ଆମେରିକା ରାଷ୍ଟ୍ରପତି ନିର୍ବାଚନ ପର୍ବ: ମୁଖ୍ୟଚରିତ୍ର

The Sakala Picture
Published On

ଆମେରିକାରୁ ପ୍ରକାଶିତ ପ୍ରସିଦ୍ଧ ‘ଫୋବର୍ସ’ ପତ୍ରିକା ତା’ର ସେହି ମାସର ସଂସ୍କରଣର ପ୍ରଚ୍ଛଦ ପଟ୍ଟରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଚିତ୍ରକୁ ସ୍ଥାନିତ କରିଥିଲା। ସେହି ଚିତ୍ରଟି ବହୁ ଦୃଷ୍ଟି ଆକର୍ଷଣକାରୀ ଥିଲା; କିନ୍ତୁ ତା’ଠାରୁ ବେଶୀ ଚର୍ଚ୍ଚିତ ହୋଇଥିଲା ସେହି ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପର୍ଯ୍ୟବସିତ ପ୍ରଚ୍ଛଦପଟର ଶିରେନାମା। ‘ଫୋବର୍ସ’ ପତ୍ରିକାର ପ୍ରଚ୍ଛଦପଟର ଶୀର୍ଷକ ଥିଲା ‘ବୟ ଇନ୍‌‌ ଦି ବବଲ୍‌‌’ ଅର୍ଥାତ୍‌‌ ପାଣିଫୋଟକା ଭିତରେ ବଲ୍‌‌ଟିଏ। ଖ୍ୟାତିସମ୍ପନ୍ନ ଫୋବର୍ସ ପତ୍ରିକାର ପ୍ରଚ୍ଛଦପଟ ମଣ୍ଡନ କରିଥିବା ସେହି […]

ଆମେରିକାରୁ ପ୍ରକାଶିତ ପ୍ରସିଦ୍ଧ ‘ଫୋବର୍ସ’ ପତ୍ରିକା ତା’ର ସେହି ମାସର ସଂସ୍କରଣର ପ୍ରଚ୍ଛଦ ପଟ୍ଟରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଚିତ୍ରକୁ ସ୍ଥାନିତ କରିଥିଲା। ସେହି ଚିତ୍ରଟି ବହୁ ଦୃଷ୍ଟି ଆକର୍ଷଣକାରୀ ଥିଲା; କିନ୍ତୁ ତା’ଠାରୁ ବେଶୀ ଚର୍ଚ୍ଚିତ ହୋଇଥିଲା ସେହି ଭାରତୀୟ ବଂଶୋଦ୍ଭବଙ୍କ ଉପରେ ପର୍ଯ୍ୟବସିତ ପ୍ରଚ୍ଛଦପଟର ଶିରେନାମା। ‘ଫୋବର୍ସ’ ପତ୍ରିକାର ପ୍ରଚ୍ଛଦପଟର ଶୀର୍ଷକ ଥିଲା ‘ବୟ ଇନ୍‌‌ ଦି ବବଲ୍‌‌’ ଅର୍ଥାତ୍‌‌ ପାଣିଫୋଟକା ଭିତରେ ବଲ୍‌‌ଟିଏ। ଖ୍ୟାତିସମ୍ପନ୍ନ ଫୋବର୍ସ ପତ୍ରିକାର ପ୍ରଚ୍ଛଦପଟ ମଣ୍ଡନ କରିଥିବା ସେହି ଭାରତୀୟ ବଂଶୋଦ୍ଭବଙ୍କ ନାମ ଥିଲା ବିବେକ ରାମସ୍ୱାମୀ। ତାଙ୍କ ସମ୍ପର୍କରେ ପତ୍ରିକା ଲେଖିଥିଲା କେମିତି ଜଣେ ତିରିଶ ବୟସ୍କ ତରୁଣ ବିଗତ ଛଅ ମାସରେ ୫ ମିଲିୟନ ଆମେରିକୀୟ ଡଲାର ବ୍ୟବସାୟକୁ ୩୦ ବିଲିୟନ ଆମେରିକୀୟ ଡଲାର ବ୍ୟବସାୟରେ ପରିଣତ କରିଦେଇପାରିଛନ୍ତି। ତାଙ୍କର ବ୍ୟବସାୟ ଥିଲା ବାୟୋଟେକ୍‌‌ ଏବଂ ଔଷଧ। ଆମେରିକାରେ ଶିଳ୍ପ ତଥା ବ୍ୟବସାୟ ଜଗତରେ ଆଖିଦୃଶିଆ ସଫଳତା ଏବଂ ଉଦ୍ୟମକୁ ନେତୃତ୍ୱ ଗୁଣର ପରିଚାୟକ ଭାବରେ ଗଣାଯାଏ। ତେଣୁ ୨୦୧୫ ମସିହାର ସେପ୍ଟେମ୍ବର ମାସରେ ବହୁମାତ୍ରାରେ ଦୃଷ୍ଟି ଆକର୍ଷଣ କରିଥିବା ବିବେକ ରାମସ୍ୱାମୀ ୨୦୨୩ ମସିହାର ସେପ୍ଟେମ୍ବର ମାସରେ ଆମେରିକୀୟ ରାଜନୀତି ତଥା ବିଶ୍ୱ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଭାବେ ଉଭା ହୋଇଛନ୍ତି।

ଆମେରିକୀୟ ରାଜନୀତିରେ ଏବେ ଭାରତୀୟ ବଂଶୋଦ୍ଭବମାନଙ୍କ ଉପସ୍ଥିତି ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ। ବିଗତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍‌‌ ଦଳକୁ ଜୋ ବାଇଡେନ୍‌‌ଙ୍କ ସାଙ୍ଗରେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌‌। ବାଇଡେନ୍‌‌ ଏବଂ କମଳାଙ୍କ ରାଜନୈତିକ ଯୋଡ଼ି ଆମେରିକୀୟ ରାଜନୀତିରେ ବେଶ୍‌‌ ଜନାଦୃତି ପାଇଥିଲା ଏବଂ ବାଇଡେନ୍‌‌ ରାଷ୍ଟ୍ରପତି ଭାବେ ଏବଂ କମଳା ହେରିସ୍‌‌ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇ ଆସୁଛନ୍ତି। ୨୦୨୪ ମସିହା ନଭେମ୍ବର ବେଳକୁ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ୨୦୨୩ ମସିହାରୁ ଆମେରିକୀୟ ରାଜନୀତି ଭାରତୀୟ ବଂଶୋଦ୍ଭବମାନଙ୍କ ଉପସ୍ଥିତି ଏବଂ ସେମାନଙ୍କ ସମ୍ଭାବ୍ୟ ପ୍ରତିଯୋଗିତାକୁ ନେଇ ବେଶ୍‌‌ ସରଗରମ ହୋଇ ଉଠିଛି। ଏବେ ଚଳଚଞ୍ଚଳ ହୋଇ ଉଠିଥିବା ଆମେରିକୀୟ ରାଜନୀତିକୁ ଆହୁରି ଗତିଶୀଳ କରାଇଛି ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀଙ୍କ ଉପସ୍ଥିତି। ୨୦୨୪ରେ ସେ ନିଜକୁ ରିପବ୍ଲିକାନ୍‌‌ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ôଥତ୍ୱ୍ୱ ପାଇଁ ଆଶାବାଦୀ। କିନ୍ତୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌‌ ତାଙ୍କଠାରୁ ରାଷ୍ଟ୍ରପତି ପ୍ରାର୍ôଥତ୍ୱ ଦୌଡ଼ରେ ଆଗୁଆ ଥିବା ଆକଳନ କରାଯାଇଛି। କିନ୍ତୁ ଏ ମଧ୍ୟରେ ଆମେରିକା ରାଜନୀତିରେ ଯେଉଁ ଝଡ଼ ସୃଷ୍ଟି ହୋଇଛି ସେଥିରୁ ଅନ୍ୟତମ ହେଲା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗିରଫ ହେବା, ଯାହା ଆମେରିକା ରାଜନୈତିକ ଇତିହାସରେ ଏ ପର୍ଯ୍ୟନ୍ତ ଅଭାବନୀୟ ଥିଲା। ଗିରଫ ହୋଇ ମୁକ୍ତ ହେଲା ପରେ ରିପବ୍ଲିକାନ୍‌‌ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ôଥତ୍ୱ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆଶା ଏବଂ ଦମ୍ଭ ଆମେରିକା ରାଜନୀତିକୁ ଆହୁରି ସରଗରମ କରିଛି। ୨୦୨୩ ଅଗଷ୍ଟ ମାସର ଶେଷ ସପ୍ତାହ ବେଳକୁ ରିପବ୍ଲିକାନ୍‌‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀତ୍ବ ପାଇଁ ପ୍ରତ୍ୟାଶୀମାନଙ୍କ ଭିତରେ ହୋଇଥିବା ବିତର୍କରେ ବିବେକ ରାମସ୍ୱାମୀ କେବଳ ଜନାଦୃତି ପାଇନାହାନ୍ତି ବରଂ ସେହି ବିତର୍କର ଘଣ୍ଟାଏ ମଧ୍ୟରେ ୪,୫୦,୦୦୦ ଆମେରିକା ଡଲାର ତାଙ୍କ ସପକ୍ଷରେ ସଂଗୃହୀତ କରି ନେବା ମଧ୍ୟ ଆମେରିକୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ରିପବ୍ଲିକାନ୍‌‌ ପାର୍ଟିରୁ ଅନ୍ୟ ପ୍ରତ୍ୟାଶୀମାନଙ୍କ ଭିତରେ ଅଛନ୍ତି ମହିଳା ପ୍ରତ୍ୟାଶୀ ନିକି ହାଲି। ନମରତା ନିକି ହାଲି(ରନ୍ଧୱା) ନାମ୍ନୀ ଏହି ଭାରତୀୟ ବଂଶୋଦ୍ଭବ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତ୍ୟାଶୀ ରୂପେ ଛିଡ଼ା ହୋଇଛନ୍ତି। ନିକି ହାଲିଙ୍କ ପଛରେ ରହିଛି ତାଙ୍କର ଆମେରିକୀୟ ପ୍ରଶାସନର ଅଭିଜ୍ଞତା। ସେ ୨୦୧୧ ରୁ ୨୦୧୭ ମଧ୍ୟରେ ଆମେରିକାର ସାଉଥ୍‌‌ କାରୋଲିନାର ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ପ୍ରଶାସନିକ ଅଭିଜ୍ଞତା ହାସଲ କରିଛନ୍ତି। ପୁଣି ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌‌)ଠାରେ ଆମେରିକାର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇ ନିଜର ପ୍ରଶାସନିକ ଅଭିଜ୍ଞତାକୁ ଆହୁରି ବ୍ୟାପକ କରିଥିଲେ ନିକି ହାଲି।

ରିପବ୍ଲିକାନ୍‌‌ ପାର୍ଟିରୁ ନିକି ହାଲିଙ୍କ ଛଡ଼ା ପ୍ରତ୍ୟାଶୀ ଭାବେ ଅଛନ୍ତି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ରହିଥିବା ଅଭିଜ୍ଞ ମାଇକ୍‌‌ ପେନ୍‌‌ସ। ଆଉ ଜଣେ ଓଜନଦାର ପ୍ରତ୍ୟାଶୀ ହେଉଛନ୍ତି ରୋନାଲ୍ଡ ଡେସାଣ୍ଟିସ,୍‌‌ ଯିଏକି ଫ୍ଲୋରିଡ଼ା ରାଜ୍ୟର ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିସାରିଛନ୍ତି। ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ୱାମୀଙ୍କ ବିତର୍କ ତାଙ୍କୁ ବିଶେଷ ଜନାଦୃତି ଆଣି ଦେଇଛି। ୨୦୨୩ର ସେପ୍ଟେମ୍ବର ମାସ ଆରମ୍ଭରେ ରିପବ୍ଲିକାନ୍‌‌ ରାଷ୍ଟ୍ରପତି ପ୍ରତ୍ୟାଶୀ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବେକ ରାମସ୍ୱାମୀଙ୍କୁ ଉପରାଷ୍ଟ୍ରପତି ଭାବରେ ସେ ଚାହୁଁଥିବା ଘୋଷଣା କରି ଆମେରିକାର ରାଜନୀତିକୁ ପୁଣି ଏକ ନୂଆ ଦିଗରେ ମୋଡ଼ି ଦେଇଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ଶାସନ ବ୍ୟବସ୍ଥା ସମ୍ଭାଳୁଥିବା ଡେମୋକ୍ରାଟ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ôଥତ୍ୱ ଦୌଡ଼ ମଧ୍ୟ ଆମେରିକାର ରାଜନୀତିକୁ ଆହୁରି ଚଳଚଞ୍ଚଳ କରି ଦେଇଛି। ଡେମୋକ୍ରାଟ୍‌‌ ପାର୍ଟିରୁ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌‌ ନିଜେ ପୁନର୍ବାର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଘୋଷଣା କରିଛନ୍ତି। କିନ୍ତୁ ତାଙ୍କ ଦଳରୁ ଆଉ ଦୁଇଜଣ ପ୍ରତ୍ୟାଶୀ ମଧ୍ୟ ସେମାନଙ୍କ ପ୍ରାର୍ôଥତ୍ୱ ଘୋଷଣା କରିଦେଇଛନ୍ତି। ଜଣେ ହେଲେ ମହିଳା ପ୍ରତ୍ୟାଶୀ ମାରିଆନେ ୱିଲିୟମସନ୍‌‌। ମେରିଆନେ ୨୦୨୦ ମସିହାରେ ମଧ୍ୟ ନିଜ ପ୍ରାର୍ôଥତ୍ୱ ଘୋଷଣା କରିଥିଲେ। ମେରିଆନେ ୱିଲିୟମସନ୍‌‌ଙ୍କ ଜଣେ ଆଧ୍ୟାତ୍ମିକ ବକ୍ତା ଭାବେ ପ୍ରସିଦ୍ଧି ଅଛି। ତା’ଛଡ଼ା ତାଙ୍କ ଦ୍ୱାରା ୧୯୯୨ରେ ଲିଖିତ ‘ଏ ରିଟର୍ଣ୍ଣ ଟୁ ଲଭ୍‌‌ : ରିଫ୍ଲେକସନ ଅନ୍‌‌ ଦି ପ୍ରିନ୍‌‌ସିପୁଲ୍‌‌ସ ଅଫ୍‌‌ ଏ କୋର୍ସ ଇନ୍‌‌ ମିଗ୍‌‌କିଲ୍‌‌ସ’ ନାମକ ବହି ତାଙ୍କୁ ବ୍ୟାପକ ପ୍ରସିଦ୍ଧି ଆଣି ଦେଇଥିଲା। ସମୁଦାୟ ୧୪ଟି ବହିର ଲେଖିକା ମେରିଆନେ ୱିଲିୟମସନ୍‌‌ ଆମେରିକାରେ ଏକ ନୂଆ ଶାନ୍ତି ବିଭାଗ ଖୋଲିବା ଯୁକ୍ତି ତାଙ୍କୁ ରାଜନୈତିକ ସମର୍ଥନ ମଧ୍ୟ ଆଣିଦେଇଛି। ଡେମୋକ୍ରାଟ୍‌‌ ପାର୍ଟିରୁ ଅନ୍ୟତମ ରାଷ୍ଟ୍ରପତି ପ୍ରତ୍ୟାଶୀ ହେଉଛନ୍ତି ରବର୍ଟ ଏଫ୍‌‌ କେନେଡି ଜୁନିଅର, ଯିଏକି ଆମେରିକାର ପ୍ରସିଦ୍ଧ କେନେଡ଼ି ପରିବାର ସହ ସମ୍ପୃକ୍ତ। ସେ ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌‌ ଏଫ୍‌‌ କେନେଡ଼ିଙ୍କ ପୁତୁରା ଏବଂ ସିନେଟ୍‌‌ର ରବଟଁ ଏଫ୍‌‌ କେନେଡ଼ିଙ୍କ ପୁଅ। ୨୦୨୧ରେ କେନେଡ଼ି ଜୁନିଅରଙ୍କ ଦ୍ୱାରା ଲିଖିତ ‘ଦ ରିୟଲ୍‌‌ ଏନ୍ଥୋନି ଫୋକି’ ମଧ୍ୟ ତାଙ୍କୁ ଲେଖକୀୟ ପ୍ରସିଦ୍ଧି ଆଣିଦେଇଛି। ଡେମୋକ୍ରାଟ୍‌‌ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ ରାଷ୍ଟ୍ରପତି ଜୋ ବାଇଡେନ୍‌‌ଙ୍କ ସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌‌ ଉପରାଷ୍ଟ୍ରପତି ଭାବେ ପୁନର୍ବାର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ନିଶ୍ଚିତ ଜଣାପଡୁଛି। ହେଲେ ଆମେରିକାରେ ଆଗାମୀ ଦିନରେ ରାଜନୈତିକ ମୋଡ଼ ମଧ୍ୟ ଆସିପାରେ।

ଆମେରିକୀୟ ସମ୍ବିଧାନର ଧାରା ୨ ଅନୁସାରେ ରାଷ୍ଟ୍ରପତି ହେବାର ଯୋଗ୍ୟତା ଲିଖିତ ଭାବରେ ରହିଛି। ଏହାଛଡ଼ା ସେଠାକାର ୨୧ତମ ସମ୍ବିଧାନ ସଂଶୋଧନ ଅନୁସାରେ ଜଣେ ବ୍ୟକ୍ତି କେବଳ ଦୁଇଥର ରାଷ୍ଟ୍ରପତି ନିର୍ବାଚିତ ହୋଇ ପାରିବ। ସେହି ଅନୁସାରେ ୨୦୨୪ ନିର୍ବାଚନ ରାଷ୍ଟ୍ରପତି ଜୋ ବାଇଡେନ୍‌‌ଙ୍କ ପାଇଁ ଶେଷ ନିର୍ବାଚନ ହେବ।

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଇତିହାସକୁ ଦେଖିଲେ ଜଣାପଡ଼େ ଯେ ଆମେରିକାର ସର୍ବପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍‌‌ ଜଣେ ନିର୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀ ହୋଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରେ ନିର୍ବାଚିତ ହୋଇଥିଲେ ୧୭୯୭ରେ ଜନ୍‌‌ ଆଡମସ୍‌‌। ସେହି ବର୍ଷ (୧୭୯୬)ରୁ ଆମେରିକାରେ ରାଷ୍ଟ୍ରପତି କୌଣସି ଦୁଇଟି ଦଳରୁ ହେବା ଅତ୍ୟାବଶ୍ୟକ ବୋଲି ନିୟମ ଧାର୍ଯ୍ୟ ହେଲା। ଆମେରିକାର ନିର୍ବାଚନ ଇତିହାସରେ କୌଣସି ତୃତୀୟ ଦଳରୁ ପ୍ରାର୍ଥୀ କେବଳ ୧୮୬୦ ଏବଂ ୧୯୧୨ ମସିହାରେ କିଛିଟା ଭୋଟ୍‌‌ ପାଇଥିଲେ।

୨୦୨୪ ମସିହା ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିବର୍ଷ ପୃଥିବୀର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗଣତନ୍ତ୍ର ସେମାନଙ୍କର ଶାସନାଧ୍ୟକ୍ଷଙ୍କୁ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରିବେ। ସେହି ଦୁଇ ବିଶାଳ ଗଣତନ୍ତ୍ରମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତବର୍ଷ। ସମଗ୍ର ପୃଥିବୀର ଏକ ବୃହତ୍‌‌ ଜନଗୋଷ୍ଠୀ ଗଣତାନ୍ତ୍ରିକ ଉପାୟରେ ଶାସନାଧ୍ୟକ୍ଷଙ୍କୁ ନିର୍ବାଚିତ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଏହି ଦୁଇ ଗଣତାନ୍ତ୍ରିକ ଦେଶରେ ମହିଳାମାନଙ୍କ ଯୋଗଦାନ ଆହୁରି ମହତ୍ତ୍ୱପୂର୍ଣ୍ଣ ହେବ।

ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ବିଭିନ୍ନ ପ୍ରତ୍ୟାଶୀମାନଙ୍କ ବିଭିନ୍ନ ବିଷୟରେ ସେମାନଙ୍କ ମତ ରଖି ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ଦୃଷ୍ଟି ଆକର୍ଷିତ କରିଛନ୍ତି। ସେହି ଅନ୍ତଃରାଷ୍ଟ୍ରୀୟ ବିଷୟଗୁଡ଼ିକ ହେଲେ ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ଏବଂ ତା’ର ସ୍ଥାୟୀ ଓ ଦୀର୍ଘମିଆଦୀ ସମାଧାନ; ରୁଷ ଓ ଚୀନ୍‌‌ ମଧ୍ୟରେ ବାଣିଜ୍ୟିକ ସମ୍ବନ୍ଧକୁ ଦୁର୍ବଳ କରିବା; ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥାକୁ ଆହୁରି ଗଣତାନ୍ତ୍ରିକ କରିବା ଇତ୍ୟାଦି ଅନ୍ୟତମ। ଆଗାମୀ ଦିନର ବିଶ୍ୱ ରାଜନୀତିକୁ ୨୦୨୪ର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ବହୁ ମାତ୍ରାରେ ପ୍ରତ୍ୟକ୍ଷ ରୂପରେ ପ୍ରଭାବିତ କରିବ ବୋଲି ଆଶା କରାଯାଏ।

ଡ. ସୁଜିତ କୁମାର ପୃଷେଠ୍‌‌
ସମ୍ବଲପୁର, ମୋ: ୯୮୬୮୭୬୬୭୦୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର