ଆମ ପର୍ବପର୍ବାଣୀର ବିବର୍ତ୍ତନ

The Sakala Picture
Published On

ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ପାଳନର ଉଭୟ ସାମାଜିକ ଓ ବୈଜ୍ଞାନିକ ମୂଲ୍ୟବୋଧ ରହିଛି । ଆମେ ପାଳନ କରୁଥିବା ପ୍ରତିଟି ପର୍ବ ଆମ ପରମ୍ପରା, ସଂସ୍କୃତି, ଚଳଣି, ଐତିହ୍ୟକୁ ପ୍ରତିଫଳିତ କରିବା ସହିତ ମାନବୀୟ ବିଚାରଧାରା, ଏକତା, ମୈତ୍ରୀ ଏବଂ ପ୍ରୀତିର ବାର୍ତ୍ତା ବହନ କରେ। ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବର ମଧ୍ୟ ନିଜସ୍ବ ବିଶେଷତ୍ୱ ରହିଛି ଏବଂ ଆମର ଦୈନନ୍ଦିନ ଜୀବନକୁ ଏହା ପ୍ରଭାବିତ ମଧ୍ୟ କରୁଛି […]

ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ପାଳନର ଉଭୟ ସାମାଜିକ ଓ ବୈଜ୍ଞାନିକ ମୂଲ୍ୟବୋଧ ରହିଛି । ଆମେ ପାଳନ କରୁଥିବା ପ୍ରତିଟି ପର୍ବ ଆମ ପରମ୍ପରା, ସଂସ୍କୃତି, ଚଳଣି, ଐତିହ୍ୟକୁ ପ୍ରତିଫଳିତ କରିବା ସହିତ ମାନବୀୟ ବିଚାରଧାରା, ଏକତା, ମୈତ୍ରୀ ଏବଂ ପ୍ରୀତିର ବାର୍ତ୍ତା ବହନ କରେ। ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବର ମଧ୍ୟ ନିଜସ୍ବ ବିଶେଷତ୍ୱ ରହିଛି ଏବଂ ଆମର ଦୈନନ୍ଦିନ ଜୀବନକୁ ଏହା ପ୍ରଭାବିତ ମଧ୍ୟ କରୁଛି । ପାରମ୍ପରିକ ପୋଷାକ ପରିଧାନ ସହିତ ନୃତ୍ୟ, ସଙ୍ଗୀତ ଓ ବାଦ୍ୟର ତାଳରେ ତଥା ଆକର୍ଷଣୀୟ ଖାଦ୍ୟ ପଦାର୍ଥର ସ୍ୱାଦ ଆସ୍ବାଦନ କରି ସଭିଏଁ ଏକତ୍ରିତ ହୋଇ ବିଭିନ୍ନ ଉତ୍ସବ ପାଳନର ଧାରାବାହିକତା ବର୍ଷସାରା ଭାରତୀୟଙ୍କ ମନରେ ଉତ୍ସାହ, ଆନନ୍ଦ ଓ ଗୁଣାତ୍ମକ ଜୀବନ ବଞ୍ଚିବାର ପ୍ରଫୁଲ୍ଲତା ପ୍ରଦାନ କରେ ।

କିନ୍ତୁ ଗତ କେତେ ଦଶନ୍ଧି ଭିତରେ ଭାରତରେ ବିଦେଶୀ ସଂସ୍କୃତିର ଅନୁପ୍ରବେଶର ସ୍ତରକୁ ମଧ୍ୟ ଅଣଦେଖା କରିହେବ ନାହିଁ । ପାଶ୍ଚାତ୍ୟ ଦେଶ ଗୁଡ଼ିକର ପରମ୍ପରାକୁ ଆଧୁନିକତାର ନାମ ଦେଇ, ଅସ୍ଥିମଜ୍ଜାଗତ କରି ଆମେ ଭାରତୀୟ ମାନେ ଆନନ୍ଦିତ ହେବାର ଦେଖାଯାଉଛି । ଫଳରେ ଆମର ପାରମ୍ପାରିକ ପର୍ବ ଗୁଡ଼ିକ ପାଳନର ମୂଳ ଉଦ୍ଦେଶ୍ୟ କେଉଁଠି ନା କେଉଁଠି ପୂରଣ ହେବାରେ ଅବହେଳା ଲକ୍ଷ୍ୟ କରାଯାଉଛି । ସତ କହିବାକୁ ଗଲେ ଆମର ପର୍ବପର୍ବାଣୀ ଗୁଡ଼ିକ କ୍ରମେ କେବଳ ଲୋକଦେଖାଣିଆ ପ୍ରସ୍ତୁତି ଏବଂ ଆତ୍ମ ପ୍ରଦର୍ଶନ କରିବାର ଏକ ମାଧ୍ୟମ ହୋଇ ରହିଯାଉଛି। ବାହାଘର, ବ୍ରତଘର ଭଳି ପବିତ୍ର ଧାର୍ମିକ କାର୍ଯ୍ୟଗୁଡ଼ିକ ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି । କିଏ କେତେ ଟଙ୍କା ଖର୍ଚ୍ଚ କରି ସାଜସଜ୍ଜା, ଖାଦ୍ୟପଦାର୍ଥ, ଫୋଟୋ / ଭିଡିଓ ଉତ୍ତୋଳନ କରିପାରୁଛି, ସେସବୁରେ ଯେମିତି ପ୍ରତିଯୋଗିତା ଚାଲିଛି ।

ଆମ ଓଡ଼ିଶାରେ କିଛି ପର୍ବ, ଯେପରିକି ନବବର୍ଷ, ହୋଲି, ରକ୍ଷାବନ୍ଧନ, ଦଶହରା, ଦୀପାବଳି, ନିଜର ଓଡ଼ିଆ ପରମ୍ପରା ଅନୁଯାୟୀ ଆଉ ପାଳନ କରାଯାଉନାହିଁ; ବରଂ ସେଗୁଡିକ ନିଜର ସ୍ୱତନ୍ତ୍ରତା ହରାଇ ଅନ୍ୟ ରାଜ୍ୟ ଗୁଡିକରୁ ନୂତନ ଉତ୍ସବ ସବୁ ଅନୁକରଣ କରି ପାଳନ କରାଯାଉଛି। ଆମେ ସମସ୍ତେ ଗୋଟିଏ ଦେଶ ଭିତରେ ବସବାସ କରୁଥିବାରୁ ଅନ୍ୟ ରାଜ୍ୟଗୁଡ଼ିକର ପ୍ରତିଫଳନ ଆମ ସାମାଜିକ ଜୀବନ ଉପରେ ହେବା ସ୍ୱାଭାବିକ। ମାତ୍ର ଏଭଳି ଅନୁସରଣ ଦ୍ୱାରା ମୂଳ ପର୍ବ ପାଳନର ରୂପରେଖ ପରିବର୍ତ୍ତନ ହେଲେ, ଏହା ସେହି ରାଜ୍ୟର ସଂସ୍କୃତି ଓ ପରମ୍ପରାର ଅଧୋଗତି ବୋଲି କୁହାଯିବ ।

ବ୍ରତ, ଉପବାସ, ପୂଜା, ଧ୍ୟାନ ଏସବୁର ବିଜ୍ଞାନ ସମ୍ବନ୍ଧୀୟ ସୁପ୍ରଭାବ ବିଷୟରେ ଆମେ ସମସ୍ତେ ଅବଗତ। ଅଭାବୀ ଏବଂ ଗରିବଙ୍କୁ ଖାଦ୍ୟଦାନ ଭଳି ଶୁଦ୍ଧ ପରମ୍ପରାକୁ ନେଇ ଆମ ଓଡ଼ିଆ ସଂସ୍କୃତି। ହେଲେ ଏବେ ଉତ୍ସବ ପାଳନ ରେ ପରମ୍ପରାର ପ୍ରାଧାନ୍ୟ କମିଗଲାଣି ଏବଂ କେବଳ ଚିକ୍ ଚିକ୍ ଦାମୀ ପୋଷାକ, ଗହଣା ଏବଂ ଚିତ୍ର ଉତ୍ତୋଳନ ଓ ସାମୁହିକ ନାଚ ଗୀତ ଭିତରେ ସୀମିତ ରହିଯାଉଛି । ମୈତ୍ରୀ, ପ୍ରୀତି, ଏକତାର ରଙ୍ଗରେ ରଙ୍ଗାୟିତ ନ ହୋଇ ବରଂ ସାଜସଜ୍ଜା ଏବଂ ପ୍ରଶଂସା ସାଉଁଟିବାର ଦୌଡ଼ରେ ସମସ୍ତେ ଅଣନିଃଶ୍ୱାସୀ ହେଉଛନ୍ତି ।

ଆମର ଯେ କୌଣସି ପର୍ବ, ସେ ରଜ ହେଉ କି ଦଶହରା; ଏକାଧିକ ଦିନର ଛୁଟି ସତ୍ୱେ ଏବେ ଆଉ ପରିବାର ପାଖକୁ ଲୋକଙ୍କୁ ଆସିବାକୁ ବାଧ୍ୟ କରି ପାରୁନାହିଁ । ଆତ୍ମୀୟଙ୍କ ସାହଚର୍ଯ୍ୟ, ପାରିବାରିକ ବନ୍ଧନ ଲୋକଙ୍କୁ ଆଉ ଆକର୍ଷିତ କରୁନାହିଁ ବରଂ ଅଯଥା ଖର୍ଚ୍ଚ ଏବଂ ସମୟ ନଷ୍ଟର ଦ୍ୱାହି ଦେଇ ଚତୁରତାର ସହ ସବୁ ପରିସ୍ଥିତି ସହିତ ସାଲିସ କରି ବଞ୍ଚିବା ଶିଖିଗଲାଣି ସ୍ବାର୍ଥୀ ଓଡ଼ିଆ ମଣିଷ। ଘରେ ଉତ୍ସବ ପାଳନ କରିବା ଅପେକ୍ଷା ଲୋକ ହୋଟେଲରେ ଖାଇ, ପୂଜା ମଣ୍ଡପ ଏବଂ ସପିଙ୍ଗ ମଲ ଗୁଡ଼ିକରେ ବୁଲି ପର୍ବପର୍ବାଣୀ ପାଳନ କରିବାକୁ ଅଧିକ ଆଗ୍ରହୀ ହେଉଛନ୍ତି । ଗଣେଶପୂଜା, ସରସ୍ବତୀପୂଜା, ଦଶହରା, ଲକ୍ଷ୍ମୀପୂଜା ସମୟରେ ପୂଜାସ୍ଥଳୀରେ ଏବଂ ମୂର୍ତ୍ତି ବିସର୍ଜନ ସମୟରେ ଅତ୍ୟନ୍ତ କର୍କଶ ଏବଂ ଉତ୍ସୃଙ୍ଖଳ ସଙ୍ଗୀତ ବଜାଇ ଉଦ୍ଦାମ ନୃତ୍ୟ କରିବା, ଭସାଣି ଉତ୍ସବରେ ମୂଳ ପୂଜା ଠାରୁ ଅଧିକ ଖର୍ଚ୍ଚ କରିବା, ମଦ ମାଂସ ଭୋଜି କରି ଖାଇବା, ନିଜର ସ୍ୱାର୍ଥ ସାଧନ ଏବଂ ମଉଜ ମଜଲିସ୍ କରିବାକୁ ଭକ୍ତି ନୁହେଁ ଅପସଂସ୍କୃତି ହିଁ କୁହାଯିବ । ସମ୍ପ୍ରତି ଅନ୍ୟ ରାଜ୍ୟକୁ ଅନୁସରଣ କରି ଶ୍ରାବଣ ସୋମବାର ପାଳନ ବେଳେ “କାଉଁଡିଆ” ଭକ୍ତଗଣଙ୍କ ପାଇଁ ଆୟୋଜନ କରାଯାଇଥିବା ଭଜନ ସମାରୋହଗୁଡିକରେ ସୁନ୍ଦର ଭଜନ ଗୁଡିକୁ ଶସ୍ତା ସିନେମା ଗୀତର ତାଳରେ ଅପଭ୍ରଂଶ କରି ପରିବେଷଣ କରି ଭକ୍ତି ପ୍ରଦର୍ଶନର ଆଉ ଏକ ବିଡମ୍ବନା ଦେଖିବାକୁ ମିଳୁଛି । ସତରେ କଣ ଏଭଳି ସଙ୍ଗୀତ ଶୁଣି ଆମ ଶିବଭକ୍ତ ଭାଇଭଉଣୀ ମାନଙ୍କର ଶ୍ରମଭାର ଲାଘବ ହଉଛି ? ନା ୟେ କେବଳ ଧର୍ମକୁ ଆଖିଠାର ସଦୃଶ । ଗୁରୁତ୍ୱପୂର୍ଣ କଥା ଏହା ଯେ, ୟା ଉପରେ ନା ଜନସାଧାରଣଙ୍କ ବାରଣ ରହୁଛି ନା ସରକାରଙ୍କ କଟକଣା । ବୋଧହୁଏ ଏହାକୁ ନୂତନ ପରମ୍ପରା ର କ୍ରମବିକାଶ ବୋଲି ମନେ କରି ସମସ୍ତେ ଆପଣେଇ ନେଇଛନ୍ତି । କେତେକ ପୂଜାରେ ଦେବଦେବୀ ମେଢ଼ ଗୁଡିକ ସହର ପରିକ୍ରମା ସମୟରେ, “ମେଲୋଡି” ନାଁ ରେ ବାହାର ରାଜ୍ୟରୁ ନର୍ତ୍ତକୀମାନଙ୍କୁ ଡକାଯାଇ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଛି, ଏବଂ ଦର୍ଶକ ସାଜି ଜନତା ମଧ୍ୟ ଏହାକୁ ଦେଖି ମନୋରଞ୍ଜନ କରୁଛନ୍ତି। ସେହି ପ୍ରକାର ନୃତ୍ୟ, ସଙ୍ଗୀତର ଶ୍ରୋତା ଓ ଦର୍ଶକ ସାଜୁଥିବା ଆମ ଯୁବପିଢ଼ି କେବଳ ଉଚ୍ଛୃଙ୍ଖଳ ହେବା ହିଁ ସାର ହେଉଛି। ପର୍ବପାଳନର ଏଇ ପରମ୍ପରା ନିଶ୍ଚିତ ଭାବରେ ଆମ ଭାରତୀୟ ସଂସ୍କୃତିର ଅସଲ ପରିଚୟ ନୁହେଁ । ଅନ୍ୟଠାରୁ ଦେଖିଶିଖି ଏହାକୁ ଆପଣେଇ ନେବାରେ ଆମ ସମାଜର ଲାଭ ଅପେକ୍ଷା କ୍ଷତି ଅଧିକ ।

ଦୁଃଖଦ ବିଷୟ ଏହା ଯେ ଏତେ ସବୁ କଲା ପରେ ଏହାର ସ୍ଥିରଚିତ୍ର ଏବଂ ଭିଡିଓଗୁଡିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବାକୁ ସଭିଏଁ ନିଜର ଗର୍ବ ଓ ଗୌରବ ମନେ କରୁଛନ୍ତି । ପର୍ବପର୍ବାଣୀଗୁଡ଼ିକର ପ୍ରଚାର ଓ ପ୍ରସାର ଦ୍ୱାରା ଅଧିକ ଲୋକ ଏହା ବିଷୟରେ ଜାଣିବା ସମ୍ଭବପର ହୁଏ ସତ; ମାତ୍ର କିଛିଲୋକ ସାମାଜିକ ଗଣମାଧ୍ୟମ ରେ ଶସ୍ତା ନାଚ ଗୀତ ଓ ଉଚ୍ଛୃଙ୍ଖଳତା ପ୍ରଦର୍ଶନ କରିବା ପାଇଁ ଯେ ପର୍ବ ପାଳନ କରୁଛନ୍ତି, ଏକଥାକୁ ମଧ୍ୟ ଅଣଦେଖା କରାଯାଇ ପାରୁନାହିଁ l ଏହିଭଳି ଲୋକମାନେ ସେଇ ପର୍ବର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ବିଷୟରେ ଅଜ୍ଞ ଥାଆନ୍ତି।

ବାସ୍ତବରେ ଆଜି ଆମ ଲୋକଙ୍କ ଆତ୍ମ ପ୍ରଦର୍ଶନକାରୀ ମାନସିକତାରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଦ୍ରୁତଗତିରେ ହେଉଛି। କୌଣସି ଗୋଟିଏ ପର୍ବ ଆସିଲେ ୫o ରୁ ୧oo ଜଣଙ୍କୁ ମୋବାଇଲରେ ଶୁଭକାମନା ଜଣେଇବା, ବ୍ୟକ୍ତିଗତ ଭାବରେ ନିଜେ କିପରି ପର୍ବଗୁଡିକୁ ପାଳନ କରୁଛନ୍ତି ସେ ବିଷୟରେ ଲୋକଙ୍କୁ ଆଗତୁରା ଜଣେଇବାଠାରୁ ବହୁ ଊର୍ଦ୍ଧ୍ୱରେ ରହିଛି ପର୍ବପର୍ବାଣୀ ପାଳନର ପ୍ରାଚୀନ ଓ ସାମାଜିକ ପ୍ରାସଙ୍ଗିକତା ! ଦିନଥିଲା ପରସ୍ପର ମଧ୍ୟରେ ଥିବା ବନ୍ଧନକୁ ଦୃଢ଼ କରିବା ପାଇଁ, ରାଗ, ଅଭିମାନ, କ୍ଷୋଭର ଅନ୍ତ କରିବା ପାଇଁ, ଏକତ୍ରିତ ହୋଇ ଚଳିବା ପାଇଁ, ପରସ୍ପରର ମନକଥା ବୁଝି ଜୀବନ ବଞ୍ଚିବା ଭଳି ମହତ ଉଦ୍ଦେଶ୍ୟ ବହନ କରୁଥିଲା ବିଭିନ୍ନ ପର୍ବପାଳନ । ଦୁର୍ଭାଗ୍ୟବଶତଃ ଏହା ଏବେକାର ଜୀବନଶୈଳୀରେ ଅଦୃଶ୍ୟ ହେବାକୁ ଲାଗିଲାଣି l ଲୋକ ଏକୁଟିଆ ପୂଜା କିମ୍ବା ଉତ୍ସବ ପାଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ତୃପ୍ତି ଲାଭ କରୁଛନ୍ତି। ସାମୂହିକ ଓ ସାର୍ବଜନୀନ ସାମାଜିକ ପର୍ବ ପାଳନର ଦିନ ବୋଧହୁଏ ସରିଯାଉଛି।

ଶେଷରେ ଏତିକି, ଯେ ଭାରତ ତଥା ଓଡ଼ିଆ ସଂସ୍କୃତିର ହୃଦୟ ଓ ଆତ୍ମା ହେଉଛି ଏଠାରେ ପାଳନ କରାଯାଉଥିବା ନାନାଦି ପର୍ବ । ଆମେ ପ୍ରତ୍ୟେକେ ଆମ ସଂସ୍କୃତି, ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧିରେ ସହାୟକ ହେବା ପାଇଁ ସଚେତନ ଏବଂ ଯତ୍ନଶୀଳ ହେବା ଜରୁରୀ । ଚାକଚକ୍ୟ ଓ ଲୋକଦେଖାଣିଆ ମନୋବୃତ୍ତିକୁ ବାଦ୍ ଦେଲେ ହିଁ ଏହା ସମ୍ଭବ। ପୁଣିଥରେ ଭାରତୀୟ ପର୍ବପର୍ବାଣୀଗୁଡ଼ିକର ହଜିଯାଇଥିବା ଖୁସିକୁ ଫେରାଇ ଆଣିବା ପାଇଁ ଆମର ଇଛାଶକ୍ତି ଏବଂ ମିଳିତ ପ୍ରୟାସ ହିଁ ଏକାନ୍ତ ଆବଶ୍ୟକ ବୋଲି ମନେହୁଏ। ଏଥିପାଇଁ ଆମ ପରମ୍ପରା ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଙ୍କୁ ଆହ୍ବାନ ଜଣାଉଛି।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର, ମୋ: ୬୩୭୦୫୧୬୪୭୮

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର