ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ଓ ଅନ୍ନ ଯଜ୍ଞମାନ ଅନୁଷ୍ଠିତ ହୁଏ। ସେହିଦିନ ସମସ୍ତେ ପ୍ରାୟ ନିରାମିଷ ଭୋଜନ କରନ୍ତି। ସେହିପରି ଭାଦ୍ରବ ଶୁକ୍ଳ ଏକାଦଶୀ ବାମନ ଜନ୍ମ ଓ ସୁନିଆଁ ପାଳନ କରାଯାଏ। ସୁନିଆଁ ଆମର ରାଜକୀୟ ନବବର୍ଷ। ଉକ୍ତଦିନ ଗଜପତି ମହାରାଜା ଅଭିଷେକ ହୁଅନ୍ତି ଓ ତାଙ୍କର ନୂତନ ଅଙ୍କ ପ୍ରଚଳନ ହୁଏ। ସୁନିଆଁଠାରୁ ଆମର ସଲ ବା ଅଙ୍କ ଗଣନା କରାଯାଏ। ଅନ୍ୟାନ୍ୟ ରାଜା ଓ ଜମିଦାରମାନେ ଏହି ନୀତିକୁ ଅନୁସରଣ କରନ୍ତି। ଗଜପତି ସେଦିନ କନକ ଭେଟି ପାଆନ୍ତି ଏବଂ ଶ୍ରୀନଅରରେ ଉତ୍ସବ ହୁଏ। ପୁନଶ୍ଚ ଚୈତ୍ର ଶୁକ୍ଳ ପ୍ରତିପଦାକୁ ହିନ୍ଦୁ ନବବର୍ଷ ଭାବରେ ପାଳନ କରାଯାଏ। କିନ୍ତୁ ଆଜିକାଲି ଖ୍ରୀଷ୍ଟିଆନ ନବବର୍ଷ ଜାନୁଆରୀ ପହିଲାକୁ ସମସ୍ତେ ନୂଆବର୍ଷ ଭାବରେ ଧୂମ୍‌‌ଧାମ୍‌‌ରେ ପାଳନ କରୁଛନ୍ତି। ନାଚ, ଗୀତ ଓ ମଦ ମାଂସରେ ସମସ୍ତେ ମାତୁଛନ୍ତି। କିନ୍ତୁ ଆମର ନବବର୍ଷ ପ୍ରତି ପ୍ରାୟତଃ ଦୃଷ୍ଟି ପଡୁନାହିଁ। ଆମର ସାଲ, ସମ୍ବତ, ଶକାବ୍ଦ, ଯୁଗାବ୍ଦ ପ୍ରଭୃତି ଥିଲେ ମଧ୍ୟ ଆମେ ସେହି ଖ୍ରୀଷ୍ଟାବ୍ଦ ପଛରେ ହିଁ ଧାଇଁଛୁ। ଇଂରେଜମାନେ ଆମକୁ ଏପରି କରି ଦେଇଛନ୍ତି ଯେ ମସିହା ଛଡ଼ା ଆମେ କିଛି ଜାଣିପାରୁ ନାହୁଁ।

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀକୁ ଏବେ ‘ଧନତେରାଶ’ କୁହାଯାଉଛି। ଏ ଶବ୍ଦଟି ପୂର୍ବରୁ ଓଡ଼ିଶା ମାଟିରେ ନଥିଲା, ଆମ ପାଇଁ ସମ୍ପୂର୍ଣ୍ଣ ନୂଆ। କୌଣସି ପୁରାଣ ବା ଅଭିଧାନରେ ଏ ଶବ୍ଦଟି ନାହିଁ। ଉକ୍ତଦିନ ସୁନା, ରୁପା ବା କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଘରକୁ ନେଲେ ମା’ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଓ ଘର ଧନଧାନ୍ୟରେ ପୂରି ଉଠେ ବୋଲି କୁହାଯାଉଛି। ଅତିନିକୃଷ୍ଟ କ୍ଷେତ୍ରରେ ଛାଞ୍ଚୁଣି ମୁଠାଏ କିଣି କରି ନେଲେ ମଧ୍ୟ ଆର୍ଥିକ ସୁଗମ ହେବ ବୋଲି ଧାରଣା ସୃଷ୍ଟି କରାଯାଉଛି। ବ୍ୟବସାୟୀମାନେ ଚତୁରତାର ସହିତ ଏହି କୌଶଳଟି ପ୍ରୟୋଗ କରିଛନ୍ତି। ମହିଳାମାନେ ବର୍ଷଯାକ ଅର୍ଥ ସଞ୍ଚୟ କରି ଉକ୍ତ ଦିନ ସୁନାରୁପା କିଣନ୍ତି। ସ୍ୱାମୀମାନଙ୍କ ଉପରେ ମଧ୍ୟ ଚାପ ପ୍ରୟୋଗ କରନ୍ତି। ଚଳିତ ବର୍ଷ ସୁନା ଦର ଏତେ ବୃଦ୍ଧି ସତ୍ତ୍ବେ ଦେଶରେ ଓ ଆମ ରାଜ୍ୟରେ ବହୁ ପରିମାଣରେ ସ୍ୱର୍ଣ୍ଣାଳଙ୍କାର ବିକ୍ରୟ ହୋଇଛି। ବେପାରୀମାନଙ୍କର ଏହି ଅଭିନବ ପ୍ରୟାସ ମଧ୍ୟ କେତେକାଂଶରେ ସଫଳ ହୋଇଛି। ଏହା କେବେ ବି ଆମ ସଂସ୍କୃତିର ଅଂଶ ନୁହେଁ।

ଆମ ରାଜ୍ୟରେ ବିବାହ, ବ୍ରତ ପ୍ରଭୃତି ମାଙ୍ଗଳିକ ଉତ୍ସବାନୁଷ୍ଠାନମାନଙ୍କରେ ପ୍ରୀତିଭୋଜନ ଆୟୋଜିତ ହୁଏ। ଅତିଥିମାନେ ଦୁଇ ଧାଡ଼ିରେ ବସିଯା’ନ୍ତି। ପତ୍ର, ପାଣି, ଲୁଣ ପ୍ରଭୃତି ଲାଗିଯାଏ। ତା’ପରେ କ୍ରମାନ୍ୱୟରେ ଅନ୍ନ, ଡାଲି, ତରକାରୀ ପ୍ରଭୃତି ପରିବେଷଣକାରୀମାନେ ବାଢ଼ି ଦିଅନ୍ତି। ସମସ୍ତଙ୍କ ପତ୍ରରେ ବଢ଼଼ା ଯିବା ପରେ କୁହାଯାଏ- ‘ଆଜ୍ଞା ହାତ ଚଳାନ୍ତୁ।’ ଖାଇବା ଆରମ୍ଭ ହୁଏ। ଶେଷରେ ସମସ୍ତେ ଉଠିଯିବା ପରେ ପତ୍ର ସବୁ ସଫା କରି ଦିଆଯାଏ। ଏହା ଥିଲା ଆମର ସାଂସ୍କୃତିକ ପରମ୍ପରା। ଏବେ ସେ ସବୁ ନାହିଁ। ଆଜିକାଲି ଅଭ୍ୟର୍ଥନା (ରିସେପସନ୍‌‌) ହେଉଛି। ଅତିଥିମାନେ ଅଭ୍ୟର୍ଥନା କକ୍ଷ ବା ମଣ୍ଡପରେ ପହଞ୍ଚି ଖଣ୍ଡିଏ ଲଫାଫା ବରକନ୍ୟାଙ୍କୁ ଦେଇ ସାରିବା ପରେ ‘ବଫେ’ ପାଖକୁ ଆସନ୍ତି। ସ୍ୱହସ୍ତରେ ପତ୍ର ଖଣ୍ଡେ ଧରି, କ୍ୟାଟରିଂ ବୟ ପାଖକୁ ଯା’ନ୍ତି। ଥାଳ ଧରି ଭାତ ଡାଲି ମାଗନ୍ତି ଓ ଠିଆ ଠିଆ ଖାଆନ୍ତି। ବସି ଖାଇବାରେ କେତେ ଆତ୍ମସନ୍ତୋଷ ମିଳେ ଖାଇବା ଲୋକ ହିଁ ଜାଣିଥିବେ। ସ୍ଥାନେ ସ୍ଥାନେ ନିମନ୍ତ୍ରଣପତ୍ରଟି ସାଙ୍ଗରେ ନେବାକୁ ନିର୍ଦ୍ଦେଶ ଥାଏ। ନ ହେଲେ ଅଭ୍ୟର୍ଥନା କକ୍ଷକୁ ଜଗୁଆଳୀ ଛାଡ଼ିବ ନାହିଁ। ବେଳେ ବେଳେ ମଧ୍ୟ ସେହିଠାରୁ ଫେରି ଆସିବାକୁ ହୋଇଥାଏ। ଆମ ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରା ଅନୁସାରେ ନବବଧୂର ମୁଖ ବାହାର ଲୋକ ଦେଖିବେ ନାହିଁ। ହାତେ ଓଢ଼ଣା ଟାଣି ନବବଧୂ ଘରର ଐଶାନ୍ୟ କୋଣରେ ବସେ। ଏବେ କିନ୍ତୁ ବରକନ୍ୟା ଖୋଲା ମଣ୍ଡପରେ ଦୋଳିରେ ଝୁଲୁଥିବେ। ଭିଡିଓ ସୁଟିଙ୍ଗ ଚାଲିଥିବ। ରଙ୍ଗ ବେରଙ୍ଗର ଆଲୋକସଜ୍ଜାରେ ଝଲସି ଉଠୁଥିବ ସେହି ଅଭ୍ୟର୍ଥନା କକ୍ଷର ରଙ୍ଗମହଲ। ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟଗୀତର ଅପୂର୍ବ ସମାବେଶ ମଧ୍ୟରେ ସମସ୍ତେ ଉପଭୋଗ କରୁଥିବେ ସେହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ତା’ରି ଭିତରେ ବୁଲି ବୁଲି ଆପଣ ଘରକୁ ଫେରିବେ। ଆପଣ ଖାଇଲେ କି ନଖାଇଲେ କେହି ପଚାରିବେ ନାହିଁ।

ଏବେ ଯେଉଁ ଏହି ନୂଆ ପରମ୍ପରା ଓ ଧାରା ଆରମ୍ଭ ହୋଇଛି ତାହା ତ ଯୁଗୋପଯୋଗୀ ଧାରା ନିଶ୍ଚୟ। ଏହି ଧାରାକୁ ସ୍ୱୀକାର ନ କଲେ ସମାଜରେ, ସାହି ପଡ଼ିଶାରେ ବନ୍ଧୁ, ସାଙ୍ଗ ମେଳରେ ପଛରେ ପଡ଼ିଯିବାର ଭୟ ରହିଛି। ବିଡ଼ମ୍ବନା ଏହା ଯେ ଦେଖାଦେଖି ସମସ୍ତେ ଏହି ପାଶ୍ଚାତ୍ୟ ସଂସ୍କୃତି ମୁହାଁ ହେବାରେ ଲାଗିଛନ୍ତି ଏବଂ ଏହି ଧାରାକୁ ଗ୍ରହଣ କରୁ ନ ଥିବା ବ୍ୟକ୍ତି ଅପସଂସ୍କୃତି ବା ‘ଟ୍ରେଣ୍ଡ’ ବିରୋଧୀର ଅପବାଦ ମୁଣ୍ଡାଉଛି। ଓଡ଼ିଆ ଜନଜୀବନରେ ବହୁକାଳରୁ ପ୍ରଚଳିତ ସଂସ୍କୃତି ଓ ପରମ୍ପରା ଏବେ ଅପସଂସ୍କୃତି ଓ ପୁରୁଣାକାଳିଆର ଅପଖ୍ୟାତି ଅର୍ଜନ କରି ଦୂରେଇ ଦିଆଯାଉଛି, ଏହା ହିଁ ସବୁଠାରୁ ପରିତାପର ବିଷୟ। ସଂସ୍କୃତି ସବୁବେଳେ ମହାନ ମୌଳିକତାର ବାର୍ତ୍ତାବହ। ଏହାକେବେ କୁତ୍ସିତ ବା ‘କୁ’ ବା ‘ଅପ’ ହୋଇ ନ ପାରେ। କିନ୍ତୁ ସଂସ୍କୃତିର ଦୁର୍ବଳତା ହେଲା ଏହା ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିବେଶରେ ବନ୍ଧା। ଗୋଟିଏ ଦେଶର, ଜାତିର ଓ ଅଞ୍ଚଳର ସଂସ୍କୃତି ଅନ୍ୟ ପାଇଁ ଅପସଂସ୍କୃତି। ତେଣୁ ଏହି ଆଧାରରେ ଆମେ ଏବେ ବିଚାର କରିବାର ସମୟ ଆସିଛି ମହାନ ଉତ୍କଳୀୟ ସଂସ୍କୃତିର ବିକଳ୍ପ କ’ଣ ପାଶ୍ଚାତ୍ୟ ସଂସ୍କୃତି? ସୁଧୀ ଜନମାନେ ବିଚାର କରନ୍ତୁ। ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଆମ ସମ୍ପନ୍ନ ଜାତିର ମହାନ ସଂସ୍କୃତି ଏବେ ଅପସଂସ୍କୃତିର ଅପବାଦ ବହନ କରିଚାଲିଛି ଏବଂ ଆମର ମୌଳିକତାକୁ ଧୀରେ ଧୀରେ କ୍ଷୁର୍ଣ୍ଣ କରିଚାଲିଛି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ!

ଡ. ଅଭିମନ୍ୟୁ ବରାଳ
ସାକ୍ଷୀଗୋପାଳ, ମୋ: ୯୯୩୭୮୩୫୨୩୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର