ଓଡ଼ିଶୀ ସଙ୍ଗୀତ ଚର୍ଚ୍ଚା

The Sakala Picture
Published On

ଆଜିକାଲି ଓଡ଼ିଶୀ ସଙ୍ଗୀତ ବିଷୟରେ ଚାରିଆଡ଼େ ଚର୍ଚ୍ଚା ବହୁତ ବଢ଼଼ିଯାଇଛି। ଯେଉଁମାନେ ଏ ବିଷୟରେ କିଛି ବୁଝନ୍ତି ଆଉ ଯେଉଁମାନେ କିଛି ବୁଝନ୍ତିନି, ସମସ୍ତେ ଏବିଷୟରେ ଗଭୀର ଚର୍ଚ୍ଚା କରିବାର ଦେଖି ଖୁସିଲାଗୁଛି। ଯାହା ହଉ ‘ଓଡ଼ିଶୀ ସଙ୍ଗୀତ ‘, ଯାହାକି ଆମ ଓଡ଼ିଶାର ଅନ୍ୟତମ ସାଂସ୍କୃତିକ ପରିଚୟ, ସେ ବିଷୟରେ ଲୋକମାନେ ଆଜିକାଲି ଚର୍ଚ୍ଚା କରିବାକୁ ପସନ୍ଦ କରୁଛନ୍ତି। ମନଟା ଖୁସି ହେଇଯାଏ ଯେ ଯେଉଁ ଲୋକମାନେ ଓଡ଼ିଶୀ ବୋଲି କହିନପାରି, “ଓଡ଼ିଶୀ-ଫୋଡ଼ିଶୀ” ବୋଲି ଖାମଖିଆଲି […]

ଆଜିକାଲି ଓଡ଼ିଶୀ ସଙ୍ଗୀତ ବିଷୟରେ ଚାରିଆଡ଼େ ଚର୍ଚ୍ଚା ବହୁତ ବଢ଼଼ିଯାଇଛି। ଯେଉଁମାନେ ଏ ବିଷୟରେ କିଛି ବୁଝନ୍ତି ଆଉ ଯେଉଁମାନେ କିଛି ବୁଝନ୍ତିନି, ସମସ୍ତେ ଏବିଷୟରେ ଗଭୀର ଚର୍ଚ୍ଚା କରିବାର ଦେଖି ଖୁସିଲାଗୁଛି। ଯାହା ହଉ ‘ଓଡ଼ିଶୀ ସଙ୍ଗୀତ ‘, ଯାହାକି ଆମ ଓଡ଼ିଶାର ଅନ୍ୟତମ ସାଂସ୍କୃତିକ ପରିଚୟ, ସେ ବିଷୟରେ ଲୋକମାନେ ଆଜିକାଲି ଚର୍ଚ୍ଚା କରିବାକୁ ପସନ୍ଦ କରୁଛନ୍ତି। ମନଟା ଖୁସି ହେଇଯାଏ ଯେ ଯେଉଁ ଲୋକମାନେ ଓଡ଼ିଶୀ ବୋଲି କହିନପାରି, “ଓଡ଼ିଶୀ-ଫୋଡ଼ିଶୀ” ବୋଲି ଖାମଖିଆଲି ଭାବରେ ଆଗରୁ କହୁଥିଲେ,, ସେମାନଙ୍କୁ ଏବେ ଓଡ଼ିଶୀ ସଙ୍ଗୀତ ଚିନ୍ତା ବେଶୀ ଘାରିଛି। ମୋଟାମୋଟି ଏହା ଏକ ଶୁଭ ସୂଚନା ଯେ ସମସ୍ତେ ଓଡ଼ିଶୀ ସଙ୍ଗୀତ ବିଷୟରେ ସଚେତନ ହେବାକୁ ଚେଷ୍ଟିତ !

‘ସଙ୍ଗୀତ’ ଏକ ସୀମାହୀନ, ବିଶାଳ ମହାସାଗର। କେବେ ଓ କୋଉଠୁ ତା’ର ସୃଷ୍ଟି, ସେ ବିଷୟରେ ଅନେକ ଐତିହାସିକ କିମ୍ବଦନ୍ତୀ, ପୌରାଣିକ କଥା, ଆଉ ସୁନ୍ଦର ସୁନ୍ଦର ଗପ ରହିଛି। ସୃଷ୍ଟିର ଏତେ ବଡ଼ ଅବଦାନ ‘ସଙ୍ଗୀତ’, ତାହା ବିଷୟରେ ଯେତେ ଲେଖିଲେ କି ଭାବିଲେ ବି କମ୍।ସେ ଅନନ୍ତ ଓ ଅସୀମ। ଜୀବନର ମୌଳିକ ଛନ୍ଦ। ଜୀବନ ଜୀଇଁବାର ସର୍ବୋତ୍ତମ ମାଧ୍ୟମ। ମଣିଷ ଜୀବନର ପ୍ରତ୍ୟେକଟି ଛତ୍ରରେ ସଙ୍ଗୀତ ଉପଲବ୍ଧ, ଆଉ ଅନୁଭବ କରିହୁଏ ସଙ୍ଗୀତର ନିଶ୍ଚିତ ପ୍ରଭାବ। ଅନୁଭୂତିର ସମସ୍ତ ଭାବ ଓ ରସର ଅଭିବ୍ୟକ୍ତି ହେଉଛି ସଙ୍ଗୀତ। ସୁଖ ଦୁଃଖ ସବୁଥିରେ ଜୀବନର ସାଥୀ ସଙ୍ଗୀତ। ଜୀବନର ପ୍ରାରମ୍ଭ ସଙ୍ଗୀତରୁ ଏବଂ ଅନ୍ତ ମଧ୍ୟ ସଙ୍ଗୀତରେ। ମଝିର ବ୍ୟବଧାନରେ, ଜୀବନର ବିଭିନ୍ନ ଭାବ, ସଙ୍ଗୀତ ଭିତରେ ରୂପାୟିତ ହୋଇଥାଏ। ଜୀବନର ଶେଷ ଲକ୍ଷ୍ୟ, ସେଇ ଅଦୃଶ୍ୟ ଶକ୍ତି ସହିତ ମିଳନ। ନିର୍ବାଣ, ମୋକ୍ଷ ବା ଆତ୍ମା ପରମାତ୍ମାର ମିଳନ, ସହଜ ଏବଂ ସରଳ ହୋଇଥାଏ ସଙ୍ଗୀତ ମାଧ୍ୟମରେ। ସିଧାସଳଖ ସହଜ ସଂଯୋଗ!

ସଙ୍ଗୀତର ଭାଷା ସାର୍ବଜନୀନ ଆଉ ସର୍ବକାଳୀନ। ୭ଟି ମୌଳିକ ସ୍ୱର ଭିତରେ ରହିଛି ସାରା ଦୁନିଆଁର ସଙ୍ଗୀତର ଭାଷ୍ୟ। ସା, ରେ, ଗା, ମା, ପା, ଧା, ନି। ଏହି ସ୍ୱରଗୁଡ଼ିକ ଦ୍ୱାରା ସଙ୍ଗୀତ ହୁଏ ବାଙ୍ମୟ। ବେଳେ ବେଳେ ଅତି ଆଶ୍ଚର୍ଯ୍ୟ ଲାଗେ, ମାତ୍ର ସାତଟି ସ୍ୱର ଭିତରେ କି ଯାଦୁ ରହିଛି, ଯାହା ଦ୍ୱାରା ସୃଷ୍ଟି ହୋଇପାରୁଛି ଅଗଣିତ ସଙ୍ଗୀତ। ସେହି ସ୍ୱରଗୁଡ଼ିକ ପ୍ରାଚ୍ୟରୁ ପାଶ୍ଚାତ୍ୟ ପର୍ଯ୍ୟନ୍ତ ସମାନ ଏବଂ ସମସ୍ତଙ୍କର ହୃଦୟକୁ ଛୁଇଁବାକୁ ସକ୍ଷମ । ଅଞ୍ଚଳ ଭେଦରେ ସୃଷ୍ଟି ହୁଏ ସଙ୍ଗୀତରେ ବିବିଧତା। ସୃଷ୍ଟିହୁଏ ଏହାର ପରିବେଷଣ କଳାର ଅସଂଖ୍ୟ ଶୈଳୀ। ନିର୍ଦ୍ଧିଷ୍ଟ ଅଞ୍ଚଳର ସାହିତ୍ୟ, ସାମାଜିକ ରୀତି, ନୀତି, ଚଳଣି ଓ ପର୍ବପର୍ବାଣୀ ଆଦି ରୂପାୟିତ ହୁଏ, ଏକ ନିର୍ଦ୍ଧିଷ୍ଟ ସଙ୍ଗୀତ ଶୈଳୀରେ। ଯାହାକୁ ଆମେ ସାଧାରଣ ଭାବେ ବୁଝୁ ବିଭିନ୍ନ ଅଞ୍ଚଳର “ଗାୟକୀ” ଢ଼ଙ୍ଗ ନାମରେ। ସେଥିପାଇଁ ପୂର୍ବ ଭାରତ, ଉତ୍ତର, ଦକ୍ଷିଣ ଭାରତର ପରିବେଷଣ ଶୈଳୀରେ ପାର୍ଥକ୍ୟ ଦେଖାଯାଏ। ଖାଲି ବାଜା ବାଜିଲେ ବା ଗୀତ ଗାଇବା ଆରମ୍ଭ ହେଲା ମାତ୍ରକେ ଜଣାପଡ଼ିଯାଏ ଏହା କେଉଁ ଅଞ୍ଚଳର ସଙ୍ଗୀତ। ଯେପରି ହିନ୍ଦୁସ୍ଥାନୀ ସଙ୍ଗୀତ, କର୍ଣ୍ଣାଟକୀ ସଙ୍ଗୀତ, ଓଡ଼ିଶୀ ସଙ୍ଗୀତ, ନାଟ୍ୟ ସଙ୍ଗୀତ, ରବୀନ୍ଦ୍ର ସଙ୍ଗୀତ ତଥା ଆହୁରି ଅନେକ। କିନ୍ତୁ ମନେ ରଖିବାକୁ ପଡ଼ିବ ସେହି ସାତଟି ମୌଳିକ ସ୍ୱରକୁ। ଯେପରି ବଜାରରୁ ଆମେ ବିଭିନ୍ନ ପରିବା କିଣୁଛେ, ମାତ୍ର ତାକୁ କିଭଳି ଭାବରେ ରାନ୍ଧି ପରଷିବା, ତାହା ମଧ୍ୟ ସଙ୍ଗୀତ ସହିତ ତୁଳନୀୟ। ବାଇଗଣ ଟିଏ ଉଦାହରଣ ସ୍ୱରୂପ ନେବା। କିଏ ବାଇଗଣ ଭଜା, କିଏ ବାଇଗଣ ତରକାରୀ, କିଏ ବାଇଗଣି, କିଏ ବା ଭରତା, ପୁଣି କିଏ ଦହି ବାଇଗଣ ଇତ୍ୟାଦି ପ୍ରସ୍ତୁତ କରୁଛି। ଠିକ୍ ସେମିତି ସେହି ମୌଳିକ ସାତଟି ସ୍ୱରକୁ ନେଇ ବିଭିନ୍ନ ଭାବରେ ସ୍ୱର ସଂଯୋଜନା କରି ସୁନ୍ଦର ସୁନ୍ଦର ଭାବ ଓ ରସରେ ଜମେଇ ଶ୍ରୋତାଙ୍କ ପାଖରେ ପହଞ୍ଚେଇ ଦଉଛନ୍ତି ସଙ୍ଗୀତ ସଂଯୋଜକ ମାନେ, ଗାୟକ ଗାୟିକାଙ୍କର ପରିବେଷଣ ମାଧ୍ୟମରେ। ଆଉ ତାହା ପ୍ରଭାବିତ କରୁଛି ସମସ୍ତ ଜୀବ ଜଗତକୁ ବିଭିନ୍ନ ଭାବରେ। ପରିବେଷଣ ଶୈଳୀ ଗୋଟିଏ ସଙ୍ଗୀତରୁ ଆଉ ଗୋଟିଏ ସଙ୍ଗୀତ ଭିତରେ ପ୍ରଭେଦ ଦର୍ଶାଇଥାଏ। ତା’ରି ଆଧାରରେ ହୋଇଛି ଓଡ଼ିଶାର ‘ଓଡ଼ିଶୀ’ ସଙ୍ଗୀତ।

ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ସୂଚାଇ ଦିଏ ଐର ଖାରବେଳଙ୍କ ଦ୍ୱାରା ନିର୍ମିତ ଖଣ୍ଡଗିରି ଉଦୟଗିରି ଗୁମ୍ଫାର ସ୍ଥାପତ୍ୟ କଳା ରେ ଥିବା ଅଭିଲେଖ ଓ ଭାସ୍କର୍ଯ୍ୟ। ଇତିହାସ ମଧ୍ୟ ଆମ ସଙ୍ଗୀତର ମହାର୍ଘ ପରମ୍ପରାର ଅନେକ ପ୍ରମାଣ ଦେଇସାରିଛି। ସାହିତ୍ୟର ଧାରାକୁ ଆସିଲେ ଚର୍ଯ୍ୟା ସାହିତ୍ୟ ବା ଚର୍ଯ୍ୟା ଗୀତି, ଓଡ଼ିଶୀ ସଙ୍ଗୀତର ଅସ୍ତିତ୍ୱ ଓ ଉନ୍ମେଷ (ଅଷ୍ଟମ ନବମ ଶତାବ୍ଦୀ) ସମ୍ପର୍କରେ ସୂଚିତ କରିଥାଏ। ପରେ ଦ୍ୱାଦଶ ଶତାବ୍ଦୀରେ ଶ୍ରୀ ଜୟଦେବ ବିରଚିତ ‘ଗୀତଗୋବିନ୍ଦ’ ଓଡ଼ିଶୀ ସଙ୍ଗୀତର କ୍ରମବିକାଶକୁ ଆହୁରି ସ୍ପଷ୍ଟ କରି ଗଢ଼ିତୋଳେ। ସପ୍ତଦଶ – ଅଷ୍ଟାଦଶ ଶତାବ୍ଦୀ ବେଳକୁ ଓଡ଼ିଶୀ ସଙ୍ଗୀତର ଉତ୍କର୍ଷତା ବିଶେଷ ଅନୁଭୂତ ହୁଏ। କାରଣ ଓଡ଼ିଶାର ଅନେକ ବରପୁତ୍ର, କବିଗଣ, ନିଜର ସୁନ୍ଦର ସଙ୍ଗୀତ ରଚନା ଭିତରେ ରାଗ ଏବଂ ତାଳ ନିର୍ଦ୍ଦେଶିତ କରି ପ୍ରମାଣ କରିଦେଇଛନ୍ତି ଆମ ଓଡ଼ିଶୀ ସଙ୍ଗୀତ କେତେ ପ୍ରାଚୀନ ତଥା କେତେ ସମୃଦ୍ଧ।

ଓଡ଼ିଶୀ ଏକ ସ୍ୱୟଂ ସମ୍ପୂର୍ଣ୍ଣ ସଙ୍ଗୀତ ଶୈଳୀ। ପ୍ରାଚୀନ ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଶୀ ସଙ୍ଗୀତର ଧାରା ନିରବଚ୍ଛିନ୍ନ ଭାବେ ବହିଚାଲିଛି ତା’ର ସାହିତ୍ୟ ଭିତରେ, ସଙ୍ଗୀତ ଭିତରେ ଏବଂ ସ୍ୱତନ୍ତ୍ର ରାଗ ରାଗିଣୀ ଏବଂ ତାଳ ଭିତରେ! ଅନେକ ଶାସ୍ତ୍ରୋକ୍ତ ପ୍ରମାଣ ରହିଛି ଏହି ଉଚ୍ଚାଙ୍ଗ ସଙ୍ଗୀତ ସମ୍ପର୍କରେ। ଭରତଙ୍କ ନାଟ୍ୟ ଶାସ୍ତ୍ରରେ ଏହାର ଉଲ୍ଲେଖ ଥିବା ସହିତ ଅନେକ ଶାସ୍ତ୍ର, ସ୍ୱତନ୍ତ୍ର ଭାବରେ ଓଡ଼ିଶୀ ସଙ୍ଗୀତ ସମ୍ପର୍କରେ ରଚିତ ହୋଇଛି। ଏବେ ମଧ୍ୟ ଲେଖନୀ ଥମିନାହିଁ। ଓଡ଼ିଶୀ ସଙ୍ଗୀତ ସମ୍ପର୍କରେ ଗବେଷଣା ଜାରି ରହିବା ସଂଗେ ସଂଗେ ଅନେକ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଚାଲିଛି।

ମହାର୍ଘ ପରମ୍ପରା, ପ୍ରାଚୀନତା, ଲିଖିତ ଶାସ୍ତ୍ର, ସାହିତ୍ୟର ସାଙ୍ଗୀତିକତା, ନିର୍ଦ୍ଧିଷ୍ଟ ରାଗ ପଦ୍ଧତି, ନିର୍ଦ୍ଧିଷ୍ଟ ତାଳ ପଦ୍ଧତି ତଥା ମାଧୁର୍ଯ୍ୟପୂର୍ଣ୍ଣ ସ୍ୱତନ୍ତ୍ର ଗାୟନ ଶୈଳୀ, ସୃଷ୍ଟି କରିଛି ‘ଓଡ଼ିଶୀ ସଙ୍ଗୀତ’ର ଏକ ସ୍ୱତନ୍ତ୍ର ପରିଚୟ। କିନ୍ତୁ ପଲ୍ଲୀ ଗୀତ ବା ଲୋକ ସଙ୍ଗୀତ ବା ଲୋକକଳାକୁ ଓଡ଼ିଶୀ ସଙ୍ଗୀତର ଅନ୍ୟ ଏକ ମୂଳ ଆଧାର କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେପରିକି ପାଲା, ଦାସକାଠିଆ, ସଖିନାଟ, ସଞ୍ଚାର, ପ୍ରହ୍ଲାଦ ନାଟକ ଇତ୍ୟାଦି କରିଛନ୍ତି ଓଡ଼ିଶୀ ସଙ୍ଗୀତକୁ ସମୃଦ୍ଧ ଏବଂ ଅନୁପମ ଶାସ୍ତ୍ରୀୟ ଛଟାରେ ତାକୁ ସୁଶୋଭିତ କରି, ଦେଇଛନ୍ତି ଏକ ଭିନ୍ନରୂପ।

ଓଡ଼ିଶୀ ସଙ୍ଗୀତର ଧାରାରେ ରହିଛି ଅନେକ ବିଭବ। ଓଡ଼ିଶୀ (ଚଉପଦୀ) ଚଉତିଶା, ଚମ୍ପୂ, ଛାନ୍ଦ, ଗୀତଗୋବିନ୍ଦ, ଭଜନ, ଜଣାଣ, କୀର୍ତ୍ତନ ଓ ପଲ୍ଲବୀ। ଏସବୁ ଏକକ ଭାବରେ, ଦ୍ୱୈତ ଭାବରେ ବା ଦଳଗତ ଭାବରେ ପରିବେଷଣ କରାଯାଇ ପାରେ। ଏହି ସବୁ ପ୍ରବନ୍ଧ ପର୍ଯ୍ୟାୟକୁ ଆବଶ୍ୟକ ଅନୁସାରେ ବିଭିନ୍ନ ଅଙ୍ଗରେ ଗାୟନ କରାଯାଏ। ଯେପରିକି ରାଗାଙ୍ଗ, ଭାବାଙ୍ଗ, ନାଟ୍ୟାଙ୍ଗ ଓ ଧ୍ରୁବପଦାଙ୍ଗ। ରାଗ ଅଂଗରେ- ସଙ୍ଗୀତଟିକୁ ଯେ କୌଣସି ଏକ ନିର୍ଦ୍ଧିଷ୍ଟ ରାଗରେ ଆଳାପ, ତାଳ, ସଞ୍ଚାରୀ, ସରଗମ ଇତ୍ୟାଦି କରି ବ୍ୟାକରଣକୁ ଅନୁସରଣ କରି ଶୃଙ୍ଖଳିତ ଭାବରେ ପରିବେଷଣ କରାଯାଇଥାଏ। ଭାବ ଅଂଶ ବା ଭାବାଙ୍ଗ- ରାଗାଙ୍ଗ ଭିତରେ ମଧ୍ୟ ଭାବ ରହିଛି। ଭାବର ଅଭାବ ହେଲେ ତାହା ସଙ୍ଗୀତ ପଦବାଚ୍ୟ ନୁହେଁ। ମାତ୍ର ରାଗାଙ୍ଗରେ ଗୋଟିଏ ନିର୍ଦ୍ଧିଷ୍ଟ ରାଗରେ ପରିବେଷଣ କରାଯାଏ। ମାତ୍ର ଭାବାଙ୍ଗରେ ଥାଏ ଗାୟକ ବା ଗାୟିକାଙ୍କର ରୁଚିବୋଧ ର ବିସ୍ତାର। ଏକାଧିକ ରାଗର ସମ୍ମିଶ୍ରଣ କରି ପ୍ରବନ୍ଧର କଥାବସ୍ତୁକୁ ବିଭିନ୍ନ ଶବ୍ଦର ସୁନ୍ଦର ବିସ୍ତାର କରି ସେ ଶ୍ରୋତା ମାନଙ୍କ ହୃଦୟକୁ ଛୁଇଁଯାଇପାରନ୍ତି।

ନାଟ୍ୟାଙ୍ଗ- ଏହା ସାଧାରଣତଃ ଚପଳ ପ୍ରକୃତିର ସଙ୍ଗୀତ। ଛୋଟ ଛୋଟ ତାଳର ପ୍ରୟୋଗ, ଶବ୍ଦଗୁଡ଼ିକର ନାଟକୀୟତା ତଥା ତାକୁ ପ୍ରକାଶ କରିବାର ଢ଼ଙ୍ଗ ରଞ୍ଜକତାରେ ଭରା। ସେଥିପାଇଁ ବିଶେଷକରି ଏହି ପର୍ଯ୍ୟାୟଟି ଲଘୁ ସଙ୍ଗୀତର ପର୍ଯ୍ୟାୟଭୁକ୍ତ ହୋଇଯାଏ। ତୁଳନାତ୍ମକ ଭାବରେ କହିବାକୁ ଗଲେ ହିନ୍ଦୁସ୍ଥାନୀ ସଙ୍ଗୀତର ଦାଦରା, କହରୀ, ଚଇତି ସହିତ ତୁଳନୀୟ। ପ୍ରାୟତଃ ନାଟ୍ୟାଙ୍ଗ ପର୍ଯ୍ୟାୟର ସଙ୍ଗୀତଗୁଡ଼ିକ ବିଶେଷ କରି ଆମର ବିଭିନ୍ନ ପର୍ବପର୍ବାଣୀରେ ଗାୟନ କରାଯାଏ। ଏଗୁଡ଼ିକ ମୌଖିକ ଭାବରେ ବା ମୁଖରୁ ମୁଖକୁ ସମ୍ପ୍ରସାରିତ ହୋଇ ଆମ ପାଖରେ ପହଞ୍ଚିପାରିଛି। କାରଣ ଆଗରୁ ନଥିଲା ସଙ୍ଗୀତ ରେକର୍ଡିଂର ବ୍ୟବସ୍ଥା ଆଉ ଗୀତ ପାଇଁ ଛାପାଖାନା।

ଧ୍ରୁବପଦାଙ୍ଗ ବା ଧ୍ରୁପଦାଙ୍ଗ- ଏଥିରେ ଥାଏ ବିଶେଷ କରି ତାଳର ପ୍ରାଧାନ୍ୟ। କେତୋଟି ଚମ୍ପୂ, ବିଶେଷତଃ ମାଳଶ୍ରୀ (ସବୁ ଦେବୀଙ୍କର ବନ୍ଦନା)ଗୁଡ଼ିକ ଭିତରେ ଏହି ଗାୟନଶୈଳୀ ବିଶେଷ ଭାବରେ ଅନୁଭୂତ ହୁଏ।

ଚମ୍ପୂ- କବିସୂର୍ଯ୍ୟ ବଳଦେବରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ‘କ’ ରୁ ‘କ୍ଷ’ ଅକ୍ଷର ପର୍ଯ୍ୟନ୍ତ ଲିଖିତ ଏକ ଉଚ୍ଚକୋଟୀର କାବ୍ୟ। ତାହା ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତାର ଜ୍ୱଳନ୍ତ ନିଦ୍ଦର୍ଶନ। ଏହା ମଧ୍ୟ ଆମ ପାଖରେ ମୁଖରୁ ମୁଖକୁ ସମ୍ପ୍ରସାରିତହୋଇ ପହଞ୍ଚିଛି। ବଡ଼କଥା ହେଉଛି ପ୍ରତ୍ୟେକଟି ପ୍ରବନ୍ଧ ବା ଗୀତ (୩୪ଟି) ଉପରେ କବି ନିର୍ଦ୍ଦିଷ୍ଟ ରାଗ ଏବଂ ତାଳ ନିର୍ଦ୍ଧାରିତ କରିଛନ୍ତି। ଆହୁରି ପୁଣି “ଆଡ଼ତାଳି” କୁ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ତାଳରୂପେ ଗ୍ରହଣ କରାଯାଇଛି, ଯାହାକି ଅନ୍ୟ କୌଣସି ସଙ୍ଗୀତ ପଦ୍ଧତିରେ ଦେଖିବାକୁ ମିଳେନାହିଁ। ଆଉ ଏହି ଆଡ଼ତାଳି ରେ ନିବଦ୍ଧ ସଙ୍ଗୀତ, ଚମ୍ପୂରେ ବହୁଳ ଶୁଣିବାକୁ ମିଳେ।

ପଲ୍ଲବୀ- ପଲ୍ଲବୀକୁ ଆମେ ତରାନା ବା ତିଲ୍ଲାନା ସହିତ ତୁଳନା କରିପାରିବା। ହିନ୍ଦୁସ୍ଥାନୀ ପଦ୍ଧତିର ତରାନା ଏବଂ କର୍ଣ୍ଣାଟକୀ ର ତିଲ୍ଲାନା ସହିତ ଏହା ତୁଳନୀୟ।

ଛାନ୍ଦ- ଛନ୍ଦରୁ ଛାନ୍ଦ। ଏହାର ମଧ୍ୟ ସାହିତ୍ୟିକ ମୂଲ୍ୟବୋଧ ବହୁତ ବେଶୀ। ଅନେକ କାବ୍ୟରେ ଛାନ୍ଦର ବ୍ୟବହାର ଅପର୍ଯ୍ୟାପ୍ତ। ବଡ଼କଥା ହେଲା, ଛାନ୍ଦର ସ୍ୱର ଗୁଡ଼ିକ ‘ବୃତ୍ତ’ ବା ବିଭିନ୍ନ ସ୍ୱରର ନାମରେ ପରିଚିତ। ବ୍ୟବହୃତ ଅକ୍ଷରଗୁଡ଼ିକର ରଚନା କ୍ରମରେ ସଂଖ୍ୟା ଅନୁସାରେ ସ୍ୱର ବା ବୃତ୍ତ ନିର୍ଦ୍ଧାରିତ ହୋଇଥାଏ। ଯଥା- ଚୋଖି, ରସକୁଲ୍ୟା ଇତ୍ୟାଦି।

ଗୀତଗୋବିନ୍ଦ- ଗୀତଗୋବିନ୍ଦ ଗାୟନ ବିନା ଓଡ଼ିଶୀ ସଙ୍ଗୀତ ଅସମ୍ପୂର୍ଣ୍ଣ। ଦ୍ୱାଦଶ ଶତାବ୍ଦୀରେ ଲିଖିତ ଏହି ଗୀତିକାବ୍ୟଟି ଶ୍ରୀଜୟଦେବଙ୍କ ଦ୍ୱାରା ରଚିତ ଏବଂ ଏଥିରେ ମଧ୍ୟ ସ୍ଵତନ୍ତ୍ର ତାଳ ଏବଂ ରାଗ ନିର୍ଦ୍ଧାରିତ।ଏଥିରୁ ଅନୁମେୟ ଯେ ଓଡ଼ିଶୀ ସଙ୍ଗୀତର ଉନ୍ମେଷ କାଳଠାରୁ ଏହାର ବିବର୍ତ୍ତନ ଓ ପରିପୁଷ୍ଟି ଅନେକ ଯୁଗଧରି ସମୃଦ୍ଧ ଓ ସମ୍ପ୍ରସାରିତ ହୋଇ ସମ୍ପ୍ରତି ଏକ ଅନନ୍ୟ ପ୍ରାଚୀନ ଶୈଳୀ ଭାବରେ ଦେଶବିଦେଶରେ ଆଦୃତ ହୋଇଛି।

ଭଜନ- ପ୍ରଭୁଙ୍କର ଗୁଣ ଗାୟନ ବା ତାଙ୍କ ନାମ ଭଜିବା। ଜଣାଣ- ଏଥିରେ ଥାଏ ମାଗୁଣି। ଭକ୍ତ ନିଜର ଦୁଃଖ ଜଣେଇ, ତା’ର ନିରାକରଣ ପାଇଁ ପ୍ରଭୁଙ୍କୁ ଆରାଧନା କରିଥାଏ। କୀର୍ତ୍ତନ- ଭକ୍ତି ଭାବରେ ପ୍ରଭୁଙ୍କର ନାମ-ଗୁଣ କୀର୍ତ୍ତନ। ଏହା ବିଶେଷ କରି ଦଳଗତ ଭାବରେ ବା ସମୂହ ଭାବରେ ଗାୟନ କରାଯାଏ।

ଏକକ ଗାୟନ ତଥା ଓଡ଼ିଶୀ ନୃତ୍ୟ ସହିତ ଗାୟନ ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ନୃତ୍ୟ ଅନୁସାରେ ଗାୟନ କରାଯାଇଥାଏ। ନୃତ୍ୟ ଏକ ଦୃଶ୍ୟକଳା। ମାତ୍ର ସଙ୍ଗୀତ ବହୁ ପରିମାଣରେ ଏହି କଳାକୁ ସରସ ଓ ସୁନ୍ଦର କରିଥାଏ। ନୃତ୍ୟ ଶିଳ୍ପୀ, ଗାୟକ ଗାୟିକାଙ୍କର ଗାୟନ ତଥା ସହଯୋଗୀ କଳାକାରମାନଙ୍କର ତାଳ-ବାଦ୍ୟ ପରିବେଷଣରୁ ଖୁରାକ ପାଇଥାନ୍ତି ଏବଂ ନିଜର ନୃତ୍ୟକଳାକୁ ତଦନୁସାରେ ପରିପ୍ରକାଶ କରନ୍ତି।

ଓଡ଼ିଶୀ ସଙ୍ଗୀତ ଭାଷା ପ୍ରଧାନ। ରାଗ, ତାଳ, ଭାଷା, ସ୍ୱରକୁ ସମଭାବରେ ଦୃଷ୍ଟିରେ ରଖି ଏହା ପରିବେଷଣ କରାଯାଏ। ସେଥିପାଇଁ ଏହି ସଙ୍ଗୀତର ମଧୁରତା ଏବଂ ଗାୟନଶୈଳୀ ଅନନ୍ୟ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସଙ୍ଗୀତର ଅଧିକ ପରିବେଷଣ, ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଓଡ଼ିଶାର ଏହି ପ୍ରାଚୀନ, ଶାସ୍ତ୍ରୀୟ ଓ ଉତ୍କୃଷ୍ଟ କଳା ପରମ୍ପରାକୁ ନିର୍ଦ୍ଧାରିତ ବ୍ୟାକରଣ ମାଧ୍ୟମରେ ଯୁବ କଳାକାରଙ୍କୁ ପ୍ରଶିକ୍ଷିତ କରି, ଭାରତର ଅନ୍ୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ର ସମକକ୍ଷ କରାଇବା ସମସ୍ତ ଓଡ଼ିଆ ଭାଷାଭାଷୀ ଙ୍କର ସାମୂହିକ ଦାୟିତ୍ବ !

ଡ. ସଙ୍ଗୀତା ଗୋସାଇଁ
ଭୁବନେଶ୍ୱର, ମୋ: ୯୪୩୭୨୮୭୬୨୨

09 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର