ନୂତନ ଓଡ଼ିଆ ଶବ୍ଦ ନିର୍ମାଣର ଆବଶ୍ୟକତା
ଏହା ସର୍ବସ୍ୱୀକୃତ ଯେ ଗତ ଦୁଇ ତିନି ଶତାବ୍ଦୀ ଧରି ମାନବ ଚିନ୍ତା ଚେତନାର ପରିସର କ୍ରମାଗତ ଭାବରେ ପ୍ରସାରିତ ହୋଇଚାଲିଛି। ବିଂଶ ଶତାବ୍ଦୀ ଥିଲା ଅଭୂତପୂର୍ବ ଜ୍ଞାନବିସ୍ଫୋରଣର ସମୟ ଓ ବର୍ତ୍ତମାନର ଏଇ ଏକବିଂଶ ଶତାବ୍ଦୀର ଜଗତୀକରଣ ଯୁଗରେ ଆମର ଚିନ୍ତା ଚେତନା, ଜ୍ଞାନଧାରଣା ସବୁ ଅକଳ୍ପନୀୟ ଭାବରେ ବହୁବର୍ଣ୍ଣ ବିଶିଷ୍ଟ, ବହୁ ଆୟାମବିଶିଷ୍ଟ ହେବାରେ ଲାଗିଛି। କେବଳ ଯେ ବିଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଜ୍ଞାନଧାରଣାର କ୍ରମପ୍ରସାରଣ ଘଟି ଚାଲିଛି, ତା’ ନୁହେଁ। […]
ଏହା ସର୍ବସ୍ୱୀକୃତ ଯେ ଗତ ଦୁଇ ତିନି ଶତାବ୍ଦୀ ଧରି ମାନବ ଚିନ୍ତା ଚେତନାର ପରିସର କ୍ରମାଗତ ଭାବରେ ପ୍ରସାରିତ ହୋଇଚାଲିଛି। ବିଂଶ ଶତାବ୍ଦୀ ଥିଲା ଅଭୂତପୂର୍ବ ଜ୍ଞାନବିସ୍ଫୋରଣର ସମୟ ଓ ବର୍ତ୍ତମାନର ଏଇ ଏକବିଂଶ ଶତାବ୍ଦୀର ଜଗତୀକରଣ ଯୁଗରେ ଆମର ଚିନ୍ତା ଚେତନା, ଜ୍ଞାନଧାରଣା ସବୁ ଅକଳ୍ପନୀୟ ଭାବରେ ବହୁବର୍ଣ୍ଣ ବିଶିଷ୍ଟ, ବହୁ ଆୟାମବିଶିଷ୍ଟ ହେବାରେ ଲାଗିଛି। କେବଳ ଯେ ବିଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ଜ୍ଞାନଧାରଣାର କ୍ରମପ୍ରସାରଣ ଘଟି ଚାଲିଛି, ତା’ ନୁହେଁ। ମାନବିକୀ ଜ୍ଞାନ ବା ବିଷୟ (ହ୍ୟୁମାନିଟିଜ୍) ଗୁଡ଼ିକର ପରିସର ମଧ୍ୟ ବିଜ୍ଞାନ ତଥା ବୈଜ୍ଞାନିକ ଜ୍ଞାନରାଜି ସହିତ ସମତାଳରେ, ଏପରିକି ସମୟେ ସମୟେ ଅପେକ୍ଷାକୃତ ଅଧିକ ବ୍ୟାପକ ଭାବରେ ପ୍ରସାରିତ ହୋଇ ଚାଲିଛି। କଳା, ସାହିତ୍ୟ, ଇତିହାସ, ମନସ୍ତତ୍ତ୍ୱ, ସମାଜବିଜ୍ଞାନ, ଦର୍ଶନ, ନୃତତ୍ତ୍ୱ ଆଦି ଜ୍ଞାନକ୍ଷେତ୍ରରେ ଘଟି ଚାଲିଥିବା ବୌଦ୍ଧିକ ବିଚାର, ବିଶ୍ଳେଷଣ ଓ ଅନୁଶୀଳନ ଯୋଗୁଁ ଅତି ସୂକ୍ଷ୍ମ, ଅତି ଜଟିଳ ଭାବଭାବନା, ଅଭିନବ ତତ୍ତ୍ୱଦର୍ଶନମାନ ଉପସ୍ଥାପିତ ହୋଇ ଚାଲିଛି। ତେଣୁ ସ୍ୱାଭାବିକ ଭାବେ ଏଇ କ୍ରମସ୍ଫୀତ, କ୍ରମ ପ୍ରସାରିତ ଜ୍ଞାନରାଜିକୁ ପ୍ରକାଶ କରିବା ପାଇଁ ଆଜି ପୃଥିବୀର ପ୍ରତ୍ୟେକ ପ୍ରତିଷ୍ଠିତ ଭାଷା ଆପଣାର ଭାଷାଭଣ୍ଡାରକୁ ବ୍ୟାପକ ଓ ଶକ୍ତିଶାଳୀ କରି ଚାଲିଛି। ଆମକୁ ହିଁ ତଦନୁରୂପ ଆମ ଭାଷାକୁ ବ୍ୟାପକ ଭାବପ୍ରକାଶକ୍ଷମ, ବ୍ୟାପକ ଭାବସଞ୍ଚାରୀ କରିବାକୁ ହେବ, ଯଦ୍ୱାରା ଏହା ଏକ ଜ୍ଞାନ ଭାଷାର ପ୍ରତିଷ୍ଠା ପାଇବାରେ ସକ୍ଷମ ହେବ। ସ୍ପଷ୍ଟଭାବରେ ଏହା ଜଣା ପଡ଼ିଲାଣି ଯେ ଯେଉଁ ଭାଷା ସହଜରେ, ସ୍ୱଚ୍ଛନ୍ଦରେ ଅନ୍ୟ ସମୃଦ୍ଧ ଭାଷାର ଶବ୍ଦଗୁଡ଼ିକୁ ଭାଷାନ୍ତର କରିଥାଏ ଓ ସେହି ଅଭିନବ ଭାଷାନ୍ତରିତ ଶବ୍ଦଗୁଡ଼ିକୁ ସାଧାରଣ ଲୋକଙ୍କର ସହଜ ଗ୍ରହଣକ୍ଷମ କରି ପାରିଥାଏ, ସେହି ଭାଷା ହିଁ ଶକ୍ତିଶାଳୀ ହୋଇଥାଏ। ଆମେ ଯଦି ଆମ ଓଡ଼ିଆ ଭାଷାକୁ ପ୍ରକୃତ ଅର୍ଥରେ ଆଧୁନିକ ଜ୍ଞାନ ବିଜ୍ଞାନର, ଆଧୁନିକ ବିଚାରଧାରାର ମାଧ୍ୟମ ଭାବରେ ସୁପ୍ରତିଷ୍ଠା ଦେବାକୁ ଚାହୁଁଛେ, ତେବେ ଆମକୁ ସମସ୍ତ ପ୍ରକାର ରକ୍ଷଣଶୀଳ ବୈୟାକରଣିକ ମନୋବୃତ୍ତିକୁ ପରିତ୍ୟାଗ କରିବାକୁ ହେବ ଓ ଅନ୍ୟ ଭାଷାରେ ଉପଲବ୍ଧ ଜ୍ଞାନଭଣ୍ଡାରରୁ ମହତ୍ତ୍ୱପୂର୍ଣ୍ଣ ଭାବଭାବନାକୁ ଆମ ଭାଷାରେ ପ୍ରକାଶ କରିବା ପାଇଁ ସେହି ସେହି ଭାଷାରେ ପ୍ରଚଳିତ ଥିବା ଜଟିଳ ତଥା ସୂକ୍ଷ୍ମ ଭାବଗୁମ୍ଫିତ ଶବ୍ଦଗୁଡ଼ିକର ଓଡ଼ିଆ ଭାଷାନ୍ତର, ଅନୁବାଦ ଓ ସ୍ଥଳବିଶେଷରେ ମର୍ମାନୁବାଦ ବା ଭାବାନୁବାଦ କରିବାକୁ ହେବ। ଖାଲି ସେତିକିରେ ସନ୍ତୁଷ୍ଟ ନରହି ଆମକୁ ଯଥାଶୀଘ୍ର ସେହି ସେହି ନୂତନ, ଅଭିନବ ଶବ୍ଦାବଳୀ କିପରି ଆମର ଶିକ୍ଷିତ ବର୍ଗଙ୍କର ସହଜ ବୋଧଗମ୍ୟ ହୋଇପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ। ଆମର ଶବ୍ଦକୋଷ, ଅଭିଧାନମାନଙ୍କରେ ସେଗୁଡ଼ିକୁ ସ୍ଥାନିତ କରିବାକୁ ହେବ। ଏଇଠି ଗୋଟିଏ କଥା, ତାହା ଯେତେ ଅପ୍ରିୟ ହେଲେ ମଧ୍ୟ ସ୍ପଷ୍ଟ ଭାବେ ସ୍ମରଣ ରଖିବାକୁ ହେବ ଯେ ଆମର ଶିକ୍ଷିତ ବର୍ଗଙ୍କ ମଧ୍ୟରୁ ପ୍ରାୟ ଅଶୀ/ନବେ ପ୍ରତିଶତ ଇଂରାଜୀ ଭାଷା ସହ ପରିଚିତ। ବୃହତ୍ଭାଗ ଏଇ ବିଦେଶୀ ଭାଷାରେ ପ୍ରକାଶିତ ପୁସ୍ତକମାନ ପଢ଼଼ିବାରେ ରୁଚି ରଖିଥା’ନ୍ତି ଏବଂ ଅନେକ ସମୟରେ ସେଇ ଇଂରାଜୀ ଭାଷାରେ ଆପଣା ଆପଣାର ଚିନ୍ତନ ପ୍ରକ୍ରିୟା ସମ୍ପାଦନ କରିଥା’ନ୍ତି। ଆମର ସୌଭାଗ୍ୟକୁ ଆଜି ଏଇ ଇଂରାଜୀ ଭାଷା ହିଁ ଭାବ ଆଦାନ ପ୍ରଦାନର, ଚିନ୍ତାଧାରଣା ପ୍ରସାରଣର ସର୍ବଶ୍ରେଷ୍ଠ ମାଧ୍ୟମ ଭାବରେ ପ୍ରତିଷ୍ଠିତ ହୋଇପାରିଛି। ସେଥିପାଇଁ ଆମକୁ, ବିଶେଷକରି ଆମ ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପାରଙ୍ଗମତା ଥିବା ଶିକ୍ଷିତ ବ୍ୟକ୍ତିମାନଙ୍କୁ ଉତ୍କୃଷ୍ଟ ଇଂରାଜୀ ପୁସ୍ତକର ଉପାଦେୟ ଭାବଭାବନା ସବୁକୁ ଓଡ଼ିଆ ଭାଷାରେ ସଠିକ୍ ଭାବରେ ପ୍ରକାଶ କରିବା ପାଇଁ ନୂତନ ଶବ୍ଦସବୁ ନିର୍ମାଣ କରିବାକୁ ହେବ।
ସୁଖର କଥା, ଗଲା କେଇ ବର୍ଷ ହେଲାଣି ଆମର କିଛି ଲବ୍ଧପ୍ରତିଷ୍ଠ ଲେଖକ, ଲେଖିକା ଇଂରାଜୀ ବା ଅନ୍ୟ କେଉଁ ବିଦେଶୀ ଭାଷାରେ ପ୍ରକାଶିତ ହୋଇଥିବା ଜ୍ଞାନଧାରଣା ସହିତ ଆମମାନଙ୍କୁ ପରିଚିତ କରାଇବା ପାଇଁ ପ୍ରାୟତଃ ନୂତନ ଶବ୍ଦ, ଶବ୍ଦାବଳୀ ଓଡ଼ିଆ ଭାଷାରେ ନିର୍ମାଣ କରିଛନ୍ତି। ଆମର ସାହିତ୍ୟ ସମାଲୋଚକମାନେ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ସମ୍ପର୍କିତ ବହୁ ପ୍ରସିଦ୍ଧ ଇଂରାଜୀ ପୁସ୍ତକରେ ଉପସ୍ଥାପିତ ନାନାଦି ଗୂଢ଼, ସୂକ୍ଷ୍ମ ଚିନ୍ତାଧାରାର ଓଡ଼ିଆ ଭାଷାନ୍ତର କରୁଛନ୍ତି। ଆମେ ଯେତେବେଳେ ଇଂରାଜୀ ଭାଷା ପୁସ୍ତକରେ ବ୍ୟବହୃତ ପରିଭାଷା (ଜାର୍ଗନ୍) ଗୁଡ଼ିକୁ ଆମ ଭାଷାରେ ପ୍ରକାଶ କରୁଛେ, ସେତେବେଳେ ଅତି କ୍ଳିଷ୍ଟ ଓଡ଼ିଆ ଶବ୍ଦଗୁଡ଼ିଏ ହିଁ ସୃଷ୍ଟି ହେବା ନିଶ୍ଚିତ। ସମସ୍ୟାଟି ହେଉଛି ଅନେକ ସମୟରେ ଆମେ ଗୋଟିଏ ଗୋଟିଏ ଇଂରାଜୀ ଶବ୍ଦର ଭିନ୍ନ ଭିନ୍ନ ଓଡ଼ିଆ ଭାଷାନ୍ତରିତ ରୂପ ଦେଖିବାକୁ ପାଉଛେ ଓ ସେଇଗୁଡ଼ିକ ମଧ୍ୟରୁ କେଉଁଟି ଆମମାନଙ୍କ ପାଇଁ ଗ୍ରହଣୀୟ ହେବ ବା କେଉଁଟି ମୂଳ ଇଂରାଜୀ ଶବ୍ଦଟି ପ୍ରକାଶ କରୁଥିବା ଭାବାର୍ଥକୁ ସଠିକ୍ ଭାବରେ ଧରିପାରିଛି, ସେଥିନେଇ ସଂଶୟ ସୃଷ୍ଟି ହୋଇଥାଏ। ଆହୁରି ମଧ୍ୟ ଯେହେତୁ ନୂତନ-ନିର୍ମିତ ଓଡ଼ିଆ ଶବ୍ଦଗୁଡ଼ିକରୁ ଅଧିକାଂଶ ଏପର୍ଯ୍ୟନ୍ତ ଆମ ଅଭିଧାନମାନଙ୍କରେ ସ୍ଥାନିତ ହୋଇ ନାହାନ୍ତି, ସେଥିପାଇଁ ଉଭୟ ସାଧାରଣ ଓ ଉଚ୍ଚଶିକ୍ଷିତ ପାଠକ ଏଇ ସବୁ ଓଡ଼ିଆ ଭାଷାନ୍ତରିତ ଶବ୍ଦର ପ୍ରକୃତ ଅର୍ଥ ଜାଣିବାରେ ଅସମର୍ଥ ହେଉଛନ୍ତି। ଗୋଟିଏ ଇଂରାଜୀ ଶବ୍ଦର ସର୍ବଦା କେବଳ ଗୋଟିଏ ଓଡ଼ିଆ ଭାଷାନ୍ତରିତ ରୂପ ହେବା ଆବଶ୍ୟକ, ଏହା ଅବଶ୍ୟ ନୁହେଁ। ତେବେ ଇଂରାଜୀ ବା ଅନ୍ୟ କେଉଁ ଭାଷାର ଗୋଟିଏ ଶବ୍ଦ ବା ପରିଭାଷାର ଯେଉଁ ଏକାଧିକ ଶବ୍ଦ ଆମେ ତିଆରି କରୁଛେ, ସେଗୁଡ଼ିକ କିପରି ମାନକ ଓଡ଼ିଆ ଶବ୍ଦ ଭାବେ ସାର୍ବଜନୀନ ସ୍ୱୀକୃତି ପାଇବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ହେଉଛି ଜରୁରୀ। ଆମକୁ ସମସ୍ତ ନୂତନ ନିର୍ମିତ ଓଡ଼ିଆ ଶବ୍ଦଗୁଡ଼ିକୁ ସେମାନଙ୍କ ମୂଳ ଇଂରାଜୀ ବା ଅନ୍ୟ ଭାଷାର ଶବ୍ଦ ସହ ଆମ ଅଭିଧାନରେ ସ୍ଥାନିତ କରିବାକୁ ହେବ ଓ ଆମର ଏଇ ଅଭିଧାନ ‘ନୂତନ ଓଡ଼ିଆ ଶବ୍ଦ (ଏକ ବା ଏକାଧିକ) ମୂଳ ଭାଷାର ଶବ୍ଦ = ଅନ୍ୟ ସମାର୍ଥ ଓଡ଼ିଆ ଶବ୍ଦ କିମ୍ବା ‘ମୂଳ ଭାଷାର ଶବ୍ଦ = ନୂତନ ଓଡ଼ିଆ ଶବ୍ଦ = ଅନ୍ୟ ସମାର୍ଥ ଓଡ଼ିଆ ଶବ୍ଦ’, ଏଇ କ୍ରମ ଅନୁସରଣ କରି ହେବା ଆବଶ୍ୟକ। ଯେହେତୁ ଏବେ ବହୁ ନୂତନ ଓଡ଼ିଆ ଶବ୍ଦ କ୍ରମାଗତ ଭାବରେ ନିର୍ମିତ ହୋଇ ଚାଲିଛନ୍ତି, ସେଥିପାଇଁ ଆମକୁ ପ୍ରତିବର୍ଷ ଆମ ଅଭିଧାନଗୁଡ଼ିକର ନୂତନ ସଂସ୍କରଣ କରି ଚାଲିବାକୁ ହେବ, ସେଗୁଡ଼ିକୁ ପରିବର୍ଦ୍ଧିତ କରି ଚାଲିବାକୁ ହେବ। ଯେପର୍ଯ୍ୟନ୍ତ ଆମେ ଏ ଦିଗରେ ଠିକଣା ପଦକ୍ଷେପ ନ ନେଇଛେ, ସେ ପର୍ଯ୍ୟନ୍ତ ଆମର ପାଠକମାନେ ଗୋଟିଏ ଇଂରାଜୀ ବା ଅନ୍ୟ ଭାଷାର ଭିନ୍ନ ଭିନ୍ନ ଓଡ଼ିଆ ରୂପାନ୍ତର ଯୋଗୁଁ ଘୋର ସଂଶୟରେ ପଡ଼ି ଚାଲିଥିବେ।
କହିବା ନିଷ୍କ୍ରୟୋଜନ ଯେ ଅନେକ ନୂତନ ଓଡ଼ିଆ ଶବ୍ଦ ଏବେ ଆମେ ବିଭିନ୍ନ ପୁସ୍ତକରେ, ପତ୍ରପତ୍ରିକାରେ ଦେଖିବାକୁ ପାଉଛେ। ତେଣୁ ସେ ଶବ୍ଦସବୁର ସହଜ ବୋଧଗମ୍ୟତା ନିଶ୍ଚିତ କରିବା ପାଇଁ ସେ ସବୁ ଯେଉଁ ମୂଳ ଶବ୍ଦରୁ ଭାଷାନ୍ତରିତ ହୋଇଛନ୍ତି, ସେ ସମ୍ପର୍କିତ ସବିଶେଷ ସୂଚନା ପ୍ରତ୍ୟେକ ପାଠକଙ୍କ ପାଇଁ ସୁଲଭ ହେବା ଆବଶ୍ୟକ। ଯଦି ‘ପ୍ରଭୁପାଠ’ ଶବ୍ଦଟି ‘ମାଷ୍ଟର ଟେକସ୍ଟ’ ଓ ‘ମହତ୍ତମ ବ୍ୟାଖ୍ୟାନ’ ଶବ୍ଦଟି ‘ଗ୍ରାଣ୍ଡ ନ୍ୟାରେଟିଭ’ ଏଇ ଦୁଇ ଇଂରାଜୀ ଶବ୍ଦରୁ ତିଆରି କରି ନିଜ ଲେଖାରେ ବ୍ୟବହାର କରିଥା’ନ୍ତି, ତେବେ ସେଇ ଦୁଇଟି ଆପାତତଃ ଅଭିନବ ଓଡ଼ିଆ ଶବ୍ଦ ସହ ଦୁଇଟି ଯାକ ମୂଳ ଇଂରାଜୀ ଶବ୍ଦ ତାଙ୍କ ଲେଖାରେ ଯଥାସ୍ଥାନରେ ରହିଥିବା ସମ୍ପର୍କରେ ସେ ନିଶ୍ଚିତ ହେବା ଆବଶ୍ୟକ। ଉଦାହରଣ ସ୍ୱରୂପ, ଇଂରାଜୀ ଶବ୍ଦ ‘ସଷ୍ଟେନବଲ୍’ର ଭିନ୍ନ ଭିନ୍ନ ଓଡ଼ିଆ ଭାଷାନ୍ତରିତ ରୂପ ଆମେ ଦେଖିବାକୁ ପାଉଛେ। ଏପରି ସ୍ଥଳେ ଶିକ୍ଷିତ ପାଠକ ଜଣକ ଯଦି ଏଇ ସମସ୍ତ ଶବ୍ଦର ମୂଳ ଇଂରାଜୀ ଶବ୍ଦଟି ‘ସଷ୍ଟେନ୍ବଲ’ ବୋଲି ଜାଣିପାରେ, ତେବେ ଠିକ୍ ଅର୍ଥଟି କ’ଣ ସେ ସମ୍ପର୍କରେ ସେ ନିଶ୍ଚିତ ହୋଇଥାଏ। ଏ ଲେଖକର ସ୍ପଷ୍ଟ ମତ ଯେ ଯେ ପର୍ଯ୍ୟନ୍ତ ଆମେ ଇଂରାଜୀ ଶବ୍ଦର ଓଡ଼ିଆ ଭାଷାନ୍ତରିତ ରୂପ ସହିତ ସମ୍ପୂର୍ଣ୍ଣ ପରିଚିତ ନ ହୋଇଛେ, ସେ ପର୍ଯ୍ୟନ୍ତ ଆମକୁ ବାରମ୍ବାର ମୂଳ ଇଂରାଜୀ ଶବ୍ଦ ପାଖକୁ ଫେରିବାକୁ ପଡୁଥିବ, ସେଇ ମୂଳ ଶବ୍ଦକୁ ଆମ ଅଭିଧାନରେ ଖୋଜିବାକୁ ହେଉଥିବ।
ନୂତନ ଓଡ଼ିଆ ଭାଷାନ୍ତରିତ ଶବ୍ଦଗୁଡ଼ିକ ସହିତ ସାଧାରଣ ପାଠକ, ପାଠିକାଙ୍କର ସମ୍ୟକ ପରିଚିତିକୁ ତ୍ୱରାନ୍ୱିତ କରିବା ପାଇଁ ଆମ ଲେଖକ, ଲେଖିକାମାନେ ବର୍ତ୍ତମାନର ସାମାଜିକ ଗଣମାଧ୍ୟମମାନଙ୍କର ସାହାଯ୍ୟ ନେଇପାରିବେ। ସେମାନେ ଇଂରାଜୀ କିମ୍ବା ଅନ୍ୟ କେଉଁ ଭାଷାର ଶବ୍ଦମାନଙ୍କର, ବାକ୍ୟାଂଶ ବା ବାକ୍ୟମାନଙ୍କର ଯେଉଁ ଓଡ଼ିଆ ରୂପାନ୍ତର କରୁଛନ୍ତି, ସେଇଗୁଡ଼ିକୁ ହ୍ୱାଟସ୍ଆପ୍, ଫେସବୁକ୍, ଟୁଇଟର ଇତ୍ୟାଦି ମାଧ୍ୟମରେ ପାଠକ ପାଠିକାଙ୍କୁ ଜଣାଇବାର ପ୍ରଯତ୍ନ କରିବା ଉଚିତ। ‘ସୁପ୍ରଭାତ’ ବା ‘ଶୁଭେଚ୍ଛା’ ବା ‘ଇମୋଜି’ ଗୁଡ଼ିଏ ସବୁବେଳେ ପୋଷ୍ଟ ନ କରି ଆମେ ଯଦି ଗୋଟିଏ ଗୋଟିଏ ନୂତନ-ନିର୍ମିତ ଶବ୍ଦ ପୋଷ୍ଟ କରିବା, ତାହା ଅଚିରେ ବହୁ ଲୋକଙ୍କ ଦୃଷ୍ଟିରେ ପଡ଼ିବ ଓ ସେପରି ବହୁଳ ପ୍ରସାରିତ କାରଣରୁ ସେ ଶବ୍ଦଗୁଡ଼ିକ ଆମ ଚେତନ ଓ ଅବଚେତନ ମନରେ ସବୁଦିନ ପାଇଁ ସ୍ଥାୟୀ ହୋଇ ରହିଯିବ। ଆହୁରି ମଧ୍ୟ ଜଣେ ଗବେଷକ ଯେପରି ସେ ପ୍ରସ୍ତୁତ କରିଥିବା ନିବନ୍ଧ, ସନ୍ଦର୍ଭରେ ଗୋଟିଏ ରେଫ୍ରେନ୍ସ ପୃଷ୍ଠା ଯୋଡ଼ିଥା’ନ୍ତି, ଆମର ପ୍ରତ୍ୟେକ ଲେଖକ/ଲେଖିକା ସେମାନେ ବ୍ୟବହାର କରିଥିବା ନୂତନ ଓଡ଼ିଆ ଶବ୍ଦ ବା ବାକ୍ୟାଂଶର ମୂଳ ଭାଷାର ରୂପ ଓ ମୂଳ ଭାଷାରେ ଉପସ୍ଥାପିତ ପ୍ରସଙ୍ଗ ବା ବିଷୟବସ୍ତୁ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଥିବା ଗୋଟିଏ ଦୁଇଟି ପୃଷ୍ଠା ସେମାନଙ୍କ ଲେଖାର ଶେଷରେ ସଂଲଗ୍ନ କରିବା ଆବଶ୍ୟକ। ବର୍ତ୍ତମାନର ବଡ଼ ଦାୟିତ୍ୱ ହେଉଛି ସମସ୍ତ ନୂତନ-ନିର୍ମିତ ଓଡ଼ିଆ ଶବ୍ଦର ମାନକୀକରଣ ଓ ସାର୍ବଜନୀନ ସ୍ୱୀକୃତି, ପରିଚିତି ନିଶ୍ଚିତ କରିବା। ଏଥିପାଇଁ ବିଧିବଦ୍ଧ ଉଦ୍ୟମ ଏବେଠାରୁ ଆରମ୍ଭ ହେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଦୁର୍ଗାପ୍ରସାଦ ଆଚାର୍ଯ୍ୟ
ଜଗତସିଂହପୁର, ମୋ: ୯୮୫୩୩୫୫୧୦୭






