ଶିକ୍ଷାରେ ଦୀକ୍ଷାର ମହତ୍ତ୍ବ

The Sakala Picture
Published On

ବେଦର ଏକ ଅଙ୍ଗ ଭାବରେ ଶିକ୍ଷାକୁ ଗ୍ରହଣ କରାଯାଇଛି। ବେଦ ଅଧ୍ୟୟନ ପାଇଁ ଯେଉଁ ଛଅଟି ଅଙ୍ଗର ପ୍ରଣୟନ କରାଯାଇଛି, ତା’କୁ ବେଦାଙ୍ଗ କୁହାଯାଏ। ତା’ ଭିତରୁ ଶିକ୍ଷା ଗୋଟିଏ। ବେଦ ଅଧ୍ୟୟନ ପାଇଁ ଏହି ଶିକ୍ଷା ଏକାନ୍ତ ଆବଶ୍ୟକ। କିନ୍ତୁ କାଳକ୍ରମେ ସାଂସାରିକ ବ୍ୟାବହାରିକ ଜ୍ଞାନ ବା ଦକ୍ଷତା ଆହରଣକୁ ଶିକ୍ଷା ଭାବରେ ଗ୍ରହଣ କରାଗଲା। ଗୁରୁକୁଳରେ ଗୁରୁମାନେ ବେଦ ଶିକ୍ଷା ସହ ଅନ୍ୟାନ୍ୟ ଶିକ୍ଷା ଦେବା ଆରମ୍ଭ କଲେ, ଯାହା ସାମାଜିକ ଦୃଷ୍ଟିରୁ ଆବଶ୍ୟକ […]

ବେଦର ଏକ ଅଙ୍ଗ ଭାବରେ ଶିକ୍ଷାକୁ ଗ୍ରହଣ କରାଯାଇଛି। ବେଦ ଅଧ୍ୟୟନ ପାଇଁ ଯେଉଁ ଛଅଟି ଅଙ୍ଗର ପ୍ରଣୟନ କରାଯାଇଛି, ତା’କୁ ବେଦାଙ୍ଗ କୁହାଯାଏ। ତା’ ଭିତରୁ ଶିକ୍ଷା ଗୋଟିଏ। ବେଦ ଅଧ୍ୟୟନ ପାଇଁ ଏହି ଶିକ୍ଷା ଏକାନ୍ତ ଆବଶ୍ୟକ। କିନ୍ତୁ କାଳକ୍ରମେ ସାଂସାରିକ ବ୍ୟାବହାରିକ ଜ୍ଞାନ ବା ଦକ୍ଷତା ଆହରଣକୁ ଶିକ୍ଷା ଭାବରେ ଗ୍ରହଣ କରାଗଲା। ଗୁରୁକୁଳରେ ଗୁରୁମାନେ ବେଦ ଶିକ୍ଷା ସହ ଅନ୍ୟାନ୍ୟ ଶିକ୍ଷା ଦେବା ଆରମ୍ଭ କଲେ, ଯାହା ସାମାଜିକ ଦୃଷ୍ଟିରୁ ଆବଶ୍ୟକ ଥିଲା। ଏହିଭଳି ଭାବରେ ଗୁରୁକୁଳମାନଙ୍କରେ ବୈଦିକ ଶିକ୍ଷା ଶିଷ୍ୟମାନଙ୍କୁ ଆତ୍ମ୍‌‌ଜ୍ଞାନ ହାସଲ ଦିଗରେ ଉନ୍‌‌ମୁଖ କଲାବେଳେ ବ୍ୟାବହାରିକ ଶିକ୍ଷା ସେମାନଙ୍କୁ ସାଂସାରିକ ଦୃଷ୍ଟିରୁ ସମର୍ଥ କରୁଥିଲା। ଗୁରୁକୁଳରେ ଶିକ୍ଷା ସମାପ୍ତ ହେବା ପରେ ଶିଷ୍ୟମାନଙ୍କୁ ଗୃହସ୍ଥ ଆଶ୍ରମକୁ ପଠାଇବା ପୂର୍ବରୁ ଦୀକ୍ଷାନ୍ତ ଉପଦେଶ ସହ ବିଦାୟ ଦେଉଥିଲେ। ଯଦିଓ ଶିକ୍ଷା ଓ ଦୀକ୍ଷା ଏକ ନିରନ୍ତର ପ୍ରକ୍ରିୟା ଯାହା ଜୀବନବ୍ୟାପୀ ଚାଲେ, ଔପଚାରିକ ଦୃଷ୍ଟିରୁ ଗୁରୁକୁଳରେ ତାହା ଶେଷ ହେଉଥିବାରୁ ତାକୁ ଦୀକ୍ଷାନ୍ତ ବୋଲି କୁହାଯାଉଥିଲା। ଏବେ ମଧ୍ୟ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷା ଶେଷ ହେବା ପରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଛି ଏବଂ ସେଥିରେ ଦୀକ୍ଷାନ୍ତ ଉଦ୍‌‌ବୋଧନ ଦିଆଯାଉଛି।

ଅତୀତରେ ବ୍ୟକ୍ତିତ୍ୱ ନିର୍ମାଣ ଏବଂ ଚରିତ୍ର ଗଠନ ପାଇଁ ଶିକ୍ଷା ଗ୍ରହଣ କରାଯାଉଥିଲା। ଅଧିକାଂଶ ବୃତ୍ତି କୌଳିକ ଥବାରୁ ଶିଷ୍ୟମାନେ ଗୁରୁକୁଳରୁ ଫେରି ଏହି କୌଳିକ ବୃତ୍ତିଗୁଡ଼ିକୁ ଗ୍ରହଣ କରି ଜୀବିକା ନିର୍ବାହ କରୁଥିଲେ। ତେଣୁ ଶିକ୍ଷାଟି ବୃତ୍ତିଭିତ୍ତିକ କିମ୍ବା ଜୀବିକା ଭିତ୍ତିକ ନଥିଲା। ତେଣୁ ବିଦ୍ୟା ସମ୍ପର୍କରେ କୁହାଯାଉଥିଲା- ‘ସା ବିଦ୍ୟା ଯା ବିମୁକ୍ତୟେ’। ଅର୍ଥାତ୍‌‌ ତାହା ହେଉଛି ବିଦ୍ୟା, ଯାହା ମୁକ୍ତ ଉଦ୍ଦେଶ୍ୟରେ ଗ୍ରହଣ କରାଯାଏ। ଚରିତ୍ର ଗଠନ ସମ୍ପର୍କରେ କୁହାଯାଉଥିଲା- ‘ବିଦ୍ୟା ଦଦାତି ବିନୟମ୍‌‌, ବିନୟାତ ଯାତି ପାତ୍ରତାମ୍‌‌’ ଅର୍ଥାତ୍‌‌ ବିଦ୍ୟାଲାଭ ଦ୍ୱାରା ବିନୟ ଗୁଣ ଲାଭ ହୁଏ ଏବଂ ଏହି ବିନୟ ଗୁଣ ଦ୍ୱାରା ମୁକ୍ତି ଲାଭ ପାଇଁ ଯେଉଁ ଈଶ୍ୱର ବା ଗୁରୁକୃପା ଆବଶ୍ୟକ ତାହା ଲାଭ କରିବା ପାଇଁ ଯୋଗ୍ୟତା ବା ପାତ୍ରତା ଆସେ। ବିନା ପାତ୍ରତାରେ ଈଶ୍ୱର କୃପା ଲାଭ ହୁଏ ନାହିଁ କିମ୍ବା ବିନା ଈଶ୍ୱର କୃପାରେ ମୁକ୍ତି ମାର୍ଗ ମିଳେ ନାହିଁ। ମୋଟାମୋଟି ଭାବରେ ଏହା ହିଁ ଥିଲା ଶିକ୍ଷାର ଉଦ୍ଦେଶ୍ୟ, ଯାହା ସହ ଦୀକ୍ଷାଟି ସମନ୍ୱିତ ହୋଇ ରହିଥିଲା।

ଦୀକ୍ଷା ହେଉଛି କିଛି କରିବାର ସଂକଳ୍ପ, ବ୍ରତ ବା ଅଭୀଷ୍ଟ ପ୍ରାପ୍ତି ନିମନ୍ତେ ସଂକଳ୍ପ। ଏଠି ଅଭୀଷ୍ଟ ହେଉଛି ସତ୍ୟର ଉପଲବ୍ଧି, ଯାହାର ଅନ୍ୟନାମ ଈଶ୍ୱର ଉପଲବ୍ଧି। ଗୁରୁ ଏ ଦୀକ୍ଷା ପ୍ରଦାନ କରନ୍ତି, ଦୀକ୍ଷା ଗ୍ରହଣ ପରେ ଗୁରୁଙ୍କ ମାର୍ଗ ଦର୍ଶନରେ ନିଜକୁ ପରିଚାଳିତ କଲେ ଧୀରେ ଧୀରେ ନିଜ ଭିତରେ ସୌଜନ୍ୟ, ବଦାନ୍ୟତା ଏବଂ ଆନୁକୂଲ୍ୟ ବିକଶିତ ହୁଏ। ଏହାକୁ ହିଁ କୁହାଯାଏ ଦକ୍ଷିଣା ବା ଦାକ୍ଷିଣ୍ୟ। ଦକ୍ଷିଣା ଦ୍ୱାରା ଶ୍ରଦ୍ଧା ବା ଯାହାର ଅର୍ଥ ହେଉଛି ଗୁରୁ ଏବଂ ଶାସ୍ତ୍ର ବାକ୍ୟରେ ଦୃଢ଼ ବିଶ୍ୱାସ, ତାହା ଆସେ ଏବଂ ପରିଶେଷରେ ଏ ସବୁର ମିଳିତ ପ୍ରଭାବରେ ସତ୍ୟ ଲାଭ ହୁଏ। ଏହି ସବୁଗୁଡ଼ିକ ମିଳିତ ହେଲେ ତା’କୁ ଦୀକ୍ଷା କୁହାଯାଏ। ଶିକ୍ଷା ସହିତ ଏହା ମିଶି ରହୁଥିଲା ଆମର ପ୍ରାଚୀନ ଶିକ୍ଷା ପଦ୍ଧତିରେ। କିନ୍ତୁ ଆଜିକାଲି ଆମେ ଯେଉଁ ଶିକ୍ଷା ଲାଭ କରୁଛନ୍ତି ତାହା ଏକାନ୍ତ ଭାବେ ଜୀବିକାଭିତ୍ତିକ ହୋଇ ପଡ଼ିଛି ଏବଂ ଏହାର ଯେ ଆମ ଜୀବନରେ ଏକ ମହତ୍ତର ଉଦ୍ଦେଶ୍ୟ ଅଛି, ତାହା ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ଆଦୌ ନାହିଁ ବା ଯାହା ବି ଅଛି ତାହା ଉପରେ କୌଣସି ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ପିଢ଼ି ପରେ ପିଢ଼ି ଏହି ଦୀକ୍ଷା ସମ୍ପର୍କରେ ଜାଣି ପାରୁନାହାନ୍ତି। ଶିକ୍ଷା ଭଳି ଦୀକ୍ଷା ମଧ୍ୟ ଯେ ଜୀବନରେ ସମାନ ଭାବରେ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ, ତାହା ଅଧିକାଂଶ ପିତାମାତା ଏବଂ ସନ୍ତାନ ସନ୍ତତି, ବିଦ୍ୟାୟର ଶିକ୍ଷକଗଣ ମଧ୍ୟ ଜାଣୁନାହାନ୍ତି। ଫଳରେ ପିଲାମାନଙ୍କର ଜୀବନ ଏକପାଖିଆ ହୋଇ ଭୌତିକ ବିକାଶ ଦିଗରେ ଅଗ୍ରଗତି କରୁଛି ସିନା ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନଙ୍କର ବିଶେଷ ପ୍ରଗତି ହେଉନାହିଁ।

ଶିକ୍ଷା ମନୁଷ୍ୟକୁ ଜୀବିକା ଦିଏ, ବୃତ୍ତିଦିଏ, ଜୀବନରେ ବଢ଼଼ିବାର ଦକ୍ଷତା ଦିଏ। ଏହି ଶିକ୍ଷାବଳରେ ମନୁଷ୍ୟ ଜୀବନର ଧନ ସମ୍ପଦ, ପଦ ପଦବୀ, ସମ୍ମାନ ଯଶ ଇତ୍ୟାଦି ଲାଭ କରେ; କିନ୍ତୁ ଜୀବନର ଲକ୍ଷ୍ୟ ପାଖରେ ପହଞ୍ଚି ପାରେ ନାହିଁ। ଜୀବନର ପ୍ରକୃତ ଲକ୍ଷ୍ୟ ପାଖରେ ପହଞ୍ଚିବା ପାଇଁ ଦୀକ୍ଷାର ଏକାନ୍ତ ପ୍ରୟୋଜନ। ଜୀବନରେ ସଫଳତା ପାଇଁ ଶିକ୍ଷା ଯେପରି ପ୍ରୟୋଜନ, ଜୀବନର ପ୍ରକୃତ ଲକ୍ଷ୍ୟ ହାସଲ ପାଇଁ ଦୀକ୍ଷା ମଧ୍ୟ ସେପରି ଏକାନ୍ତ ପ୍ରୟୋଜନ। ଏ ସମ୍ପର୍କରେ ଆମର ପ୍ରିୟ ଠାକୁର ଶ୍ରୀନିଗମାନନ୍ଦ କହିଛନ୍ତି- ଦୀକ୍ଷା ମଧ୍ୟ ଆମ ହିନ୍ଦୁମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଉଛି। ଅନୁରାଗ ଥାଉ ବା ନଥାଉ, ସମସ୍ତଙ୍କୁ ଦୀକ୍ଷା ନେବାକୁ ହେବ। ଆଚାର୍ଯ୍ୟଗୁରୁ ଦୀକ୍ଷା ଦେଇ କେତେଗୁଡ଼ିଏ ବିଧି-ନିଷେଧ ପାଳନ କରନ୍ତି ଏବଂ ଗୋଟିଏ ନାମ ରୂପ ଧରାଇଦେଇ ତାହାର କିଛି ସାଧନ ଭଜନ ଦିଅନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଧନ ଭଜନ କରୁ କରୁ ଯେତେବେଳେ ଚିତ୍ତ ଶୁଦ୍ଧି ହୁଏ ସେତେବେଳେ ସତ୍ୟଲାଭ ପାଇଁ ପ୍ରବଳ ଅନୁରାଗ ଜନ୍ମେ। ଅନୁରାଗ ପ୍ରବଳ ହେଲେ ହେଁ ସଦ୍‌‌ଗୁରୁଙ୍କ ଦର୍ଶନ ମିଳେ। ସଦ୍‌‌ଗୁରୁ ସେତେବେଳେ କୃପା କରି ତାର ଅଜ୍ଞାନ ଅନ୍ଧକାର ଦୂର କରିଦିଅନ୍ତି ଓ ଜ୍ଞାନାଲୋକରେ ତାର ହୃଦୟ ଉଦ୍‌‌ଭାସିତ କରନ୍ତି। ଆମର ସଦ୍‌‌ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ଦୀକ୍ଷା ସମ୍ପର୍କରେ କହନ୍ତି- ‘ଜଣେ ଦୀକ୍ଷା ନ ନେଇପାରେ, କିନ୍ତୁ ନେଲେ ଭଲ। ଦୀକ୍ଷା ହେଉଛି ଏକ ଆଧ୍ୟାତ୍ମିକ ଧାରାକୁ ସ୍ୱୀକାର କରିବାର ଅଙ୍ଗୀକାର। ଏକ ଶୃୃଙ୍ଖଳା। ଦୀକ୍ଷା ଗ୍ରହଣ ଦ୍ୱାରା ନିଶ୍ଚିତ ଭାବରେ ଲାଭ ହୁଏ। ଏ ଲାଭର ପ୍ରମାଣ ହେଉଛି ଦୀକ୍ଷା ଉପରାନ୍ତ ଉପଲବ୍ଧି। ଲୋକଚାର ଦୃଷ୍ଟିରୁ ନୁହେଁ, ବରଂ ମାନସିକ ଦୃଷ୍ଟିରୁ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରି ସଦ୍‌‌ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ଏହାର ଫଳ ଲାଭ ହୁଏ।’ ଗୁରୁଦେବ ଥିଲେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମୃତ୍ତିକା ବିଜ୍ଞାନୀ। ବିଜ୍ଞାନକୁ ସେ ଟିକିନିଖି ବୁଝିଥିଲେ। ଆଧ୍ୟାତ୍ମକୁ ମଧ୍ୟ ମର୍ମେ ମର୍ମେ ଉପଲବ୍‌‌ଧି କରିଥିଲେ। ନିଜେ ଅତି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଦୀକ୍ଷାକୁ ସେ ଖୁବ୍‌‌ ମହତ୍ତ୍ୱ ଦେଉଥିଲେ।

ଖାଲି ଦୀକ୍ଷା ଗ୍ରହଣ କରିଦେଲେ ହେବ ନାହିଁ, ଏହା ଉପରାନ୍ତ ଆମକୁ ଛଅଟି କଥାକୁ ସ୍ମରଣ ଏବଂ ପାଳନ କରିବାକୁ ହେବ। ସେଥିରୁ ପ୍ରଥମଟି ହେଲା ଆହାର ଶୁଦ୍ଧି। ଏହା ହେଲା ପରିମିତ ପରିମାଣର ଏପରି ଖାଦ୍ୟ ଆମେ ଗ୍ରହଣ କରିବା ଯାହା ଆମ ଦେହ-ମନକୁ ପୁଷ୍ଟ କରିବ। ଲୋଭରେ ପଡ଼ି ଆମେ ଖାଦ୍ୟ ଗ୍ରହଣ କରିବା ନାହିଁ, ଈଶ୍ୱର ଭାବନାରେ ଆମ ମନକୁ ଲଗାଇବା ପାଇଁ ଆମ ଖାଦ୍ୟ ଯେପରି ବାଧକ ନ ହୁଏ, ତାହା ଆମକୁ ଦେଖିବାକୁ ପଡ଼ିବ। ଦ୍ୱିତୀୟଟି ହେଲା ଆଚରଣ ଶୁଦ୍ଧି। ଏହା ଭିତରେ ହିଁ ଅବଶିଷ୍ଟ ପାଞ୍ଚଟି କଥା ରହିଛନ୍ତି। ଆମେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା। କାହାପ୍ରତି କାୟ, ମନ, ବାକ୍ୟରେ ହିଂସା ଆଚରଣ କରିବା ନାହିଁ। ତୃତୀୟଟି ହେଲା ସବୁବେଳେ ସତ୍ୟକୁ ଧରି ରଖିବା। କାରଣ ସତ୍ୟ ହିଁ ଭଗବାନ। ଶ୍ରୀରାମକୃଷ୍ଣ କହିଛନ୍ତି- ‘ଯିଏ ସତ୍ୟକୁ ଧରିଥାଏ ସେ ଭଗବାନଙ୍କ କୋଳରେ ବସିଥାଏ। ସତ୍ୟକଥା ହେଉଛି କଳି ଯୁଗର ତପସ୍ୟା’। ସତ୍ୟରେ ଚାଲିବା ପାଇଁ ଆମକୁ କଷ୍ଟ ହୋଇପାରେ, ଆମକୁ ବହୁ ତ୍ୟାଗ ସ୍ୱୀକାର କରିବାକୁ ହୋଇପାରେ; କିନ୍ତୁ ମନେ ରଖିବାକୁ ହେବ, ତାହା ହିଁ ପନ୍ଥା। ଚତୁର୍ଥଟି ହେଲା ଠକାମି, ଅନ୍ୟାୟରେ ଆମେ କାହାଠାରୁ କିଛି ଗ୍ରହଣ କରିବା ନାହିଁ। କାହାକୁ ଠକାଇବା ନାହିଁ। ଏହା କଲା ମାନେ ଆମେ ସତ୍ୟଭ୍ରଷ୍ଟ ହେବା। ପଞ୍ଚମଟି ହେଲା ସମସ୍ତ ଇନ୍ଦ୍ରିୟଙ୍କୁ ଆମ ଆୟତ୍ତରେ ରଖିବାକୁ ହେବ। ସେମାନେ ଆମ ଦ୍ୱାରା ଚାଳିତ ହୁଅନ୍ତୁ। ଆମେ ସେମାନଙ୍କ ଦ୍ୱାରା ଚାଳିତ ହେବା ନାହିଁ। ସାଧନା ପଥରେ ଏହା ଅତ୍ୟନ୍ତ ପ୍ରୟୋଜନ। ଷଷ୍ଠ ଏବଂ ଶେଷ ସାଧନଟି ହେଲା ସର୍ବଦା ଦୂରତା ରଖିବା ଯେ ଈଶ୍ୱରଙ୍କୁ ଲାଭ କରିବା ପାଇଁ ଆମେ ଜୀବନ ଲାଭ କରିଛୁ। ଭୋଗ ବିଳାସ ଆମର ଉଦ୍ଦେଶ୍ୟ ନୁହେଁ। ତେଣୁ ଆମର ଜୀବନ ଯାପନ ଯେତେ ସରଳ, ସହଜ ଓ ସ୍ୱାଭାବିକ ହୋଇପାରିବ, ସେ ଦିଗରେ ଆମର ଚେଷ୍ଟା ରହିବା ଦରକାର। ଖାଇବା, ରହିବା, ପିନ୍ଧିବା ଇତ୍ୟାଦି ଯେତେ ସରଳ ହୋଇପାରିବ, ସେତେ ଭଲ। ଆମର ଲକ୍ଷ୍ୟ ହେବା ଉଚିତ ଯେ ଆମେ କେତେ କମ୍‌‌ ବସ୍ତୁ ବ୍ୟବହାର କରି ସନ୍ତୁଷ୍ଟ ରହି ପାରୁଛୁ।

ଉପରୋକ୍ତ ଆଚରଣ ଶୁଦ୍ଧିଗୁଡ଼ିକ ଦୀକ୍ଷାର ପରିପୂରକ ହୋଇ ଦୀକ୍ଷାର ଫଳପ୍ରାପ୍ତିକୁ ତ୍ୱରାନ୍ୱିତ କରାନ୍ତି। ତେଣୁ ଦୀକ୍ଷା ସହିତ ଏଗୁଡ଼ିକ ନିତାନ୍ତ ପକ୍ଷରେ ଚାଲିବାକୁ ପଡ଼ିବ। ଅନ୍ୟଥା କେବଳ ଦୀକ୍ଷା ଗ୍ରହଣ କରିଦେଇ ଜୀବନ ଯେପରି ଚାଲିଥିଲା, ସେପରି ଚଲାଇଲେ ଦୀକ୍ଷାର କିଛି ଫଳ ହୁଏ ନାହିଁ। ଅନେକ ଉଚ୍ଚଶିକ୍ଷିତ ତାଙ୍କ ଶିକ୍ଷାକୁ ନେଇ ଅହଂକାରୀ ହୋଇପଡ଼ନ୍ତି। ଏହାର ଅର୍ଥ ହେଲା ଶିକ୍ଷା ତାଙ୍କୁ ସାମାଜିକ ଦୃଷ୍ଟିରୁ ଉଚ୍ଚ କରିଦେଲା। କିନ୍ତୁ ତାଙ୍କୁ ଜୀବନର ଅସଲ ଲକ୍ଷ୍ୟପଥରୁ ବିଚ୍ୟୁତ କରିଦେଲା। ଦୀକ୍ଷା ଗ୍ରହଣ ଫଳରେ ଏ ଉଚ୍ଚ ଶିକ୍ଷା, ଉଚ୍ଚ ସ୍ଥାନ ଜନିତ ଅହଂକାରର ବିନାଶ ଘଟେ। ସାମ୍ପ୍ରତିକ ସମୟରେ ଆମେ ଏବଂ ଆମର ଶିକ୍ଷା ବ୍ୟବସ୍ଥା କେବଳ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଚାଲିଛି। ଦୀକ୍ଷା ପ୍ରତି ଆମର ଦୃଷ୍ଟି ନାହିଁ ଏବଂ ଶିକ୍ଷା ପରି ଜୀବନରେ ଦୀକ୍ଷାର ମଧ୍ୟ ଯେ ଆବଶ୍ୟକତା ଅଛି ଏବଂ ଏହା ନହେଲେ ଆମ ଜୀବନର ସନ୍ତୁଳନ ନଷ୍ଟ ହୋଇଯିବ, ଏକଥା କେହି ଭାବୁନାହାନ୍ତି। ଉଚ୍ଚ ଶିକ୍ଷା ପାଇଁ ଆମେ ଯେପରି ବାଛି ବାଛି ଭଲ ସ୍କୁଲ୍‌‌କୁ ଯାଉଛୁ, ସେହିପରି ଦୀକ୍ଷା ଗ୍ରହଣ ପାଇଁ ଉପଯୁକ୍ତ ଗୁରୁଙ୍କ ନିକଟକୁ ମଧ୍ୟ ଯିବା ଆବଶ୍ୟକ। କୁହାଯାଏ ଯେ ଜୀବନରେ ଦୀକ୍ଷା ଗ୍ରହଣ କରିବା ପାଇଁ ପ୍ରାଣରେ ବ୍ୟାକୁଳତା ଜାଗିଲେ ସଦ୍‌‌ଗୁରୁ ସ୍ୱତଃ ପ୍ରାପ୍ତ ହୁଅନ୍ତି, ଯାହାଙ୍କ ଦର୍ଶନ ମାତ୍ରେ ବ୍ୟକ୍ତି ବିଭୋର ହୋଇଯାଇ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରି ତାଙ୍କର ଆଶ୍ରିତ ହୋଇଯାଏ। ତା’ପରେ ତା’ର ବିଚାର, ଆଚାର ଭଲ ଦିଗରେ ବଦଳି ଯାଏ ଏବଂ ସେ ନିଜ ଭିତରେ ଅନୁଭବ କରେ ଏକ ଉଦ୍‌‌ଭାସନ। ମୋଟ୍‌‌ ଉପରେ କହିଲେ ଏହା ହିଁ ଦୀକ୍ଷାର ମହତ୍ତ୍ୱ।

ଡ. ଶାନ୍ତନୁ କୁମାର ରଥ
ଭୁବନେଶ୍ୱର, ମୋ: ୯୪୩୭୨୨୮୭୭୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର