ଗଳ୍ପ ଆମ ସ୍ୱଳ୍ପ ଜୀବନର

The Sakala Picture
Published On

ଜୀବନକୁ ନେଇ ଅନେକ ତତ୍ତ୍ୱ, ତଥ୍ୟ, ବ୍ୟାଖ୍ୟା ଓ ସଂଜ୍ଞା ରହିଛି। କବି, ଲେଖକ, ଭାବୁକ କେବେ ଜୀବନକୁ ଏକ ନଦୀ, ଝରଣା, ଗଛ ସହିତ ତୁଳନା କଲେଣି ତ କେବେ ଜୀବନକୁ ଏକ ପ୍ରତିଯୋଗିତାମୂଳକ ଖେଳ କିମ୍ବା ନାଟକ କିମ୍ବା ଗଳ୍ପ ସହିତ ତୁଳନା କଲେଣି। କେହି କେହି ତ ଜୀବନକୁ ଏକ ଅଛିଣ୍ଡା ଗଣିତ ବୋଲି କହିବାକୁ ପଛାଇ ନାହାନ୍ତି। ଉଇଲିୟମ୍‌‌ ଟର୍ନରଙ୍କ ଭାଷାରେ – ‘ଆମେମାନେ ଜାଣିଛୁ ପୃଥିବୀ ଅଣୁ, ପରମାଣୁରେ ତିଆରି, […]

ଜୀବନକୁ ନେଇ ଅନେକ ତତ୍ତ୍ୱ, ତଥ୍ୟ, ବ୍ୟାଖ୍ୟା ଓ ସଂଜ୍ଞା ରହିଛି। କବି, ଲେଖକ, ଭାବୁକ କେବେ ଜୀବନକୁ ଏକ ନଦୀ, ଝରଣା, ଗଛ ସହିତ ତୁଳନା କଲେଣି ତ କେବେ ଜୀବନକୁ ଏକ ପ୍ରତିଯୋଗିତାମୂଳକ ଖେଳ କିମ୍ବା ନାଟକ କିମ୍ବା ଗଳ୍ପ ସହିତ ତୁଳନା କଲେଣି। କେହି କେହି ତ ଜୀବନକୁ ଏକ ଅଛିଣ୍ଡା ଗଣିତ ବୋଲି କହିବାକୁ ପଛାଇ ନାହାନ୍ତି। ଉଇଲିୟମ୍‌‌ ଟର୍ନରଙ୍କ ଭାଷାରେ – ‘ଆମେମାନେ ଜାଣିଛୁ ପୃଥିବୀ ଅଣୁ, ପରମାଣୁରେ ତିଆରି, କିନ୍ତୁ ବାସ୍ତବିକ୍‌‌ ଏହା ଏକ ନିରୁତା ଗଳ୍ପରେ ହିଁ ପ୍ରସ୍ତୁତ ହୋଇଛି।’ ଅର୍ଥାତ୍‌‌ କାହାଣୀ ଭଳି ଆମେ ବଞ୍ଚିଥାଉ, କାହାଣୀରେ ଆମେ ବଞ୍ଚିଥାଉ କାହାଣୀ ସୃଷ୍ଟି ପାଇଁ ଆମେ ବଞ୍ଚିଥାଉ। ସତ କହିବାକୁ ଗଲେ ପ୍ରତ୍ୟେକ ଜୀବନ ତ ଏକ ରୋମାଞ୍ଚକର କାହାଣୀ।

ସାହିତ୍ୟରେ ଗଳ୍ପର ପରିକଳ୍ପନା ଆକସ୍ମିକ ନୁହେଁ। ଏହା ମାନବ ସମାଜର ଅଭ୍ୟୁଦୟ କାଳରୁ ଆରମ୍ଭ ହୋଇ କାଳକ୍ରମେ ବିଭିନ୍ନ ଭାବରେ ବିକାଶ ଲାଭ କରିଛି। ଗଦ୍ୟ ସାହିତ୍ୟରେ ସର୍ବାଦୃତ ମାଧ୍ୟମଟି ହେଲା ଗପ, କଥା ବା କାହାଣୀ। କାହାଣୀକୁ ଯେତିକି ଆଗ୍ରହରେ ପଢ଼଼ିହୁଏ, ସେତିକି ଆଗ୍ରହରେ କହି ହୁଏ। ମଣିଷର ଅବଚେତନ ମନରେ ହିଁ ଏକ କାହାଣୀ ଲୁଚି ରହିଛି। ଅତଏବ ଜୀବନକୁ ବୁଝେଇବାକୁ ହେଉ କିମ୍ବା ବୁଝିବାକୁ ହେଉ କାହାଣୀକୁ ବ୍ୟବହାର କରାଯାଏ। କାହାଣୀର ସ୍ୱରୂପ ପ୍ରତିପାଦନ କରିବାକୁ ଯାଇ ଭାରତୀୟ ଅଳଙ୍କାରିକ ଲେଖିଥିଲେ –

‘ମିଥ୍ୟାଗ୍ରନ୍ଥ ପ୍ରବନେ୍ଧନ ମନୋ ହରତି ଯାଦୃଶଂ / ନାନା କୌତୁକ ହାସ୍ୟାଦ୍ୟୈଃ ସା କଥେତ୍ୟଭି ଧୀୟତେ।’
ଅର୍ଥାତ୍‌‌ ନାନା କୌତୁକ ହାସ୍ୟାଦି ଦ୍ୱାରା ମନୋହରଣ କରୁଥିବା ବିଷୟ ରଚନା ‘କଥା’ ନାମରେ ଅଭିହିତ। ପ୍ରଖ୍ୟାତ ଗାଳ୍ପିକ ସୋମରସେଟ୍‌‌ସଙ୍କ ମତରେ – ଗଳ୍ପ ଏକ ସୂକ୍ଷ୍ମ କଳା, ଯାହାର ଆରମ୍ଭ ମଧ୍ୟଭାଗ ଓ ଶେଷ କଥନ ଚିତ୍ତାକର୍ଷକ ହୋଇଥିବା ଉଚିତ୍‌‌।

ମଣିଷ ଜୀବନ ମଧ୍ୟ ଏକ ଗଳ୍ପ ସଦୃଶ। ଗଳ୍ପ ଗଢ଼ିବାର ସମସ୍ତ ଉପାଦାନ ମଣିଷ ଜୀବନରେ ଭରି ରହିଛି। ଗଳ୍ପର ଗଠନ ଶୈଳୀ – ପ୍ରାରମ୍ଭ, ପ୍ରବାହ, ଶୀର୍ଷବିନ୍ଦୁ, ଗ୍ରନ୍ଥିତମୋଚନ ଓ ଉପସଂହାର – ମଣିଷ ଜୀବନର ଗୋଟିଏ ଗୋଟିଏ ଅବସ୍ଥାକୁ ପ୍ରତିପାଦନ କରେ। ଜୀବନର ଶୈଶବ, ତରୁଣ, ପୌଢ଼ ଓ ବାର୍ଦ୍ଧକ୍ୟ ଅବସ୍ଥା ଠିକ୍‌‌ ଗଳ୍ପର ପ୍ରାରମ୍ଭଠାରୁ ଆରମ୍ଭ କରି ଉପସଂହାର ପର୍ଯ୍ୟନ୍ତ ମଣିଷର ଉତ୍ଥାନ, ପତନକୁ ସୂଚେଇ ଦିଏ। ପରିଶେଷରେ ଜୀବନର ଯବନିକା ଆମେ ମୃତ୍ୟୁରେ। ଇଂରାଜୀ ନାଟ୍ୟକାର ସେକ୍ସପିୟର ଜୀବନ ଏକ ଗଳ୍ପ ବୋଲି କହିଛନ୍ତି ତାଙ୍କ ବିୟୋଗାନ୍ତକ ନାଟକ ‘ହାମ୍‌‌ଲେଟ୍‌‌’ରେ। ତାଙ୍କ ମତରେ – ଜୀବନ ଏକ ଚଳନ୍ତି ଛାୟା ସଦୃଶ। ଗୋଟିଏ ସ୍ୱଳ୍ପାୟୁଷ ନେଇ ଜଳୁଥିବା ମହମବତୀ। ଜୀବନ ଏକ ଗଳ୍ପ, ଯାହାକୁ ଏକ ନିର୍ବୋଧ ହିଁ ବର୍ଣ୍ଣନା କରିଛି। ଜୀବନ ଏକ ସୁଖ-ଦୁଃଖର ସମାହାର, କିନ୍ତୁ ତାତ୍ପର୍ଯ୍ୟହୀନ। ମୃତ୍ୟୁ ଅନିବାର୍ଯ୍ୟ। ସମସ୍ତ ଅନିର୍ଦ୍ଦିଷ୍ଟତା ମଧ୍ୟରେ ଗୋଟିଏ ନିର୍ଦ୍ଦିଷ୍ଟ କଥା ହେଉଛି – ମୃତ୍ୟୁ। ଠିକ୍‌‌ ନାଟକର ଶେଷ ଦୃଶ୍ୟ କିମ୍ବା ଗଳ୍ପର ଉପସଂହାର ଭଳି। ଜୀବନକୁ କିଏ ଜଣେ ‘ପାଣି ଫୋଟକା’ ବୋଲି କହିଥିଲେ। କହିବାର ତାତ୍ପର୍ଯ୍ୟ ହେଲା ପାଣିଫୋଟକା ଯେପରି ନିମିଷେକ ମଧ୍ୟରେ ଉଭେଇ ଯାଏ, ଠିକ୍‌‌ ସେହିଭଳି ଜୀବନରେ ବେଳେବେଳେ ସକାଳ କିମ୍ବା ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ମଣିଷ ଜୀବନର କରୁଣ ପରିଣତି ମୃତ୍ୟୁରେ ଶେଷ, ତା’ହାଲେ ଏତେ ଅହଂକାର, ଔଦ୍ଧତ୍ୟ ଓ ଆସ୍ଫାଳନ କାହିଁକି?

ଗପ ଜୀବନର ଏକ ନିଛକ ପ୍ରତିଫଳନ। ହୋଇପାରେ ଗଳ୍ପ ଲେଖିବା ବେଳେ ଗାଳ୍ପିକମାନେ ବେଳେବେଳେ କଳ୍ପନାର ପୁଟ ଦେଇ ଘଟଣାବଳୀକୁ ଅତିରଞ୍ଜିତ କରିଦିଅନ୍ତି, କିନ୍ତୁ ଗଳ୍ପ ମିଛ ମାଧ୍ୟମରେ ସତ କଥାକୁ ପ୍ରକାଶ କରେ। ଐତିହାସିକ ଗଳ୍ପ, ସାମାଜିକ ଗଳ୍ପ, ବୈଜ୍ଞାନିକ ଗଳ୍ପ, ମାନବତାବାଦୀ ଗଳ୍ପ, ଉଦ୍ଭଟ ଗଳ୍ପ କିମ୍ବା ପ୍ରତୀକବାଦୀ ଗଳ୍ପ – ଏ ସବୁ ଗଳ୍ପର ଚରିତ୍ରମାନେ ଆମ ଚାରିପାଖରେ ଘୂରି ବୁଲନ୍ତି। ଫକୀରମୋହନଙ୍କ ଡାକମୁନ୍‌‌ସୀ, ଭଗିଆ, ଶାରିଆ, ଗୋବିନ୍ଦା, ରାଣ୍ଡୀପୁଅ ଅନନ୍ତା ଓ ରେବତୀ ମଣିଷ ଚିତ୍ରର ଏକ ନିଛକ ପ୍ରତିଫଳନ।

ଇତିହାସର ଚରିତ୍ର ଯଥା – ଦିଗ୍‌‌ବିଜୟୀ ଆଲେକ୍‌‌ଜାଣ୍ଡର, ମଗଧ ସମ୍ରାଟ ଅଶୋକ କିମ୍ବା ରୋମ୍‌‌ ସାମ୍ରାଜ୍ୟର ଶାସକ ଜୁଲିୟମ୍‌‌ ସିଜାର – ଏମାନେ ସମସ୍ତେ କାଳର କରାଳ ଗତିରେ ଲୀନ ହୋଇଯାଇଛନ୍ତି। ସମୟ ଭାଙ୍ଗି ଦେଇଛି ତାଙ୍କ ଅହଂକାର ଓ ଦାମ୍ଭିକତା। ଜୀବନର ଅନ୍ତିମ ପର୍ଯ୍ୟାୟରେ ବୁଝି ପାରିଛନ୍ତି ମାନବିକତାର ସ୍ୱରକୁ। ରୁଷୀୟ ସାହିତ୍ୟିକ ଟଲ୍‌‌ଷ୍ଟୟଙ୍କ ଗଳ୍ପରେ ପାହୋମ ଚରିତ୍ର କିମ୍ବା ଆର୍‌‌.କେ. ନାରାୟଣଙ୍କ ଗଳ୍ପର ସୁବାୟା ଚରିତ୍ର ଆଦୌ କାଳ୍ପନିକ ଲାଗେ ନାହିଁ। ଦୁଇଗୋଟି ଚରିତ୍ରକୁ ବିଶ୍ଲେଷଣ କଲେ ମଣିଷ ବୁଝିପାରିବ ଯେ ଲୋଭର ଭୟଙ୍କର ପରିଣାମ ହିଁ ମୃତ୍ୟୁ। ମଣିଷ ଜୀବନ ରୂପକ ଗଳ୍ପରେ ଏକ ସରଳ, ନିଷ୍କପଟ ଓ ଦରଦୀ, ସର୍ବୋପରି ହୃଦୟବାନ ଚରିତ୍ରଟିଏ ହେବାର ଅସୁବିଧା କେଉଁଠି ରହିଲା? ସେକ୍ସପିୟର୍‌‌ ବି ନିଜେ ମଣିଷର ସାମର୍ଥ୍ୟ ଉପରେ ଆସ୍ଥାବାନ ଥିଲେ। ତାଙ୍କ ମତରେ – ଚରିତ୍ର ହିଁ ଭାଗ୍ୟ। ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ। ତାଙ୍କର ବିୟୋଗାନ୍ତକ ନାଟକର ଚରିତ୍ର ଯଥା- ହାମଲେଟ୍‌‌, ମାକ୍‌‌ବେଥ, କିଙ୍ଗ୍‌‌ଲିୟର ଓ ଓଥେଲୋ, – ‘କଳ୍ପନା’ପ୍ରସୂତ ହୋଇପାରନ୍ତି, ମାତ୍ର ଆମ ସମାଜର ଗୋଟିଏ ଗୋଟିଏ ଚରିତ୍ର। ସେମାନଙ୍କ ଚରିତ୍ରର ଦୋଷ, ଦୁର୍ବଳତା, ଯାହା ଚାରିଶହ ବର୍ଷ ପୂର୍ବରୁ ନାଟ୍ୟକାର ସେକ୍ସପିୟର ଆକଳନ କରିପାରିଥିଲେ, ତାହା ଆଜିର ସମାଜରେ ମଧ୍ୟ ପରିଲକ୍ଷିତ।

ଏହି ଚରିତ୍ରଗୁଡ଼ିକ ସାର୍ବଜନୀନ। ଆମ ଚାରିପାଖରେ ଘୂରି ବୁଲୁଥିବା ଚରିତ୍ରମାନେ, ମାକ୍‌‌ବେଥ ଚରିତ୍ରର ଉଚ୍ଚାଭିଳାଷ, ହାମ୍‌‌ଲେଟ୍‌‌ଙ୍କର ଦୀର୍ଘସୂତ୍ରୀକରଣ, କିଙ୍ଗଲିୟରଙ୍କର ଭୁଲବୁଝାମଣା ଏବଂ ଓଥେଲୋଙ୍କର ସରଳ ବିଶ୍ୱାସ ଆମ ସମାଜର ଏକ ଅଂଶବିଶେଷ। ଏହି ସମସ୍ତ ଚରିତ୍ର ନିଜ ନିଜର ଦୋଷଦୁର୍ବଳତା ପାଇଁ ଏକ ଏକ ଭୟଙ୍କର ମୃତ୍ୟୁର ଶିକାର ହୋଇଛନ୍ତି।

ମଣିଷର ଇତିହାସ, ଧର୍ମ, ଦର୍ଶନ, ଆଧ୍ୟାତ୍ମିକତା ଓ ବିବର୍ତ୍ତନ ଆଦି ଗୋଟିଏ ଗୋଟିଏ ଗଳ୍ପ। ବ୍ୟକ୍ତି ଜୀବନର ସଂଘର୍ଷ, ସଂଘାତ, ଦ୍ୱନ୍ଦ୍ୱ, ହର୍ଷ, ବିଷାଦ, ଉପଲବ୍‌‌ଧି, ଅବସାଦ, ପ୍ରତିହିଂସା, ପ୍ରେମ, ପ୍ରତାରଣା ଓ ମୂଲ୍ୟବୋଧକୁ ଗଳ୍ପ ହିଁ ଚିତ୍ରିତ କରିଥାଏ। ସେ ଜୀବନ ଗଳ୍ପରେ ବ୍ୟକ୍ତିଟିଏ ଏପରି ଏକ ଚରିତ୍ର ବାଛିବେ, ଯାହା ତା’ର ଅବର୍ତ୍ତମାନରେ ମଧ୍ୟ ଜନମାନସରେ ଅଭୁଲା ହୋଇ ରହିବ। ନିଜ ଜୀବନ ଗଳ୍ପରେ ନିଜେ ନାୟକ କିମ୍ବା ନାୟିକା ସାଜି ସାମାଜିକ ଜୀବନକୁ ସାମାଜିକ ମୂଲ୍ୟବୋଧ ଯଥା ଦୟା, ପ୍ରେମ, କରୁଣା ଓ ସହନଶୀଳତାର ବାର୍ତ୍ତା ଦେଇ ଗଢ଼ିଲେ ସମାଜର କଲ୍ୟାଣ ସାଧନ ହେବ। ସେ ଗଳ୍ପ ଆମ ସ୍ୱଳ୍ପ ଜୀବନର ଏକ କାଳଜୟୀ ଗଳ୍ପ ହୋଇରହିବ।

ବିଜୟ କୁମାର ପାଢ଼ୀ
ଭୁବନେଶ୍ୱର, ମୋ: ୭୮୯୪୧୫୩୫୭୮

09 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର