ଗାନ୍ଧୀ ହତ୍ୟା ଅଘଟଣ: ବିରଳା ଭବନର ଅନାଲୋଚିତ ‘ନାୟକ’

The Sakala Picture
Published On

ସେଦିନ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ, ଶୁକ୍ରବାର, ସମୟ ସନ୍ଧ୍ୟା ୫।୧୦, ସ୍ଥାନ ବିରଳା ଭବନ। ମନୁ ଓ ଆଭାଙ୍କ ସାଙ୍ଗେ ଗାନ୍ଧିଜୀ ପ୍ରାର୍ଥନା ସଭାକୁ ବାହାରିଲେ। ସେଦିନ ସଭାରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଥିଲେ। ଗାନ୍ଧିଜୀଙ୍କୁ ଦେଖି ଲୋକମାନେ ଦୁଇ ଧାଡ଼ିରେ ଛିଡ଼ା ହୋଇଗଲେ। ଲୋକମାନଙ୍କ ମଝିରେ ଯାଉଥିଲେ ଗାନ୍ଧୀ। ସେ ସମୟରେ ଭିଡ଼ ଭିତରୁ ହଠାତ୍‌‌ ଜଣେ ଯୁବକ ଗାନ୍ଧିଜୀଙ୍କ ଆଗକୁ ଚାଲି ଆସିଲା। ଏକ ଅଟୋମେଟିକ ପିସ୍ତଲରୁ ଲଗାତାର […]

ସେଦିନ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ, ଶୁକ୍ରବାର, ସମୟ ସନ୍ଧ୍ୟା ୫।୧୦, ସ୍ଥାନ ବିରଳା ଭବନ। ମନୁ ଓ ଆଭାଙ୍କ ସାଙ୍ଗେ ଗାନ୍ଧିଜୀ ପ୍ରାର୍ଥନା ସଭାକୁ ବାହାରିଲେ। ସେଦିନ ସଭାରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଥିଲେ। ଗାନ୍ଧିଜୀଙ୍କୁ ଦେଖି ଲୋକମାନେ ଦୁଇ ଧାଡ଼ିରେ ଛିଡ଼ା ହୋଇଗଲେ। ଲୋକମାନଙ୍କ ମଝିରେ ଯାଉଥିଲେ ଗାନ୍ଧୀ। ସେ ସମୟରେ ଭିଡ଼ ଭିତରୁ ହଠାତ୍‌‌ ଜଣେ ଯୁବକ ଗାନ୍ଧିଜୀଙ୍କ ଆଗକୁ ଚାଲି ଆସିଲା। ଏକ ଅଟୋମେଟିକ ପିସ୍ତଲରୁ ଲଗାତାର ତିନି ରାଉଣ୍ଡ ଗୁଳି ଗାନ୍ଧୀଙ୍କ ଛାତି ଓ ପେଟକୁ ଲକ୍ଷ୍ୟ କରି ଚଳାଇଲା। ଗାନ୍ଧିଜୀ ଟଳିପଡ଼ିଲେ।

ଘଟଣା ସ୍ଥଳରୁ ଅଳ୍ପ ଦୂରରେ କାମ କରୁଥିଲେ ବିରଳା ଭବନ ବଗିଚାର ମାଳି ରଘୁନାଥ ନାୟକ ଓରଫ ରଘୁମାଳି। ବୟସ ପାଖାପାଖି ୩୭ ବର୍ଷ। ନିଜ ଘର ଜାଗୁଳେଇପଡ଼ା, ଜିଲ୍ଲା କେନ୍ଦ୍ରାପଡ଼ା। ଗୁଳି ଶବ୍ଦ ଶୁଣିବା ମାତ୍ରେ ରଘୁନାଥ ଧାଇଁଗଲେ ଗାନ୍ଧିଜୀଙ୍କ ପାଖକୁ। ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ହଠାତ୍‌‌ କିଛି ବୁଝିପାରି ନ ଥିଲେ ରଘୁନାଥ। ଆତତାୟୀ ନାଥୁରାମ ବିନାୟକ ଗୋଡ଼ସେ ଉପରକୁ ଲମ୍ଫ ମାରିଲେ। ରଘୁନାଥଙ୍କ ହାତରେ ଥିଲା ଖୁର୍ପି – ବଗିଚାରେ ବ୍ୟବହାର ହେଉଥିବା କରଣୀ ଭଳି ଯନ୍ତ୍ର। ନାଥୁରାମର ହାତରେ ପିସ୍ତଲ ଦେଖି ମଧ୍ୟ ଭୟଶୂନ୍ୟ ଥିଲେ ରଘୁନାଥ। ନାଥୁରାମ ଓ ରଘୁନାଥଙ୍କ ମଧ୍ୟରେ ସ୍ୱଳ୍ପସମୟ ପାଇଁ ସାଂଘାତିକ ସଂଘର୍ଷ ଆରମ୍ଭ ହୋଇଗଲା। ରଘୁନାଥ ନିଜ ଖୁର୍ପିରେ ନାଥୁରାମର ମୁଣ୍ଡକୁ ଆଘାତ କଲେ। ପୁଲିସ ଆସି ଗିରଫ କଲା ଯାଏଁ ନାଥୁରାମଙ୍କୁ ମାଡ଼ିବସି ଧରିଥିଲେ ରଘୁନାଥ ନାୟକ।

ନାଥୁରମ ଗିରଫ ହେଲେ। ଜେଲ ଗଲେ। ବିଚାର ଚାଲିଲା। ଗାନ୍ଧିଜୀ ହତ୍ୟାର ୬ ଜଣ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବୟାନ ଦେଇଥିଲେ। ସେମାନେ ହେଲେ ଅମରନାଥ, ନନ୍ଦଲାଲ ମେହତା, ରତନ ସିଂ, ଧରମ ସିଂ, ରଘୁନାଥ ନାୟକ, ସର୍ଦ୍ଦାର ଗୁରବଚନ ସିଂ। ରଘୁନାଥ ଥିଲେ ସରକାରୀ ସାକ୍ଷୀ, କ୍ରମିକ ଥିଲା ୭୬। ସେ କୋର୍ଟରେ ବୟାନ ଦେବା ପରେ ନାଥୁରମକୁ ଫାଶୀ ଦଣ୍ଡ ମିଳିଥିଲା।

ରଘୁନାଥ ନାୟକଙ୍କ ବୀରତ୍ୱକୁ ନ୍ୟାୟ ମିଳିନି। ଇତିହାସ ତାଙ୍କ ପ୍ରତି ସମ୍ୱେଦନଶୀଳ ଥିଲା ବୋଲି ଜଣା ବି ପଡ଼େନି। ଓଡ଼ିଆ ପୁଅର ବୀର କଥା ଶୁଣିବାକୁ ଆଲୋଚନା କି ଗବେଷଣା ବି ହୁଏନି। ଇତିହାସ ଓ ବହିର କୌଣସି ଛୋଟ ଜାଗା ଓ ସଂକ୍ଷିପ୍ତ ଆଲୋଚନାରେ ରଘୁନାଥ ସୀମିତ ହୋଇଯାଇଛନ୍ତି। ତିସ୍ତା ସେଟୁଲଭାଡ଼ଙ୍କ ରଚିତ ‘ବିୟଣ୍ଡ ଡାଉଟ – ଏ ଡୋଶିୟାର ଅନ ଗାନ୍ଧୀସ ଆସାସିନେସନ’ ରେ ଉଲ୍ଲେଖ ଅଛି ଯେ ୩୦ ଜାନୁଆରୀ ୧୯୪୮ ଦିନ ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱରେ ୨୬ଜଣ ପୁଲିସ କର୍ମଚାରୀ ନିଯୁକ୍ତ ଥିଲେ। କିନ୍ତୁ ରଘୁନାଥ ନାୟକ ହିଁ ଗାନ୍ଧୀଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ପ୍ରଥମେ ଧରିଥିଲେ। ତା’ପରେ ଦୁଇଜଣ କନଷ୍ଟେବଳ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ସେଠାରେ ଜଣେ ଇନ୍ସପେକ୍ଟର ଏବଂ ସବ୍‌‌ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେମାନେ ନାଥୁରାମକୁ କାବୁ କରିନଥିଲେ। ଧୀରେନ୍ଦ୍ର ଝାଙ୍କ ପୁସ୍ତକ ‘ଗାନ୍ଧୀ ଆସାସିନ – ଦି ମେକିଙ୍ଗ ଅଫ୍‌‌ ନାଥୁରମ ଗୋଡ଼ସେ ଆଣ୍ଡ ହିଜ ଆଇଡିଆ ଅଫ ଇଣ୍ଡିଆ’ରେ ୩୦ ଜାନୁଆରୀ ୧୯୪୮ର ପ୍ରାର୍ଥନା ସଭା ଓ ଗାନ୍ଧୀ ହତ୍ୟାକାଣ୍ଡକୁ ନେଇ ଏକ ସଂକ୍ଷିପ୍ତ ବିବରଣୀ ଅଛି। ହର୍ବର୍ଟ ରେନର୍‌‌ ଜୁନିଅର ଥିଲେ ଯୁକ୍ତରାଷ୍ଟ୍ର ଦୂତାବାସର ଜଣେ ଯୁବ ଅଧିକାରୀ। ସେ ତାଙ୍କ ମାଆଙ୍କ ପରାମର୍ଶରେ ଗାନ୍ଧିଜୀଙ୍କ ପ୍ରାର୍ଥନା ସଭାକୁ ଆସିଥିଲେ। ସେଦିନ ଏମିତି କିଛି ଘଟିବ ବୋଲି ରେନର୍‌‌ କେବେ କଳ୍ପନା କରିନଥିଲେ। ନିଉୟର୍କ ହେରାଲ୍ଡ ଟ୍ରିବ୍ୟୁନରେ ସେ ଉଲ୍ଲେଖ କରିଛନ୍ତି ଯେ ଗାନ୍ଧୀଙ୍କ ହତ୍ୟା ଦେଖି ପାଖରେ ଥିବା ସମସ୍ତ ଲୋକ ଯେପରି ପକ୍ଷାଘାତ ବା ସ୍ଥାଣୁ ଭଳି ଛିଡ଼ା ହୋଇଥିଲେ। ବିରଳା ଭବନର ମାଳି ରଘୁନାଥ ନାୟକ ଆକ୍ରମଣକାରୀ ନାଥୁରାମର ମୁଣ୍ଡକୁ ଖୁରପାରେ ଆଘାତ ଦେଲେ। ଗୋଡ଼ସେ ଓ ରଘୁନାଥଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏହା ନିର୍ଣ୍ଣାୟକ ଥିଲା। ହର୍ବର୍ଟ ରେନର୍‌‌ ମଧ୍ୟ ରଘୁନାଥଙ୍କୁ ସହାୟତା କରିଥିଲେ ଓ ନାଥୁରମର କାନ୍ଧକୁ ଜାବୁଡ଼ି ଧରିଥିଲେ। ଓଡ଼ିଶାର ବିଶିଷ୍ଟ ଗାନ୍ଧିବାଦୀ ଲେଖକ ଗୌରାଙ୍ଗ ପରିଡ଼ାଙ୍କ ପୁସ୍ତକ ‘ଗାନ୍ଧୀ ମହାତ୍ମା’ରେ ଉଲ୍ଲେଖ ଅଛି ଯେ ରଘୁନାଥ ଓରଫ ରଘୁମାଳି ଘାସକଟା ଛୁରୀରେ ନାଥୁରାମକୁ ଆଘାତ ଦେଇ କାବୁ କରି ନେଇଥିଲେ। ପ୍ୟାରେଲାଲ ନାୟରଙ୍କ ‘ଗାନ୍ଧୀ ଦି ଲାଷ୍ଟ ଫେଜ’ ଓ ତୁଷାର ଗାନ୍ଧୀଙ୍କ ‘ଲେଟ ଅସ କିଲ ଗାନ୍ଧୀ’ରେ ମଧ୍ୟ ଅଜ୍ଞାତ ଓଡ଼ିଆ ବୀର ରଘୁନାଥ ନାୟକଙ୍କ ସାହସିକତା ବିଷୟରେ ବର୍ଣ୍ଣନା ଅଛି।

ରଘୁନାଥ ବିରଳା ଭବନରେ ବଗିଚା କଥା ବୁଝିବା ସହିତ ଗାନ୍ଧିଜୀଙ୍କୁ ଛେଳି କ୍ଷୀର ଦେବା ଓ ଗାନ୍ଧୀ ରହୁଥିବା କୋଠରିର ଦେଖାଶୁଣା କରିବା ଦାୟିତ୍ୱ ନିର୍ବାହ କରୁଥିଲେ। ରଘୁନାଥ ସବୁବେଳେ ଗାନ୍ଧୀଙ୍କ କଥା କହୁଥିଲେ ଓ ସେ ଗାନ୍ଧୀ ବିଚାରରେ ଖୁବ ପ୍ରଭାବିତ ଥିଲେ ବୋଲି ରଘୁନାଥଙ୍କ ସ୍ତ୍ରୀ ମନ୍ଦୋଦରୀ କହୁଥିଲେ। ଏପରିକି ପ୍ରତି ବର୍ଷ ଜାନୁଆରୀ ୩୦ ଓ ଅକ୍ଟୋବେର ୨ ତାରିଖରେ ଗାନ୍ଧୀଙ୍କ ସ୍ମୃତିରେ ରଘୁନାଥ ପ୍ରାର୍ଥନା ସଭା ଆୟୋଜନ କରୁଥିଲେ ଓ ପ୍ରାୟ ଅଧ ଘଣ୍ଟା ଧରି ନିଜେ ପ୍ରାର୍ଥନା କରୁଥିଲେ। ଗାନ୍ଧିଜୀଙ୍କ ଦେହାନ୍ତ ପରେ ମଧ୍ୟ ରଘୁନାଥ ବିରଳା ଭବନରେ କାମ କରୁଥିଲେ। ୧୯୭୩ ମସିହାରେ ସେ ଅବସର ନେଲେ ଏବଂ ସ୍ତ୍ରୀ, ତିନି ଝିଅ ଓ ଏକମାତ୍ର ପୁଅକୁ ନେଇ ନିଜ ଘରକୁ ଫେରିଲେ। ପେନସନ ଥିଲା ମାସିକ ୨୫ ଟଙ୍କା ଥିଲା, ଯାହା ପରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବଢ଼଼ିଥିଲା। ଶେଷ ସମୟ ରଘୁନାଥ ପାଇଁ ସେମିତି କିଛି ଭଲ ନଥିଲା। ୧୯୮୩ ମସିହାରେ ତାଙ୍କ ଦେହାନ୍ତ ହୋଇଥିଲା।

ରଘୁନାଥ ନିଜ ବୀରତ୍ୱ ପାଇଁ ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ରଘୁନାଥଙ୍କ ପରିବାରର ଆର୍ଥିକ ଅବସ୍ଥାକୁ ଦେଖି ୧୯୯୭ ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୧୦,୦୦୦ ଟଙ୍କାର ଏକକାଳୀନ ସହାୟତା ଘୋଷଣା କରିଥିଲେ। ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଘୁନାଥଙ୍କ ପରିବାରକୁ ୩୦,୦୦୦ ଟଙ୍କା ଏବଂ ମାସିକ ୫୦୦ ଟଙ୍କା ଭତ୍ତା ଘୋଷଣା କରିଥିଲେ ଏବଂ୨୦୧୬ ମସିହାରେ ପୁଣିଥରେ ୫ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଥିଲେ।

ରଘୁନାଥ ନାୟକ ଅଜାଣତରେ ଇତିହାସ ତିଆରି କରିଥିଲେ। ସମୟ ଆସିଛି ରଘୁନାଥଙ୍କୁ ନେଇ ଗର୍ବ କରିବା ପାଇଁ। ଜାଗୁଳେଇପଡ଼ାରେ ରଘୁନାଥଙ୍କ ପ୍ରତମୂର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ସେ ସେଠି ସୀମିତ ନୁହନ୍ତି, ସେ ସମଗ୍ର ଓଡ଼ିଶାର। ରଘୁନାଥଙ୍କ ବୀରତ୍ୱର କଥା ପାଠ୍ୟକ୍ରମରେ ସାମିଲ ହେବା ଦରକାର। ରଘୁନାଥ ନାୟକ ଓଡ଼ିଶା ମାଟିର କୀର୍ତ୍ତି ଅବିଦିତ ନାୟକ ହୋଇ ରହି ନ ଯାଆନ୍ତୁ।

ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର