ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରସଙ୍ଗ: ସଂକଳ୍ପ, ସମ୍ଭାବନା ଓ ସମସ୍ୟା
କଥାରେ ଅଛି- ଏକରେ ଅନେକ। ଅନେକରେ ଏକ। ଏହା ଅନୁଭୂତି, ଅଭିଜ୍ଞତା ତଥା ଗଭୀର ଅନୁଶୀଳନରୁ ସୃଷ୍ଟି ହୋଇଛି। ତେଣୁ ଯିଏ ଯାହା ପାରିଲା କହିଦେଲେ, ତାହା କ୍ଷଣିକ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଦିବାସ୍ୱପ୍ନ ହୋଇପାରେ। ବହୁ ଦିନରୁ ଆମ ଦେଶର ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିଭିନ୍ନ ମତାମତ ଆଲୋଚନା ପରିସରକୁ ଆସିଥିଲେ ମଧ୍ୟ ଏଇ କିଛିଦିନ ହେବ ଏକ ରାଷ୍ଟ୍ର-ଏକ ନିର୍ବାଚନ ସମ୍ପର୍କରେ ଟିକେ ଅଧିକ ଆଲୋଚନା ହେଉଛି। ଏହି ପ୍ରସ୍ତାବର […]
କଥାରେ ଅଛି- ଏକରେ ଅନେକ। ଅନେକରେ ଏକ। ଏହା ଅନୁଭୂତି, ଅଭିଜ୍ଞତା ତଥା ଗଭୀର ଅନୁଶୀଳନରୁ ସୃଷ୍ଟି ହୋଇଛି। ତେଣୁ ଯିଏ ଯାହା ପାରିଲା କହିଦେଲେ, ତାହା କ୍ଷଣିକ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଦିବାସ୍ୱପ୍ନ ହୋଇପାରେ। ବହୁ ଦିନରୁ ଆମ ଦେଶର ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ବିଭିନ୍ନ ମତାମତ ଆଲୋଚନା ପରିସରକୁ ଆସିଥିଲେ ମଧ୍ୟ ଏଇ କିଛିଦିନ ହେବ ଏକ ରାଷ୍ଟ୍ର-ଏକ ନିର୍ବାଚନ ସମ୍ପର୍କରେ ଟିକେ ଅଧିକ ଆଲୋଚନା ହେଉଛି। ଏହି ପ୍ରସ୍ତାବର ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେବା ବଦଳରେ କିଛି ଆତ୍ମଘୋଷିତ ରାଜନୈତିକ ବିଶେଷଜ୍ଞ ଏହାର ଉପକାରିତା ବିଷୟରେ ପ୍ରାୟତଃ ପ୍ରାୟୋଜିତ ନିବନ୍ଧମାନ ଲେଖି ତଥା ମଞ୍ଚନାଟକର ଶୈଳୀ ଅନୁକରଣରେ ପ୍ରସାରିତ ଦୃଶ୍ୟଶ୍ରାବ୍ୟ ଆଲୋଚନାରେ ଅଂଶଗ୍ରହଣ କରି ଏହା ଆମ ଦେଶ ପାଇଁ ସମ୍ପୂର୍ଣ୍ଣ ଗ୍ରହଣୀୟ ବୋଲି ଘୋଷଣା କରି ସାରିଲେଣି। ସବୁ ଠିକ୍ ଢଙ୍ଗରେ ଚାଲିଥିଲା। ହେଲେ ଆମ ଦେଶର ବିଧି ଆୟୋଗ ନିର୍ବାଚନ ବ୍ୟବସ୍ଥା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମ୍ପୃକ୍ତ ଅନେକ ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ଓ ଆଇନ ବିଶାରଦଙ୍କ ସହିତ ପରାମର୍ଶ କରିବା ପରେ ଘୋଷଣା କରିଦେଲେ ଯେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଅଧିକ ଆଲୋଚନା ସାପେକ୍ଷ। ଏଥିପାଇଁ ଯତ୍ନର ସହିତ ପ୍ରସ୍ତୁତି ଆବଶ୍ୟକ। ଆଉ ଯଦି ଏହା ଲାଗୁ କରାଯାଏ, ତେବେ ଅତିଶୀଘ୍ର ପଦକ୍ଷେପମାନ ଗ୍ରହଣ କରି ଦୁଇହଜାର ଅଣତିରିଶ ମସିହା ନିର୍ବାଚନ ସମୟରେ ଏହା ସମ୍ଭବପର ହୋଇପାରେ।
ଏଠାରେ କୁହାଯାଇପାରେ ଯେ ଏହି ଘଟଣା ଅବା ଘୋଷଣାର କୌଣସି ସମ୍ପର୍କ ବହୁଚର୍ଚ୍ଚିତ ତଥା ଯୁଗାନ୍ତକାରୀ ମହିଳା ଆରକ୍ଷଣ ଆଇନ ସହିତ ନାହିଁ। କେବଳ ‘କାକ ତାଳ’ ନ୍ୟାୟରେ ଏହି ଆଇନ ମଧ୍ୟ ସେହି ଏକା ସମୟରେ ଲାଗୁ ହୋଇପାରେ।
ଆମ ଦେଶର ସମ୍ବିଧାନରେ ନିର୍ବାଚନ ଆୟୋଗଙ୍କ ବିଷୟରେ ଉଲ୍ଲେଖ ରହିଛି। ତାଙ୍କର ଦାୟିତ୍ୱ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ନିର୍ବାଚନ କଥା ସ୍ୱାଭାବିକ ଭାବରେ ଆସିଥାଏ। କିନ୍ତୁ ଏକଥା ମଧ୍ୟ ସତ ଯେ ଆମ ‘ମତଦାନ’ର ଅଧିକାର ମୌଳିକ ଅଧିକାର ପର୍ଯ୍ୟାୟବାଚୀ ନୁହେଁ। ଗଣତାନ୍ତ୍ରିକ ଆବଶ୍ୟକତା ମାତ୍ର।
ନିର୍ବାଚନର ଆବଶ୍ୟକତା, ସମୟ ପ୍ରକାରଭେଦ ତଥା ଅପରିହାର୍ଯ୍ୟତା ଆଦି ଆଲୋଚନା କରିବା ସମୟରେ ସାଧାରଣତଃ ଲୋକସଭା, ରାଜ୍ୟ ବିଧାନସଭା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଆଦି ନିମନ୍ତେ ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା କଥା ଆମେ ବିଚାର କରିଥାଉ। ଏହା ବ୍ୟତୀତ ରାଜ୍ୟସଭା ଓ ଅଳ୍ପକିଛି ରାଜ୍ୟରେ ଥିବା ବିଧାନ ପରିଷଦ ପାଇଁ ଅନୁଷ୍ଠିତ ପରୋକ୍ଷ ନିର୍ବାଚନ କଥା ମଧ୍ୟ ରହିଛି। ପୁଣି ସାଧାରଣ ଅବା ସମୟ ମୁତାବକ ନିର୍ବାଚନ, ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ, ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ତଥା ଭିନ୍ନ ଭିନ୍ନ ରାଜ୍ୟରେ ବିଧାନସଭା ଅବଧି ଅନୁସାରେ ପୃଥକ ନିର୍ବାଚନ ଆଦି ବିଚାର କଲେ ଜଣାଯାଏ ଯେ ଆମ ଦେଶରେ ଅନେକ ନିର୍ବାଚନ ହୁଏ। ଏ ସବୁକୁ ଦୃଷ୍ଟିରେ ରଖି ମତ ପ୍ରକାଶ ପାଏ ଯେ ସମୟ, ସମ୍ବଳ, ଲୋକବଳ, ସୁରକ୍ଷା ଏବଂ ରାଷ୍ଟ୍ରୀୟ ସ୍ତରରେ ସବୁ ନିର୍ବାଚନ ଏକାଠି ଗୋଟିଏ ଥର ହେବା କଥା।
ଏହି ପ୍ରସ୍ତାବକୁ ସମର୍ଥନ କରୁନଥିବା ବ୍ୟକ୍ତି, ଗୋଷ୍ଠୀ ଅବା ଆଇନ ବିଶାରଦମାନଙ୍କର ଯୁକ୍ତି ସମ୍ୟକ ଆଲୋଚନା କରାଯାଇପାରେ। ଲୋକସଭା ନିର୍ବାଚନ ଓ ଦେଶର ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନର ସମୟ ଏତେ ଅଲଗା ଯେ କିଛି ମାସରୁ ଆରମ୍ଭ କରି କିଛି ବର୍ଷ ଆଗପଛ କରିବା ପରେ ହିଁ ଏକକ ନିର୍ବାଚନ କଥା ବିଚାର କରାଯାଇପାରିବ। ଏହା କେତେଦୂର ଆଇନ ସମ୍ମତ ହେବ ଏବଂ ରାଜ୍ୟ, ରାଜନୈତିକ ଦଳ ଓ କ୍ଷମତାସୀନ ନେତା ମାନିଯିବେ, ତାହା ଭାବିବା କଥା। ମୁହୂର୍ତ୍ତକ ପାଇଁ ଆମେ ଭାବିନେବା ଯେ ବୈଦ୍ୟୁତିକ, ଯାନ୍ତ୍ରିକ, ପ୍ରଯୁକ୍ତି ବିଦ୍ୟାଗତ ତଥା କୃତ୍ରିମ ବୁଦ୍ଧିମତ୍ତା ପ୍ରକ୍ରିୟା ସହାୟତାରେ ଏକକ ନିର୍ବାଚନ ହୋଇଯିବ। ତେବେ ରାଜନୀତି, ମତାନ୍ତର, ମନାନ୍ତର, କ୍ଷମତା ଲାଳସା, ଈର୍ଷା, କପଟତା, ଚକ୍ରାନ୍ତ ଆଦି କ’ଣ ଶେଷ ହୋଇଯିବ! ଏହି ସବୁ କାରଣରୁ ତ ଦେଶରେ ଓ ରାଜ୍ୟମାନଙ୍କରେ କେତେ ସରକାରଙ୍କ ଅସମୟ ପତନ ହୋଇଛି ଆଉ ନିର୍ବାଚନ ପୁଣି ଅନୁଷ୍ଠିତ ହୋଇଛି। ‘ଏକକ’ ନିର୍ବାଚନ ଏ ସବୁର ସମାଧାନ କରିପାରିବ କି?
ବିଗତ କିଛିବର୍ଷ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କଥା ମଧ୍ୟ ଆଲୋଚନା କରାଯାଉ। କାଗଜ ବଦଳରେ ଯନ୍ତ୍ର ଆସିଲା। ଭଲ କି ମନ୍ଦ ସେକଥା ସମର୍ଥକ, ବିରୋଧୀ ଅବା ନ୍ୟାୟାଳୟଙ୍କୁ ଜଣା। ଆମେ କେବଳ ଗୋଟିଏ ଦିଗ କଥା ଦେଖିବା। ତାହା ହେଉଛି ‘ନିର୍ବାଚନ’ର ଅବଧି ବା ସମୟ ସୀମା। ଗୋଟିଏ ବଡ଼ ରାଜ୍ୟରେ ଯଥେଷ୍ଟ ଅଧିକ ମତଦାତା ଓ ବହୁ ଅଧିକ ଆସନ ଥାଇ ସମ୍ପୂର୍ଣ୍ଣ ନିର୍ବାଚନ ଗୋଟିଏ ଦିନରେ ଆୟୋଜିତ ହୋଇଥିବା ବେଳେ ସେହି ରାଜ୍ୟର ଅଧାରୁ କମ୍ ମତଦାତା ଓ ଅଧାରୁ କମ୍ ଆସନ ଥିବା ଅନ୍ୟ ଏକ ରାଜ୍ୟରେ ସାତଟି ଚରଣ ଅବା ସାତ ଥରରେ ଦୀର୍ଘ ତିରିଶ ଦିନ ଧରି ସେଇ ଏକା ନିର୍ବାଚନ ଅନୁଷ୍ଠିତ ହୁଏ। ଅନ୍ୟ କେତେକ ରାଜ୍ୟରେ ‘ଚରଣ’ ଦୁଇରୁ ଛଅ ତଥା ଅବଧି ଦୁଇ ଦିନରୁ ଅଣତିରିଶ ଦିନ ମଧ୍ୟରେ ରହିଥାଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକକ ନିର୍ବାଚନ ନା ‘ଅନେକ ନିର୍ବାଚନ’ କହିବା। ଯେତେ ଯୁକ୍ତି କି ତର୍କ ଏହି ଗୋଲକ ଧନ୍ଦାର ଉତ୍ତର ଦେବାରେ ଅସମର୍ଥ।
ଏକ ବା ଅନେକ ନିର୍ବାଚନ ଏକମାତ୍ର ମୌଳିକ ପ୍ରସଙ୍ଗ ନୁହେଁ। ନିର୍ବାଚନ ସଂସ୍କାର ଏକ ବ୍ୟାପକ ବିଷୟ। ଅର୍ଥବଳ, ବାହୁବଳ, କ୍ଷମତାର ଅପପ୍ରୟୋଗ ଆଦି ଅନେକ ପ୍ରସଙ୍ଗ ରହିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ସମିତିର ବିଚାର ପରିସର ସୀମିତ। ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ଦାବି ରଖେ।
ତେବେ ପୁଣି ମୂଳ ପ୍ରଶ୍ନକୁ ଫେରିବା। ଏକ ନା ଅନେକ। ହୁଏତ ଯଥାର୍ଥ ପନ୍ଥା ହେଉଛି- ଏକରେ ଅନେକ ଓ ଅନେକରେ ଏକ। ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ଉଭୟ ମାର୍ଗ ଆବଶ୍ୟକ। ଦୁଇହଜାର ଚାରି ମସିହାରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ଅନୁଷ୍ଠିତ ହେଲା। ଦୁଇ ଦଶନ୍ଧି ମଧ୍ୟରେ ଆଉ କେତୋଟି ରାଜ୍ୟ ଏହା ଗ୍ରହଣ କରିଛନ୍ତି। ଏଥିରୁ ଆଲୋଚ୍ୟ ପ୍ରସଙ୍ଗର ସମ୍ଭାବ୍ୟ ଭବିଷ୍ୟତ ସ୍ପଷ୍ଟ ଜଣାଯାଏ। ଭାଷଣ ପାଇଁ ଭଲ ବିଷୟଟିଏ। କିନ୍ତୁ କାର୍ଯ୍ୟକାରୀ କରିବା ପୂର୍ବରୁ ଗଭୀର ଚିନ୍ତନ ଓ ଅନୁଶୀଳନର ଆବଶ୍ୟକତା ରହିଛି।
ପ୍ରଫେସର ଶ୍ରୀନିବାସ ପାଠୀ
ଇମ୍ଫାଲ୍, ମୋ: ୯୪୩୬୧୫୧୧୩୧





