ଇଣ୍ଟରନେଟ୍‌‌ରେ ଓଡ଼ିଆ ଲିପି ସଙ୍କଟ

The Sakala Picture
Published On

ଡିଟିପି ଶବ୍ଦ ସହିତ ସମସ୍ତେ ଊଣାଅଧିକେ ପରିଚିତ। ଡିଟିପି କହିଲେ ଆମେ ବୁଝୁ କମ୍ପ୍ୟୁଟରରେ ଅକ୍ଷର ସଜ୍ଜୀକରଣ। କେହି କେହି କମ୍ପ୍ୟୁଟରରେ ଟାଇପ୍‌‌ କରିବାକୁ ବି ଡିଟିପି କହିଥା’ନ୍ତି। ଯେଉଁମାନେ ପତ୍ରପତ୍ରିକା, ପୁସ୍ତକ, ଖବରକାଗଜ ଓ ବିଭିନ୍ନ ମୁଦ୍ରଣଜନିତ କ୍ଷେତ୍ରରେ ଜଡ଼ିତ ସେମାନଙ୍କ ପାଇଁ ଡିଟିପିର ସରଞ୍ଜାମ କହିଲେ ଗୋଟିଏ କମ୍ପ୍ୟୁଟର, ପ୍ରିଣ୍ଟର, ଡିଟିପି କରିବା ପାଇଁ ଆବଶ୍ୟକ ହେଉଥିବା ସଫ୍ଟୱେର, କିଛି ଫଣ୍ଟ୍‌‌, କିଛି କ୍ଲିପ୍‌‌ଆର୍ଟ (ଅବଶ୍ୟ ଇଣ୍ଟରନେଟ୍‌‌ର ବ୍ୟାପକ ଉପଲବ୍‌‌ଧତା ପରେ କ୍ଲିପ୍‌‌ଆର୍ଟର ସଂଗ୍ରହ […]

ଡିଟିପି ଶବ୍ଦ ସହିତ ସମସ୍ତେ ଊଣାଅଧିକେ ପରିଚିତ। ଡିଟିପି କହିଲେ ଆମେ ବୁଝୁ କମ୍ପ୍ୟୁଟରରେ ଅକ୍ଷର ସଜ୍ଜୀକରଣ। କେହି କେହି କମ୍ପ୍ୟୁଟରରେ ଟାଇପ୍‌‌ କରିବାକୁ ବି ଡିଟିପି କହିଥା’ନ୍ତି। ଯେଉଁମାନେ ପତ୍ରପତ୍ରିକା, ପୁସ୍ତକ, ଖବରକାଗଜ ଓ ବିଭିନ୍ନ ମୁଦ୍ରଣଜନିତ କ୍ଷେତ୍ରରେ ଜଡ଼ିତ ସେମାନଙ୍କ ପାଇଁ ଡିଟିପିର ସରଞ୍ଜାମ କହିଲେ ଗୋଟିଏ କମ୍ପ୍ୟୁଟର, ପ୍ରିଣ୍ଟର, ଡିଟିପି କରିବା ପାଇଁ ଆବଶ୍ୟକ ହେଉଥିବା ସଫ୍ଟୱେର, କିଛି ଫଣ୍ଟ୍‌‌, କିଛି କ୍ଲିପ୍‌‌ଆର୍ଟ (ଅବଶ୍ୟ ଇଣ୍ଟରନେଟ୍‌‌ର ବ୍ୟାପକ ଉପଲବ୍‌‌ଧତା ପରେ କ୍ଲିପ୍‌‌ଆର୍ଟର ସଂଗ୍ରହ ପ୍ରାୟ ଗୌଣ ହୋଇଗଲାଣି)। ଡିଟିପି ସଫ୍ଟୱେରରେ ସବୁଠୁ ବେଶୀ ପ୍ରଚଳିତ ପେଜ୍‌‌ମେକର ଓ ୱାର୍ଡ। ତା’ପରେ ଆସେ କୋରେଲ୍‌‌ଡ୍ର, ଫଟୋସପ୍‌‌, ଇନ୍‌‌ଡିଜାଇନ୍‌‌, କ୍ୱାକ୍‌‌ଏକ୍ସ୍‌‌ପ୍ରେସ୍‌‌ ଇତ୍ୟାଦି।

ଖବରକାଗଜ ଶିଳ୍ପକୁ ବାଦ୍‌‌ ଦେଲେ ଓଡ଼ିଶାରେ ଡିଟିପିର ବ୍ୟବହାର ପ୍ରାୟ ୨୫ ବର୍ଷ ପୁରୁଣା। ଓଡ଼ିଆରେ ଡିଟିପିର ବ୍ୟାପକତା ପାଇଁ ଯେଉଁ ଦୁଇଟି ପ୍ରମୁଖ ସଫ୍ଟୱେରର ଅବଦାନ ରହିଛି ସେଗୁଡ଼ିକ ହେଲେ ଆକୃତି ଓ ଶ୍ରୀଲିପି। ଯେଉଁମାନେ ଡିଟିପି ତଥା ମୁଦ୍ରଣ ବ୍ୟବସାୟରେ ଅଛନ୍ତି ସେମାନେ ଆକୃତି କିମ୍ୱା ଶ୍ରୀଲିପିକୁ ବାଦ୍‌‌ ଦେଇ କିଛି ବ୍ୟବସାୟ କରିଥିବେ ବୋଲି ଆଶା କରିବା ବୃଥା। ଦୀର୍ଘ ତିନି ଦଶନ୍ଧି ଧରି ରିମ୍‌‌ ରିମ୍‌‌ ଓଡ଼ିଆ ଖବରକାଗଜ, ପତ୍ରପତ୍ରିକା, ବହିର ମୁଦ୍ରଣର ମୂଳରେ ରହିଛି ଏହି ଦୁଇଟି ସଫ୍ଟୱେର। ହେଲେ ଆପଣ ଖବରକାଗଜ କି ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିବା କୌଣସି ପୁରୁଣା ଓଡ଼ିଆ ଲେଖାକୁ ଇଣ୍ଟରନେଟ୍‌‌ରେ ଖୋଜି ପାରିଛନ୍ତି କି? ଆପଣ ଖୋଜିଥିବେ; କିନ୍ତୁ ନିରାଶ ହୋଇଥିବେ। ଆପଣଙ୍କ ନିରାଶାର କାରଣ ଜଣେଇବା ହେଉଛି ଏହି ଆଲେଖ୍ୟର ଉଦ୍ଦେଶ୍ୟ।

‘ଆକୃତି’ ଓ ‘ଶ୍ରୀଲିପି’ – ଓଡ଼ିଆ ଭାଷାରେ ପ୍ରକାଶନ ଓ ପ୍ରସାରରେ ଏହି ଦୁଇଟି ସଫ୍ଟୱେରର ଭୂମିକା ଅନସ୍ୱୀକାର୍ଯ୍ୟ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଇଣ୍ଟରନେଟ୍‌‌ରେ ଓଡ଼ିଆ ଭାଷା ହଜିଯିବା ପଛରେ ବି ଏହି ଦୁଇଟି ସଫ୍ଟୱେର ହିଁ ଦାୟୀ। ଏହାର କାରଣ ଜାଣିବାକୁ ହେଲେ ଓଡ଼ିଆ ଲିପିର କମ୍ପ୍ୟୁଟରୀକରଣର ପୃଷ୍ଠଭୂମିକୁ ଯିବାକୁ ପଡ଼ିବ। କମ୍ପ୍ୟୁଟରରେ ପ୍ରତ୍ୟେକ ଅକ୍ଷର ପାଇଁ ଏକ ସ୍ୱତନ୍ତ୍ର ସଂଖ୍ୟା ବା କୋଡ୍‌‌ ରହିଛି। ୧୯୬୩ ମସିହାରୁ ଇଂରାଜୀ ଭାଷାର ବିଭିନ୍ନ ବର୍ଣ୍ଣ, ସଂଖ୍ୟା ଓ ବିଭିନ୍ନ ଚିହ୍ନ ପାଇଁ ଏକ କୋଡ୍‌‌କୁ ମାନକ ହିସାବରେ ନିଆଯାଇଅଛି, ଯାହାକୁ ଆସ୍କି କୋଡ୍‌‌ (ଏଏସ୍‌‌ସିଆଇଆଇ- ଆମେରିକାନ୍‌‌ ଷ୍ଟାଣ୍ଡାର୍ଡ କୋଡ୍‌‌ ଫର ଇନ୍‌‌ଫରମେସନ୍‌‌ ଇଣ୍ଟରଚେଞ୍ଜ) କୁହାଯାଏ। ଯେପରି ‘କ୍ୟାପିଟାଲ୍‌‌ ଏ’ ପାଇଁ ୬୫, ‘କ୍ୟାପିଟାଲ୍‌‌ ବି’ ପାଇଁ ୬୬, ‘ସ୍ମଲ୍‌‌ ଏ’ ପାଇଁ ୯୭, ‘ସ୍ମଲ୍‌‌ ବି’ ପାଇଁ ୯୮ ଇତ୍ୟାଦି। ପ୍ରତ୍ୟେକ ଆସ୍କି କୋଡ୍‌‌ ଏକ ୭ ବିଟ୍‌‌ ବିଶିଷ୍ଟ କୋଡ୍‌‌। ‘ବିଟ୍‌‌’ କହିଲେ ବାଇନାରୀ ଡିଜିଟ, ଯାହା କି ୧ କିମ୍ୱା ୦। ୭ଟି ବିଟ୍‌‌ ଦ୍ୱାରା ସମୁଦାୟ ୧୨୮ଟି ଅଲଗା ଅଲଗା ଅକ୍ଷର ସୂଚିତ କରିହେବ। ଉଦାହରଣ ସ୍ୱରୁପ ‘ଏ’ ର ଆସ୍କି କୋଡ୍‌‌ ହେଉଛି ୬୫, ଯାହାର ବାଇନାରୀ ହେଉଛି ୧୦୦୦୦୦୧। କମ୍ପ୍ୟୁଟରରେ ‘କ୍ୟାପିଟାଲ୍‌‌ ଏ’ ଷ୍ଟୋର୍‌‌ ହେବାର ମାନେ ହେଉଛି କମ୍ପ୍ୟୁଟରରେ ୧୦୦୦୦୦୧ ଷ୍ଟୋର୍‌‌ ହୋଇଛି। ଆସ୍କିର ୧୨୮ଟି କୋଡ୍‌‌ରେ କେବଳ ଇଂରାଜୀ ଅକ୍ଷରଗୁଡ଼ିକ ରଖିହେଲା। ତା’ପରେ ୧୯୮୧ ମସିହାରେ ଅନ୍ୟାନ୍ୟ ୟୁରୋପୀୟ ଭାଷାଗୁଡ଼ିକର ଅକ୍ଷର ପାଇଁ ୮ ବିଟ୍‌‌ ବିଶିଷ୍ଟ ଏକ୍ସେଟେଣ୍ଡେଡ୍‌‌ ଏଏସ୍‌‌ସିଆଇଆଇ ଜନ୍ମନେଲା, ଯ ଦ୍ୱାରା ୨୫୬ଟି ଅଲଗା ଅଲଗା ଅକ୍ଷର ସୂଚିତ କରିହେଲା। ହେଲେ ବିଶ୍ୱର ସମସ୍ତ ଭାଷାର ଅକ୍ଷରଗୁଡ଼ିକ ପାଇଁ ୨୫୬ଟି ନମ୍ୱର ଯଥେଷ୍ଟ ନ ଥିଲା।

ଭାରତୀୟ ଭାଷାଗୁଡ଼ିକ ପାଇଁ ୧୯୮୮ ମସିହାରେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ୍‌‌ ଅଫ ଇଲେକ୍ଟ୍ରୋନିକ୍‌‌ସ୍‌‌ ଦ୍ୱାରା ଆଇଏସ୍‌‌ସିଆଇଆଇ (ଇଣ୍ଡିଆନ୍‌‌ ଷ୍ଟାଣ୍ଡାର୍ଡ କୋଡ୍‌‌ ଫର ଇନ୍‌‌ଫରମେସନ୍‌‌ ଇଣ୍ଟରଚେଞ୍ଜ) କୋଡ୍‌‌ ପ୍ରକାଶ ହୁଏ। ୮ ବିଟ୍‌‌ ବିଶିଷ୍ଟ ଏହି କୋଡ୍‌‌ ଦ୍ୱାରା ଓଡ଼ିଆ ସମେତ ଦେବନାଗରୀ, ପଞ୍ଜାବୀ, ଗୁଜୁରାଟୀ, ବଙ୍ଗାଳୀ, ଅହମିୟା, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲମ ଲିପିର ଅକ୍ଷରଗୁଡ଼ିକର କୋଡିଙ୍ଗ୍‌‌ ବା ନମ୍ୱରୀକରଣ ହୋଇପାରିଲା। ବିଭିନ୍ନ ଦେଶରେ ବିଭିନ୍ନ ଭାଷାର ଏଭଳି ବିଭିନ୍ନ ପ୍ରକାର ଏନ୍‌‌କୋଡିଙ୍ଗ୍‌‌ ତିଆରି ହେବା ଫଳରେ ତଥ୍ୟ ଆଦାନ ପ୍ରଦାନରେ ସମସ୍ୟା ଉପୁଜିଲା। ତେଣୁ ୧୯୯୧ରେ ଜନ୍ମ ନେଲା ୟୁନିକୋଡ୍‌‌ ମାନକ, ଯାହା ଦ୍ୱାରା ୮ ବିଟ୍‌‌, ୧୬ ବିଟ୍‌‌ ଓ ୩୨ ବିଟ୍‌‌ ଏଭଳି ତିନୋଟି ଏନ୍‌‌କୋଡିଙ୍ଗ୍‌‌ରେ ବିଶ୍ୱର ପ୍ରାୟ ସମସ୍ତ ଲିପିର କୋଡିଙ୍ଗ୍‌‌ କରିହେଲା। ଆମ ଓଡ଼ିଆ ଲିପିର ସମସ୍ତ ଅକ୍ଷରଗୁଡ଼ିକ ପାଇଁ ୨୮୧୬ରୁ ୨୯୪୩ ପର୍ଯ୍ୟନ୍ତ ୧୨୮ଟି ନମ୍ୱର ଦିଆଯାଇଛି। ଯେମିତି ‘ଅ’ ପାଇଁ ୨୮୨୧, ’ଆ’ ପାଇଁ ୨୮୨୨ ଇତ୍ୟାଦି। ସେବେଠାରୁ ୟୁନିକୋଡ୍‌‌ ମାନକକୁ ପ୍ରାୟ ସମସ୍ତ ଦେଶ ମାନିନେଇଛନ୍ତି ଏବଂ ସମସ୍ତେ ୟୁନିକୋଡ୍‌‌ ମାନକ ବ୍ୟବହାର କରିବା ଦ୍ୱାରା ତଥ୍ୟ ଆଦାନ ପ୍ରଦାନରେ ଆଉ ବିଶେଷ ସମସ୍ୟା ନାହିଁ। ଇଣ୍ଟରନେଟ୍‌‌ରେ ଯେତେ କାରବାର, ମେସେଜ ଦିଆନିଆ, ସବୁରି ମୂଳରେ ୟୁନିକୋଡ୍‌‌ ହିଁ ବ୍ୟବହାର ହେଉଛି। ମୋବାଇଲ୍‌‌ରେ ଆପଣ ଯେଉଁ ଓଡ଼ିଆ ଦେଖୁଛନ୍ତି ବା ଲେଖୁଛନ୍ତି ସେଥିରେ ୟୁନିକୋଡ୍‌‌ ବ୍ୟବହାର ହେଉଛି।

ଏବେ ଆସିବା ଆକୃତି ଓ ଶ୍ରୀଲିପିକୁ। ୟୁନିକୋଡ୍‌‌ ବାହାରିବା ପୂର୍ବରୁ ୧୯୯୦ ବେଳକୁ ସାଇବରସ୍କେପ୍‌‌ ମଲ୍‌‌ଟିମିଡିଆ କମ୍ପାନୀ ଦ୍ୱାରା ‘ଆକୃତି’ ସଫ୍ଟୱେର ପଦାର୍ପଣ କରେ। ତା’ ପରେ ପରେ ୧୯୯୩ ମସିହାରେ ମଡ୍ୟୁଲାର ଇନଫୋଟେକ୍‌‌ ଦ୍ୱାରା ଶ୍ରୀଲିପି ସଫ୍ଟୱେର ପଦାର୍ପଣ କରେ। ଆକୃତି ଓ ଶ୍ରୀଲିପି ଆଇଏସ୍‌‌ସିଆଇଆଇ କୋଡ୍‌‌କୁ ଅନୁସରଣ କଲେ ନାହିଁ ଏବଂ ସେମାନେ ତା’ର ଏକ ଅଳ୍ପ-ପରିବର୍ତ୍ତିତ ନିଜସ୍ୱ କୋଡିଙ୍ଗ୍‌‌ ତିଆରି କଲେ। ସମୟକ୍ରମେ ଆକୃତି ଓ ଶ୍ରୀଲିପିର ଆଦର ବଢ଼଼ିଚାଲିଲା। ଗଳିକନ୍ଦିରେ ଡିଟିପି ସେଣ୍ଟର, ପ୍ରିଣ୍ଟିଂ ପ୍ରେସରେ ଆକୃତି ଓ ଶ୍ରୀଲିପି ବ୍ୟବହାର ହେଲା। ଡିଟିପି ଅପେରେଟର୍‌‌ ଭଳିଆ ବୃତ୍ତିର ବି ଜନ୍ମ ହେଲା। କୁହାଯାଏ, କଟକର ଧର୍ମଗ୍ରନ୍ଥ ଷ୍ଟୋର ଯେବେ ଡିଟିପିରେ ଟାଇପ୍‌‌ସେଟିଙ୍ଗ୍‌‌ ଆରମ୍ଭ କଲେ ସେତେବେଳେ କଟକର ୧୦-୧୨ଟି ପୁରୁଣାକାଳିଆ ପ୍ରେସ୍‌‌ର ବେଉସା ବୁଡ଼ିଯାଇଥିଲା। ସୀସା ଅକ୍ଷର ଖଞ୍ଜା ଲେଟର ପ୍ରେସ୍‌‌ର ଆଉ ଚାହିଦା ରହିଲା ନାହିଁ। ଉନ୍ନତ ଡିଜାଇନ, ନୂତନ ନୂତନ ଫଣ୍ଟ୍‌‌ରେ ଓଡ଼ିଶାର ଖବରକାଗଜ, ପତ୍ରପତ୍ରିକା, ବହି, ବାହାଘର କାର୍ଡ ସବୁ ସହଜରେ ଲୋକଙ୍କୁ ଆକର୍ଷଣ କଲା। ଡିଟିପି କହିଲେ ୱିଣ୍ଡୋସ୍‌‌ରେ ପେଜ୍‌‌ମେକର ଓ ଆକୃତି/ଶ୍ରୀଲିପି ହିଁ ବୁଝାଗଲା। ପାଇରେଟେଡ୍‌‌ ବା ନକଲି ସଫ୍ଟୱେର ବ୍ୟବହାର କରି ଅନେକେ ଡିଟିପି ବ୍ୟବସାୟରେ ମାତିଲେ। କ୍ଷୋଭର ବିଷୟ ଯେ ଆଜି ପର୍ଯ୍ୟନ୍ତ ସେହି ଧାରା ଅବ୍ୟାହତ ରହିଛି। ଡିଟିପି ସହିତ ଜଡ଼ିତ ଅଗଣିତ ବ୍ୟବହାରକାରୀ ଆଜି ମଧ୍ୟ ଆକୃତି/ଶ୍ରୀଲିପି ହିଁ ବ୍ୟବହାର କରୁଛନ୍ତି। କିନ୍ତୁ ଗୁଗୁଲ୍‌‌, ବିଙ୍ଗ୍‌‌ କିମ୍ୱା ୟାହୁ ଭଲି ସର୍ଚ୍ଚ ଇଞ୍ଜିନଗୁଡ଼ିକ ଆକୃତି/ଶ୍ରୀଲିପିର ଏନ୍‌‌କୋଡିଙ୍ଗ୍‌‌କୁ ବୁଝନ୍ତି ନାହିଁ, ବରଂ ୟୁନିକୋଡ୍‌‌କୁ ବୁଝନ୍ତି। ତେଣୁ କରି ଆପଣ ଓଡ଼ିଆରେ କିଛି ର୍ସଚ୍ଚ୍‌‌ କଲେ ୟୁନିକୋଡ୍‌‌ ଓଡ଼ିଆ ଲେଖା ହିଁ ପାଇବେ। କିନ୍ତୁ ଆକୃତି/ଶ୍ରୀଲିପିରେ ଲେଖାଯାଇଥିବା ଅଗଣିତ ଖବରକାଗଜ, ପତ୍ରପତ୍ରିକା ଓ ବହିର ଲେଖା ପାଇବେ ନାହିଁ।

ଏମିତି ନୁହଁ ଯେ ଆଜିର ଦିନରେ ଆକୃତି ଓ ଶ୍ରୀଲିପିର ନୂତନ ସଫ୍ଟୱେର ସଂସ୍କରଣରେ ୟୁନିକୋଡ୍‌‌ ଉପଲବ୍‌‌ଧ ନୁହେଁ। ସେମାନେ ବି ଯୁଗୋପଯୋଗୀ ହେଲେଣି ଓ ସମୟର ତାଳେ ତାଳେ ନିଜକୁ ଅପ୍‌‌ଡେଟ୍‌‌ କରିଛନ୍ତି। କିନ୍ତୁ ଓଡ଼ିଶାର ଅଗଣିତ ଖବରକାଗଜ, ପତ୍ରପତ୍ରିକା ପ୍ରକାଶନ ଏବେ ବି ସେହି ପୁରୁଣା ଆକୃତି/ଶ୍ରୀଲିପିକୁ ଆଦରି ପଡ଼ି ରହିଛନ୍ତି। ‘କାମ ତ ଚଳିଯାଉଛି କାହିଁକି ଖର୍ଚ୍ଚାନ୍ତ ହେବା, ଇଣ୍ଟରନେଟ୍‌‌ରେ ପଛେ ଲେଖା ନ ମିଳୁ’ – ଏହି ନ୍ୟାୟରେ ପ୍ରାୟ ସମସ୍ତେ ଚାଲିଛନ୍ତି। ଡିଟିପି ଅପେରେଟର୍‌‌ମାନେ ଜାଣିଥିବେ ଯେ, ପୁରୁଣା ଆକୃତି ସଫ୍ଟୱେର ୱିଣ୍ଡୋସ୍‌‌ ଏକ୍ସ୍‌‌ପିରେ ଠିକ୍‌‌ ଚାଲେ, କିନ୍ତୁ ୱିଣ୍ଡୋସ୍‌‌ ୭, ୧୦, ୧୧ ଭର୍ସନ୍‌‌ରେ ‘ତ୍ତ’, ‘ଞ୍ଚ’, ‘ଣ୍ଟ’, ‘ୱ’ ଲେଖି ହୁଏନାହିଁ। କିନ୍ତୁ ତା’ପାଇଁ ବି ଜୁଗାଡ଼ ତିଆରି ହୋଇସାରିଛି। ସେହି ଜୁଗାଡ଼ରେ ଏବେ ବି ଅଧିକାଂଶ ଡିଟିପି ଚାଲିଛି।
ପୁରୁଣା ଡିଟିପି ଲେଖାକୁ ୟୁନିକୋଡ୍‌‌ରେ ବଦଳେଇବା ପାଇଁ ପ୍ରଥମେ ସୃଜନିକା ସଂସ୍ଥା ଓ ପରେ ପରେ ସୁଭାଶିଷ ପାଣିଗ୍ରାହୀ, ମନୋଜ ସାହୁକାର ଆଦି ସମର୍ପିତ ଓଡ଼ିଆ ବ୍ୟକ୍ତିମାନେ ଅନ୍‌‌ଲାଇନ୍‌‌ ସଫ୍ଟୱେର ଟୁଲ୍‌‌ ବି ବାହାର କରିଛନ୍ତି। ଇଣ୍ଟରନେଟ୍‌‌ରେ ଏବେ ପ୍ରାୟ ୨୦୦ଟି ୱେବ୍‌‌ସାଇଟ୍‌‌ ଓଡ଼ିଆ ୟୁନିକୋଡ୍‌‌ରେ ଉପଲବ୍‌‌ଧ। କିନ୍ତୁ ଏବେ ବି ଅଧିକାଂଶ ଖବରକାଗଜ ସଂସ୍ଥା ନିଜର ୱେବ୍‌‌ପୋର୍ଟାଲ୍‌‌ ପାଇଁ ୟୁନିକୋଡ୍‌‌ ଓ ନିଜର ପ୍ରିଣ୍ଟ୍‌‌ ହେଉଥିବା ଖବରକାଗଜ ପାଇଁ ଆକୃତି/ଶ୍ରୀଲିପି ବ୍ୟବହାର କରନ୍ତି। ଏହାଦ୍ୱାରା ୱେବ୍‌‌ ପୋର୍ଟାଲ୍‌‌ରେ ପ୍ରକାଶିତ ଖବର ଗୁଗୁଲ୍‌‌ ଦ୍ୱାରା ଖୋଜି ହୁଏ, କିନ୍ତୁ ପ୍ରିଣ୍ଟ ଖବରକାଗଜର ଲେଖା ଗୁଗୁଲ୍‌‌ ଦ୍ୱାରା ଖୋଜି ହୁଏ ନାହିଁ।

ଏହାର ଏକମାତ୍ର ସମାଧାନ ହେଉଛି ୟୁନିକୋଡ୍‌‌କୁ ସମ୍ପୂର୍ଣ୍ଣ ରୂପେ ଆପଣେଇବା। ବର୍ତ୍ତମାନର ୱିଣ୍ଡୋସ୍‌‌-୧୧ରେ ଓଡ଼ିଆରେ ଟାଇପ୍‌‌ କରିବା ପାଇଁ ସଫ୍ଟୱେର ମୂଳରୁ ଉପଲବ୍‌‌ଧ। ଏଥିପାଇଁ ବାହାରୁ ସଫ୍ଟୱେର ଇନ୍‌‌ଷ୍ଟଲ୍‌‌ କରିବାର ଆବଶ୍ୟକତା ନାହିଁ, ଯଦିଓ ଓଡ଼ିଆରେ ୟୁନିକୋଡ୍‌‌ରେ ଟାଇପ କରିବା ପାଇଁ ଅନେକ ସଫ୍ଟୱେର ଉପଲବ୍‌‌ଧ। ଓଡ଼ିଶା ସରକାର ମଧ୍ୟ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ‘ଆମଲିପି’ ନାମକ ଏକ ସଫ୍ଟୱେର ବିଷୟରେ ଗତ ଏପ୍ରିଲ ମାସରେ ଘୋଷଣା କରିଛନ୍ତି। ସମୟ ଆସିଛି, ଓଡ଼ିଆ ଭାଷାକୁ ଇଣ୍ଟରନେଟ୍‌‌ରେ ବ୍ୟାପକ ଭାବରେ ଉପଲବ୍‌‌ଧ କରେଇବା ପାଇଁ ଖବରକାଗଜ ସଂସ୍ଥା, ବିଭିନ୍ନ ପ୍ରକାଶନୀ ଓ ପ୍ରେସ୍‌‌ଗୁଡ଼ିକୁ ୟୁନିକୋଡ୍‌‌ ଆପଣେଇବାକୁ ପଡ଼ିବ। ଯଦି ‘ପ୍ରଜାଶକ୍ତି’ ଭଳି ତେଲୁଗୁ ଖବରକାଗଜ ୟୁନିକୋଡ୍‌‌ ବ୍ୟବହାର କରି ସ୍କ୍ରିବସ୍‌‌ ଭଳି ଓପନ୍‌‌ ସୋର୍ସ ସଫ୍ଟୱେରରେ ଟାଇପ୍‌‌ସେଟିଙ୍ଗ୍‌‌ କରି ଖବରକାଗଜ ଛାପି ପାରୁଛି, ତେବେ ଓଡ଼ିଆ ଖବରକାଗଜଗୁଡ଼ିକ କାହିଁକି ନୁହେଁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର