ଯୁଦ୍ଧଧର୍ମ ଓ ଧର୍ମଯୁଦ୍ଧ

The Sakala Picture
Published On

ଅନ୍ୟାୟ, ଅତ୍ୟାଚାର, ଅନୀତି ବିରୋଧରେ ଏବଂ ସର୍ବୋପରି ଅନ୍ୟର ଅଧିକାରର ସୁରକ୍ଷା ପାଇଁ ହେଉଥିବା ସଂଗ୍ରାମ ଯଦି ‘ଯୁଦ୍ଧ’ର ସଂଜ୍ଞା ବହନ କରେ ତେବେ ରାମାୟଣ ଓ ମହାଭାରତ ଭଳି ପ୍ରାଚୀନ ଯୁଦ୍ଧ ଶାସ୍ତ୍ର ଓ ତତ୍ତ୍ୱଗୁଡ଼ିକରେ ଏହାର ମର୍ମ ଯେ ପରିପୁଷ୍ଟ ହୋଇଛି ତାହା ନିଃସନ୍ଦେହ। ଅନ୍ୟାୟ, ଅନୀତି ବିରୋଧରେ ଏବଂ ଧର୍ମ ରକ୍ଷା ପାଇଁ ୧୮ ଦିନର ମହାଭାରତ ଯୁଦ୍ଧର ପ୍ରଭାବ ମାନବ ସଭ୍ୟତାର ମହାବିନାଶକାରୀ ଘଟଣା ଭାବେ ଲିପିବଦ୍ଧ। ଧର୍ମଯୁଦ୍ଧ ନାମରେ ଆଖ୍ୟାୟିତ […]

ଅନ୍ୟାୟ, ଅତ୍ୟାଚାର, ଅନୀତି ବିରୋଧରେ ଏବଂ ସର୍ବୋପରି ଅନ୍ୟର ଅଧିକାରର ସୁରକ୍ଷା ପାଇଁ ହେଉଥିବା ସଂଗ୍ରାମ ଯଦି ‘ଯୁଦ୍ଧ’ର ସଂଜ୍ଞା ବହନ କରେ ତେବେ ରାମାୟଣ ଓ ମହାଭାରତ ଭଳି ପ୍ରାଚୀନ ଯୁଦ୍ଧ ଶାସ୍ତ୍ର ଓ ତତ୍ତ୍ୱଗୁଡ଼ିକରେ ଏହାର ମର୍ମ ଯେ ପରିପୁଷ୍ଟ ହୋଇଛି ତାହା ନିଃସନ୍ଦେହ। ଅନ୍ୟାୟ, ଅନୀତି ବିରୋଧରେ ଏବଂ ଧର୍ମ ରକ୍ଷା ପାଇଁ ୧୮ ଦିନର ମହାଭାରତ ଯୁଦ୍ଧର ପ୍ରଭାବ ମାନବ ସଭ୍ୟତାର ମହାବିନାଶକାରୀ ଘଟଣା ଭାବେ ଲିପିବଦ୍ଧ। ଧର୍ମଯୁଦ୍ଧ ନାମରେ ଆଖ୍ୟାୟିତ ଏହି ମହାସମର ସ୍ୱାର୍ଥ ଓ ଅଧିକାରର ପୃଷ୍ଠଭୂମିରେ ସଂଘଟିତ ହୋଇଥିଲେ ହେଁ ଯୁଦ୍ଧଧର୍ମକୁ ଏଥିରେ ବଳି ଦିଆଯାଇ ନଥିଲା। କିନ୍ତୁ ଆଜିର ଆଧୁନିକ ମାନବ ସଭ୍ୟତା ଯୁଦ୍ଧର ଏହି ମୌଳିକ ଧର୍ମ, ଆଧାର ଏବଂ ପରିଭାଷାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଅନ୍ୟର ଅଧିକାରର ସୁରକ୍ଷା ଆଳରେ ସାମ୍ପ୍ରତିକ ଯୁଦ୍ଧସବୁ ସ୍ୱସ୍ୱାର୍ଥ ସୁରକ୍ଷା ଏବଂ ଅହଂକାର ପ୍ରତିଷ୍ଠାର ଲଢ଼େଇରେ ପରିଣତ ହୋଇଛି। ବିଶେଷକରି ପ୍ରଥମ ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ଆଜିର ୟୁକ୍ରେନ-ରୁଷ ଏବଂ ହମାସ୍‌‌-ଇସ୍ରାଏଲ ଯୁଦ୍ଧକୁ ଏହାର ଉଦାହରଣ ରୂପେ ନିଆଯାଇପାରେ। ‘ଧର୍ମ’ର ପରିଭାଷା ବଦଳି ’ଧର୍ମଯୁଦ୍ଧ’ ଏବେ ’ଧର୍ମଭିତ୍ତିକ ଯୁଦ୍ଧ’ ବା ’ସମ୍ପ୍ରଦାୟଭିତ୍ତିକ ଯୁଦ୍ଧ’ରେ ପରିଣତ ହୋଇଛି। ପାଶ୍ଚାତ ଜଗତଠାରୁ ଆରମ୍ଭ କରି ଏସିଆ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଯାଏଁ ସ୍ୱଧର୍ମର ଆଧିପତ୍ୟ ଓ କ୍ଷମତା ପ୍ରତିଷ୍ଠା ହିଁ ଯୁଦ୍ଧର ମୂଳ ଉଦ୍ଦେଶ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ଯୁଦ୍ଧ-ଧର୍ମ ଆଶା କରିବା ବୃଥା।

ଧର୍ମର ପରିବର୍ତ୍ତିତ ସଂଜ୍ଞା ଆଧାରରେ ଆଜିର ତଥାକଥିତ ସଭ୍ୟ ସମାଜ ‘ଯୁଦ୍ଧ-ଧର୍ମ’କୁ ବାଦ୍‌‌ ଦେଇ ଯେଭଳି ‘ଧର୍ମ-ଯୁଦ୍ଧ’ରେ ଲିପ୍ତ ରହିଛି ତାହା ମହାବିନାଶକାରୀ ତୃତୀୟ ଯୁଦ୍ଧକୁ ଜନ୍ମ ଦେବା ଏବଂ ମାନବସମାଜକୁ ଧ୍ୱଂସାଭିମୁଖୀ କରିବା ପାଇଁ ଯେ ପ୍ରେରିତ- ଏ କଥା ଫରାସୀ ଦାର୍ଶନିକ ତଥା ଭବିଷ୍ୟତବକ୍ତା ନଷ୍ଟ୍ରାଦାମସ୍‌‌ ଓ ବୁଲଗେରିଆନ ଭବିଷ୍ୟତବକ୍ତା ଭାଗେଲିଆ ପାଣ୍ଡେବା ସର୍ଚେବା(ବାବା ବେଙ୍ଗା)ଙ୍କ ଲିଖନୀରୁ ସ୍ପଷ୍ଟ। ଚତୁର୍ଦ୍ଦଶ ଶତାବ୍ଦୀରେ ଫ୍ରାନ୍ସରେ ଜନ୍ମଗ୍ରହଣ(୧୪ ଡିସେମ୍ୱର, ୧୫୦୩) କରିଥିବା ନଷ୍ଟ୍ରାଦାମସ୍‌‌ ସାରାବିଶ୍ୱକୁ ନେଇ ଯେଉଁସବୁ ଭବିଷ୍ୟବାଣୀ କରିଥିଲେ ତାହା ୧୫୫୫ ମସିହାରେ ‘ପ୍ରଫେସିଜ୍‌‌ ଅଫ୍‌‌ ନଷ୍ଟ୍ରାଦାମସ୍‌‌’ ଭାବେ ପ୍ରଥମେ ପ୍ରକାଶିତ ହୋଇଥିଲା। କବିତା ଛନ୍ଦ ମାଧ୍ୟମରେ ସେ ପ୍ରାୟ ୯୪୬ଟି ଭବିଷ୍ୟବାଣୀ କରିଥିଲେ। ପରେ ପରେ ତାଙ୍କର ଅନେକ ଭବିଷ୍ୟବାଣୀ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସତ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କର ଆକଳନକୁ ନେଇ ବହୁ ବିଦ୍ୱାନ ଗବେଷଣା କରି ବହୁ ପୁସ୍ତକ ରଚନା କରିଥିଲେ। ବିଗତ ଦିନରେ ବିଶ୍ୱର ବିଭିନ୍ନ ଭାଗରେ ଘଟିସାରିଥିବା ଘଟଣା ବ୍ୟତୀତ ନଷ୍ଟ୍ରାଦାମସ୍‌‌ ତାଙ୍କ ଲିଖନୀରେ ଆମେରିକାର ୯/୧୧ ଘଟଣା ସମ୍ପର୍କରେ ମଧ୍ୟ ସଙ୍କେତ ଦେଇଥିଲେ। ଏହି ଘଟଣା ଘଟିବାର ପ୍ରାୟ ୫୦୦ ବର୍ଷ ପୂର୍ବରୁ ନଷ୍ଟ୍ରାଦାମସ୍‌‌ ଯାହା ଉଲ୍ଲେଖ କରିଥିଲେ ତାହା ଆଜିର ଦିନରେ ଆମକୁ ଆଶ୍ଚର୍ଯ୍ୟଚକିତ କରିବା ସ୍ୱାଭାବିକ। ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏକ ବଡ଼ ସହରରେ ଦୁଇ ଲୁହା ପକ୍ଷୀ ଦୁଇ ବଡ଼ ଖମ୍ବରେ ପିଟି ହେବେ। ଏହି ଘଟଣା ବୈଶ୍ୱିକ ରାଜନୀତିକୁ ଦୋହଲାଇ ଦେବ। ଏହାପରେ ଯେଉଁ ସ୍ଥିତି ଉପୁଜିବ ତାହା ରକ୍ତନଦୀ ବୁହାଇବ। ଯଦିଓ ୫୦୦ ବର୍ଷ ତଳେ ବିମାନର ଉଦ୍‌ଭାବନ ହୋଇ ନଥିଲା; କିନ୍ତୁ ବିମାନକୁ ହିଁ ନଷ୍ଟ୍ରାଦାମସ୍‌‌ ‘ଲୁହା ପକ୍ଷୀ’ ଭାବେ ସଙ୍କେତ ଦେଇଥÒବା ଅନୁମାନ କରିହୁଏ। ୯/୧୧ ଘଟଣା ପରେ ଆମେରିକା ଆଫଗାନିସ୍ତାନରେ ବର୍ଷ ବର୍ଷ ଧରି ଯେଭଳି ନରସଂହାର ଚଳାଇଥିଲା ତାହା ହିଁ ରକ୍ତନଦୀର ସଙ୍କେତ ଥିଲା ବୋଲି ଗବେଷକମାନେ ଆକଳନ କରିଛନ୍ତି। କେବଳ ୯/୧୧ ଘଟଣା ନୁହେଁ, ନଷ୍ଟ୍ରାଦାମସ୍‌‌ ହିଟ୍‌‌ଲରଙ୍କ ଅଭୁଦୟଠାରୁ ଆରମ୍ଭ କରି ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଜାପାନରେ ପରମାଣୁ ବୋମାର ଆତଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ସେ କରିଥିବା ଭବିଷ୍ୟବାଣୀ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ନଷ୍ଟ୍ରାଦାମସ୍‌‌ଙ୍କ କବିତାଛନ୍ଦକୁ ନେଇ ବିଶ୍ୱର ଯେଉଁ କତିପୟ ବିଦ୍ୱାନ ଗବେଷଣା କରି ତାଙ୍କର ଆକଳନକୁ ପୁସ୍ତକ ମାଧ୍ୟମରେ ପରିପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ କେନ୍‌‌ ବିଷ୍ଟ ହେଉଛନ୍ତି ଅନ୍ୟତମ। କେନ୍‌‌ ତାଙ୍କ ପୁସ୍ତକ ‘ନଷ୍ଟ୍ରାଦାମସ୍‌‌ ପ୍ରେଡିକ୍ସନସ୍‌‌ ଆଣ୍ଡ ୱାର୍ଲଡ ୱାର୍‌‌ ୩-୨୦୨୫’ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ଯେକୌଣସି ମଣିଷର ମନରେ ଶିହରଣ ଖେଳାଇ ଦେବା ଅସମ୍ଭବ ନୁହେଁ। ନଷ୍ଟ୍ରାଦାମସ୍‌‌ଙ୍କ ୧୮୧ଟି ଛନ୍ଦକୁ ନେଇ କେନ୍‌‌ ତୃତୀୟ ବିଶ୍ୱଯୁଦ୍ଧର ଘଟଣାକ୍ରମ ଓ ଏହାର କାରଣକୁ ସୂଚିତ କରିଥିଲା ବେଳେ ହମାସ୍‌‌-ଇସ୍ରାଏଲ ମହାସମର ହିଁ ଏହାର ପୃଷ୍ଠଭୂମି ବୋଲି ଏକପ୍ରକାର ଧାରଣା ସ୍ପଷ୍ଟ ହେଉଛି। ପୃଥିବୀର ଯେଉଁ ଅକ୍ଷାଂଶ, ଦ୍ରାଘିମାରେ ଏହି ଯୁଦ୍ଧ ଆରମ୍ଭ ହେବ ଏବଂ ଏହାର ପରିଣାମ କ’ଣ ହେବ, ତାହା ଏଥିରେ ବର୍ଣ୍ଣିତ ଅଛି। ହଜାର ହଜାର ଲୋକଙ୍କ ମୃତ୍ୟୁ ସହିତ ଏହି ଯୁଦ୍ଧ ମୁଖ୍ୟତଃ ଦୁଇ ସମ୍ପ୍ରଦାୟ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧକୁ ଜନ୍ମ ଦେବ ବୋଲି କୁହାଯାଇଛି। ନଷ୍ଟ୍ରାଦାମସ୍‌‌ଙ୍କ ମାଳିକା ୯-୧୧, ୫-୪୭ ଓ ୬-୨୧ ଅନୁଯାୟୀ ଏକବିଂଶ ଶତାବ୍ଦୀରେ ମୁସ୍‌‌ଲିମ୍‌‌ ଓ ଖ୍ରୀଷ୍ଟିଆନ୍‌‌ ସମ୍ପ୍ରଦାୟ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବ। ବିଗତ ଶତାବ୍ଦୀରୁ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ବିଦ୍ୱେଷ ଏକବିଂଶ ଶତାବ୍ଦୀରେ ଅଧିକ ବିବାଦୀୟ ହୋଇ ଉଗ୍ର ରୂପେ ନେବ। ଏହି ବିବାଦ କ୍ରମଶଃ ବିଶ୍ୱକୁ ଦୁଇଗୋଷ୍ଠୀରେ ବିଭାଜିତ କରିବ।

ସେହିପରି ଉଭୟ ନଷ୍ଟ୍ରାଦାମସ୍‌‌ ଏବଂ ବାବା ବେଙ୍ଗାଙ୍କ ଭବିଷ୍ୟବାଣୀରେ କୁହାଯାଇଛି ଯେ ୨୦୨୩ ପରେ ୨୦୨୪ରୁ ୨୦୨୫ ମଧ୍ୟରେ ବିଶ୍ୱବାସୀ ତୃତୀୟ ବିଶ୍ୱଯୁଦ୍ଧ ଦେଖିବେ। ଏହି ସମୟରେ ପୃଥିବୀର ବିଭିନ୍ନ ଭାଗରେ ୭୦ରୁ ଅଧିକ ପରମାଣୁ ବିସ୍ଫୋରଣ ହେବ। ବିଶ୍ୱର ୧୨୦୦୦ରୁ ଅଧିକ ସହର ଧ୍ୱଂସ ହୋଇଯିବ। ସମଗ୍ର ବିଶ୍ୱ ଏଭଳି ଧୂଅାଁରେ ଭର୍ତ୍ତି ହୋଇଯିବ ଯେ ପ୍ରାୟ ଏକବର୍ଷ ଧରି ସୂର୍ଯ୍ୟକିରଣ ଧରାପୃଷ୍ଠରେ ପଡ଼ିବା ଅସମ୍ଭବ ହୋଇଯିବ। ବର୍ତ୍ତମାନ ରୁଷ-ୟୁକ୍ରେନ୍‌‌ ଓ ହମାସ୍‌‌-ଇସ୍ରାଏଲ୍‌‌ ଯୁଦ୍ଧ ପରିପ୍ରେକ୍ଷୀରେ ଯାହା କିଛି ଦେଖାଯାଉଛି ତାହା ଏହି ଦୁଇ ଭବିଷ୍ୟତବକ୍ତାଙ୍କ ଆକଳନକୁ ଏକପ୍ରକାର ସ୍ପଷ୍ଟ କରୁଛି। ରୁଷର କ୍ଷେପଣାସ୍ତ୍ର ଆକ୍ରମଣରେ ୟୁକ୍ରେନ୍‌‌ର ଅନେକ ଅଟ୍ଟାଳିକା ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ, ସଂସ୍ଥା ମାଟିରେ ମିଶିଯାଇଥିବା ବେଳେ ଉଭୟ ଦେଶର ମୃତାହତ ସଂଖ୍ୟା ୫ ଲକ୍ଷରୁ ଊର୍ଦ୍ଧ୍ବ। ସେହିପରି ଇସ୍ରାଏଲ୍‌‌ର ଘନ ଘନ ବୋମା ମାଡ଼ରେ ଗାଜାର ଅନେକ ସହର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ବେଳେ ପାଖାପାଖି ୫୦, ୦୦୦ ଲୋକ ମୃତାହତ ହୋଇଛନ୍ତି। ଏହାବ୍ୟତୀତ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇ ବେସାହାରା ହୋଇପଡ଼ିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତିକି ଗୋଳାବାରୁଦ ବ୍ୟବହାର କରାଯାଇଥିଲା ଇସ୍ରାଏଲ୍‌‌-ହମାସ୍‌‌ ଯୁଦ୍ଧରେ ତାହାଠାରୁ ଅଧିକ ପରିମାଣର ମାରାତ୍ମକ ଗୋଳାବାରୁଦ ବ୍ୟବହାର କରାଯାଇସାରିଛି।

କେବଳ ରୁଷ-ୟୁକ୍ରେନ୍‌‌ କିମ୍ବା ହମାସ୍‌‌-ଇସ୍ରାଏଲ୍‌‌ ଯୁଦ୍ଧର କଥା ନୁହେଁ, ମଧ୍ୟପ୍ରାଚ୍ୟରେ ଇରାନଠାରୁ ଆରମ୍ଭ କରି ସିରିଆ, ଲେବାନନ୍‌‌, ୟେମେନ, ଇରାକ, ଆମେର୍ନିଆ, ତୁର୍କି ଓ ପାକିସ୍ତାନ, ଆଫଗାନିସ୍ତାନ ଭଳି ରାଷ୍ଟ୍ରମାନଙ୍କରେ ଇସଲାମକୁ ନେଇ ଯେଭଳି ସ୍ଥିତି ଉପୁଜିଛି ତାହା ଆଗାମୀ ଦିନରେ ଅତି ଉଗ୍ର ଓ ବିଧ୍ୱଂସକାରୀ ରୂପ ନେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଫିନ୍‌‌ଲ୍ୟାଣ୍ଡ, ନେଦରଲ୍ୟାଣ୍ଡଠାରୁ ଆରମ୍ଭ କରି ଫ୍ରାନ୍‌‌ସ, ବ୍ରିଟେନ୍‌‌, ସ୍ପେନ୍‌‌ ଭଳି ବହୁ ପ୍ରମୁଖ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଇସଲାମକୁ ନେଇ ଯେଉଁ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରାଯାଉଛି ତାହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଭିତ୍ତି ପ୍ରସ୍ତୁତ କରୁଛି ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ଆଫ୍ରିକା ମହାଦେଶରେ ଇସଲାମକୁ ନେଇ ବଢ଼଼ୁଥିବା ବାଦବିବାଦ ଏହିକ୍ରମରେ ଯୋଡ଼ି ହୋଇଯାଇଛି। ସେହିଭଳି ଏସିଆ ମହାଦେଶରେ ଚୀନ, ରୁଷିଆ, ଜାପାନ, ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆକୁ ନେଇ ଯେଉଁ ସ୍ଥିତି ଉପୁଜିଛି ତାହା ମଧ୍ୟ ଚିନ୍ତାଜନକ।

ଉଦ୍‌‌ବେଗଜନକ ହେଉଛି ନଷ୍ଟ୍ରାଦାମସ୍‌‌ ଏବଂ ବାବା ବେଙ୍ଗାଙ୍କ ଭବିଷ୍ୟବାଣୀରେ ଯାହା ଉଲ୍ଲେଖ ରହିଛି ସେଥିରେ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପରମାଣୁ ଅସ୍ତ୍ର ଏବଂ ଏଥିରେ ଆତଙ୍କବାଦୀଙ୍କ ଭୂମିକା ସବୁଠୁ ଆତଙ୍କପୂର୍ଣ୍ଣ ରହିବ ବୋଲି କୁହାଯାଇଛି। କ୍ଷମତା ଏବଂ ଅହଂକାରର ପ୍ରତିଷ୍ଠା ପାଇଁ ରୁଷିଆ ଏବଂ ଚୀନ ଭଳି ବାମପନ୍ଥୀ ଚିନ୍ତାଧାରାର ରାଷ୍ଟ୍ର ପାଶ୍ଚାତ୍ୟ ଜଗତ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିବେ। ସେମାନଙ୍କ ସହିତ କଠୋରପନ୍ଥୀ ରାଷ୍ଟ୍ର ଇରାନ, ଉତ୍ତରକୋରିଆ ହାତ ମିଳାଇବ ଓ ଅନ୍ୟ ଇସଲାମୀୟ ରାଷ୍ଟ୍ରଗୁଡ଼ିକ ଧୀରେ ଧୀରେ ପକ୍ଷଭୁକ୍ତ ହେବେ। ଏହି ପ୍ରକ୍ରିୟାରେ କଠୋରପନ୍ଥୀ ଓ ମୌଳବାଦୀ ଇସଲାମିକ୍‌‌ ଆତଙ୍କବାଦୀମାନେ ବିଶ୍ୱର ବିଭିନ୍ନ ଭାଗରେ ଗଚ୍ଛିତ ରହିଥିବା ପରମାଣୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ହଡ଼ପ କରି ଶତ୍ରୁରାଷ୍ଟ୍ର ବିରୋଧରେ ପ୍ରୟୋଗ କରିବେ ବୋଲି ଉପରୋକ୍ତ ଦୁଇ ମହାତ୍ମାଙ୍କ ବାଣୀରେ ସଂକେତ ଦିଆଯାଇଛି। ସେମାନଙ୍କ ଭବିଷ୍ୟବାଣୀରେ ଆହୁରି କୁହାଯାଇଛି ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରୁଷିଆ ଓ ଚୀନ୍‌‌ ଆଗରେ ନତମସ୍ତକ ହେବ ଏବଂ ୟୁରୋପର ଅନେକ ରାଷ୍ଟ୍ର ଅସ୍ତିତ୍ୱ ହରାଇବେ। ସ୍ପେନ୍‌‌ ଭଳି ରାଷ୍ଟ୍ର ଦୁଇ ଖଣ୍ଡ ହୋଇ କାଟୋଲିନା ଭଳି ନୂଆ ରାଷ୍ଟ୍ର ଜନ୍ମ ନେବ। ପୂର୍ବରୁ ଏହି ଦୁଇ ଭବିଷ୍ୟବକ୍ତାଙ୍କ ବାଣୀ ସତ ପ୍ରମାଣିତ ହୋଇଆସୁଥିବାରୁ ତୃତୀୟ ବିଶ୍ୱଯୁଦ୍ଧ ଚେତାବନୀକୁ ମଧ୍ୟ ହାଲ୍‌‌କା ଭାବେ ନେଇ ହେବ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଶ୍ଚାତ୍ୟ ଜଗତଠାରୁ ଆରମ୍ଭ କରି ଏସିଆ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ପର୍ଯ୍ୟନ୍ତ ଧର୍ମ ଏବଂ କ୍ଷମତା ପ୍ରତିଷ୍ଠା ଲାଗି ଭୂ-ରାଜନୀତି ଯେଉଁ ସ୍ତରରେ ପହଞ୍ଚିଛି ତା’ଦ୍ୱାରା ମାନବ ସଭ୍ୟତା ଯେ ବିନାଶ ଆଡ଼କୁ ମୁହାଁଇବାରେ ଲାଗିଛି ତାହା ଆଉ ଅସ୍ୱୀକାର କରି ହେବ ନାହିଁ। ଗୋଟିଏ ପଟରେ ସଚେତନଶୀଳ ମଣିଷ ବିଶ୍ୱସମାଜରେ କ୍ଷୁଧା, ଦାରିଦ୍ର୍ୟ, ରୋଗ, ଶୋକର ଦୂରୀକରଣ ସହିତ ପରିବେଶ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅହରହ ଉଦ୍ୟମ କରୁଛି। ଅପରପକ୍ଷରେ ଅହଂକାର, ପ୍ରତିପତ୍ତି, ବିସ୍ତାରବାଦୀ ଆଭିମୁଖ୍ୟ ଓ ଧାର୍ମକ ଅସହିଷ୍ଣୁତା ମାନବ ସଭ୍ୟତାକୁ ଯେଉଁଠି ନେଇ ଛିଡ଼ା କରାଇଛି, ତା’ଦ୍ୱାରା ଧ୍ୱଂସାଭିମୁଖୀ ପୃଥିବୀର ଦୃଶ୍ୟପଟ୍ଟ ହିଁ ସାମ୍ନାକୁ ଆସୁଛି। ଧ୍ୱଂସାଭିମୁଖୀ ପୃଥିବୀର ସୁରକ୍ଷା ପାଇଁ ଏବେ ସବୁ ଧର୍ମ ପରିତ୍ୟାଗ କରି ଏକମାତ୍ର ଧର୍ମରେ ସମଗ୍ର ମାନବ ଜାତି ଦୀକ୍ଷିତ ହେବା ଅପରିହାର୍ଯ୍ୟ ହୋଇପଡ଼ିଛି। ତାହା ହେଉଛି – ମାନବ ଧର୍ମ। ଏହି ଧର୍ମର ସୁରକ୍ଷା ପାଇଁ ଯେଉଁ ଯୁଦ୍ଧ ଆରମ୍ଭ ହେବ ତାହାର ଅସ୍ତ୍ର ହେବ ଶାନ୍ତି, ପ୍ରୀତି, ମୈତ୍ରୀ, ଭ୍ରାତୃତ୍ୱ, ସୌହାର୍ଦ୍ଦ୍ୟ। ଆଉ ଏହି ଯୁଦ୍ଧର ଧର୍ମ ହେବ ଅହିଂସା।

ଶ୍ରୀକାନ୍ତ ସାହୁ
ଭୁବନେଶ୍ୱର, ମୋ: ୯୯୩୮୩୯୬୭୮୩

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର