ଶ୍ରୀଜଗନ୍ନାଥ ସଂସ୍କୃତି

The Sakala Picture
Published On

ସଂସ୍କୃତି ହେଉଛି ସଭ୍ୟତାର ପ୍ରାଣ। ଗୋଟିଏ ଜାତିର ଚିନ୍ତା, ଚେତନା, ଭାବ, ଅନୁଭବ, ଆବେଗ, ମୂଲ୍ୟବୋଧ, କାର୍ଯ୍ୟଧାରା, ସାଫଲ୍ୟ ଓ ବିକାଶର ଧାରା ହିଁ ସେ ଦେଶର ସଂସ୍କୃତି। ଜାତିର ଜୀବନଯାପନ ଧାରା ରୁଚିସଂପନ୍ନ ଓ ମାର୍ଜିତ ହେଲେ ସଂସ୍କୃତିର ଅଭ୍ୟୁଦୟ ଘଟେ ତଥା ଭାଷା, ସାହିତ୍ୟ, କଳା, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ ଓ ଦର୍ଶନ ପ୍ରଭୃତିରେ ଏହାର ପରିପ୍ରକାଶ ହୋଇଥାଏ। ସଂସ୍କୃତି ସହିତ ଧର୍ମ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଗଲେ ସଭ୍ୟତା ଉନ୍ନତ ହୋଇ […]

ସଂସ୍କୃତି ହେଉଛି ସଭ୍ୟତାର ପ୍ରାଣ। ଗୋଟିଏ ଜାତିର ଚିନ୍ତା, ଚେତନା, ଭାବ, ଅନୁଭବ, ଆବେଗ, ମୂଲ୍ୟବୋଧ, କାର୍ଯ୍ୟଧାରା, ସାଫଲ୍ୟ ଓ ବିକାଶର ଧାରା ହିଁ ସେ ଦେଶର ସଂସ୍କୃତି। ଜାତିର ଜୀବନଯାପନ ଧାରା ରୁଚିସଂପନ୍ନ ଓ ମାର୍ଜିତ ହେଲେ ସଂସ୍କୃତିର ଅଭ୍ୟୁଦୟ ଘଟେ ତଥା ଭାଷା, ସାହିତ୍ୟ, କଳା, ଶିଳ୍ପ, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ ଓ ଦର୍ଶନ ପ୍ରଭୃତିରେ ଏହାର ପରିପ୍ରକାଶ ହୋଇଥାଏ। ସଂସ୍କୃତି ସହିତ ଧର୍ମ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଗଲେ ସଭ୍ୟତା ଉନ୍ନତ ହୋଇ ସମାଜ ସମୃଦ୍ଧ ହୁଏ। ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ, ସାହିତ୍ୟ, ଶିଳ୍ପ, ଭାସ୍କର୍ଯ୍ୟ ତଥା ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ। ପ୍ରାଚୀନ କାଳରୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଓଡ଼ିଶାର ଜନଜୀବନରେ ଏକ ସମନ୍ୱୟାତ୍ମକ ସାଂସ୍କୃତିକ ସ୍ରୋତ ପ୍ରବାହିତ ତଥା ଉନ୍ନତ ରୁଚି ଓ ସଂସ୍କାରବୋଧ ଦ୍ୱାରା ଉଜ୍ଜୀବିତ। ଶତାବ୍ଦୀ ଶତାବ୍ଦୀ ଧରି ଏହି ସାଂସ୍କୃତିକ ସ୍ରୋତ ଓଡ଼ିଆ ଜାତିର ଜୀବନଚର୍ଯ୍ୟାକୁ ସୁନ୍ଦର, ସମୃଦ୍ଧ, ସୃଜନଶୀଳ ଓ ପରିପୂର୍ଣ୍ଣ କରିଆସିଛି।

ଶ୍ରୀଜଗନ୍ନାଥ ସଂସ୍କୃତି ଜାତି, ବର୍ଣ୍ଣ, ସଂପ୍ରଦାୟ ଭେଦରେ ବିଭାଜିତ ନ ହୋଇ ସମଗ୍ର ଓଡ଼ିଆଜାତିକୁ ଏକ ସୂତ୍ରରେ ବାନ୍ଧିରଖିଛି। ଓଡ଼ିଆ ଜାତିର ଚିନ୍ତା ଓ ଚିନ୍ତନଠାରୁ ବ୍ୟାବହାରିକ ଜୀବନ ତଥା ମାନବୀୟ ସମ୍ବେଦନାଠାରୁ ସମଷ୍ଟିଗତ ଏକତାକୁ ଆଧାରକରି ଏହି ସଂସ୍କୃତି ସଂପ୍ରସାରିତ। କ୍ରମାଗତ ସଂସ୍କାର ଓ ଗତିଶୀଳତା ଏହି ସଂସ୍କୃତିକୁ ଊର୍ଦ୍ଧ୍ବମୁଖୀ କରାଇ ଓଡ଼ିଆ ଜାତିର ପ୍ରଜ୍ଞାର ଅଭିବୃଦ୍ଧି ଘଟାଇଛି। ବିଶ୍ୱାବସୁ ଶବର, ବ୍ରାହ୍ମଣ ବିଦ୍ୟାପତି, ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ, ଦେବର୍ଷି ନାରଦ, ମହାରାଣୀ ଗୁଣ୍ଡିଚା, ବଜ୍ରଯାନୀ ଇନ୍ଦ୍ରଭୂତି, ଅଦ୍ୱୈତବାଦୀ ଶଙ୍କରାଚାର୍ଯ୍ୟ, ବିଶିଷ୍ଟ ଦ୍ୱୈତବାଦୀ ରାମାନୁଜାଚାର୍ଯ୍ୟ, ଦ୍ୱୈତବାଦୀ ମଧ୍ୱାଚାର୍ଯ୍ୟ, ଦ୍ୱୈତାଦ୍ୱୈତବାଦୀ ନିର୍ମାର୍କାଚାର୍ଯ୍ୟ, ପ୍ରେମାବତାର ଶ୍ରୀଗୌରାଙ୍ଗ, ଶୂନ୍ୟବାଦୀ ବଳରାମଦାସ, ରାଗାନୁଗାମାର୍ଗୀ ରାୟ ରାମାନନ୍ଦ, ଶିଖ୍‌ ଧର୍ମର ପ୍ରତିଷ୍ଠାତା ନାନକ, ମହାତ୍ମା କବୀର ଦାସ, ପୌତ୍ତଳିକ ହରିଦାସ, ଗଣପତି ଉପାସକ ଗଣପତି ଭଟ୍ଟ, ରାମଭକ୍ତ ତୁଳସୀ, ତାନ୍ତ୍ରିକ ଲକ୍ଷ୍ମୀଭଦ୍ର ଗିରି, ଅଚିନ୍ତ୍ୟଭେଦାଭେଦବାଦୀ ବଳଦେବ ବିଦ୍ୟାଭୂଷଣ ସଭିଏଁ ଆପଣା ଆପଣାର ଦାର୍ଶନିକ ଚିନ୍ତା ଓ ଚେତନା ଶ୍ରୀଜଗନ୍ନାଥଙ୍କଠାରେ ଆରୋପିତ କରିଥିଲେ ହେଁ ଶ୍ରୀଜଗନ୍ନାଥ ସଂସ୍କୃତିର ପଟ୍ଟ ପରିବର୍ତ୍ତନ କରିପାରିନାହାନ୍ତି। ଅଧିକନ୍ତୁ, ଏହି ଜ୍ଞାନୀ, ତତ୍ତ୍ୱଦର୍ଶୀ, ଦାର୍ଶନିକ, ଭକ୍ତ, ପଣ୍ଡିତ ଓ ଭାବୁକ ବୃନ୍ଦ ଶ୍ରୀଜଗନ୍ନାଥଧାମର ଶରଧାବାଲି ସ୍ପର୍ଶ କରିବାମାତ୍ରେ ଆପଣା ଆପଣାର ଜ୍ଞାନ, ତତ୍ତ୍ୱ, ଦର୍ଶନ, ଭକ୍ତି, ପାଣ୍ଡିତ୍ୟ ଓ ଭାବ ଭୁଲିଯାଇ ଶ୍ରୀଜଗନ୍ନାଥ ସଂସ୍କୃତିର ମହାସ୍ରୋତରେ ସାମିଲ ହୋଇଯାଇଛନ୍ତି।

ବିଶ୍ୱର ସକଳ ସଂସ୍କୃତିର ସାରତତ୍ତ୍ୱ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅନୁଭବନୀୟ। ଶ୍ରୀଜଗନ୍ନାଥ ସଂସ୍କୃତିରେ କୌଣସି ପ୍ରକାର ସଂକୀର୍ଣ୍ଣତା ନାହିଁ। ଏହି ସଂସ୍କୃତି ସକଳ ଜାତି, ଧର୍ମ, ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶ୍ରୟ ଦେଇ ସମନ୍ୱୟର ମହାଭାବ ସୃଷ୍ଟିକାରୀ ଭାବରେ ପ୍ରତିଭାତ। ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବା ଏହାର ମୌଳିକ ନୀତି। ଏହି ସଂସ୍କୃତିରେ ଏକତା, ସମତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଭ୍ରାତୃତ୍ୱ, ମୈତ୍ରୀ ଓ ବିଶ୍ୱପ୍ରେମର ବାଣୀ ଅତି ସୁସ୍ପଷ୍ଟ। ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସଂସ୍କୃତି ହେଲେ ହେଁ ସ୍ୱକୀୟ ସୃଜନଶୀଳତା ଓ ନମନୀୟତା ଯୋଗୁଁ ଏହା ନିତ୍ୟନୂତନ।

ଶ୍ରୀଜଗନ୍ନାଥଙ୍କଠାରେ ନିତ୍ୟ ସମାହିତ ତିନିଧୂପ, ପାଞ୍ଚ ଅବକାଶ ରୀତିରେ ପୂଜା, ନୈମିତ୍ତିକ ପର୍ବପର୍ବାଣି ଓ ବାରମାସରେ ସଂଘଟିତ ତେରଯାତ୍ରା, ଶ୍ରୀଜଗନ୍ନାଥ ସଂସ୍କୃତିକୁ ସୁସଂଗଠିତ କରିପାରିଛି। ଏଥିରେ ସମାଜର ସକଳଶ୍ରେଣୀ ସକ୍ରିୟ ଅଂଶଗ୍ରହଣ କରି ସମନ୍ୱୟର ମହାମନ୍ତ୍ରରେ ଉଦ୍ବୁଦ୍ଧ ହୋଇଥା’ନ୍ତି। ସଭିଁଙ୍କୁ ଧର୍ମକ୍ଷେତ୍ରରେ ସମାନ ଅଧିକାର ଦେବା ନିମିତ୍ତ ଶ୍ରୀଜଗନ୍ନାଥ ବାହୁପ୍ରସାରି ସଭିଁଙ୍କୁ ଆପଣାର କରିନେଉଛନ୍ତି। ଶ୍ରୀଜଗନ୍ନାଥ ଲୌକିକ ଭାବଧାରାରେ ଉପାସିତ। ତାଙ୍କ ଉପାସନାରେ ଶାସ୍ତ୍ରୀୟତା ନାହିଁ, ଧ୍ୟାନରେ ବୈଭୂତିକ ଚିନ୍ତା ନାହିଁ ଓ ଦର୍ଶନରେ ସ୍ୱର୍ଗୀୟତା ନାହିଁ। ସେ ନଶ୍ୱର କ୍ଷୟଶୀଳ ଦାରୁରୂପରେ ମାନବୀୟ ଚେତନାରେ ପୂଜିତ। ସେ ସଭିଁଙ୍କର ଈଷ୍ଟ, ବନ୍ଧୁ, ସହୋଦର, ପିତା, ମାତା, ମନ, ଆତ୍ମା ଓ ପ୍ରାଣ। ତାଙ୍କ ନିକଟରେ ‘ମୁଁ ମୋର ବା ତୁ ତୋହର’ ଭାବ ନାହିଁ। କେବଳ ‘ମୁଁ ତୋର ଓ ତୁ ମୋର’ ଏହି ଭାବ, ଯହିଁରେ ମାୟା ଅନ୍ତର୍ହିତ। ସେ ଦୀନବନ୍ଧୁ, ଦୁଃଖବନ୍ଧୁ, ଆର୍ତ୍ତତ୍ରାଣ, ଅନାଥର ନାଥ, ଅଶରଣ ଶରଣ, ବଳୀୟାର ଭୁଜ ଓ ମହାବାହୁ। ତାଙ୍କ ଦେଉଳ ବଡ଼ଦେଉଳ, ଦାଣ୍ଡ ବଡ଼ଦାଣ୍ଡ, ବାନା ପତିତପାବନ, ପ୍ରସାଦ ମହାପ୍ରସାଦ, ସେହିଁ ବଡ଼ ଠାକୁର। ବ୍ରହ୍ମବିଚାରରେ ସେ ଅବ୍ୟକ୍ତ, ଅଚିନ୍ତ୍ୟ, ଅଜ୍ଞେୟ ଓ ଅବର୍ଣ୍ଣନୀୟ ହେଲେ ହେଁ ଅଗଣିତ ଭକ୍ତଙ୍କ ଚେତନାରେ ରକ୍ତମାଂସ ଦେହୀ ମନୁଷ୍ୟ ଭଳି। ସେ ବିଶ୍ୱନିୟନ୍ତା ହେଲେ ହେଁ ଭାବମାନସରେ ମନୁଷ୍ୟ ପରି ଖାଆନ୍ତି, ଯାତ୍ରା କରନ୍ତି, ଧୂଳି ଧୂସରିତ ହୁଅନ୍ତି, ଭକ୍ତଙ୍କ ସାଥୀରେ ମେଳା ମଉଚ୍ଛବ କରନ୍ତି, ମାନଅଭିମାନ ଓ ରାଗରୋଷ କରନ୍ତି, ଥଟ୍ଟା ପରିହାସର ଶରବ୍ୟ ହୁଅନ୍ତି, ମନୋରଞ୍ଜନ କରନ୍ତି, ପଖାଳପାଣି ଖାଆନ୍ତି, ପାନ ଖାଆନ୍ତି, ପହଡ଼ ଯାଆନ୍ତି ଏବଂ ସାଧାରଣ ମଣିଷ ପରି ଶରୀର ତ୍ୟାଗ କରନ୍ତି। ସେ ପ୍ରତ୍ୟହ ଶଯ୍ୟାତ୍ୟାଗ କରନ୍ତି, ମୁଖ ପ୍ରକ୍ଷାଳନ କରନ୍ତି, ଦନ୍ତ ମାର୍ଜନ, ସ୍ନାନ ଓ ପୋଷାକ ପରିଧାନ କରନ୍ତି, ବିଭିନ୍ନ ସମୟରେ ଭୋଜନ କରନ୍ତି ଏବଂ ଶ୍ରୀଗୀତଗୋବିନ୍ଦର ମଧୁର ମୂର୍ଚ୍ଛନାରେ ପହଡ଼ ଯାଆନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମାନବୀୟ ପ୍ରବହମାନ ଧାରାରେ ଆଧ୍ୟାତ୍ମିକ ଐକ୍ୟବୋଧର ଉନ୍ନତ ରୁଚି, ବୌଦ୍ଧିକ ସୃଜନଶୀଳତା ଓ ସଂସ୍କାରବୋଧ ଚିରଜାଜ୍ଜ୍ୱଲ୍ୟମାନ।

ଶ୍ରୀଜଗନ୍ନାଥଙ୍କ ସହସ୍ର ନାମ ମଧ୍ୟରୁ ‘ପତିତପାବନ’ ନାମର ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ୍ୟ, ମୂଲ୍ୟବୋଧ ଓ ମହନୀୟତା ଅବର୍ଣ୍ଣନୀୟ। ଏହି ନାମଟିର ସ୍ମରଣ, ମନନ ଓ ଉଚ୍ଚାରଣ ମାତ୍ରେ ହୃଦୟ ବ୍ୟାକୁଳତାରେ ଭରିଉଠେ, ପ୍ରାଣ ଉଦ୍‌ବେଳିତ ହୋଇଉଠେ ଓ ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ। ତାଙ୍କ ବଡ଼ଦାଣ୍ଡରେ ଛିଡ଼ାହୋଇ ନୀଳଚକ୍ର ଉପରେ ଫରଫର ହୋଇ ଉଡ଼ୁଥିବା ପତିତପାବନ ବାନା ଦର୍ଶନ ନ କଲେ ଚତୁର୍ଦ୍ଦିଗ ଅନ୍ଧକାର ଦିଶେ। ତାଙ୍କ ଆନନ୍ଦବଜାରରେ ମହାପ୍ରସାଦ ସେବନ ନ କଲେ ପ୍ରାଣର କ୍ଷୁଧା ମେଣ୍ଟେନାହିଁ। ତାଙ୍କ ଗରୁଡ଼ଖମ୍ବକୁ କୁଣ୍ଢାଇ ମୁଖାରବିନ୍ଦ ଦର୍ଶନରେ ହିଁ ଆତ୍ମସନ୍ତୋଷ ମିଳିଥାଏ। ଶ୍ରୀଜଗନ୍ନାଥ ତାଙ୍କ ଦାରବୀ ଲୀଳାରେ ପତିତପାବନ ନାମ ଧରି ପତିତପାବନତ୍ୱକୁ ହିଁ ପ୍ରମାଣ କରିଛନ୍ତି। ତାଙ୍କ ଦିବ୍ୟ ଦାରବୀ ଲୀଳାର ମହତ୍ ଉଦ୍ଦେଶ୍ୟ ହେଉଛି ‘ସର୍ବେଷାଂ ପାବନଂ ମହଦ୍’। ଯୁଗେ ଯୁଗେ ପତିତମାନଙ୍କୁ ପାବନ କରି ସେ ହେଉଛନ୍ତି ପତିତପାବନ। ଆମେ ପତିତ କହିଲେ ଯାହା ବୁଝୁ ତାହା ତାଙ୍କଠାରେ ପାବନ ଭାବରେ ପ୍ରତିଷ୍ଠିତ। ତାଙ୍କ ଦିବ୍ୟଦୃଷ୍ଟିରେ ଯିଏ ପତିତ, ସେ ହିଁ ପବିତ୍ର। ତାଙ୍କ ବାନା ହେଉଛି ପତିତପାବନ ବାନା। ତାଙ୍କ ପାଖରେ ସାନ, ବଡ଼, ରୋଗୀ, ଭୋଗୀ, ଧନୀ, ଦରିଦ୍ର, ଜାତି, ଅଜାତି, ଦେଶୀ ଓ ବିଦେଶୀର ଭାବ ନାହିଁ। ତାଙ୍କ ଚକାନୟନ ପାଇଁ ସଭିଏଁ ସମାନ। ତାଙ୍କ ଘୋଷଯାତ୍ରାର ନାମ ପତିତପାବନ ଯାତ୍ରା। ଅଗଣିତ ପତିତଙ୍କୁ ପାବନ କରିବାର ମହାଭିପ୍ରାୟରେ ସେ ଶ୍ରୀମନ୍ଦିରର ଐଶ୍ୱର୍ଯ୍ୟଲୀଳା ପରିହାର କରି ପତିତପାବନତୀର୍ଥ ବଡ଼ଦାଣ୍ଡରେ ବିଜେ ହୋଇଥା’ନ୍ତି। ଅଗଣିତ ପତିତଙ୍କର ସେ ଏକାନ୍ତ ଆପଣାର ହୋଇଯାଆନ୍ତି। ନିଜକୁ ପତିତ ଭାବିଲେ ହିଁ ତାଙ୍କ ପାବନ ମୂର୍ତ୍ତିର ଦିବ୍ୟଦର୍ଶନ ମିଳିଥାଏ। ତାଙ୍କ ସେବା ସଂପନ୍ନ କରିବାକୁ ଗଜପତି ମହାରାଜ ସକଳ ରାଜକୀୟ ସ୍ୱାଭିମାନ ପରିତ୍ୟାଗ କରି ପତିତ ହୋଇଯାନ୍ତି। ଶ୍ରୀଜଗନ୍ନାଥଙ୍କ ଏହି ପତିତପାବନ ଲୀଳାରେ ସମଦୃଷ୍ଟି ସଂପନ୍ନ ମାନବିକ ମୂଲ୍ୟବୋଧ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ।

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଏକ ଗଣପର୍ବ ରୂପେ ଶତାବ୍ଦୀ ଶତାବ୍ଦୀ ଧରି ଜନମାନସକୁ ଉଦ୍‌ବୁଦ୍ଧ କରିଆସିଛି। ଅଖିଳ ବିଶ୍ୱବାସୀଙ୍କ କଲ୍ୟାଣ କାମନାରେ ଶ୍ରୀଜଗନ୍ନାଥ ଏହି ଲୀଳା ସଂରଚନା କରିଛନ୍ତି। ବିଶ୍ୱର ମଙ୍ଗଳ କାମନାରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାରୁ ଏହାର ଅନ୍ୟ ନାମ ମଙ୍ଗଳୋତ୍ସବ ବା ଘୋଷୋତ୍ସବ। ଏହି ମାଧୁର୍ଯ୍ୟଲୀଳାରେ ଗଣଦେବତା ଶ୍ରୀଜଗନ୍ନାଥ ରତ୍ନସିଂହାସନର ଐଶ୍ୱର୍ଯ୍ୟଲୀଳା ପରିହାର କରି ଗଣପର୍ବର ମହାପୀଠ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ଏବଂ ବିଶ୍ୱର ସକଳ ଶ୍ରେଣୀର ମାନବଙ୍କୁ ଦର୍ଶନ ଓ ସ୍ପର୍ଶର ସୌଭାଗ୍ୟ ପ୍ରଦାନ କରିଥା’ନ୍ତି। ଏହି ମାଧୁର୍ଯ୍ୟ ଲୀଳାରେ ଶ୍ରୀଜଗନ୍ନାଥ ଜାତି-ଅଜାତିର ପ୍ରାଚୀର ଉଠାଇ ଦେଇଛନ୍ତି। ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ସିଭିଏଁ ତାଙ୍କ ରଥଦଉଡ଼ି ଟାଣି କୃତକୃତ୍ୟ ହୋଇଯା’ନ୍ତି। ଗୌରବର ବିଷୟ, ଘୋଷଯାତ୍ରାର ଆଦର୍ଶ ପରମ୍ପରା ଓ ଉଚ୍ଚାଙ୍ଗ ଭାବଧାରା ସମଗ୍ର ବିଶ୍ୱର ଜନମାନସକୁ ପ୍ରଭାବିତ କରିଛି। ତେଣୁ ସଂପ୍ରତି ବିଶ୍ୱର କୋଣେ ଅନୁକୋଣେ ମହାସମାରୋହରେ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ମହିମାରେ ଏହି ଯାତ୍ରା ମହିମାବନ୍ତ। ମାନବ ଜାତିର ଇତିହାସରେ ଶୀର୍ଷ ଆସନ ଅଳଙ୍କୃତ କରିଥିବା ଘୋଷଯାତ୍ରା ସ୍ୱକୀୟ ଜନପ୍ରିୟ ପ୍ରସାରଣଶୀଳତାରେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ରୂପାନ୍ତର କରିପାରିଛି। ମାନବ ଜାତିକୁ ଶାନ୍ତି, ମୈତ୍ରୀ, ପ୍ରେମ, ସ୍ନେହ, ଶ୍ରଦ୍ଧା ଓ ବିଶ୍ୱାତ୍ମବୋଧରେ ଅନୁପ୍ରାଣିତ କରି ଘୋଷଯାତ୍ରା ବିଶ୍ୱ ସଂସ୍କୃତିକୁ ସୁରଭିତ କରିପାରିଛି। ବିଶ୍ୱ ସମ୍ବିଧାନର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବିଶ୍ୱରେ ପ୍ରଚଳିତ ବିଭିନ୍ନ ମତ, ପଥ, ଧର୍ମଧାରା, ପରମ୍ପରା ତଥା ଦାର୍ଶନିକ ଭାବଧାରାରେ ସମନ୍ୱୟ ପ୍ରତିଷ୍ଠା ପୂର୍ବକ ସକଳଶ୍ରେଣୀର ମାନବଙ୍କ ମଧ୍ୟରେ ଏକ ଗଣଚେତନା ସଞ୍ଚାର କରିପାରିଛି। ମାନବ ଜାତିର ଭାବାବେଗକୁ ସ୍ପର୍ଶ ଓ ସ୍ପନ୍ଦିତ କରି ଏହି ଯାତ୍ରା ‘ବସୁଧୈବ କୁଟୁମ୍ବକମ୍’ ଭାବଧାରାରେ ବିଶ୍ୱ ଜନମାନସକୁ ଅନୁପ୍ରାଣିତ କରିପାରିଛି। ବିଶ୍ୱ ମୈତ୍ରୀ ହିଁ ଏହି ଯାତ୍ରାର ଦିବ୍ୟସନ୍ଦେଶ। ଏହି ଗଣମହୋତ୍ସବ ବିଶ୍ୱ ସଂସ୍କୃତିରେ ସାମ୍ୟବାଦର ମନ୍ଦାକିନୀ ପ୍ରବାହିତ କରାଇ ବିଶ୍ୱବାସୀଙ୍କ ହୃଦୟରେ ବିଶ୍ୱାସ ଚେତନା ସୃଷ୍ଟି କରିପାରିଛି। ସଂସ୍କୃତିର ଉଦାର ଓ ମହାନ ଅନ୍ତଃପ୍ରେରଣାରେ ଦୀପ୍ତିମନ୍ତ ହୋଇ ଘୋଷଯାତ୍ରା ବିଶ୍ୱରେ ଶ୍ରେଷ୍ଠ ମାନବ କଲ୍ୟାଣକାରୀ ମହୋତ୍ସବର ଆସନ ଅଳଙ୍କୃତ କରିଛି। (କ୍ରମଶଃ)
ଲେଖକ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର
ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨

08 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର