ଭାରତରେ ଷ୍ଟାରଲିଙ୍କର ବିପଦ !
ନିକଟରେ ଭାରତର ଦୁଇଟି ପ୍ରମୁଖ ଘରୋଇ ସଞ୍ଚାର ସେବାପ୍ରଦାନକାରୀ ସଂସ୍ଥା ସ୍ପେସଏକ୍ସ ନାମକ ଏକ ଆମେରିକୀୟ ଘରୋଇ ମହାକାଶ ଗବେଷଣା ସଂସ୍ଥା ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହା ମାଧ୍ୟମରେ ଏହାର ସହଯୋଗୀ ସଂସ୍ଥା ଷ୍ଟାରଲିଙ୍କ ସଞ୍ଚାର କମ୍ପାନୀର ସହାୟତାରେ କୃତ୍ରିମ ଉପଗ୍ରହ ମାଧ୍ୟମରେ ଭାରତରେ ଦ୍ରୁତ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଭାରତ ଆଜି ଯେତେବେଳେ ମହାକାଶ ବିଜ୍ଞାନ ଗବେଷଣା ଓ କୃତ୍ରିମ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଏକ ଅଗ୍ରଣୀ ଓ ସ୍ୱାବଲମ୍ୱୀ […]
ନିକଟରେ ଭାରତର ଦୁଇଟି ପ୍ରମୁଖ ଘରୋଇ ସଞ୍ଚାର ସେବାପ୍ରଦାନକାରୀ ସଂସ୍ଥା ସ୍ପେସଏକ୍ସ ନାମକ ଏକ ଆମେରିକୀୟ ଘରୋଇ ମହାକାଶ ଗବେଷଣା ସଂସ୍ଥା ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହା ମାଧ୍ୟମରେ ଏହାର ସହଯୋଗୀ ସଂସ୍ଥା ଷ୍ଟାରଲିଙ୍କ ସଞ୍ଚାର କମ୍ପାନୀର ସହାୟତାରେ କୃତ୍ରିମ ଉପଗ୍ରହ ମାଧ୍ୟମରେ ଭାରତରେ ଦ୍ରୁତ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଭାରତ ଆଜି ଯେତେବେଳେ ମହାକାଶ ବିଜ୍ଞାନ ଗବେଷଣା ଓ କୃତ୍ରିମ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଏକ ଅଗ୍ରଣୀ ଓ ସ୍ୱାବଲମ୍ୱୀ ରାଷ୍ଟ୍ର ରୂପେ ନିଜକୁ ପ୍ରମାଣିତ କରିସାରିଛି ଘରୋଇ ସଞ୍ଚାର କମ୍ପାନୀମାନେ ସ୍ପେସଏକ୍ସ ସହିତ ଅନୁବନ୍ଧିତ ହେବାର ଯଥାର୍ଥତା ପ୍ରତିପାଦନ ହୋଇପାରୁ ନାହିଁ।
ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ ସେବା ଯୋଗାଇ ଦେବା ଆଜିକାଲି ଏକ ବିଶେଷ ବଡ଼ କାର୍ଯ୍ୟ ନୁହେଁ। ଏହା ବର୍ତ୍ତମାନ ଡାଇରେକ୍ଟ-ଟୁ-ହୋମ୍ ପରି ସାଟେଲାଇଟ ଟେଲିଭିଜନ ସେବା ସହିତ ପ୍ରାୟ ସମାନ। ଭାରତରେ ଅନେକ ଛୋଟ ବଡ଼ କମ୍ପାନୀ ବର୍ତ୍ତମାନ ସାଟେଲାଇଟ୍ ଟେଲିଭିଜନ ସେବା ଯୋଗାଇ ଦେଉଛନ୍ତି ଏବଂ ଏହାର କୋଟି କୋଟି ଗ୍ରାହକ ମଧ୍ୟ ଅଛନ୍ତି। ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବର୍ତ୍ତମାନ ସୁଦ୍ଧା ଦେଢ଼ଶହରୁ ଅଧିକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ ସଫଳତାର ସହିତ ଉତ୍କ୍ଷେପଣ କରି ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରି କାର୍ଯ୍ୟକ୍ଷମ କରିପାରିଛି। ୪୩୩ ଟି ବିଦେଶୀ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଇଛି। ବର୍ତ୍ତମାନ ସମୟରେ ଷ୍ଟାରଲିଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଇସ୍ରୋ। ଯେହେତୁ ଇସ୍ରୋ ଭାରତର ସଞ୍ଚାର ବଜାରରେ ସିଧାସଳଖ ଭାବରେ କୌଣସି ସେବା ପ୍ରଦାନ କରୁ ନାହିଁ ତେଣୁ ଷ୍ଟାରଲିଙ୍କ ଓ ଘରୋଇ ସଞ୍ଚାର କମ୍ପାନୀମାନେ ଏହାର ଶକ୍ତିକୁ ଠିକ୍ ଭାବରେ ଆକଳନ କରି ପାରୁନାହାନ୍ତି। ବାସ୍ତବତା ହେଉଛି ବିଶ୍ୱର ସର୍ବୋଚ୍ଚ ଧନୀ ସଂସ୍ଥା ଭାରତରେ ଶସ୍ତାରେ ଅତି ଦ୍ରୁତଗତି ଇଣ୍ଟରନେଟ ସେବା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ବିଶ୍ୱର ଦ୍ୱିତୀୟ ସର୍ବବୃହତ ସଞ୍ଚାର ବଜାରରେ ପ୍ରବେଶ କରିବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହି ସମୟରେ ଇସ୍ରୋର ଅନୁରୂପ ଯୋଜନା ସଫଳତାର ସହିତ ଆଗେଇ ଚାଲିଛି। ୨୦୧୮ ରେ ଇସ୍ରୋ ଜିସ୍ୟାଟ୍-୧୧ ଓ ଜିସ୍ୟାଟ୍- ୨୯ ନାମକ ଦୁଇଟି ଉପଗ୍ରହକୁ ଉତକ୍ଷେପଣ କରିଥିଲା। ବର୍ତ୍ତମାନ ଏହାକୁ କାର୍ଯ୍ୟକ୍ଷମ କରାଯାଇ ସାରିଛି। ଏହି ଉପଗ୍ରହ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ଟ୍ରାନ୍ସପୋଣ୍ଡରକୁ ସଞ୍ଚାର କମ୍ପାନୀମାନେ ଭଡ଼ାରେ ନେଇ ଉପଗ୍ରହ ମାଧ୍ୟମରେ ଦ୍ରୁତଗତିରେ ଇଣ୍ଟରନେଟ ସେବା ଯୋଗାଇ ଦେଇପାରିବେ। ହିଉଜ୍ ନାମକ ଏକ ଆମେରିକୀୟ ସଞ୍ଚାର କମ୍ପାନୀ ଇସ୍ରୋ ଓ ଭାରତୀ ଏୟାରଟେଲ ସହିତ ଅନୁବନ୍ଧିତ ହୋଇ ଉପଗ୍ରହ ମାଧ୍ୟମରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବାର ଯୋଜନା ରହିଛି। ଉତ୍ତର ପୂର୍ବାଞ୍ଚଳର କିଛି ଜିଲ୍ଲାରେ ମଧ୍ୟ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଛି। ଏହାସହ ଇସ୍ରୋ ଏହି ଉପଗ୍ରହ ମାଧ୍ୟମରେ ଭାରତୀୟ ସେନାବାହିନୀକୁ ମଧ୍ୟ ଇଣ୍ଟରନେଟ୍ ସେବା ଯୋଗାଇ ଦେବାକୁ ସକ୍ଷମ ହେଉଛି।
ଇଣ୍ଟରନେଟ୍ ଦୁନିଆରେ ସବୁଠୁ ବଡ଼ ବିପଦ ହେଉଛି ତଥ୍ୟ ଚୋରି ଏବଂ ତାହାର ଅପବ୍ୟବହାର। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଷ୍ଟାରଲିଙ୍କ କମ୍ପାନୀ ସହିତ ଇଣ୍ଟରନେଟ୍ ମାଧ୍ୟମରେ ତଥ୍ୟ ଚୋରିର ଅନେକଗୁଡ଼ିଏ ଦୁର୍ନାମ ରହିଛି। ୟୁରୋପ ଓ ଆମେରିକାର ଅନେକ ଇଣ୍ଟରନେଟ ବିଶେଷଜ୍ଞ ଅଭିଯୋଗ କରିଛନ୍ତି ଯେ ଷ୍ଟାରଲିଙ୍କ ସେବାରେ ସ୍ୱଚ୍ଛତା ନାହିଁ। ସରକାରୀ ଓ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ପ୍ରଘଟ ହେଉଛି। ଇରାନ ଇଣ୍ଟରନ୍ୟାସନାଲ ନାମକ ଏକ ପ୍ରମୁଖ ସମ୍ୱାଦ ସରବରାହ ସଂସ୍ଥାର ତଥ୍ୟ ଅନୁଯାୟୀ ଇରାନ ସରକାର ଷ୍ଟାରଲିଙ୍କ ସେବାକୁ ନିଜ ଦେଶରେ ଅନୁମତି ପ୍ରଦାନ କରି ନ ଥିଲେ ମଧ୍ୟ ଇରାନରେ ପ୍ରାୟ ଏକ ଲକ୍ଷରୁ ଅଧିକ ଷ୍ଟାରଲିଙ୍କର ଗ୍ରାହକ ଗୁପ୍ତ ଭାବରେ ରହିଛନ୍ତି। ୟୁକ୍ରେନ, ପାକିସ୍ତାନ, ମ୍ୟାଁମାର୍ ଓ ଆଫ୍ରିକୀୟ ଦେଶରେ ମଧ୍ୟ ଷ୍ଟାରଲିଙ୍କ ଗୁପ୍ତ ସେବା ଚାଲିଛି। ବିଶ୍ୱର ଯେଉଁ ସ୍ଥାନରେ ଯୁଦ୍ଧ ଆରମ୍ଭ ହୁଏ ସେଠାରେ ଷ୍ଟାରଲିଙ୍କର ସଞ୍ଚାର ଉପକରଣ ଅତି ସହଜରେ ପହଞ୍ଚିଯାଏ। ଡିସେମ୍ୱର ମାସରେ ମଣିପୁର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ସକ୍ରିୟ ଥିବା ନିଶା ଦ୍ରବ୍ୟ ତସ୍କର ସମେତ ଅନୁପ୍ରବେଶକାରୀ ଓ ବିଦ୍ରୋହୀମାନଙ୍କଠାରୁ ଷ୍ଟାରଲିଙ୍କର ଅନେକ ସଞ୍ଚାର ଉପକରଣ ଜବତ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ସଞ୍ଚାର ବିଭାଗ ପକ୍ଷରୁ ଏହା ଉପରେ ତଦନ୍ତ କରାଯିବା ସମୟରେ ଷ୍ଟାରଲିଙ୍କ ସହାୟତା ଲୋଡ଼ିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତଥ୍ୟ ଗୋପନୀୟତା ନୀତିର ଦ୍ୱାହି ଦେଇ ସହଯୋଗ କରି ନ ଥିଲେ।
ଷ୍ଟାରଲିଙ୍କ ଯେଉଁ ଦେଶର ବଜାରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି, ସେହି ଦେଶର ସାର୍ବଜନୀନ ସୁରକ୍ଷାକୁ ନେଇ ଆଦୌ ଗମ୍ଭୀର ନୁହେଁ। ଗତବର୍ଷ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ସମ୍ୱାଦ ପରିବେଷଣକାରୀ ସଂସ୍ଥା ରଏଟର୍ସ ଷ୍ଟାରଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ନିଜର ୱେବସାଇଟରେ ପ୍ରକାଶିତ କରିଥିଲା। ସେହି ତଥ୍ୟ ଅନୁଯାୟୀ ଆମେରିକାର ଗୁଇନ୍ଦା ସଂସ୍ଥା ଓ ଷ୍ଟାରଲିଙ୍କ ମଧ୍ୟରେ ୧.୮ ବିଲିୟନ୍ ଆମେରିକୀୟ ଡଲାରର ଏକ ରାଜିନାମା ହୋଇଛି। ଏହାଦ୍ୱାରା ଷ୍ଟାରଲିଙ୍କ ଆଗାମୀ ଦିନରେ ପ୍ରାୟ ଏକ ଶହରୁ ଅଧିକ ଗୁଇନ୍ଦା ଉପଗ୍ରହ ନିର୍ମାଣ କରି ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଏହାଦ୍ୱାରା ଆମେରିକାର ଗୁଇନ୍ଦା ବିଭାଗ ଯେକୌଣସି ଦେଶର ସାମରିକ ଶକ୍ତି ବିଷୟରେ ବ୍ୟାପକ ତଥ୍ୟ ସଂଗ୍ରହ କରିବା ପାଇଁ ସମର୍ଥ ହେବ। ଦେଶର କିଛି ସଞ୍ଚାର ବିଶେଷଜ୍ଞ ଷ୍ଟାରଲିଙ୍କ ପକ୍ଷରୁ ସାମରିକ ଗୁଇନ୍ଦାଗିରିର ଭୟ ଭିତ୍ତିହୀନ ବୋଲି କହିଛନ୍ତି। କିନ୍ତୁ ଗୋଟିଏ ବିଦେଶୀ ସଞ୍ଚାର କମ୍ପାନୀ ଯଦି ନିଜ ଦେଶ ପାଇଁ ଗୁଇନ୍ଦାଗିରି ଓ ଜାତୀୟ ସୁରକ୍ଷା ବିକାଶ କାର୍ଯ୍ୟରେ ଲିପ୍ତ ଥାଏ ତେବେ ଏହା ଅନ୍ୟ ଦେଶର ସାଧାରଣ ଲୋକଙ୍କ ପାଇଁ ଏହା କେତେ ଦୂର ବିଶ୍ୱସନୀୟ ହୋଇପାରିବ?
ଭାରତର ବଡ଼ ବଡ଼ ସହରରେ ଷ୍ଟାରଲିଙ୍କ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଗ୍ରାହକ ମାନେ ଉତ୍ସାହିତ ଅଛନ୍ତି। ଷ୍ଟାରଲିଙ୍କ ସେବା ଆରମ୍ଭ ହେଲେ ଦୁର୍ଗମ ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବା ସମ୍ଭବ ହେବ ବୋଲି କୁହାଯାଉଛି। ଏହି ସବୁ ଅଞ୍ଚଳ ଅତ୍ୟନ୍ତ ସମ୍ୱେଦନଶୀଳ ହୋଇଥାଏ। ସାମରିକ ବାହିନୀ ଏହି ଅଞ୍ଚଳରେ ସର୍ବଦା ସଜାଗ ରହିଥା’ନ୍ତି। ଷ୍ଟାରଲିଙ୍କର ସଞ୍ଚାର ଉପକରଣ ଓ ସେବା ବ୍ୟୟବହୁଳ। ଭାରତର ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ସାଧାରଣ ଲୋକମାନେ ଏକ ସ୍ୱାଦିଷ୍ଟ ବିସ୍କୁଟ୍୍ ପ୍ୟାକେଟଟିଏ କିଣିବା ପାଇଁ ସମର୍ଥ ହୋଇ ପାରନ୍ତି ନାହିଁ ସେମାନେ ଷ୍ଟାରଲିଙ୍କ ଅନ୍ତର୍ଜାତୀୟ ଇଣ୍ଟରନେଟ୍ ସେବା କ୍ରୟ କରିବା ପାଇଁ କେତେ ଦୂର ସମର୍ଥ ହେବେ? ଏହାସହିତ ସେସବୁ ଅଞ୍ଚଳରେ ସରକାରୀ କାର୍ଯ୍ୟ, ଉଦ୍ୟୋଗ କିମ୍ବା ସାମରିକ ବାହିନୀ ପାଇଁ ଏହା ସୁରକ୍ଷିତ ନୁହେଁ।
ଯଦି ବର୍ତ୍ତମାନ ସ୍ଥିତିରେ ଯେଉଁ ସଞ୍ଚାର କମ୍ପାନୀମାନେ ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ଆଗ୍ରହୀ, ସେମାନେ ଅତି ସହଜରେ ଇସ୍ରୋର ଉପଗ୍ରହକୁ ବ୍ୟବହାର କରି ପାରିବେ। ଇସ୍ରୋ ମଧ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ଉପଗ୍ରହ ପ୍ରେରଣ କରି ପାରିବ କିମ୍ବା ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ଉପଗ୍ରହ ଉତ୍ପାଦନ କରି ପାରିବ। ଏହାଦ୍ୱାରା ତଥ୍ୟ ଚୋରି ପରି ସମସ୍ୟା ରହିବ ନାହିଁ ଏବଂ ସେବା ମଧ୍ୟ ସୁଲଭ ମୂଲ୍ୟରେ ମିଳି ପାରିବ। ସଞ୍ଚାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ। ଯଦି ଷ୍ଟାରଲିଙ୍କ ଦେଶରେ ସେବା ଆରମ୍ଭ କରେ ତେବେ ଇସ୍ରୋ ଦ୍ୱାରା ପରିଚାଳିତ ଯୋଜନା ସ୍ଥାଣୁ ହୋଇଯିବ ଏବଂ ଇସ୍ରୋର ବ୍ୟବସାୟିକ ଦିଗ କ୍ଷତିଗ୍ରସ୍ତ ହେବ। ଏହି କ୍ଷେତ୍ରରେ ଇସ୍ରୋର କାର୍ଯ୍ୟ କେବଳ ଗବେଷଣାରେ ସିମୀତ ରହିଯିବ।
ଯଦିଓ ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାରଲିଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି, ତଥାପି ସରକାର କମ୍ପାନୀ ପାଇଁ ପଥ ପରିଷ୍କାର କରୁଛନ୍ତି। ଭାରତ ଆଜି ସ୍ୱାବଲମ୍ୱୀ ହୋଇଥିବା ବେଳେ ଘରୋଇ ସଞ୍ଚାର କମ୍ପାନୀମାନେ ବିଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ପ୍ରତି ଅଯଥାରେ ଆଗ୍ରହ ପ୍ରକାଶ କରିବା ସ୍ପୃହଣୀୟ ନୁହେଁ। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସଞ୍ଚାର ସେବା ମଧ୍ୟ ଅନ୍ତର୍ଭୁକ୍ତ। ଷ୍ଟାରଲିଙ୍କ ସେବା ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଦୁର୍ବଳ କରିବ। ସଞ୍ଚାର କମ୍ପାନୀ ଓ ସରକାରଙ୍କ ମିଳିତ ସାଧୁ ଉଦ୍ୟମ ଅବ୍ୟାହତ ରହିଲେ ଇସ୍ରୋ ମାଧ୍ୟମରେ ସମଗ୍ର ଦେଶରେ ଉପଗ୍ରହ ଦ୍ୱାରା ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବା ସମ୍ଭବ ହେବ।
ସନ୍ତୋଷ କୁମାର ମିଶ୍ର
ବେଲେଶ୍ୱର(କଟକ), ମୋ: ୯୪୩୭୧୨୮୪୬୪






