‘ପାଣି’ର ଧର୍ମଭେଦ

The Sakala Picture
Published On

୧୯୨୯ ମସିହାରେ ତତ୍‌‌କାଳୀନ ବ୍ରିଟିଶ୍‌‌ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଲୁଧିଆନା ସହରର ରେଲୱେ ଫ୍ଲାଟଫର୍ମରେ ଦୁଇଟି ପାଣିପାତ୍ର ରଖି ଦିଆଗଲା। ଗୋଟିଏ ଥିଲା ‘ହିନ୍ଦୁ ପାଣି’ ପାତ୍ର, ଅନ୍ୟଟି ଥିଲା ‘ମୁସଲମାନ ପାଣି’ ପାତ୍ର। ଦୀର୍ଘବର୍ଷ ଧରି ଭାରତୀୟ ସମାଜକୁ ଜାତି, ଧର୍ମ ଆଧାରରେ ବିଭାଜିତ କରିଚାଲିଥିବା ଔପନିବେଶିକ ସରକାରର ଏହା ଥିଲା ଅନ୍ୟତମ କୂଟଚକ୍ରାନ୍ତ। ସେତେବେଳର ରୁଢ଼ିବାଦୀ, ରକ୍ଷଣଶୀଳ ଭାରତୀୟମାନଙ୍କ ସଂକୀର୍ଣ୍ଣ ଧର୍ମାନ୍ଧ ଭାବନାକୁ ଏହିପରି ଭାବରେ ଅତିସଂକ୍ରାମକ କରିବାର ମସୁଧାଟିଏ ଥିଲା ଏହା। ମାତ୍ର […]

୧୯୨୯ ମସିହାରେ ତତ୍‌‌କାଳୀନ ବ୍ରିଟିଶ୍‌‌ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଲୁଧିଆନା ସହରର ରେଲୱେ ଫ୍ଲାଟଫର୍ମରେ ଦୁଇଟି ପାଣିପାତ୍ର ରଖି ଦିଆଗଲା। ଗୋଟିଏ ଥିଲା ‘ହିନ୍ଦୁ ପାଣି’ ପାତ୍ର, ଅନ୍ୟଟି ଥିଲା ‘ମୁସଲମାନ ପାଣି’ ପାତ୍ର। ଦୀର୍ଘବର୍ଷ ଧରି ଭାରତୀୟ ସମାଜକୁ ଜାତି, ଧର୍ମ ଆଧାରରେ ବିଭାଜିତ କରିଚାଲିଥିବା ଔପନିବେଶିକ ସରକାରର ଏହା ଥିଲା ଅନ୍ୟତମ କୂଟଚକ୍ରାନ୍ତ। ସେତେବେଳର ରୁଢ଼ିବାଦୀ, ରକ୍ଷଣଶୀଳ ଭାରତୀୟମାନଙ୍କ ସଂକୀର୍ଣ୍ଣ ଧର୍ମାନ୍ଧ ଭାବନାକୁ ଏହିପରି ଭାବରେ ଅତିସଂକ୍ରାମକ କରିବାର ମସୁଧାଟିଏ ଥିଲା ଏହା। ମାତ୍ର ଏହି ସରକାରୀ ଚକ୍ରାନ୍ତ ବିରୋଧରେ ସବୁଠାରୁ ତୀବ୍ର ଓ ପ୍ରଭାବଶାଳୀ ସ୍ୱର ଥିଲା ସଂସ୍କାରକ ତଥା ଜାତୀୟତାବାଦୀ ନେତା ମୌଲାନା ହବିବ୍‌‌-ଉର୍‌‌-ରହେମାନଙ୍କର। ଲୁଧିଆନାର ବ୍ରିଟିଶ୍‌‌ କର୍ତ୍ତୃପକ୍ଷ ବାଧ୍ୟ ହେଲେ ପ୍ଲାଟଫର୍ମରୁ ବିଭାଜିତ ପାଣି ପାତ୍ରକୁ ହଟାଇ ନେବାକୁ। ଏଣିକି ଗୋଟିଏ ମାତ୍ର ବୃହତ୍‌‌ ପାଣି ପାତ୍ରଟିଏ ରଖାଗଲା ଓ ସେହି ପାତ୍ରର ପୃଷ୍ଠଦେଶରେ ଲେଖି ଦିଆଗଲା, ‘ସବ୍‌‌କା ପାନି ଏକ୍‌‌ ହୈ’।

ତେବେ, ଲୁଧିଆନା ପ୍ଲାଟଫର୍ମରୁ ଏ ଇଂରେଜୀ କାରନାମାର ଅନ୍ତ ଘଟିଥିଲେ ବି ଭାରତର ଅନ୍ୟାନ୍ୟ ପ୍ଲାଟଫର୍ମ ଓ ଲୋକଗହଳି ସ୍ଥାନମାନଙ୍କରେ ଅନୁରୂପ ଅମାନବୀୟ ବ୍ୟବସ୍ଥା ଜାରି ରହିଥିଲା ବ୍ରିଟିଶ୍‌‌ ସାମ୍ରାଜ୍ୟର ଯବନିକା ପଡ଼ିବା ପର୍ଯ୍ୟନ୍ତ। ୧୯୪୬ ମସିହାରେ ଦିଲ୍ଲୀସ୍ଥିତ ଏକ ଜେଲ୍‌‌ଖାନାରେ ସୁଭାଷଙ୍କ ଭାରତୀୟ ଜାତୀୟ ମୁକ୍ତିବାହିନୀ (ଆଇଏନ୍‌‌ଏ)ର ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ବନ୍ଦୀମାନଙ୍କୁ ହିନ୍ଦୁ ଚାହା ଓ ମୁସଲମାନ ଚାହା, ହିନ୍ଦୁ ଭୋଜନ ଓ ମୁସଲମାନ ଭୋଜନ ଦିଆ ହେଉଥିବାର ଅଭିଯୋଗ ଶୁଣି ସତ୍ୟାସତ୍ୟ ବୁଝିବା ପାଇଁ ମହାତ୍ମା ଗାନ୍ଧୀ ଏପ୍ରିଲ ୧୧ ତାରିଖରେ ସେଠାକୁ ଯାଇଥିଲେ। ବନ୍ଦୀ ସୈନିକମାନେ ଗଭୀର କ୍ଷୋଭ ଓ ବେଦନାର ସହ ମହାତ୍ମାଙ୍କୁ କହିଲେ, ‘ବାପୁ! ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ଆମେ ପ୍ରତ୍ୟେକ ମହାଭାରତୀୟତାର ମନ୍ତ୍ରରେ ଦୀକ୍ଷିତ। ଆମେ କେହି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ କି ବୌଦ୍ଧ କି ଜୈନ ନୋହୁଁ, ଆମେ ସଭିଏଁ ଭାରତୀୟ। ବ୍ରିଟିଶ୍‌‌ ଶାସକ ଆମମାନଙ୍କୁ ଜାତି, ଧର୍ମ ଆଧାରରେ ପରସ୍ପରର ବିଦ୍ୱେଷୀ କରିବା ପାଇଁ କିପରି ହୀନଚକ୍ରାନ୍ତ କରିଛନ୍ତି।’ ଗାନ୍ଧିଜୀ ବ୍ୟଥିତ ହେଲେ ମଧ୍ୟ ଟିକିଏ କ୍ଷୁବଧ୍‌‌ ସ୍ୱରରେ ପଚାରିଲେ, ‘ତମେମାନେ ଏ ଅନ୍ୟାୟ, ଅବିଚାରକୁ ନିର୍ବିବାଦରେ ସହ୍ୟ କରୁଛ କାହିଁକି?’ ମାତ୍ର ବନ୍ଦୀମାନଙ୍କ ଉତ୍ତରଟି ଶୁଣି ଖୁବ୍‌‌ ଆମୋଦିତ ହେଲେ ସେ – ‘ବାପୁ! ଆମେ ଆମ ବାଟରେ ଠିକ୍‌‌ ଅଛୁ। ଆମକୁ ଯେତେବେଳେ ହିନ୍ଦୁ ଚାହା ଓ ମୁସଲମାନ ଚାହା ଦିଆଯାଏ, ଆମେ ହିନ୍ଦୁ ଚାହା କପରୁ ଅଧା ମୁସଲମାନ ଚାହା କପରେ ଓ ମୁସଲମାନ ଚାହା କପରୁ ଅଧା ହିନ୍ଦୁ ଚାହା କପରେ ମିଶାଇ ଆନନ୍ଦରେ ପିଇଥାଉ। ଏଇ ବାଟରେ ଆମେ ଆମ ମହାଭାରତୀୟ ଆଦର୍ଶର ଟେକ ରଖିଥାଉ।’

ଭାରତ ସ୍ୱାଧୀନ ହେବାର ଏକ ବର୍ଷ ପୂର୍ବରୁ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ମଧ୍ୟବର୍ତ୍ତୀ ସରକାରରେ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟା ଆସଫ ଅଲ୍ଲୀ ଥିଲେ ରେଳ ପରିବହନ ବିଭାଗର ମନ୍ତ୍ରୀ। ତାଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ହରିଜନ ପତ୍ରିକାରେ ଗାନ୍ଧିଜୀ ‘ହିନ୍ଦୁ ପାଣି ଓ ମୁସଲମାନ ପାଣି’ ବିଷୟରେ ଯାହା ଲେଖିଥିଲେ, ତା’ର ଓଡ଼ିଆ ମର୍ମାନୁବାଦ ଏହିପରି – ଜଣେ ଅଣଭାରତୀୟ ରେଳଯାତ୍ରୀ ଯେତେବେଳେ ଆମ ପ୍ଲାଟଫର୍ମମାନଙ୍କରେ ‘ହିନ୍ଦୁ ପାଣି’ କିମ୍ବା ‘ମୁସଲମାନ’ ପାଣି ପରି କୁହାଟ ଶୁଣେ, ସେ ଆଶ୍ଚର୍ଯ୍ୟଚକିତ ହୋଇଯାଏ…। …ମୁଁ ଆଶା କରିବି ଆମର ରେଳ ବିଭାଗର ଗୁଣୀ ମନ୍ତ୍ରୀ ଆସଫ ଅଲ୍ଲୀ ଏହି ଅମାନବୀୟ ଲଜ୍ଜାଜନକ ବ୍ୟବସ୍ଥାଟି ଯେପରି ସମୂଳେ ଉତ୍ପାଟିତ ହେବ, ସେଥିପାଇଁ ତୁରନ୍ତ ଆଇନଗତ ପଦକ୍ଷେପ ନେବେ।’ ଏହାପରେ ଭାରତର ରେଳ ପ୍ଲାଟଫର୍ମମାନଙ୍କରେ ଆଉ ଏ ପ୍ରକାର ଉଦ୍ଭଟ ଦୃଶ୍ୟ ଦେଖିବାକୁ ମିଳିଲା ନାହିଁ।

ମାତ୍ର ଘୋର ବିଡ଼ମ୍ବନା, ଆଜି ଯେତେବେଳେ ଆମେ ଆମ ଭାରତୀୟ ସଭ୍ୟତା, ସଂସ୍କୃତିର ମହାନତା ସମ୍ପର୍କରେ କହିଚାଲିଛେ, ସେତିକିବେଳେ ଧର୍ମୀୟ ଘୃଣା-ବିଦ୍ୱେଷ ସୃଷ୍ଟିକାରୀ ‘ହିନ୍ଦୁ ପାଣି’, ‘ମୁସଲମାନ ପାଣି’ ଭଳି ଏକ ବ୍ୟବସ୍ଥାର ନବସଂସ୍କରଣଟିଏ ଚାଲୁ କରିବାର ଯୋଜନା କରିଥିଲେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ତଥାକଥିତ ରାଷ୍ଟ୍ରବାଦୀ ସରକାର। ଗଙ୍ଗାନଦୀରୁ ପାଣି ନେଇ ଶିବପୀଠମାନଙ୍କୁ ଯାଉଥିବା କନ୍‌‌ୱାର୍‌‌ ବା କାଉଡ଼ିଆ ଶ୍ରଦ୍ଧାଳୁମାନଙ୍କ ଯାତ୍ରାପଥମାନଙ୍କରେ ଥିବା ସବୁ ଛୋଟବଡ଼ ହୋଟେଲ୍‌‌, ଭୋଜନାଳୟର ମାଲିକମାନେ, ଏପରିକି ରାସ୍ତାକଡ଼ରେ ଠେଲାଗାଡ଼ିମାନଙ୍କରେ ଖାଦ୍ୟ ପାନୀୟ ବିକ୍ରୟ କରୁଥିବା ଗରିବ ଦୋକାନୀମାନେ ସେମାନଙ୍କ ନାମଫଳକ ଝୁଲାଇବାର ନିର୍ଦ୍ଦେଶନାମା ଦିଆଯାଇଥିଲା। ଆମର ସୌଭାଗ୍ୟ, ଉଚ୍ଚତମ ନ୍ୟାୟାଳୟ ଏ ଦୁଇ ସରକାରଙ୍କ ମୁଖ୍ୟମାନଙ୍କର ଉର୍ବର ମସ୍ତିଷ୍କରୁ ବାହାରିଥିବା ଏଭଳି ଚିନ୍ତାର କାର୍ଯ୍ୟାନ୍ୱୟନକୁ ସ୍ଥଗିତ କରିଛନ୍ତି। ହେଲେ ଏ ଯୋଜନା ପଛରେ ଯେଉଁ ପ୍ରେରଣା ଥିଲା ତା’ର ଚେର ଇତିମଧ୍ୟରେ ଆମ ଭିତରେ ଥିବା ଧର୍ମଭୀରୁ, ଧର୍ମାନ୍ଧମାନଙ୍କ ମନରେ ମାଡ଼ି ସାରିବଣି ନିଶ୍ଚୟ। ସହଜେ ତ ଏଇ କିଛିବର୍ଷ ହେଲାଣି ଆମ ଦେଶର ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ସେମାନଙ୍କ ଧର୍ମର ଶୂଚିତା, ପବିତ୍ରତାକୁ ଗୁରୁତ୍ୱ ଦେଇ ମାତ୍ରାଧିକ ରକ୍ଷଣଶୀଳ, ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେଉଥିବା ଦେଖିବାକୁ ମିଳିଛି। ଏମିତି ଏକ ସଂକ୍ରମଣଶୀଳ କାଳଖଣ୍ଡରେ ଉପରୋକ୍ତ ଦୁଇ ସରକାରଙ୍କ ଏହି ପଶ୍ଚାତ୍‌‌ଗାମୀ ଚିନ୍ତାଧାରାର ଯଥାର୍ଥତା ବା ଆବଶ୍ୟକତା ସମ୍ପର୍କରେ ଯଦି କେହି ଯୁକ୍ତି ବାଢୁଥିବେ, ତେବେ ଏଥିରୁ ନିଶ୍ଚୟ ପ୍ରମାଣିତ ହୋଇଯିବ ଯେ ଆମେ ଏବେ ବି ମଧ୍ୟଯୁଗୀୟ କୁସଂସ୍କାର, ଧର୍ମଆଧାରିତ ଭେଦଭାବ ଭାବନାର ଅନ୍ଧାରି ଗହ୍ୱରରେ ରହିଛେ। ଆମ ଚିନ୍ତା ଚେତନାରେ କୌଣସି ପ୍ରକାର ସକାରାତ୍ମକ ପ୍ରଗତିବାଦୀ ବିବର୍ତ୍ତନ ଆଦୌ ହୋଇନାହିଁ।

ଆମ ସନାତନୀ ଭାରତୀୟ ଧର୍ମସଂସ୍କତିର ମୂଳ ଆଦର୍ଶ ‘ବସୁଧୈବ କୁଟୁମ୍ବକମ୍‌‌’ ହୋଇଥିବା ବେଳେ ଆମ ଉପନିଷଦ ପ୍ରତ୍ୟେକ ମନୁଷ୍ୟକୁ ‘ଅମୃତସ୍ୟ ପୁତ୍ରମ୍‌‌’ ବୋଲି ଘୋଷଣା କରିଛି। ସଚରାଚର ସବୁକିଛି ବ୍ରହ୍ମଙ୍କର ପରିପ୍ରକାଶ ବୋଲି ଆମେ ଉଦ୍‌‌ଘୋଷଣା କରୁଥିବା ବେଳେ ଆମେ କାହିଁକି ଯେ ଏତେ ଅନୁଦାର ଓ ଅସହିଷ୍ଣୁ ହୋଇଯାଉଛେ ସେ କଥା ଭାବିଲେ ବିସ୍ମିତ ହେବାକୁ ପଡ଼େ। ବୁଦ୍ଧ, ଗାନ୍ଧୀ, ଶ୍ରୀଅରବିନ୍ଦ, ବିବେକାନନ୍ଦ, ଗୋପବନ୍ଧୁ ବା ମଧୁସୂଦନଙ୍କ ପରି ମହାମାନବମାନଙ୍କ ଦାୟାଦ ଆମେ। ତଥାପି କାହିଁକି ଘୃଣା, ବିଦ୍ୱେଷର ବିଷ ମଞ୍ଜି ବୁଣି ଚାଲିଥିବା ଧର୍ମଗୁରୁମାନଙ୍କ ନିର୍ଦ୍ଦେଶିତ ପଥରେ ଚାଲିବା ପାଇଁ ସଂକ୍ରାମକ ଉତ୍ସାହ ଦେଖାଇ ଚାଲିଛେ ଏହାର ଉତ୍ତର କିଏ ଦେବ? ଆମର ରାଷ୍ଟ୍ରବାଦୀ ସରକାର ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରି ଆମକୁ ସମ୍ବିଧାନର ମୌଳିକ ନୀତି ସମ୍ପର୍କରେ ସଚେତନ କରୁଥିବା ବେଳେ ଆମେ ଭୁଲି ଯାଉଛେ ଯେ ସମସ୍ତପ୍ରକାର ବିଦ୍ୱେଷ ଭାବପୂର୍ଣ୍ଣ ଜାବନଧାରା ପରିତ୍ୟାଗ କରିବାକୁ, ସମସ୍ତ ପ୍ରକାର ସ୍ପର୍ଶଭାବନା, ଭେଦଭାବନା ପରିତ୍ୟାଗ କରିବାକୁ ସେହି ସମ୍ବିଧାନ ଆମକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି।

ବିଧର୍ମୀମାନଙ୍କ ହାତରୁ ଖାଦ୍ୟ ବା ପାନୀୟ ଗ୍ରହଣ କରି କିମ୍ବା କୌଣସି ନିମ୍ନଜାତିର ଲୋକଙ୍କ ସଂସ୍ପର୍ଶରେ ଆସି କନ୍‌‌ୱାର ଓ କାଉଡ଼ିଆ ଶୈବଶ୍ରଦ୍ଧାଳୁଙ୍କ ଧର୍ମ ଯେପରି ବିନଷ୍ଟ ନ ହୁଏ ସେଥିପାଇଁ ସେମାନଙ୍କ ଯାତ୍ରାପଥ ପାଇଁ ଏ ପ୍ରକାର ନିର୍ଦ୍ଦେଶନାମା ପରିକଳ୍ପନା ଯିଏ କରିଥିଲେ ସେମାନଙ୍କୁ ଏ ଲେଖକ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଅଯୋଧ୍ୟାରୁ ଲଙ୍କା ପର୍ଯ୍ୟନ୍ତ ସେ ପବିତ୍ରତମ ଯାତ୍ରାପଥ କଥା ସ୍ମରଣ କରାଇ ଦେବାକୁ ଚାହେଁ। ଶ୍ରୀରାମ ସେହି ଯାତ୍ରାପଥରେ ବନ୍ଧୁତାର ଡୋରିରେ ବାନ୍ଧିଥିଲେ ନିଷାଦରାଜ ‘ଗୁହ’ଙ୍କୁ, ଆନନ୍ଦରେ ଗ୍ରହଣ କରିଥିଲେ ‘ଶବରୀ’ର ଅଇଁଠାକୋଳି, କୋଳାଗ୍ରତ କରିଥିଲେ ମର୍କଟରାଜ ସୁଗ୍ରୀବଙ୍କୁ, ରାକ୍ଷସକୁଳ ଜନ୍ମିତ ବିଭୀଷଣଙ୍କୁ। ଆର୍ଯ୍ୟ ଶ୍ରୀରାମଙ୍କ ଧର୍ମ ଆଦୌ କ୍ଷୁଣ୍ଣ ହୋଇ ନ ଥିଲା ଅନାର୍ଯ୍ୟମାନଙ୍କ ସଂସ୍ପର୍ଶରେ ଆସି। ଆଜି ଆମେ ଶ୍ରୀରାମଙ୍କ ରାମରାଜ୍ୟ କଥା କହୁଛେ। ଶ୍ରୀରାମଙ୍କ ଆଦର୍ଶ, ମୂଲ୍ୟବୋଧକୁ ପୁନଃପ୍ରତିଷ୍ଠା ପାଇଁ ନାନା ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରିଚାଲିଛେ। ଅଥଚ ଶ୍ରୀରାମଙ୍କ ସେ ମହିମ୍ନ ଯାତ୍ରାପଥର ସନ୍ଦେଶକୁ ଭୁଲିଯାଇଛେ।

ଶ୍ରୀରାମଙ୍କ ଯାତ୍ରାପଥ ଆମକୁ ପ୍ରକୃତ ଶ୍ରଦ୍ଧା, ଭକ୍ତି, ପ୍ରକୃତ ମାନବିକତାର ଚିରନ୍ତନୀ ବାଣୀ ଶୁଣାଇଥାଏ। ଶୁଣାଇଥାଏ ସମତା, ଭ୍ରାତୃତ୍ୱବାଦ, ଉଦାରମାନବିକ ଅନ୍ତରଙ୍କତାର ସନାତନୀ ବାଣୀ। ଆମେ ତେଣୁ ନିଶ୍ଚୟ ଆଶା କରିବା, ଆମର ଭକ୍ତ, ଶୈବଶ୍ରଦ୍ଧାଳୁ, ଧର୍ମର ଧ୍ୱଜାକୁ ସଗର୍ବେ ଉତ୍ତୋଳିତ କରୁଥିବା ରାଜନେତାମାନେ ଆପଣା ଆପଣାର ଚିନ୍ତାଚେଚତନାକୁ ଶୁଦ୍ଧ, ଆଲୋକିତ କରିବାକୁ ପ୍ରୟାସ ଆରମ୍ଭ କରିବେ। ମାନବଜୀବନର ପ୍ରତିଟି ଯାତ୍ରାପଥରେ ଥିବା ପ୍ରାଚୀରଗୁଡ଼ିକୁ ସବୁଦିନ ପାଇଁ ହଟାଇ ଦେବାକୁ ପବିତ୍ର ପଣ କରିବେ।

ଦୁର୍ଗାପ୍ରସାଦ ଆଚାର୍ଯ୍ୟ
କାଦୁଅପଡ଼ା(ଜଗତସିଂହପୁର)
ମୋ: ୯୮୫୩୩୫୫୧୦୭
(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)

10 Aug 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର