ଦୁବାଇ ବିମାନ ସେବା ଶୁଭାରମ୍ଭ, ଓଡ଼ିଶା ବିକାଶରେ ନୂଆ ଉଡ଼ାଣ

The Sakala Picture
Published On

ସାମ୍ପ୍ରତିକ ବିକାଶ କ୍ଷେତ୍ରରେ ବୈଶ୍ୱିକ ଯୋଗାଯୋଗ ବ୍ୟବସ୍ଥାର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ, ଉଦ୍ୟୋଗ, ପର୍ଯ୍ୟଟନ, ପୁଞ୍ଜି ବିନିଯୋଗ, ଅର୍ଥନୀତି ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଉନ୍ନତ ସଂଯୋଗ ଓ ଯୋଗାଯୋଗ ବ୍ୟବସ୍ଥା ବିଶେଷକରି ବିମାନ ସୁବିଧାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ନୂଆ ଭାରତ ତାହାର ବିକାଶ ପଥରେ ନୂତନ ଉଡ଼ାଣ ଆରମ୍ଭ କରିଥିବାବେଳେ ରାଜ୍ୟମାନେ ତା’ ସହିତ ଆଗକୁ ଲମ୍ଫ ପ୍ରଦାନ କରୁଛନ୍ତି। ରାଜ୍ୟମାନଙ୍କ ବିକାଶ ବିନା ଦେଶର […]

ସାମ୍ପ୍ରତିକ ବିକାଶ କ୍ଷେତ୍ରରେ ବୈଶ୍ୱିକ ଯୋଗାଯୋଗ ବ୍ୟବସ୍ଥାର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ, ଉଦ୍ୟୋଗ, ପର୍ଯ୍ୟଟନ, ପୁଞ୍ଜି ବିନିଯୋଗ, ଅର୍ଥନୀତି ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ଉନ୍ନତ ସଂଯୋଗ ଓ ଯୋଗାଯୋଗ ବ୍ୟବସ୍ଥା ବିଶେଷକରି ବିମାନ ସୁବିଧାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ। ନୂଆ ଭାରତ ତାହାର ବିକାଶ ପଥରେ ନୂତନ ଉଡ଼ାଣ ଆରମ୍ଭ କରିଥିବାବେଳେ ରାଜ୍ୟମାନେ ତା’ ସହିତ ଆଗକୁ ଲମ୍ଫ ପ୍ରଦାନ କରୁଛନ୍ତି। ରାଜ୍ୟମାନଙ୍କ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ। ତେଣୁ ଦେଶରେ ଏବେ ବିକାଶର ଯେଉଁ ନବକ୍ରାନ୍ତି ଆସିଛି ସେଥିରେ ଓଡ଼ିଶା ପଛରେ ପଡ଼ିନାହିଁ। ରେଳ, ସଡ଼କ, ସାମୁଦ୍ରିକ ପଥ ପରେ ବିମାନ ସେବା କ୍ଷେତ୍ରରେ ଓଡ଼ିଶା ନୂଆ ନୂଆ ଫର୍ଦ୍ଦ ଯୋଡ଼ିବା ଆରମ୍ଭ କରିଛି। ଓଡ଼ିଶାରୁ ବିଦେଶକୁ ଯିବା ପାଇଁ ସିଧାସଳଖ ବିମାନ ଯାତ୍ରା କ୍ରମଶଃ ବାସ୍ତବତାର ରୂପ ନେଇଛି। ଏହି ପ୍ରୟାସରେ ସଦ୍ୟତମ ଭାବେ ଯୋଡ଼ି ହୋଇଛି ଭୁବନେଶ୍ୱର-ଦୁବାଇ ଆନ୍ତର୍ଜାତିକ ପ୍ରତ୍ୟକ୍ଷ ସେବା।

ଏହି ବିମାନ ସେବା ଉଦ୍‌‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥାର୍ଥରେ କହିଛନ୍ତି ଯେ ଏହାଫଳରେ ମଧ୍ୟପ୍ରାଚ୍ୟ-ୟୁରେରାପ ଓ ଆମେରିକୀୟ ବଜାରକୁ ସିଧାସଳଖ ପ୍ରବେଶ ପାଇଁ ଓଡ଼ିଶା ନିମନ୍ତେ ବାଟ ଫିଟିଛି। ଦୁବାଇ ଓ ଉପସାଗରୀୟ ଅଞ୍ଚଳ ଏବେ ବିଶ୍ୱର ଅନ୍ୟତମ ପ୍ରମୁଖ ଅର୍ଥନୈତିକ ଅଞ୍ଚଳରେ ପରିଣତ ହୋଇଛି। ତୈଳ, ନିର୍ମାଣ, ରିୟଲ୍‌‌ ଇଷ୍ଟେଟ୍‌‌ ଓ ବ୍ୟବସାୟ ଉଦ୍ୟୋଗ ସେହି ଅଞ୍ଚଳକୁ ନୂଆ କୁବେରପୁରୀରେ ପରିଣତ କରିଛି। ଏଠାରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟର ମିଳନ ଘଟିଛି ଏବଂ ଅନେକ ଓଡ଼ିଆ ସେଠାରେ ନାନାବିଧ ବୃତ୍ତିରେ ନିୟୋଜିତ ହୋଇଛନ୍ତି। ଏହି ସିଧାସଳଖ ବିମାନ ସେବା ଫଳରେ ସେମାନେ ବିଶେଷ ଉପକୃତ ହେବେ। ଏବଂ ନିଜର ଜନ୍ମମାଟି ସହିତ ପ୍ରତ୍ୟକ୍ଷ ଯୋଗାଯୋଗ ସୁଯୋଗ ପାଇବେ।

ସାରା ବିଶ୍ୱର କୋଣ ଅନୁକୋଣରେ ଏବେ ଓଡ଼ିଆ ବୃତ୍ତିଧାରୀ ବିଛେଇ ହୋଇ ରହିଛନ୍ତି। ଉଡ଼ାଣ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଆସିବା ଫଳରେ ସେମାନେ ଓଡ଼ିଶା ସହିତ ସିଧାସଳଖ ବିମାନ ସେବା ପାଇବାକୁ ଆଶା କରିବା ସ୍ୱାଭାବିକ। ଏହାଛଡ଼ା ଖଣିଜ ସମୃଦ୍ଧ ଏବଂ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଆସିବାକୁ ଆନ୍ତର୍ଜାତିକ ନିବେଶକ ଓ ପର୍ଯ୍ୟଟକ ସିଧାସଳଖ ବିମାନସେବା ଚାହିଁବା ସ୍ୱାଭାବିକ। ଭୁବନେଶ୍ୱରରୁ କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇ ଦେଇ ବିଦେଶକୁ ଯିବା ଆଉ ଏକ ଅଗ୍ରାଧିକାର ଅବିକଳ୍ପ ମାର୍ଗ ହୋଇ ରହିନାହିଁ। ନୂଆ ସଂଯୋଗ ବ୍ୟବସ୍ଥା ଆମକୁ ଯେଉଁ ଭାବେ ସୁଯୋଗ ଦେଇଛି ତାହାର ସଦ୍‌‌ବ୍ୟବହାର ନ କଲେ ଆମେ ପଛରେ ପଡ଼ିଯିବା। ଆମ ବିକାଶ ପକ୍ର୍ରିୟା ବ୍ୟାହତ ହେବ। ତେଣୁ ସମୟ ସହିତ ତାଳ ଦେଇ ଆମକୁ ଆଗକୁ ବଢ଼଼ିବାକୁ ହେବ। ବିକାଶ ପ୍ରକ୍ରିୟାରେ ସବୁପ୍ରକାର ବିକଳ୍ପ ବିନିଯୋଗ ପାଇଁ ଯେ ଓଡ଼ିଶା ପ୍ରସ୍ତୁତ ତାହା ଏହି ନୂଆ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବା ସହିତ ପ୍ରମାଣିତ ହୋଇଛି।

ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ବିମାନ ଉଡ଼ାଣ ପାଇଁ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଛି ତାହା ସେତେ ଯାତ୍ରୀଙ୍କୁ ସୁହାଇବା ପରି। ରାଜ୍ୟ ସରକାରଙ୍କ ସହଯୋଗକ୍ରମେ ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଉଛି। ଏହି ସେବା ଯୋଗାଣରେ ସମ୍ପୃକ୍ତ କମ୍ପାନୀର ପ୍ରାରମ୍ଭିକ ବ୍ୟାବସାୟିକ କ୍ଷତି ଯେପରି ନ ହୁଏ ସେଥିପାଇଁ ସପ୍ତାହକୁ ଏବେ ତିନିଦିନ ଏହି ମାର୍ଗରେ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଉଛି। ଏହା ଓଡ଼ିଶା ସରକାରଙ୍କ ପୂର୍ବ ଅଭିଜ୍ଞତା ଆଧାରରେ ଏକ ଦୂରଦର୍ଶୀ ନିଷ୍ପତ୍ତି। କେବଳ ସେତିକି ନୁହେଁ ଆସନ୍ତା ଜୁନ୍‌‌ ୩ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍‌‌ ଓ ସିଙ୍ଗାପୁରକୁ ସପ୍ତାହକୁ ଦୁଇଥର ବିମାନ ଚଳାଚଳ କରାଯିବାକୁ ଘୋଷଣା ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସ ହିଁ ଏହି ସେବା ଯୋଗାଇବାକୁ ଚୁକ୍ତି କରିଛି। ଏହି ସବୁ ଅଞ୍ଚଳକୁ ସିଧାସଳଖ ବିମାନ ଚଳାଚଳ କରିବା ଫଳରେ ବିଭିନ୍ନ କ୍ଷେତ୍ରରେ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହେବା ସ୍ୱାଭାବିକ। ବଡ଼ କଥା ହେଉଛି ଭ୍ରମଣ ଓ ପର୍ଯର୍୍ୟଟନ ଉଦ୍ୟୋଗ ଏହି ଉଡ଼ାଣ ବ୍ୟବସ୍ଥା ନେଇ ଅଧିକ ଉତ୍ସାହିତ। ଏହାଦ୍ୱାରା ଆତିଥେୟ ଉଦ୍ୟୋଗ ପାଇଁ ମଧ୍ୟ ନୂଆ ରୋଜଗାରର ସୁଯୋଗ ଆସିବ। ସୁବୁଠୁ ଅଧିକ ଲାଭବାନ ହେବ ଓଡ଼ିଶାର ଉଦ୍ୟୋଗ ଜଗତ। ପୁଞ୍ଜି ନିବେଶକ ଓ ବ୍ୟବସାୟୀ ଏଣିକି ସିଧାସଳଖ ଓଡ଼ିଶାକୁ ଆସିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନଙ୍କ ବିଦେଶ ପାଠପଢ଼଼ାରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ଏହି ବିମାନ ସେବା ବିଶେଷ ସହାୟକ ହେବ।

ସବୁ ପ୍ରାରମ୍ଭିକ ପ୍ରୟାସରେ ସମସ୍ୟା ଥାଏ। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବା ଦରକାର ହୋଇଥାଏ। ଭୁବନେଶ୍ୱର-ଦୁବାଇ ସହ ସିଙ୍ଗାପୁର ଓ ବ୍ୟାଙ୍କକ୍‌‌ ସେବା ନୂଆ କରି ଆରମ୍ଭ ହେବା ସହିତ ଏହି ମାର୍ଗର ଯାତ୍ରୀଙ୍କ ଆତଯାତ ଚାହିଦା ଏବେ ଆକଳନ କରିବା କଷ୍ଟ। ଆହୁରି ମଧ୍ୟ ଯାତ୍ରୀ ଅଭାବଜନିତ କାରଣରୁ ବିମାନ ସେବା କମ୍ପାନୀ କ୍ଷତିଗ୍ରସ୍ତ ହୋଇପାରେ। ସେଥିପାଇଁ ଓଡ଼ିଶା ସରକାର ଇଣ୍ଡିଗୋକୁ ବର୍ଷକ ପାଇଁ ୧୨୦ କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ଇଣ୍ଡିଗୋ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ମାର୍ଗରେ ଯେଉଁ ଟିକେଟ୍‌‌ ବିକ୍ରି ହେବ ସେ ବାବଦ ଲାଭ ଏବେ ରାଜ୍ୟ ରସକାର ରଖିବେ। ଏପରି ପଦକ୍ଷେପକୁ କେତେକ ସମାଲୋଚକ ଯେଉଁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ତାହା ଠିକ୍‌‌ ନୁହେଁ। ଆଜିକାଲି ସବୁରାଜ୍ୟରେ ଉଡ଼ାଣ କ୍ଷେତ୍ରରେ ରାଜ୍ୟ ସରକାର ଏଭଳି ପ୍ରୋତ୍ସାହନ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିମାନ ବନ୍ଦରର ପରିଚାଳନାରେ କେନ୍ଦ୍ର ସରକାର ଘରୋଇକରଣ କରି ଲାଭ ରଖୁଥିବା ବେଳେ ଯାତ୍ରୀଙ୍କ ସୁବିଧା ଓ ଆନନ୍ଦ ପାଇଁ ଓଡ଼ିଶା ସରକାର ଘରୋଇ ବିମାନ କମ୍ପାନୀର ପରିଚାଳନା ଖର୍ଚ୍ଚ ନିଜେ ବହନ କରିବା ଏକ ଉଦାହରଣ ସୃଷ୍ଟି କରିଛି। କେନ୍ଦ୍ରରେ ଏକଦା ନାଗରିକ ବିମାନ ଚଳାଚଳ ପରିଚାଳନା ମୁଖ୍ୟ ଦାୟିତ୍ୱରେ ଥିବା ଊଷା ପାଢ଼ୀ ସ୍ୱୟଂ ଏବେ ରାଜ୍ୟ ପରିବହନ ବିଭାଗର ସଚିବ ଭାବେ ଓଡ଼ିଶାରେ କାର୍ଯ୍ୟରତ। ତାଙ୍କ ଅଭିଜ୍ଞତା ଓ ଦକ୍ଷତା ଏ କ୍ଷେତ୍ରରେ ସହାୟକ ହେବ।

ଦିନ ଥିଲା ଏୟାର ଇଣ୍ଡିଆ ଭଳି ସରକାରୀ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବାକୁ କିମ୍ବା ଯାତ୍ରୀ ନେବାକୁ ମନା କରିଦେଇଥିଲା। ଏୟାର ଇଣ୍ଡିଆର ଓଡ଼ିଶାକୁ ବିମାନ ସେବାରେ ଏକପ୍ରକାର ପ୍ରତ୍ୟାଖ୍ୟାନ ନିଷ୍ପତ୍ତି ପରେ ଓଡ଼ିଶାବାସୀ ଅପମାନିତ ବୋଧ କରିଥିଲେ। ଏବେ ସେ ଦିନ ଆଉ ନାହିଁ। ଏବେ ନୂଆ ନୂଆ ମାର୍ଗରେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ କରି ଓଡ଼ିଶା ସରକାର କେନ୍ଦ୍ରକୁ ପରୋକ୍ଷରେ ଏହି ବାର୍ତ୍ତା ଦେଇଛନ୍ତି ଯେ ରାଜ୍ୟ ଆଉ ଦୟାର ପାତ୍ର ନୁହେଁ। ରାଜ୍ୟବାସୀଙ୍କ ସୁଖ ସୁବିଧା ପାଇଁ କେନ୍ଦ୍ର ଆଗରେ ଅନୁନୟ ବିନୟ ହେବ ନାହିଁ, ବରଂ ନିଜସ୍ୱ ସମ୍ବଳରେ ଓ ଉଦ୍ୟମରେ ସେହି ସେବା ଯୋଗାଇ ଦେବ। ଦିନ ଆସିବ ଯେଉଁ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ(ଏବେ ଘରୋଇ କମ୍ପାନୀ) ଏକଦା ଓଡ଼ିଶାକୁ ପ୍ରତ୍ୟାଖ୍ୟାନ କରିଥିଲା ସେହି ସଂସ୍ଥା ଓଡ଼ିଶା ମାଟିରେ ବାରମ୍ବାର ଓହ୍ଲାଇବା ପାଇଁ ବାଧ୍ୟ ହେବ। ଦୁବାଇକୁ ଭୁବନେଶ୍ୱରରୁ ପ୍ରଥମ ପ୍ରତ୍ୟକ୍ଷ ବିମାନ ଉଡ଼ାଣ ସହିତ ଯେଉଁ ନୂଆ ଆଶା ଓ ବିଶ୍ୱାସର ଓଡ଼ିଶା ହାସଲ କରିଛି ତାହା ଆଗାମୀ ଦିନରେ ଆହୁରି ପ୍ରସାରିତ ଓ ସୁଦୃଢ଼ ହେବ ବୋଲି ଆଶା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର