ବିଜ୍ଞାନ ଓ ବିଶ୍ୱାସର ସମନ୍ୱୟ
ଗତ ମାସ ୨୩ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଉତ୍କ୍ଷେପଣ କରିଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳ ମୃଦୁ ଅବତରଣ କରିଥିଲା। ‘ସଫ୍ଟଲ୍ୟାଣ୍ଡିଂ’ର କିଛି ଘଣ୍ଟା ପରେ ରୋଭର ‘ପ୍ରଜ୍ଞାନ’ ଲ୍ୟାଣ୍ଡରରୁ ବାହାରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଗତିଶୀଳ ହେଲା ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ସହିତ ଚନ୍ଦ୍ରପୃଷ୍ଠର ଫଟୋଚିତ୍ର ଖୁବ୍ ନିକଟରୁ ଉତ୍ତୋଳନ କରି ପ୍ରେରିତ କଲା। ଏହି ସଫଳତାର ୪ ଦିନ ପରେ ଅଗଷ୍ଟ ୨୭ […]
ଗତ ମାସ ୨୩ ତାରିଖରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ଉତ୍କ୍ଷେପଣ କରିଥିବା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳ ମୃଦୁ ଅବତରଣ କରିଥିଲା। ‘ସଫ୍ଟଲ୍ୟାଣ୍ଡିଂ’ର କିଛି ଘଣ୍ଟା ପରେ ରୋଭର ‘ପ୍ରଜ୍ଞାନ’ ଲ୍ୟାଣ୍ଡରରୁ ବାହାରି ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ଗତିଶୀଳ ହେଲା ଓ ଆବଶ୍ୟକୀୟ ତଥ୍ୟ ସଂଗ୍ରହ ସହିତ ଚନ୍ଦ୍ରପୃଷ୍ଠର ଫଟୋଚିତ୍ର ଖୁବ୍ ନିକଟରୁ ଉତ୍ତୋଳନ କରି ପ୍ରେରିତ କଲା। ଏହି ସଫଳତାର ୪ ଦିନ ପରେ ଅଗଷ୍ଟ ୨୭ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ କେରଳରୁ ଥିରୁଅନନ୍ତପୁରଠାରେ ଥିବା ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପୂର୍ବରୁ ମଧ୍ୟ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩, ଆନ୍ଧ୍ରର ଶ୍ରୀହରିକୋଟା ଉତ୍କ୍ଷେପଣ କେନ୍ଦ୍ରରୁ ଚନ୍ଦ୍ରକୁ ପ୍ରେରିତ ହେବା ପୂର୍ବରୁ ଆନ୍ଧ୍ରର ତିରୁପତି ମନ୍ଦିରକୁ ଯାଇ ଅଭିଯାନର ସଫଳତା କାମନା କରିଥିଲେ। ସେତେବେଳେ ଏହି ଘଟଣା ସେତେଟା ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିନଥିଲା। କିନ୍ତୁ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ କେରଳର ଭଦ୍ରାକାଳୀ ମନ୍ଦିରରେ କରିଥିବା ପୂଜା ବିରୋଧୀ ଦଳ, ହେତୁବାଦୀ ଓ ପତ୍ରକାରମାନଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଏହାପୂର୍ବରୁ ବିକ୍ରମ ଲ୍ୟାଣ୍ଡରର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ସ୍ଥାନର ନାମକରଣ, ପ୍ରଧାନମନ୍ତ୍ରୀ ‘ଶିବଶକ୍ତି’ କରିବା ଦ୍ୱାରା ଦେଶରେ ମଧ୍ୟ କିଛିଟା ହଇଚଇ ସୃଷ୍ଟି ହୋଇଥିଲା।
କେରଳର ଭଦ୍ରାକାଳୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜ୍ଞାନର ଜୟଯାତ୍ରା, ବିଜ୍ଞାନର ସଫଳତା ପଛରେ ଧାର୍ମିକ ଆସ୍ଥା, ବିଶ୍ୱାସର କି ସମ୍ପର୍କ ରହିଛି? ଉପସ୍ଥିତ ସାମ୍ବାଦିକମାନଙ୍କର ଏହି ପ୍ରଶ୍ନର ଉତ୍ତର ଡ. ଏସ୍ ସୋମନାଥ ସୁନ୍ଦର ଭାବରେ ଦେଇ କହିଥିଲେ; ବିଜ୍ଞାନକୁ ପ୍ରୟୋଗ କରି ମୁଁ ଅନ୍ତରୀକ୍ଷକୁ ଅନ୍ୱେଷଣ କରୁଛି, ଅନୁସନ୍ଧାନ କରୁଛି, ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରୁଛି, କିନ୍ତୁ ବିଶ୍ୱାସ ଓ ଆସ୍ଥା ମାଧ୍ୟମରେ ମୁଁ ଅନ୍ତରାତ୍ମାର ଅନ୍ୱେଷଣ କରୁଛି। ବିଜ୍ଞାନ ‘ଆଉଟର ସ୍ପେଶ’ ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ବିଶ୍ୱାସ ମୋ ‘ଇନର ସ୍ପେଶ୍’ ପାଇଁ ଅଭିପ୍ରେତ। ସେଥିପାଇଁ ମୁଁ କେବଳ ଆଜି ନୁହେଁ, ଅନେକ ସମୟରେ ବିଭିନ୍ନ ଦେବାଦେବୀ ମନ୍ଦିରକୁ ଯାଇ ସେଠି ପୂଜାର୍ଚ୍ଚନା କରେ। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି. ମାଧବନ୍ ନାୟାର (୨୦୦୩-୦୯) ମଧ୍ୟ ସୋମନାଥଙ୍କ ଏହି କଥାକୁ ସ୍ୱୀକାର କରିଛନ୍ତି। ସେ କୁହନ୍ତି ବିଜ୍ଞାନ ଓ ବିଶ୍ୱାସର ସ୍ରୋତ ଭିନ୍ନମୁଖୀ ହୋଇପାରେ, କିନ୍ତୁ ଉତ୍ସ ଏକ ହେବା ବିଚିତ୍ର ନୁହେଁ।
ଏଠି ଆମ ରାଜ୍ୟ ଓଡ଼ିଶା ସହିତ ସମ୍ପର୍କିତ ଅନ୍ୟ ଦୁଇଟି ବିପରୀତଧର୍ମୀ ଚିନ୍ତାଧାରା ମୁଁ ଉଲ୍ଲେଖ କରିବାକୁ ଚାହୁଁଛି। ଅନେକ ନିଶ୍ଚୟ ଆମ ରାଜ୍ୟ କନ୍ଧମାଳ ଜିଲ୍ଲାର ମୁଣ୍ଡ ଯୋଡ଼ି ହୋଇ ଜନ୍ମିଥିବା ଯାଆଁଳା ପିଲା ‘ଜଗା-ବଳିଆ’ଙ୍କ କଥା ଶୁଣିଥିବେ। ପ୍ରଥମ ପର୍ଯ୍ୟାୟରେ ୨୦୧୭ ଅଗଷ୍ଟ ମାସରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଏକ ଅସ୍ତ୍ରୋପଚାର କରାଯାଇଥିଲା। ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟରେ ଅକ୍ଟୋବର ମାସରେ ନ୍ୟୁରୋ ସର୍ଜନମାନଙ୍କ ଦ୍ୱାରା ସେମାନଙ୍କର ମୁଣ୍ଡ ଦୁଇଟି ଅଲଗା କରାଗଲା। ଏମ୍ସର ତତ୍କାଳୀନ ନିର୍ଦ୍ଦେଶକ ଓଡ଼ିଶାର ଡାକ୍ତର ଅଶୋକ କୁମାର ମହାପାତ୍ର ଅସ୍ତ୍ରୋପଚାର ଗୃହରୁ ବାହାରିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଯାଇଥିଲେ। ଡାକ୍ତର ମହାପାତ୍ର କହିଥିଲେ, ଏହା ଏକ ବିରଳ ଓ ଅସାଧାରଣ ଅସ୍ତ୍ରୋପଚାର ଥିଲା। ଅସ୍ତ୍ରୋପଚାର ସଫଳ ହୋଇଛି। ଏଣିକି ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା। ଏହା କହି ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଥିଲେ। ବିଜ୍ଞାନ ଓ ବିଶ୍ୱାସର ସୁସମନ୍ୱୟ। ଦ୍ୱିତୀୟ ଘଟଣାଟି ଭୁବନେଶ୍ୱରର ଏକ ଟିଭି ଷ୍ଟୁଡିଓରେ କିଛିବର୍ଷ ତଳର ଆଲୋଚନା। ଟିଭି ପ୍ରଶ୍ନୋତ୍ତର ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ହେତୁବାଦୀଙ୍କୁ ସେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି କି ନାହିଁ ପଚାରିବାରୁ ଉତ୍ତର ଦେବାକୁ ଯାଇ ଏକ ଉଦାହରଣ ଦେଇ କହିଥିଲେ- ‘ମୋ ସ୍ତ୍ରୀ ଏକ ଦୁରାରୋଗ ବ୍ୟାଧିରେ ପୀଡ଼ିତ ହୋଇ ଗୋଟିଏ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଦିନ ତାଙ୍କର ଅସ୍ତ୍ରୋପଚାର ହେବାର ଥାଏ। ଅସ୍ତ୍ରୋପଚାର ସରିଗଲା ପରେ ଡାକ୍ତର ଅସ୍ତ୍ରୋପଚାର ଗୃହରୁ ବାହାକୁ ଆସିଲେ। ମୁଁ ତାଙ୍କୁ ପଚାରିଲି, ଡାକ୍ତର ମୋ ସ୍ତ୍ରୀ କିପରି ଅଛନ୍ତି? ଡାକ୍ତର ଉତ୍ତର ଦେଲେ ଅସ୍ତ୍ରୋପଚାର୍ ଠିକ୍ ଠାକ୍ ହୋଇଛି। ଏଣିକି ଯାହା ଭଗବାନଙ୍କର ବରାଦ ଥିବ! ମୁଁ ବିଗିଡ଼ିଯାଇ କହିଲି, ଯଦି ସବୁ କିଛି ଭଗବାନଙ୍କ ଉପରେ ନିର୍ଭର କରୁଛି, ତେବେ ମୁଁ ତ ସେଠି ଦଶଟଙ୍କାର ଦୀପଟିଏ ଜାଳି ଦେଇଥା’ନ୍ତି ବା କିଛି ଭୋଗରାଗ କରିଥା’ନ୍ତି। ଏଠି ସାତ, ଆଠ ଲକ୍ଷ ଖର୍ଚ୍ଚ କଲି କାହିଁକି? ବିଜ୍ଞାନ ଓ ବିଶ୍ୱାସ ମଧ୍ୟରେ ପ୍ରଭେଦ ଦେଖାଇବା ପାଇଁ ଅନ୍ୟ ଏକ ଯୁକ୍ତି।
ମନରେ ସ୍ୱାଭାବିକ ପ୍ରଶ୍ନ ଉଠିଥାଏ- ବିଜ୍ଞାନ ଓ ବିଶ୍ୱାସ କ’ଣ ଦୁଇଟି ବିପରୀତଧର୍ମୀ ମତବାଦ? ଅନେକ ଅନେକ ବର୍ଷ ପୂର୍ବରୁ କେବଳ ଦେଖିଲେ ବିଶ୍ୱାସ କରିହେବ- ଏହି ତଥ୍ୟ ବା ଉକ୍ତି ଉପରେ ସେବେକାର ବୈଜ୍ଞାନିକ ଅନୁସନ୍ଧାନ ଆଧାରିତ ଥିଲା। ଏହି କାରଣରୁ ଗଣିତ ବିଶାରଦ ଟଲେସି ଯେତେବେଳେ ବ୍ରହ୍ମାଣ୍ଡ ସମ୍ପର୍କରେ ତାଙ୍କର ଭୂ-କୈନ୍ଦ୍ରିକ ମତବାଦ ବ୍ୟକ୍ତ କରି କହିଲେ, ପୃଥିବୀ ସ୍ଥିର ଅଛି ଏବଂ ଏହା ବିଶ୍ୱ ବ୍ରହ୍ମାଣ୍ଡର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହାକୁ ଘେରି ସୂର୍ଯ୍ୟ, ଚନ୍ଦ୍ର, ତାରକା ଓ ଅନ୍ୟାନ୍ୟ ଗ୍ରହମାନେ ପ୍ରଦକ୍ଷିଣ କରୁଛନ୍ତି। ଏହାକୁ ସମସ୍ତେ ବିଶ୍ୱାସ କଲେ। କାରଣ ସେମାନେ ଦେଖୁଥିଲେ ପୃଥିବୀ ସ୍ଥିର ଅଛି ଏବଂ ସୂର୍ଯ୍ୟ, ଚନ୍ଦ୍ର ଆକାଶରେ ଆତଯାତ ହେଉଛନ୍ତି। ୧୬୦୦ ଖ୍ରୀଷ୍ଟାବ୍ଦ ଯାଏ ଏହି ମତବାଦ ଜାରି ରହିଲା। ୧୬୦୯ ଖ୍ରୀଷ୍ଟାବ୍ଦରେ ଜର୍ମାନ ଜ୍ୟୋତିର୍ବିଦ କେପ୍ଲରଙ୍କର ‘ସୌର କୈନ୍ଦ୍ରିକ’ ମଡେଲ ପ୍ରକାଶ ପାଇଲା ପରେ ଏହି ଧାରଣା ସମ୍ପୂର୍ଣ୍ଣ ବଦଳିଗଲା। ସୌର ମଣ୍ଡଳର କେନ୍ଦ୍ରବିନ୍ଦୁ ସୂର୍ଯ୍ୟ ସ୍ଥିର ଅଛି ଏବଂ ଆମର ପୃଥିବୀ ଓ ଅନ୍ୟାନ୍ୟ ଗ୍ରହ, ନକ୍ଷତ୍ରମାନେ ତା’ ଚାରିପଟେ ଘୂରି ବୁଲୁଛନ୍ତି ବୋଲି ପ୍ରତିପାଦିତ ହେଲା।
ତେଣୁ କେବଳ ଦେଖୁଥିବା ଜିନିଷ ହିଁ ସତ୍ୟ ଏବଂ ତାଙ୍କୁ ବିଶ୍ୱାସ କରାଯାଇ ପାରିବ – ଏ ସିଦ୍ଧାନ୍ତ ମଧ୍ୟ ସବୁବେଳେ ଗ୍ରହଣୀୟ ନୁହେଁ। ଈଶ୍ୱରଙ୍କୁ ଆମେ କେହି ସ୍ୱଚକ୍ଷୁରେ ଦେଖିନାହୁଁ। ଅଥଚ ଈଶ୍ୱରୀୟ ତତ୍ତ୍ୱ ଉପରେ ଆମ୍ଭମାନଙ୍କର ଆଧ୍ୟାତ୍ମିକ ବିଶ୍ୱାସ ଆଧାରିତ। ଏହି ବିଶ୍ୱାସର ଭାବକୁ ଅତୀତରେ ପ୍ରତିଷ୍ଠିତ ବୈଜ୍ଞାନିକମାନେ ମଧ୍ୟ ପ୍ରକାରାନ୍ତରେ ସ୍ୱୀକାର କରିଛନ୍ତି। ସାର୍ ଆଇଜାକ୍ ନିଉଟନ୍ଙ୍କ ମତରେ ସୂର୍ଯ୍ୟ, ଗ୍ରହ ଓ ନକ୍ଷତ୍ରମଣ୍ଡଳ, ଧୂମକେତୁକୁ ନେଇ ଗଠିତ ଏହି ସୁନ୍ଦର ବିଶ୍ୱ ବ୍ରହ୍ମାଣ୍ଡ କୌଣସି ବିଜ୍ଞ ତଥା ଶକ୍ତିଶାଳୀ ସତ୍ତାରୁ ସମ୍ଭୂତ। ସେହି ସର୍ବଶକ୍ତିମାନ ସତ୍ତା ଆଉ କେହି ନୁହନ୍ତି, ଆମ ବିଶ୍ୱାସର ପ୍ରତୀକ ଈଶ୍ୱର। ପ୍ରଖ୍ୟାତ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ ମଧ୍ୟ ମତ ରଖିଥିଲେ, ଏ ସୃଷ୍ଟିର ରହସ୍ୟକୁ ଉନ୍ମୋଚନ କରିବାକୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଅନେକ କିଛି ଅବୁଝା ରହିଯାଉଛି। ଆମର ଜ୍ଞାନ, ବିଜ୍ଞାନର କ୍ଷମତା ବାହାରେ ଯେଉଁ ବଳ କାମ କରୁଛି, ତାହା ହିଁ ଆମର ଧାର୍ମିକ ଆସ୍ଥା ଓ ବିଶ୍ୱାସ।
୨୦୧୨ ମସିହାରେ ‘ହିଗ୍ସ ବୋସନ’ କଣିକା ଆବିଷ୍କାର ହୋଇଥିଲା। ଏହା ଏକ ହିଗ୍ସଙ୍କ କ୍ଷେତ୍ର ସହିତ ସମ୍ପୃକ୍ତ ମୌଳିକ କଣିକା ଏବଂ ସାରା ବ୍ରହ୍ମାଣ୍ଡରେ ବିସ୍ତାରିତ। ଏହି କଣିକା ଆବିଷ୍କାର ହେବା ପରେ ଦୀର୍ଘ ୨୩ ବର୍ଷ ପୂର୍ବରୁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଥିବା ବୈଜ୍ଞାନିକ ଲିଓନ ଏମ୍ ଲେଡରମ୍ୟାନ୍ ଏହାର ନାମକରଣ କଲେ ‘ଈଶ୍ୱର କଣିକା’। ଏହି ମୂଳ କଣିକା, ବିଶ୍ୱ ବ୍ରହ୍ମାଣର ଅଣୁ, ପରମାଣୁକୁ ବସ୍ତୁତ୍ୱ ପ୍ରଦାନ କରିଥାଏ ଏବଂ ଗ୍ରହ, ନକ୍ଷତ୍ର ସୃଷ୍ଟିର କାରକ। ଏହି ଘଟଣା ପରେ ଉଭୟ ବୈଜ୍ଞାନିକ ଓ ଈଶ୍ୱର ବିଶ୍ୱାସୀ ଗୋଷ୍ଠୀ ରୋମାଞ୍ଚିତ ହୋଇ ଉଠିଲେ। ଆସ୍ତିକମାନେ ‘ଈଶ୍ୱର କଣିକା’ରେ ଦେଖୁଥିଲେ ବେଦ ବର୍ଣ୍ଣିତ ‘ବ୍ରହ୍ମକଣ’ ଏବଂ ଦାବି କଲେ ‘ବିଜ୍ଞାନ’ ଓ ‘ବିଶ୍ୱାସ’ ମଧ୍ୟରେ କୌଣସି ବିରୋଧାଭାସ ନାହିଁ। ବିଶ୍ୱାସ ମୂଳେ ଏ ଜଗତ!
ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪