ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ଆମ ଦାୟିତ୍ୱ

The Sakala Picture
Published On

ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଚାଷୀମାନଙ୍କ ପାଇଁ ଏହା ଅମଳର ସମୟ। ପ୍ରକୃତି ମଧ୍ୟ ସଜେଇ ହୋଇଥାଏ ଭଳିକି ଭଳି ଫୁଲର ସମ୍ଭାରରେ। ସକାଳ କୁହୁଡ଼ି ମୁଣ୍ଡ ଉପରେ ଘଷି ହୋଇଯିବାର ଆକର୍ଷଣ ନିଆରା। ଘାଟ ପ୍ରସ୍ତୁତ ଆଉ ହାଟ ମଧ୍ୟ। ପ୍ରକୃତରେ ଘରସଂସାର, ବ୍ୟବସାୟ ଓ ଚାକିରି ଭିତରେ ବ୍ୟସ୍ତତାର ସାମୟିକ ଅବ୍ୟାହତି ପାଇବାର ବେଳ ହେଉଛି ଏହି ପର୍ଯ୍ୟଟନ ଋତୁ। ତେବେ ପର୍ଯ୍ୟଟନ ସମୟରେ ପର୍ଯ୍ୟଟକଙ୍କ ଖୁସି ଯେତିକି ଅକଳନୀୟ, ପର୍ଯ୍ୟଟନ ସ୍ଥଳୀର ଖେଦ […]

ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ଚାଷୀମାନଙ୍କ ପାଇଁ ଏହା ଅମଳର ସମୟ। ପ୍ରକୃତି ମଧ୍ୟ ସଜେଇ ହୋଇଥାଏ ଭଳିକି ଭଳି ଫୁଲର ସମ୍ଭାରରେ। ସକାଳ କୁହୁଡ଼ି ମୁଣ୍ଡ ଉପରେ ଘଷି ହୋଇଯିବାର ଆକର୍ଷଣ ନିଆରା। ଘାଟ ପ୍ରସ୍ତୁତ ଆଉ ହାଟ ମଧ୍ୟ। ପ୍ରକୃତରେ ଘରସଂସାର, ବ୍ୟବସାୟ ଓ ଚାକିରି ଭିତରେ ବ୍ୟସ୍ତତାର ସାମୟିକ ଅବ୍ୟାହତି ପାଇବାର ବେଳ ହେଉଛି ଏହି ପର୍ଯ୍ୟଟନ ଋତୁ।

ତେବେ ପର୍ଯ୍ୟଟନ ସମୟରେ ପର୍ଯ୍ୟଟକଙ୍କ ଖୁସି ଯେତିକି ଅକଳନୀୟ, ପର୍ଯ୍ୟଟନ ସ୍ଥଳୀର ଖେଦ ତା’ଠାରୁ ଅଧିକ ଚିନ୍ତାଜନକ। କରିବାର ଅର୍ଥ ହେଲା, ବହୁସମୟରେ ଆମ ଆନନ୍ଦ, ବେପରୁଆ ମନୋବୃତ୍ତି, ଦାୟିତ୍ୱହୀନତା ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅପରିଷ୍କାର ଓ ଅସୁନ୍ଦର କରିଥାଏ। ଏଭଳି ଅବାଞ୍ଛିତ ଦୃଶ୍ୟ ଆମ ଦେଶରେ ଅତ୍ର, ତତ୍ର, ସର୍ବତ୍ର ବିଦ୍ୟମାନ। ସତେଯେମିତି ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅପରିଷ୍କାର କରିବାକୁ ଜାଣତରେ ବା ଅଜାଣତରେ ଆମେ ପଣ କରିଛନ୍ତି।

ଆମ ପର୍ଯ୍ୟଟକ ବନ୍ଧୁମାନେ ବୁଲାବୁଲି ସମୟରେ ନିଜେ ନିଜର ନାମ କାନ୍ଥ, ବାଡ଼, ଗଛ, ପଥର ସବୁଠି ଲେଖିଥିବେ। କେବଳ ସେତିକି ନୁହେଁ, ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକୁ ବିବୃତ କରିବାରେ ମଧ୍ୟ ଆମେ କୁଣ୍ଠାବୋଧ କରୁନାହୁଁ। ଜରି, ପଲିଥିନ୍‌‌, କାଗଜ ଠୁଙ୍ଗା, ପାଣି ବୋତଲ୍‌‌, ଆଦି ବ୍ୟବହାର ପରେ ଏଣେତେଣେ ନିର୍ଦ୍ଦୟ ଭାବେ ଫିଙ୍ଗିବାରେ ଆମେ ବିଶେଷ ଦକ୍ଷତା ହାସଲ କରିଛନ୍ତି ବୋଧହୁଏ। ଆମେ କେତେ ଶିକ୍ଷିତ ହେଲେ ଆମ ଭିତରେ ଜାତୀୟ ସମ୍ପତ୍ତି ସୁରକ୍ଷା ପାଇଁ ସଚେତନତା ଓ ସମ୍ୱେଦନଶୀଳ ମନୋବୃତ୍ତି ଜାଗ୍ରତ ହେବ! ଠାକୁରଙ୍କ ପୂଜା ପାଇଁ ଫୁଲ ଚୋରିଠାରୁ ପର୍ଯ୍ୟଟନ ସ୍ଥଳୀର ସୈାନ୍ଦର୍ଯ୍ୟକୁ ନଷ୍ଟ କରିବା ଯାଏଁ ଯାବତୀୟ ଆପତ୍ତିଜନକ କାର୍ଯ୍ୟ କରିବାକୁ ଆମେ ତିଳେ ମଧ୍ୟ ହେଳା କରୁନାହୁଁ।

କିଛିଦିନ ତଳର ଘଟଣା। ଗୋଟିଏ ପାର୍କ ସପରିବାର ବୁଲିବାକୁ ଯାଇଥିଲୁ। ସରକାରୀ ପ୍ରୋତ୍ସାହନ ଓ ପ୍ରୟାସରେ ନିର୍ମିତ ଉଦ୍ୟାନଟି ଅତି ଆକର୍ଷଣୀୟ ହୋଇଛି। ଛୋଟ ପାହାଡ଼ ଉପରେ ନିର୍ମିତ ଏହି ଉଦ୍ୟାନର ପ୍ରାକୃତିକ ଶୋଭା ଅଦ୍ୱିତୀୟ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ମିତ ହୋଇଛି ବିଭିନ୍ନ ଆକୃତିର ଡାଇନୋସର ପ୍ରତିକୃତି। ପରିତ୍ୟକ୍ତ ମଦ ବୋତଲଗୁଡ଼ିକୁ ନେଇ ନିର୍ମିତ ଗଛ ପ୍ରତିକୃତିଗୁଡ଼ିକ ବାସ୍ତବରେ ମନୋଲୋଭା। ଆମ ଆଗରେ ଦୁଇଜଣ ପାଠୁଆ ଯୁବକ ଜଣେ ଯୁବତୀ ବନ୍ଧୁଙ୍କ ସହ ଆଗେ ଆଗେ ବୁଲୁଥା’ନ୍ତି। ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସାଧାରଣ ଲୋକଙ୍କ ପାଇଁ ଅରୁଚିକର ଓ ଅଶୋଭନୀୟ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ ସମସ୍ତେ ଶୁଣୁଥା’ନ୍ତି ଓ ଦେଖୁଥା’ନ୍ତି। ଯୁବକ ଜଣକ ବୀର ଦର୍ପରେ ବୋତଲରେ ନିର୍ମିତ ଗଛ ପ୍ରତିକୃତିକୁ ଜୋରରେ ଗୋଇଠା ମାରି ଦୁଇ ଚାରିଟି ବୋତଲ ଖସେଇ ଦେଲେ। କିଛି ସତେଚନ ଭଦ୍ର ଦେଖଣାହାରୀଙ୍କ ପ୍ରତିବାଦ ପରେ ଯୁବକଙ୍କ ପ୍ରତିକ୍ରିୟା ଥିଲା – ଟିକେଟ କାଟି ଆସିଛୁ ଆଜ୍ଞା। ଆମ ଟଙ୍କାରେ ତିଆରି ହେବ। ଏ ହେଉଛି ଆମ ଯୁବକଯୁବତୀଙ୍କ ଆଚରଣ ଓ ମନୋବୃତ୍ତି।

ଆଉ ଗୋଟିଏ ଘଟଣା। ଏକ ଅନୁଷ୍ଠାନ ତରଫରୁ ଗୋଷ୍ଠୀଗତ ଭୋଜି ଆୟୋଜନ ହୋଇଥିଲା। ଭୋଜିଭାତ, ବୁଲାବୁଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆମେ ସମସ୍ତେ ପଡ଼ିଥିବା ଜରି, ଖଲିପତ୍ର ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ସଂଗ୍ରହ କରି ଡଷ୍ଟବିନ୍‌‌ରେ ଭର୍ତ୍ତି କରିଦେଲୁ। ଆଶ୍ଚର୍ଯ୍ୟର କଥା, ଆମେ ସଫା କଲା ବେଳେ ସେ ବାଟଦେଇ ଯାଉଥିବା ଦୁଇଚାରି ଜଣ ସେମାନଙ୍କ ଭିତରେ କଥାବାର୍ତ୍ତା ହେଉଥା’ନ୍ତି – ଏମାନେ ସଫେଇ କର୍ମଚାରୀମାନଙ୍କ ଭଳି ଦେଖାଯାଉ ନାହାନ୍ତି। ବୋଧହୁଏ ଦେଖେଇ ହେବା ପାଇଁ ଏଭଳି ଫଟୋଉଠା ନାଟକ କରୁଛନ୍ତି। ଏ ହେଉଛି ଆମ ମାନସିକତା।

ଏଠାରେ ଗୋଟିଏ ପୁସ୍ତକରେ ପଢ଼଼ିଥିବା କଥାଟିଏ ଉଲ୍ଲେଖ କରୁଛି। ସେଥିରେ ଲେଖକ ଲେଖିଥିଲେ ଯେ ମୋର ଜଣେ ମିତ୍ର ସମ୍ପ୍ରତି ଆମେରିକା ଭ୍ରମଣରୁ ଫେରିଥିଲେ। ସେ କହୁଥିଲେ ଡିସନିଲ୍ୟାଣ୍ଡ ଆମେରିକାର ଏକ ଚମତ୍କାର ସ୍ଥାନ, ଯେଉଁଠିକୁ ୪୦/୫୦ ହଜାର ଦର୍ଶକ ପ୍ରତିଦିନ ଆସନ୍ତି। ଛୁଟିଦିନରେ ପ୍ରାୟ ଲକ୍ଷାଧିକ ଦର୍ଶକ ଆସିଥା’ନ୍ତି। କିନ୍ତୁ ବ୍ୟବସ୍ଥା ଏତେ ସୁନ୍ଦର ହୋଇଥାଏ ଯେ କେଉଁଠି ହେଲେ ଭିଡ଼ ବା ଠେଲାପେଲା ହେବାର ଭୟ ନଥାଏ। ଯେତେବେଳେ ଦର୍ଶକମାନଙ୍କ ଧାଡ଼ି ଦୁଇ କିଲୋମିଟର ପର୍ଯ୍ୟନ୍ତ ଲାଗିଥିଲା, ସେତେବେଳେ ବି ମୋତେ ଲାଗୁଥିଲା ମୋ ପାଳି ଶୀଘ୍ର ଆସିଯିବ। ଏଥିସହିତ ଲେଖକ ଲେଖିଛନ୍ତି ଏକ କର୍ତ୍ତବ୍ୟପରାୟଣ ସମାଜ ନିଜ ଯୁବପିଢ଼ିର ଆଚାର ବ୍ୟବହାରକୁ କେତେ ଉଚ୍ଚ ମାନଦଣ୍ଡରେ ଗଠନ କରିପାରେ ଏହା ତାହାର ପ୍ରକୃଷ୍ଟ ଉଦାହରଣ। ଛୋଟବେଳୁ ହିଁ ଉଚିତ ପ୍ରଶିକ୍ଷଣ ଦେଇ ପିଲାଙ୍କୁ ଉତ୍ତମ ନାଗରିକରେ ପରିଣତ କରାଯାଇପାରେ।

ଆମ ଯୁବ ଭାରତର ଯୁବଶକ୍ତି ନିଜକୁ ଦେଶର ଭାଗ୍ୟ ଓ ଭବିଷ୍ୟତ ଭାବରେ ନିଜକୁ ପ୍ରସ୍ତୁତ କରିବା ଉଚିତ। ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ୱନ୍ଧରେ ଆତ୍ମସମୀକ୍ଷା ଆବଶ୍ୟକ। କାରଣ ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି। ସାଧନ ଦେବା ସରକାରଙ୍କ କାର୍ଯ୍ୟ, କିନ୍ତୁ ସାଧନା ଆମର। ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଆକର୍ଷଣୀୟ ଓ ଶୋଭାବର୍ଦ୍ଧକ କରିବା ସରକାରଙ୍କ କାମ, କିନ୍ତୁ ସେଗୁଡ଼ିକର ସୁରକ୍ଷା ଆମର କର୍ତ୍ତବ୍ୟ। ଆଶାକରେ ଆମ ଯୁବସମାଜ ଏ ସମ୍ପର୍କରେ ଗଭୀର ଚିନ୍ତନ କରିବେ ଏବଂ ଏକ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନର ବିଶ୍ୱକର୍ମା ହେବେ।

ଡ ମନୋରଞ୍ଜନ ପ୍ରଧାନ
ଜୟପୁର, ମୋ: ୯୪୩୭୯୧୪୮୧୮

23 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର