ଜାତୀୟ ବ୍ୟାଘ୍ର ପ୍ରକଳ୍ପର ପଚାଶ ବର୍ଷ

The Sakala Picture
Published On

ଚଳିତ ବର୍ଷ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ‘ପ୍ରୋଜେକ୍ଟ ଟାଇଗର୍’ ଗଠନ ହେବାର ପଚାଶ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ୧୯୭୨ ମସିହାରେ ଦେଶରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରବର୍ତ୍ତନ ହେବାର ଏକ ବର୍ଷ ପରେ, ୧୯୭୩ ମସିହା ଏପ୍ରିଲ୍ ୧ ତାରିଖ ଦିନ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ଶୁଭାରମ୍ଭ ଜିମ୍ କରବେଟ୍ ଜାତୀୟ ଉଦ୍ୟାନରେ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପର ଅବଧି ମାତ୍ର ଛଅ ବର୍ଷ ଅର୍ଥାତ ଏପ୍ରିଲ୍ ୧୯୭୩ ରୁ ମାର୍ଚ୍ଚ ୧୯୭୯ […]

ଚଳିତ ବର୍ଷ ଜାତୀୟ ବ୍ୟାଘ୍ର ପ୍ରକଳ୍ପ ‘ପ୍ରୋଜେକ୍ଟ ଟାଇଗର୍’ ଗଠନ ହେବାର ପଚାଶ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ୧୯୭୨ ମସିହାରେ ଦେଶରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପ୍ରବର୍ତ୍ତନ ହେବାର ଏକ ବର୍ଷ ପରେ, ୧୯୭୩ ମସିହା ଏପ୍ରିଲ୍ ୧ ତାରିଖ ଦିନ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ଶୁଭାରମ୍ଭ ଜିମ୍ କରବେଟ୍ ଜାତୀୟ ଉଦ୍ୟାନରେ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପର ଅବଧି ମାତ୍ର ଛଅ ବର୍ଷ ଅର୍ଥାତ ଏପ୍ରିଲ୍ ୧୯୭୩ ରୁ ମାର୍ଚ୍ଚ ୧୯୭୯ ପର୍ଯ୍ୟନ୍ତ ରଖାଯାଇଥିଲା। ପ୍ରଥମେ ଦେଶର ନଅଗୋଟି ବ୍ୟାଘ୍ର ଅଭୟାରଣ୍ୟକୁ ନେଇ ଏହାର କାର୍ଯ୍ୟାରମ୍ଭ ହୋଇଥିଲା। ସେହି ଅଭୟାରଣ୍ୟଗୁଡ଼ିକ ହେଲା ଆସାମର ‘ମାନସ’, ତତ୍କାଳୀନ ବିହାରର ‘ପାଲାମଉ’, ଓଡ଼ିଶାର ‘ଶିମିଳିପାଳ’, ତତ୍କାଳୀନ ଉତ୍ତରପ୍ରଦେଶର ‘କର୍ବେଟ୍’, ରାଜସ୍ଥାନର ‘ରଣଥମ୍ବୋର’, ମଧ୍ୟପ୍ରଦେଶର ‘କାହ୍ନା’, ମହାରାଷ୍ଟ୍ରର ‘ମେଲଘାଟ’, କର୍ଣ୍ଣାଟକର ‘ବାନ୍ଦିପୁର’ ଏବଂ ପଶ୍ଚିମବଙ୍ଗର ‘ସୁନ୍ଦରବନ’। ଏହି ନଅଗୋଟି ଅଭୟାରଣ୍ୟର ମୋଟ ଆୟତନ ଥିଲା ମାତ୍ର ୧୩,୦୧୭ ବର୍ଗ କିଲୋମିଟର । ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ କୈଳାସ ସଂଖାଲା ବ୍ୟାଘ୍ର ପ୍ରକଳ୍ପର ପ୍ରଥମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଥିଲେ। ସେହିବର୍ଷ ଅର୍ଥାତ୍ ୧୯୭୩ ମସିହା ଏପ୍ରିଲ୍ ମାସରେ ବାଘକୁ ‘ଜାତୀୟ ପଶୁ’ର ମାନ୍ୟତା ଦିଆଗଲା। ଏହା ପୂର୍ବରୁ ସିଂହ ଥିଲା ଭାରତର ଜାତୀୟ ପଶୁ।

ଜାତୀୟ ବ୍ୟାଘ୍ର ପ୍ରକଳ୍ପ ‘ପ୍ରୋଜେକ୍ଟ ଟାଇଗର’ର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଦେଶରେ ବିପଜ୍ଜନକ ଭାବେ ହ୍ରାସ ପାଉଥିବା ମହାବଳ ବାଘଙ୍କ ସଂଖ୍ୟାରେ ସ୍ଥିରତା ଆଣିବା ଏବଂ ବାଘ ଅନୁକୂଳ ପରିସଂସ୍ଥାକୁ ସୁରକ୍ଷିତ ରଖିବା, ଯାହାକି ଭବିଷ୍ୟତରେ ସେମାନଙ୍କର ବଂଶ ବୃଦ୍ଧିରେ ସହାୟକ ହେବ। ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ଆସୁଥିବା ଅଭୟାରଣ୍ୟଗୁଡ଼ିକୁ ସୁରକ୍ଷିତ ତଥା ଅକ୍ଷୁର୍ଣ୍ଣ ରଖିବା ମଧ୍ୟ ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଶା କରାଯାଉଥିଲା, ଭବିଷ୍ୟତରେ ଏହି କେନ୍ଦ୍ରଗୁଡ଼ିକ ପ୍ରଜନନ କେନ୍ଦ୍ର ଭାବରେ ବାଘମାନଙ୍କର ବଂଶବିସ୍ତାରରେ ମଧ୍ୟ ସହାୟକ ହେବ। ବିଭିନ୍ନ ସମୟରେ ଗଠିତ ‘ଟାଇଗର ଟାସ୍କ ଫୋର୍ସ’ର ସୁପାରିଶ ଅନୁଯାୟୀ ତିନୋଟି ପର୍ଯ୍ୟାୟରେ ବ୍ୟାଘ୍ର ପ୍ରକଳ୍ପ ଯୋଜନାକୁ ବିଭକ୍ତ କରାଗଲା। ପ୍ରଥମ ପର୍ଯ୍ୟାୟ ୧୯୭୨ ରୁ ୧୯୮୦, ଦ୍ୱିତୀୟ ପର୍ଯ୍ୟାୟ ୧୯୮୦ ରୁ ୧୯୯୦ ଏବଂ ତୃତୀୟ ପର୍ଯ୍ୟାୟ ୧୯୯୦ ରୁ ୨୦୦୦। ପ୍ରଥମେ ନଅଟି ଅଭୟାରଣ୍ୟକୁ ନେଇ ଗଠିତ ବ୍ୟାଘ୍ର ପ୍ରକଳ୍ପର ସଂଖ୍ୟା ୨୦୧୮ ମସିହା ବେଳକୁ ୫୦ରେ ପହଞ୍ଚିଗଲା ଏବଂ ଆୟତନ ୭୨,୭୪୯ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଲା। ଏହା ଦେଶର ମୋଟ ଭୂଭାଗର ମାତ୍ର ୨.୨୧ ପ୍ରତିଶତ। ୨୦୧୮ରୁ ୨୦୨୩ ମଧ୍ୟରେ ଆହୁରି ଅଧିକ ଚାରିଗୋଟି ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରାଯାଇ ମୋଟ ସଂଖ୍ୟା ୫୪ କୁ ବୃଦ୍ଧି ପାଇଛି। ସେଗୁଡ଼ିକ ହେଲା ତାମିଲ୍ନାଡୁର ଶ୍ରୀ ଭିସ୍ଲିପୁଥୁର ମେଗା ମଲାଇ, ରାଜସ୍ଥାନର ରାମଗଡ଼ ବିଷଧାରୀ, ଉତ୍ତରପ୍ରଦେଶର ରାଣୀପୁର ଏବଂ ଛତିଶଗଡ଼ର ଗୁରୁ ଘାସିଦାସ ଜାତୀୟ ଉଦ୍ୟାନ। ଓଡ଼ିଶାର ସୁନାବେଡ଼ା ଅଭୟାରଣ୍ୟକୁ ୨୦୦୮ ମସିହାରୁ ଭାରତ ସରକାର ନୀତିଗତ ଭାବେ ସ୍ୱୀକୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହା ପୂର୍ଣ୍ଣ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ ଭାବେ ଅଧିସୂଚୀତ ହୋଇନାହିଁ। ନିକଟରେ ହୀରାକୁଦ ଜଳଭଣ୍ଡାର ସନ୍ନିକଟ ଡେବ୍ରିଗଡ଼ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ରୂପେ ଘୋଷଣା କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ମହାବଳ ବାଘ, ପ୍ରାକୃତିକ ଖାଦ୍ୟ-ଖାଦକ ପିରାମିଡ୍‌ର ଶୀର୍ଷରେ ଥିବା ଏପରି ଏକ ଅନନ୍ୟ ପ୍ରାଣୀ, ଯାହା ଜଙ୍ଗଲ ପରିସଂସ୍ଥାର ଜୈବବିବିଧତା ଓ ସୁସ୍ଥତାର ପରିଚାୟକ କୁହାଯାଏ। ଯେଉଁ ଜଙ୍ଗଲରେ ବାଘ ଅଛି, ସେ ଜଙ୍ଗଲର ସ୍ୱାସ୍ଥ୍ୟ ଭଲ ଅଛି ବୋଲି କୁହାଯିବ। ସେଠାରେ ପାରିବେଶିକ ଓ ଖାଦ୍ୟ-ଶୃଙ୍ଖଳର ସନ୍ତୃଳନ ଠିକ୍‌ଠାକ୍‌ ଅଛି। ଏକଦା ଏସିଆ ମହାଦେଶର ୩୦ଟି ଦେଶରେ ବାଘ ଦେଖିବାକୁ ମିଳୁଥିଲେ। କିନ୍ତୁ ୧୯୮୦ ବେଳକୁ ବାଲି, ଜାଭା ଓ କାସ୍ପିୟାନ ଉପପ୍ରଜାତିର ବାଘବଂଶ ବିଲୁପ୍ତ ହୋଇଯାଇଥିଲା। ବର୍ତ୍ତମାନ ଭାରତକୁ ଛାଡ଼ିଦେଲେ ବିଶ୍ୱର ଅନ୍ୟ କେବଳ ୧୧ଟି ଦେଶରେ ବାଘ ଦେଖିବାକୁ ମିଳୁଛନ୍ତି। ସେହି ଦେଶଗୁଡ଼ିକ ହେଲା ଋଷିଆ, ଇଣ୍ଡୋନେସିଆ, ନେପାଳ, ମାଲୟୋସିଆ, ଭୁଟାନ, ବାଂଲାଦେଶ, ଥାଇଲାଣ୍ଡ, ଚାଇନା, ଭିଏତ୍‌ନାମ, କାମ୍ବୋଡ଼ିଆ ଓ ଲାଓସ। ଆଇୟୁସିଏନ୍‌ର ‘ରେଡ୍ ଡାଟା’ ବହି ଅନୁସାରେ ଭିଏତ୍ନାମ, କାମ୍ବୋଡ଼ିଆ ଓ ଲାଓସ୍ରେ ବାଘଙ୍କର ସ୍ଥିତି ଗମ୍ଭୀର ଭାବେ ସଂକଟାପନ୍ନ।

୧୯୭୦ ବେଳକୁ କେବଳ ଆମ ଦେଶ ଭାରତରେ ନୁହେଁ, ବରଂ ବିଶ୍ୱର ବାଘ ଦେଖିବାକୁ ମିଳୁଥିବା ସମସ୍ତ ଦେଶମାନଙ୍କରେ ବାଘ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇ ବିଲୁପ୍ତି ଅବସ୍ଥାରେ ଆସି ପହଞ୍ଚିଯାଇଥିଲା। ବିକାଶ ପୃଷ୍ଠଭୂମିରେ ଜଙ୍ଗଲ ସମ୍ପଦର ଅବକ୍ଷୟ, ବାଘଙ୍କର ନିରାପଦ ଆଶ୍ରୟ ସ୍ଥଳୀ ବା ଆବାସସ୍ଥଳୀର ସଂକୋଚନ, ତୃଣଭୋଜୀ ପ୍ରାଣୀମାନଙ୍କର ସଂଖ୍ୟା ହ୍ରାସ ଆଦି କାରଣ ସହିତ ଅବୈଧ ଓ ଅବାଧ ବାଘ ଶିକାର ଥିଲା ଏହି ଦୁର୍ଦ୍ଦଶାର ଅନ୍ୟତମ ପ୍ରମୁଖ କାରଣ। ଏହି ପୃଷ୍ଠଭୂମିରେ ଦେଶସାରା ବାଘ ଗଣନା କରି ସେମାନଙ୍କର ସଂଖ୍ୟା ନିର୍ଦ୍ଧିଷ୍ଟ ଭାବେ ଆକଳନ କରିବାକୁ ଉଦ୍ୟମ ୧୯୭୨ ମସିହାରେ ଆରମ୍ଭ ହେଲା। ଆମ ରାଜ୍ୟର ବନ୍ୟ ପ୍ରାଣୀ ବିଶେଷଜ୍ଞ ସ୍ୱଗର୍ତ ସରୋଜ ରାଜ ଚୌଧୁରୀଙ୍କ ପ୍ରବର୍ତ୍ତିତ ‘ପାଦଚିହ୍ନ ବିଶ୍ଳେଷଣ’ ପଦ୍ଧତିରେ କରାଯାଇଥିବା ଗଣନାରୁ ସେବେ ସାରା ଦେଶରେ ମୋଟ୍ ୧୮୨୭ଟି ବାଘ ଅଛନ୍ତି ବୋଲି ଜଣାପଡ଼ିଲା। ସେହି ରିପୋର୍ଟରେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ମାତ୍ର ୧୭ଟି ବାଘ ଅଛନ୍ତି ବୋଲି ଦର୍ଶାଯାଇଥିଲା। ଏହି ଗଣନାକୁ ଅସମ୍ପୂର୍ଣ୍ଣ ଦର୍ଶାଇ ପାଞ୍ଚବର୍ଷ ପରେ ୧୯୭୭ରେ ଦେଶରେ ଆଉଥରେ ବାଘ ଗଣନା କରାଗଲା। ସାରା ଦେଶରେ ବାଘ ସଂଖ୍ୟା ପ୍ରାୟ ୬୫ ପ୍ରତିଶତ ବୃଦ୍ଧିପାଇ ୩୦୧୫ରେ ପହଞ୍ଚିଲା ଏବଂ ଶିମିଳିପାଳରେ ବାଘ ସଂଖ୍ୟା ୨୫୦ ପ୍ରତିଶତ ବୃଦ୍ଧିପାଇ ୬୦ ବାଘ ଅଛନ୍ତି ବୋଲି ଦେଖାଗଲା। ଶେଷଥର ପାଇଁ ୨୦୦୩-୨୦୦୪ରେ ‘ପାଦଚିହ୍ନ ଅନୁସରଣ’ ପଦ୍ଧତିରେ ଯେଉଁ ଗଣନା କରାଯାଇଥିଲା, ସେଥିରେ ଦେଶର ମୋଟ ବାଘ ସଂଖ୍ୟା ଆସିଲା ୩୬୪୨।

ବାଘଙ୍କ ସଂଖ୍ୟାରେ ଏପରି ଅସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହେବା ଫଳରେ ବନ୍ୟପ୍ରାଣୀ ବିଶେଷଜ୍ଞ ମଧ୍ୟରେ ଏହି ପାରମ୍ପରିକ ଗଣନା ପଦ୍ଧତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲା। ଏହି ସନ୍ଦେହ ଦୃଢ଼ୀଭୂତ ହେବାର ପ୍ରଥମ ଝଟକା ଆସିଲା ରାଜସ୍ଥାନର ସାରିସ୍କା ବ୍ୟାଘ୍ର ପ୍ରକଳ୍ପରୁ। ୨୦୦୩ ମସିହାରେ ପାଦଚିହ୍ନ ବିଶ୍ଳେଷଣ ପଦ୍ଧତିରେ ହୋଇଥିବା ଗଣନାରେ ସେଠି ୧୬ଟି ବାଘ ଥିବାର ଦର୍ଶାଯାଇଥିଲା। କିନ୍ତୁ ୨୦୦୪ ମସିହାରେ ଡେରାଡୁନ୍‌ସ୍ଥିତ ବନ୍ୟପ୍ରାଣୀ ସଂସ୍ଥାର ଗବେଷକ ଦଳ ସେଠାରେ ବାଘର ପାଦଚିହ୍ନ, ଗଛରେ ରାମ୍ପୁଡ଼ା ଦାଗ, ମଳ, ମୂତ୍ର, ବାଳ ଏବଂ ବାଘ ଦ୍ୱାରା ଶିକାର ହୋଇଥିବା ମଢ଼ ଆଦି କୌଣସି ବି ଗୋଟିଏ ସାଙ୍କେତିକ ଚିହ୍ନ ଦେଖିଲେ ନାହିଁ। ରାଜସ୍ଥାନ ସରକାରଙ୍କ ଦ୍ୱାରା ଗଠିତ ‘ଟାସ୍କଫୋର୍ସ’ ମଧ୍ୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ୨୦୦୫ ଜାନୁଆରୀ ମାସରେ ସାରିସ୍କାରେ ଆଦୌ ବାଘ ନାହାନ୍ତି ବା ବାଘ ସଂଖ୍ୟା ଶୂନ୍ୟ ବୋଲି ରିପୋର୍ଟ କଲେ। ଏହି ପୃଷ୍ଠଭୂମିରେ ସାରା ଦେଶରେ ଏକକ ଢ଼ାଞ୍ଚାରେ ବାଘ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୦୦୫ ମସିହା ଡିସେମ୍ବର ମାସରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) ଗଠିତ ହେଲା ଏବଂ ବ୍ୟାଘ୍ର ପ୍ରକଳ୍ପ ଅଧୀନସ୍ଥ ସମସ୍ତ ‘ଟାଇଗର ରିଜର୍ଭ’ ଗୁଡ଼ିକୁ ଏହା ଅଧୀନକୁ ଅଣାଗଲା।

ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧୀକରଣ ଏବଂ ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥା ବାଘ ଗଣନା ପାଇଁ ପାଦଚିହ୍ନ ବିଶ୍ଳେଷଣ ପଦ୍ଧତି ପରିବର୍ତ୍ତେ କ୍ୟାମେରା ଟ୍ରାପ୍ ପଦ୍ଧତି ପ୍ରୟୋଗ ପାଇଁ ସୁପାରିଶ କଲେ। ୨୦୦୬ ମସିହାରେ ପ୍ରଥମ ଥର ପାଇଁ କ୍ୟାମେରା ଟ୍ରାପ୍ ପଦ୍ଧତିରେ ହୋଇଥିବା ବାଘ ଗଣନାର ଫଳାଫଳ ୨୦୦୮ରେ ପ୍ରକାଶ ପାଇଲା। ଦେଶରେ ମୋଟ ବାଘଙ୍କ ସଂଖ୍ୟା ୩୬୪୨ରୁ ୧୪୧୧କୁ ଖସି ଆସିଲା। ସେହି କ୍ରମରେ ପୂର୍ବରୁ ଦର୍ଶାଯାଉଥିବା ଓଡ଼ିଶାର ବାଘ ସଂଖ୍ୟା ୧୯୨ ରୁ ୪୫ ଏବଂ ଶିମିଳିପାଳର ବାଘ ସଂଖ୍ୟା ୧୦୧ ରୁ ୨୩କୁ ଖସିଆସିଲା। କେବଳ ଭାରତରେ ନୁହେଁ, ବିଶ୍ୱର ବାଘ ଦେଖିବାକୁ ମିଳୁଥିବା ଦେଶମାନଙ୍କରେ ମଧ୍ୟ କ୍ୟାମେରା ଟ୍ରାପ୍ ପଦ୍ଧତିରେ କରାଯାଇଥିବା ଗଣନାର ଫଳାଫଳ ହଇଚଇ ସୃଷ୍ଟି କରିଥିଲା। ୨୦୧୦ ମସିହାରେ ଋଷିଆର ‘ପିଟର୍ସବର୍ଗ’ ସହରରେ ବାଘଥିବା ଦେଶମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ୨୦୨୨ ସୁଦ୍ଧା କିପରି ବିଶ୍ୱର ବାଘ ସଂଖ୍ୟା ଦ୍ୱିଗୁଣିତ କରାଯାଇପାରିବ, ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ସହିତ, ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖକୁ ‘ଆନ୍ତର୍ଜାତିକ ବ୍ୟାଘ୍ର ଦିବସ’ ରୂପେ ପାଳନ କରିବାକୁ ସ୍ଥିର କରାଗଲା। ନିର୍ଦ୍ଧାରିତ ସମୟର ଚାରିବର୍ଷ ପୂର୍ବରୁ ଭାରତ ୨୦୧୮ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରିପାରିଥିଲା। ୨୦୧୦ ଗଣନାରେ ଆମ ଦେଶର ବାଘ ସଂଖ୍ୟା ୧୭୦୬ ଏବଂ ୨୦୧୪ ଗଣନାରେ ୨୨୨୬କୁ ବୃଦ୍ଧି ପାଇଛି। ଏହା ପ୍ରାୟ ୬୦ ପ୍ରତିଶତ ବୃଦ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୧୮ ମସିହାରେ ହୋଇଥିବା କ୍ୟାମେରା ଟ୍ରାପ୍ ଗଣନାରେ ଦେଶର ମୋଟ ବାଘ ସଂଖ୍ୟା ୨୯୬୭ ବୋଲି ଦର୍ଶାଯାଇଛି। ଏହି ସମୟରେ ବିଶ୍ୱର ବ୍ୟାଘ୍ର ସଂଖ୍ୟା ପ୍ରାୟ ୪୦୦୦ରେ ପହଞ୍ଚିଛି। ଅର୍ଥାତ୍ ଆମ ଦେଶର ବାଘ ସଂଖ୍ୟା ବିଶ୍ୱର ୭୦ ପ୍ରତିଶତ।

୨୦୨୨ ମସିହାର ଗଣନା ଅନୁସାରେ ଦେଶର ବାଘ ସଂଖ୍ୟା ୨୦୦ ବୃଦ୍ଧି ପାଇ ୩୧୬୭ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଏପ୍ରିଲ୍ ମାସରେ କର୍ଣ୍ଣାଟକର ମହୀଶୁରଠାରେ ‘ଅମୃତ କାଲ୍ କା ଟାଇଗର ଭର୍ସନ’ ଜାରି କରି ଏହି ସୂଚନା ଦେଇଛନ୍ତି। ‘ପ୍ରୋଜେକ୍ଟ ଟାଇଗର ବା ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ରିପୋର୍ଟ ଉନ୍ମୋଚନ ସହିତ ‘ଇଣ୍ଟର ନ୍ୟାସନାଲ୍ ବିଗ୍ କ୍ୟାଟ ଆଲାଏନ୍ସ’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ବାଘ, ସିଂହ, ଚିତାବାଘ, ପୁମା, ଜାଗୁଆର ଆଦି ପ୍ରଜାତିର ବିଗ୍ କ୍ୟାଟ୍‌ଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଆନ୍ତର୍ଜାତିକ ମେଣ୍ଟ କାର୍ଯ୍ୟ କରିବ। ବିଗତ ୧୬ ବର୍ଷ ଭିତରେ ବ୍ୟାଘ୍ର ସଂରକ୍ଷଣ ଓ ସେମାନଙ୍କର ବଂଶବୃଦ୍ଧି କ୍ଷେତ୍ରରେ ଭାରତ ହାସଲ କରିଥିବା ଅତୁଳନୀୟ ସଫଳତା ପଛରେ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ଅବଦାନ ଅନସ୍ୱୀକାର୍ଯ୍ୟ।

ଡ. ବିଜୟ କେତନ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୪୩୭୦୦୦୯୦୪

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର