“ହସଟା ଲକ୍ଷେ ଟଙ୍କା”

The Sakala Picture
Published On

ଆମ ପିଲାଦିନେ ଶୁଣିବାକୁ ମିଳୁଥିଲା କୌଣସି ଶିଶୁର ହସ ପାଇଁ ଗୋଟେ ସାବାସୀ ସୂଚକ ମନ୍ତବ୍ୟ – ‘ଓଃ ହସଟା ଲକ୍ଷେ ଟଙ୍କା’। ହସ କ’ଣ ପଣ୍ୟ ହୋଇଛି ଯେ କିଏ ତା’କୁ ଟଙ୍କା ଦେଇ କିଣିବ? କିମ୍ବା ହସ କେଉଁ ବଜାର ବିପଣୀରେ ମିଳୁଛି ଯେ ତାକୁ ଟଙ୍କା ପଇସା ଦେଇ କିଣା ଯାଇପାରିବ? ଆଜିକାଲି ବହୁଳ ବ୍ୟବହୃତ ଇଂରାଜୀ ଶବ୍ଦ ମିଲିଅନ, ବିଲିଅନ ଓ ଟ୍ରିଲିଅନ୍‌‌ ଆଗରେ ଲକ୍ଷେ ଟଙ୍କା ସିନା ଭାରି ଛୋଟ […]

ଆମ ପିଲାଦିନେ ଶୁଣିବାକୁ ମିଳୁଥିଲା କୌଣସି ଶିଶୁର ହସ ପାଇଁ ଗୋଟେ ସାବାସୀ ସୂଚକ ମନ୍ତବ୍ୟ – ‘ଓଃ ହସଟା ଲକ୍ଷେ ଟଙ୍କା’। ହସ କ’ଣ ପଣ୍ୟ ହୋଇଛି ଯେ କିଏ ତା’କୁ ଟଙ୍କା ଦେଇ କିଣିବ? କିମ୍ବା ହସ କେଉଁ ବଜାର ବିପଣୀରେ ମିଳୁଛି ଯେ ତାକୁ ଟଙ୍କା ପଇସା ଦେଇ କିଣା ଯାଇପାରିବ? ଆଜିକାଲି ବହୁଳ ବ୍ୟବହୃତ ଇଂରାଜୀ ଶବ୍ଦ ମିଲିଅନ, ବିଲିଅନ ଓ ଟ୍ରିଲିଅନ୍‌‌ ଆଗରେ ଲକ୍ଷେ ଟଙ୍କା ସିନା ଭାରି ଛୋଟ ଦିଶୁଛି, ବାସ୍ତବରେ ସେତେବେଳେ ଏହା ବୁଝାଉଥିଲା ଯାହା ଅମୂଲମୂଲ, ଯାହାକୁ କିଣିବା ଏକରକମର ଅସମ୍ଭବ, ସଂକ୍ଷେପରେ କହିଲେ ଯାହା ଥିଲା ଦୁର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ।

ଯିଏ ଯାହା ଅର୍ଜନ କରୁ ବା ଖର୍ଚ୍ଚ କରୁ ଆମର ପିଲାଦିନର ‘ହସଟା ଲକ୍ଷେ ଟଙ୍କା’ ଲାଗୁଛି ସେ ସବୁଠାରୁ ଅଧିକ ଭାରି ଆଉ ମନଲୋଭା। ଶିଶୁର ହସ ସହିତ ଦୁନିଆର ସବୁ ଦୁର୍ମୂଲ୍ୟ ଦ୍ରବ୍ୟ ଯେମିତି ତାଳ ଦେଇପାରିବେ ନାହିଁ। ଆଜିର ଦୁନିଆରେ ବସ୍ତୁର ମୂଲ୍ୟ ଖାଲି ବୃଦ୍ଧି ହୋଇ ନାହିଁ, ଆଶାତୀତ ଭାବେ ଅପମିଶ୍ରଣ ଯେଉଁ ସ୍ତରରେ ପହଞ୍ଚିଛି, ସେଥିରେ ନିରୁତା ଜିନିଷଟିଏ ପାଇବା ହୋଇପଡ଼ିଛି ଅସମ୍ଭବ ବ୍ୟାପାର ଏକରକମର। ମନେ ପଡ଼ିଯାଉଛି ନିଜ ଜୀବନରେ ଛୋଟ ଅନୁଭୂତିଟିଏ। ସେତେବେଳେ ରେଭେନ୍‌‌ସା କଲେଜର ସାଙ୍ଗମାନଙ୍କ ସହିତ ନବକଳେବର ଯାତ୍ରା ଦେଖିବା ପାଇଁ ଯାଉଥାଏ। ପ୍ରଥମେ ଟ୍ରେନ୍‌‌ ଯୋଗେ ଯିବା ପାଇଁ ଯୋଜନା କରିଥିଲୁ; ମାତ୍ର ଯେଉଁ ଭିଡ଼ ଲକ୍ଷ୍ୟ କଲୁ, ଅନୁଭବ ହେଲା ଯେ ସଂରକ୍ଷିତ ଯାତ୍ରୀମାନଙ୍କ ଛଡ଼ା ଆମ ପରି ସର୍ବସାଧାରଣଙ୍କ ପାଇଁ ତାହା ସେଭଳି ବିଶେଷ ଦିନରେ ଏକ ଅସମ୍ଭବ ବ୍ୟାପାର। ଅଗତ୍ୟା ବସରେ ଯିବା ପାଇଁ ସ୍ଥିର କଲୁ। ରେଳଷ୍ଟେସନରୁ ସଂଧ୍ୟାବେଳେ ଚାଲି ଚାଲି ଗଲୁ ଓଏମ୍‌‌ପି ବସଷ୍ଟାଣ୍ଡ ଯାଏଁ। ସେତେବେଳକୁ ତାହା ପାଲଟିଥାଏ ଏକ ଜନାକୀର୍ଣ୍ଣ ଅଞ୍ଚଳ। ଠେଲାମେଲା ଭିତରେ ଗୋଟିଏ ବସକୁ ଚଢ଼ିଲୁ ଚାରିଜଣ ବନ୍ଧୁ। ସମସ୍ତେ ଆଇ.ଏସ୍‌‌.ସି. ଦ୍ୱିତୀୟ ବର୍ଷର ଛାତ୍ର। ଠିଆ ହୋଇ ଯିବାକୁ ହେବ ପୁରୀ ଯାଏ। ଏକେତ ଯୁଆନ ବୟସ, ତା’ ସାଙ୍ଗକୁ ନବକଳେବର ପାଇଁ ଯିବାର ଉତ୍କଣ୍ଠା ଭିତରେ କେଞ୍ଚାକେଞ୍ଚି ହୋଇ ବସ୍‌‌ରେ ଠିଆ ହେବା କିଛି ବିରକ୍ତି ସୃଷ୍ଟି କରୁ ନ ଥାଏ। ତା’ ଛଡ଼ା ଆମେ କେବଳ ସେଇ ଦୁଃଖ ଏକା ଭୋଗୁ ନ ଥିଲୁ, ଆମ ସହିତ ସମଧର୍ମା ଥାଆନ୍ତି ଆହୁରି କୋଡ଼ିଏ ସରିକି ଯାତ୍ରୀ।

ବସ୍‌‌ କିଛି ବାଟ ଗଲା ପରେ ଅଟକିଲା। ମେଡିକାଲ ଟିମ୍‌‌ ମାଜିଷ୍ଟ୍ରେଟ୍‌‌ ପୁଲିସ ସହାୟତାରେ ଯାତ୍ରୀମାନଙ୍କୁ ଯାଞ୍ଚ କରୁଥା’ନ୍ତି ସମସ୍ତେ ହଇଜା ପ୍ରତିଷେଧକ ଇକେସନ୍‌‌ ନେଇଛନ୍ତି କି ନାହିଁ। କିଛି ଲୋକ ତାଙ୍କର ସାର୍ଟିଫିକେଟ ଦେଖାଇଲେ। କଣ୍ଡକ୍ଟର ସମସ୍ତଙ୍କୁ ତରଫରୁ ସଫେଇ ଦେଲେ ଯେ ବସକୁ ଚଢ଼େଇବା ବେଳେ ସମସ୍ତଙ୍କ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି। ଏଥର ବସ୍‌‌ ଚାଲିଲା।

ରାତି ବଢ଼଼ିଲାଣି। ହୁଏତ ସେଇ ଜାଗାଟି ପିପିଲି, ଯେଉଁଠି ଜଣେ ନଛୋଡ଼ବନ୍ଧା ମାଜିଷ୍ଟ୍ରେଟ୍‌‌ ଜଣେ ଜଣ କରି ଯାତ୍ରୀମାନଙ୍କୁ ଯାଞ୍ଚ କରିବାକୁ କହିଲେ। ଡାକ୍ତରୀ ଦଳ ଯାଞ୍ଚ କରୁଥା’ନ୍ତି। ଆମେମାନେ ସୁନା ପିଲାଟି ପରି ନିଜର ବାହା ଦେଖେଇ ଦେଲୁ। ଶ୍ରୀଜଗନ୍ନାଥ ଦର୍ଶନର ସମ୍ଭାବ୍ୟ ଆନନ୍ଦକୁ ଆମର ସାମୟିକ କଷ୍ଟ କିଛି ଲାଗୁନଥାଏ। ସେତିକି ବେଳେ ଘଟିଲା ଚମତ୍କାର କଥାଟିଏ। ସୁଦୂର ଜିଲ୍ଲାରୁ ଆସି ବସରେ ବସିଥିଲେ ଦଳେ ଯାତ୍ରୀ। ସମସ୍ତଙ୍କୁ ତଳକୁ ଓହ୍ଲାଇ ଜଣ ଜଣ ଯାଞ୍ଚ କରାଯାଉଥାଏ। ଆଠ ଦଶଟି ଇଞ୍ଜେକସନ୍‌‌ ନିଆ ସାର୍ଟିଫିକେଟ ବଢ଼େଇ ଦେଲେ ଜଣେ ପ୍ରୌଢ଼। କହିଲେ ଆମେ ଆମ ଅଞ୍ଚଳର ପିଏଚ୍‌‌ସିରୁ ଆଜି ସକାଳେ ଇଞ୍ଜେକସନ୍‌‌ ନେଇ ଆସିଛୁ। ପୁଲିସ ବାବୁ ଜଣେ ସମସ୍ତଙ୍କ ଇଞ୍ଜେକସନ୍‌‌ ସ୍ଥଳ ଛୁଇଁଦେଲା ମାତ୍ରେ ସମସ୍ତେ ଚିତ୍କାର କରି ଉଠୁଥା’ନ୍ତି। ଯେତେବେଳେ ସେ ଛୋଟିଆ ୪/୫ ବର୍ଷର ପିଲାକୁ ଡାକି ତା’ର ସମ୍ଭାବ୍ୟ କ୍ଷତକୁ ଛୁଇଁଲେ, ସେ କିର୍‌‌କିର୍‌‌ ହୋଇ ହସିଦେଲା। ଆଉ ସେପଟୁ ଶୁଭିଲା ପୁଲିସ ବାବୁଙ୍କ ବିକଟାଳ ଗର୍ଜନ। ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଶିଶୁଟିର ସରଳତା ସମସ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଦେଇଛି।

ଶିଶୁର ହସ ଭଳି ଅମିଶ୍ରିତ ଦ୍ରବ୍ୟ ଆଉ କ’ଣ ଅଛି କି? ହେଲେ ସେଇ ଶିଶୁଟି ବଡ଼ ହେଉ ହେଉ ଏତେ କ୍ଳିଷ୍ଟ ଚିଡ଼ିଚିଡ଼ିଆ ପାଲଟି ଯାଉଛି କେମିତି? ମନେ ପଡ଼ୁଛି ଶୁଣିଥିବା କଥାଟାଏ। ଥିଲେ ଜଣେ ଯାତ୍ରା ରସିକ, ଯିଏ କି ଗୋଟିଏ ଯାତ୍ରା ଦଳର ମାଲିକ ଏବଂ ମ୍ୟାନେଜର ତଥା ନିର୍ଦ୍ଦେଶକ। ଯାତ୍ରା ଦଳ ଧରି ଗୋଟିଏ କେନ୍ଦ୍ର ଗାଁରୁ ଅନ୍ୟ ଗାଁକୁ ଯାଉଥା’ନ୍ତି। ସେତେବେଳେ ଯାତ୍ରା ହିଁ ଥିଲା ଗ୍ରାମବାସୀଙ୍କର ମନୋରଞ୍ଜନଙ୍କର ମୁଖ୍ୟ ଅବଲମ୍ବନ। ଦିନେ ଗୋଟିଏ ନାଟକରେ ଶିଶୁ କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ସ୍ଥାୟୀ ଅନ୍ତେବାସୀଟିର ଦେହ ଖରାପ ହେଲା; ମାତ୍ର ସେଇ ନାଟକ ପାଇଁ ବାଳକୃଷ୍ଣଙ୍କର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। ବେଶି ସଂଳାପ ନୁହେଁ, ବରଂ ସେଇଭଳି ଗୁଲୁଗୁଲିଆ ହସକୁରା ଛୁଆଟିଏ ଖୋଜୁ ଖୋଜୁ ଜଣକୁ ପାଇଗଲେ ଯାତ୍ରା ପାର୍ଟିର ମ୍ୟାନେଜର। ରାଜି କରେଇ ଦେଲେ ତା’ର ପିତାମାତାଙ୍କୁ। ଆଉ ଚମତ୍କାର ଥିଲା ସେଦିନର ନାଟକ। ସ୍ଥାନୀୟ ନବ୍ୟ ଶିଶୁ କଳାକାରର ଉପସ୍ଥିତି ଥିଲା ସେଦିନର ବିଶେଷ ଆଲୋଚନା।

ଉପରୋକ୍ତ ଘଟଣାର ପ୍ରାୟ ପଚିଶ ବର୍ଷ ପରର ଘଟଣା। ଯେତେବେଳେ ସେଦିନର ମ୍ୟାନେଜର ଖୁବ୍‌‌ ବର୍ଷୀୟାନ। ସଂଯୋଗକ୍ରମେ ସେ ଯେଉଁ ନାଟ୍ୟ ପରିବେଷଣ କରିବାକୁ ଯାଉଥିଲେ ସେଥିରେ କଂସ ଅଭିନୟ କରୁଥିବା କଳାକାର ହଠାତ ନିଜର କୌଣସି ପାରିବାରିକ କାରଣ ହେତୁ ଅନୁପସ୍ଥିତ ରହିଲେ। ପରିସ୍ଥିତି ଥିଲା ସଂଗିନ। ସେଦିନର ରାତିରେ ମ୍ୟନେଜର ଖୋଜୁଥିଲେ ଜଣେ ଦୁର୍ଦ୍ଦାନ୍ତ ଦର୍ଶନ ଯୁବକ। ଜଣଙ୍କଠୁ ଜାଣିଲେ ଯେ ସେ ମଝିରେ ମଝିରେ ଅଭିନୟ କରେ ଖଳ ଚରିତ୍ରରେ। ସେଦିନ ତାଙ୍କୁ କଂସ ରୂପରେ ସଜାଇ ବାହାବା ନେଇ ତା’ ପରଦିନ ସକାଳେ ଜାଣିଲେ ଯେ ପ୍ରାୟ ପଚିଶ ବର୍ଷ ତଳର ଲବଣିଖିଆ ବାଳ ଗୋପାଳ ଭୂମିକା ତୁଲାଉଥିବା କୁନି ପିଲାଟି ଆଜି ଦିନର କଂସ। ସେ ମ୍ରିୟମାଣ ଅନୁଭବ କଲେ। ଯେଉଁ ସମାଜ ନିଷ୍କଳଙ୍କ ନିଷ୍ପାପ ଶିଶୁକୁ କ୍ରମଶଃ ଭ୍ରଷ୍ଟ ଓ କଳଙ୍କିତ କରାଏ, ତାହାକୁ କ’ଣ ବଦଳା ଯାଇ ପାରିବ ନାହିଁ? ତାହା ଥିଲା ତାଙ୍କର ଶ୍ଳୋକପ୍ଳୁତ ବକ୍ତବ୍ୟ।

କେହି ଜଣେ ସାହିତ୍ୟିକ ବା ଦାର୍ଶନିକ ଲେଖିଥିଲେ ଯେତେଦିନ ଯାଏଁ ଶିଶୁର ସରଳତା ବଞ୍ଚିଥିବ ସେତେଦିନ ଯାଏଁ ବୁଝିବାକୁ ହେବ ଯେ ଭଗବାନ ତାଙ୍କ ସୃଷ୍ଟି ଉପରେ ସନ୍ତୁଷ୍ଟ ଅଛନ୍ତି। ଆରମ୍ଭ ଖାଲି ଆନନ୍ଦମୟ ହେଲେ ତ ହେବ ନାହିଁ ଜୀବନକୁ ସର୍ବୋତଭାବେ ଏକ ଆନନ୍ଦର ଉପନିବେଶ କରିବା ପାଇଁ ଛଳନା, ବିଦ୍ୱେଷ ଓ ହିଂସାକୁ ପରିହାର କରିବା ସତରେ କେତେ ଜରୁରୀ! କବି ରାଧାମୋହନ ଗଡ଼ନାୟକ ତାଙ୍କର ବହୁ ପଠିତ ‘ଯସ୍‌‌ମା’ କବିତାରେ ଶିଶୁର ଯେଉଁ ରେଖାଚିତ୍ର ଆଙ୍କିଛନ୍ତି ପାଠକ ମନକୁ ତାହା ଆଜୀବନ ଆଚ୍ଛନ୍ନ କରି ରଖିଥାଏ, ମାଆ ଠାରୁ କ୍ଷୀର ଖାଉଥିବା ଶିଶୁର ଚିତ୍ରଟି ଆଖି ଆଗରେ ନାଚିଯାଏ –

‘କନ କନ ହୋଇ ବାଳୁତ ଟି ଚହଁ ଚହଁ କ୍ଷୀର ଶୋଷି ନେଲା / ଜନନୀ ମୁଖକୁ ଚାହିଁ ଦେଇ ଆଖିରେ ଓଠରେ ହସି ଦେଲା। ସେଇ ହସୁଥିବା ଶିଶୁଟିର ହସକୁ ସବୁଦିନ ବଞ୍ଚେଇ ରଖିବା ପାଇଁ ଆମେ ସମସ୍ତେ କିଛି କିଛି ଯୋଗଦାନ କରନ୍ତେ ସିନା!  ନିରଞ୍ଜନ ସାହୁ
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର