ମାନବ ଜୀବନରେ ମାନ ଓ ସମ୍ମାନ

The Sakala Picture
Published On

ସଭ୍ୟ ସମାଜରେ ମଣିଷ ବିଶେଷତଃ ଦୁଇଟି ଆଧାର ଉପରେ ଗୁରୁତ୍ୱ ଦେଇ ଜୀବନ ନିର୍ବାହ କରିବା ଉଚିତ। ଗୋଟିଏ ଉତ୍ପାଦିତ ବସ୍ତୁର ନିର୍ଣ୍ଣୟାତ୍ମକ ଗୁଣବତ୍ତାର ମାନ ଓ ଅନ୍ୟଟି ହେଲା ମାନ ମହତ, ଯାହା ପ୍ରତ୍ୟେକ ମଣିଷର ଭୂଷଣ। ମାନ ବୈଷୟିକ ନିର୍ଦ୍ଦିଷ୍ଟତା ବା ସଠିକ ମାନଦଣ୍ଡ ଧାରଣ କରିଥାଏ, ଯାହା ନିୟମ, ବିଧିବ୍ୟବସ୍ଥା ବା ସଂଜ୍ଞା ଭାବରେ କ୍ରମାଗତ ଭାବରେ ବ୍ୟବହୃତ ହେବା ପାଇଁ ପରିକଳ୍ପିତ। ମାନ ଜୀବନକୁ ସରଳ କରିବାରେ ସାହାଯ୍ୟ କରିଥାଏ ଓ […]

ସଭ୍ୟ ସମାଜରେ ମଣିଷ ବିଶେଷତଃ ଦୁଇଟି ଆଧାର ଉପରେ ଗୁରୁତ୍ୱ ଦେଇ ଜୀବନ ନିର୍ବାହ କରିବା ଉଚିତ। ଗୋଟିଏ ଉତ୍ପାଦିତ ବସ୍ତୁର ନିର୍ଣ୍ଣୟାତ୍ମକ ଗୁଣବତ୍ତାର ମାନ ଓ ଅନ୍ୟଟି ହେଲା ମାନ ମହତ, ଯାହା ପ୍ରତ୍ୟେକ ମଣିଷର ଭୂଷଣ। ମାନ ବୈଷୟିକ ନିର୍ଦ୍ଦିଷ୍ଟତା ବା ସଠିକ ମାନଦଣ୍ଡ ଧାରଣ କରିଥାଏ, ଯାହା ନିୟମ, ବିଧିବ୍ୟବସ୍ଥା ବା ସଂଜ୍ଞା ଭାବରେ କ୍ରମାଗତ ଭାବରେ ବ୍ୟବହୃତ ହେବା ପାଇଁ ପରିକଳ୍ପିତ। ମାନ ଜୀବନକୁ ସରଳ କରିବାରେ ସାହାଯ୍ୟ କରିଥାଏ ଓ ଆମେ ବ୍ୟବହାର କରୁଥିବା ଅନେକ ଦ୍ରବ୍ୟ ତଥା ସେବାଗୁଡ଼ିକର ନିର୍ଭରଯୋଗ୍ୟତା ଓ କାର୍ଯ୍ୟକାରିତାକୁ ବୋଧଗମ୍ୟ କରିବାରେ ସାହାଯ୍ୟ କରିଥାଏ। ଏଥିରୁ ସୃଷ୍ଟି ହୋଇଥାଏ ଜୀବନର ମାନ ଓ ମାନଦଣ୍ଡ। ଅତଏବ ମାନର ପରିବ୍ୟାପକ ପରିଧିରୁ ସୃଷ୍ଟି ହୋଇଥାଏ ମାନଦଣ୍ଡର ମାନ ମହତ। ଯେତେବେଳେ ଆବ୍ରାହାମ୍‌‌ ଲିଙ୍କନ୍‌‌ ଆମେରିକାର ରାଷ୍ଟ୍ରପତି ହୋଇଥିଲେ ତାଙ୍କ ପିତା ଜଣେ ଜୋତା ତିଆରି କରୁଥିବା ବ୍ୟକ୍ତି ଥିଲେ। ଜଣେ ଜୋତା ତିଆରି କାରିଗରର ପୁଅ ରାଷ୍ଟ୍ରପତି ହେବାକୁ ଅନେକେ ସହଜରେ ଗ୍ରହଣ କରିପାରି ନଥିଲେ। ଶପଥ ସମାରୋହରେ ଲିଙ୍କନ୍‌‌ ଉଦ୍‌‌ଘାଟନୀ ଭାଷଣ ଦେବା ପାଇଁ ପ୍ରବେଶ କଲାବେଳେ ଜଣେ ବ୍ୟକ୍ତି ଛିଡ଼ା ହୋଇ କହିଥିଲେ, ‘ଶ୍ରୀ ଲିଙ୍କନ୍‌‌, ତୁମେ ଭୁଲିଯିବା ଉଚିତ୍‌‌ ନୁହେଁ ଯେ ତୁମର ପିତା ମୋ ପରିବାର ପାଇଁ ଜୋତା ତିଆରି କରୁଥିଲେ।’ ଉକ୍ତ ଉକ୍ତିରେ ଆମେରିକାର ସର୍ବୋଚ୍ଚ କ୍ଷମତାଧାରୀ ସିନେଟର ସଦସ୍ୟମାନେ ପରିହାସ କରି ହସିଲେ। ସେମାନେ ଭାବିଲେ ଯେ ଲିଙ୍କନଙ୍କୁ ତାଚ୍ଛଲ୍ୟ କରୁଛନ୍ତି। ମାତ୍ର ଲିଙ୍କନ ସେହି ବ୍ୟକ୍ତିଙ୍କୁ କହିଲେ, ‘ସାର୍‌‌, ମୁଁ ଜାଣେ ଯେ ମୋ ବାପା ତୁମ ଜୋତା ତିଆରି କରିଛନ୍ତି। ସେ ମାନ, ମାନଦଣ୍ଡ ତଥା ମାନ ମହତକୁ କେବେ ବିକ୍ରି କରି ନଥିଲେ। କାରଣ ସେ ଯେପରି ଜୋତା ତିଆରି କରିଥିଲେ ଅନ୍ୟ କେହି କରିପାରିବେ ନାହିଁ। ସେ ଜଣେ ନିଷ୍ଠାବାନ କାରିଗର ଓ ତାଙ୍କର ହାତ ତିଆରି ଜୋତାରେ ତାଙ୍କର ପ୍ରାଣକୁ ସମର୍ପଣ କରିଥା’ନ୍ତି।’ ପୁଣି ଲିଙ୍କନ ଉକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, ଆପଣଙ୍କର କୌଣସି ଅଭିଯୋଗ ଅଛି କି? କାରଣ ମୁଁ ଜାଣେ ଜୋତା କିପରି ତିଆରି ହୁଏ; ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି ତେବେ ମୁଁ ଅନ୍ୟ ଏକ ଜୋତା ତିଆରି କରି ଆପଣଙ୍କୁ ଦେଇପାରେ। କିନ୍ତୁ ମୁଁ ଦୃଢ଼ନିଶ୍ଚିତ ଯେ ମୋ ବାପାଙ୍କ ଜୋତା ବିଷୟରେ କେହି ଆଜି ପର୍ଯ୍ୟନ୍ତ ଅଭିଯୋଗ କରିନାହାନ୍ତି। ସେ ଜଣେ ନିଷ୍ଠାବାନ କାରିଗର ଓ ଏଭଳି ମାନର ବ୍ୟକ୍ତି ହୋଇଥିବା ଯୋଗୁଁ ମୁଁ ମୋ ପିତାଙ୍କ ପାଇଁ ଗର୍ବିତ।’ ଲିଙ୍କନ୍‌‌ଙ୍କ ଉତ୍ତର ପରେ ସମଗ୍ର ସିନେଟ ନିରବ ହୋଇଯାଇଥିଲା। ଲିଙ୍କନ୍‌‌ କେଉଁପ୍ରକାରର ବ୍ୟକ୍ତି ଜାଣିବା କଷ୍ଟକର ହୋଇପଡ଼ିଲା। କାରଣ ସେଇଠି ନିହିତ ଥିଲା ମାନ, ସମାନତା, ସମ୍ମାନ, ଆତ୍ମାଭିମାନ ତଥା ସ୍ୱାଭିମାନ। ଜୋତା ତିଆରି କରିବା ଏକ କଳା, ସୃଜନଶୀଳତା। ତାହା ଉଭୟ ମାନଦଣ୍ଡ ଓ ମାନ ମହତ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରେ। ଲିଙ୍କନ ଗର୍ବିତ ଥିଲେ। କାରଣ ତାଙ୍କ ପିତା ଏହି କାର୍ଯ୍ୟକୁ ଏତେ ଭଲ ଭାବରେ କରୁଥିଲେ ଯେ ତାଙ୍କର କାରିଗରୀ ଜୀବନ ଅବଧି ମଧ୍ୟରେ ସେ ଗୋଟିଏ ବି ଅଭିଯୋଗ ଶୁଣିନଥିଲେ। ଏହା ହିଁ ହେଉଛି ନିଷ୍ଠାର ସମ୍ମାନ। ଲିଙ୍କନ ଆମେରିକାର ରାଷ୍ଟ୍ରପତି ଥାଇ ଘୋଷଣା କରିଥିଲେ ଯେ ଯଦି ବାପା ତିଆରି କରିଥିବା ଜୋତାରେ କୌଣସି ତ୍ରୁଟି ଥାଏ ତେବେ ସେ ଅନ୍ୟ ଏକ ଜୋତା ତିଆରି କରିବାକୁ ପ୍ରସ୍ତୁତ। ଏହି ଉକ୍ତି ଜରିଆରେ ଲିଙ୍କନ ମହାଶୟ ତାଙ୍କ ବାପାଙ୍କୁ ମାନ ଓ ନିଷ୍ଠାର ପ୍ରତିମୂର୍ତ୍ତି ଭାବେ ପ୍ରମାଣ କରିବାକୁ ଚାହିଁଥିଲେ। ମାନ ହେଉଛି କିଛି କରିବାର ପୁନରାବୃତ୍ତି ଏବଂ ସମନ୍ୱିତ, ସହମତ, ନିରନ୍ତର ଓ ସୁଚିନ୍ତିତ ମନୋନିବେଶର ଉପାୟ। ଓଡ଼ିଶାର ବରପୁତ୍ର ମଧୁସୂଦନ ଦାସଙ୍କର ଉତ୍କଳ ଟେନେରୀ ମଧ୍ୟ ଅନୁରୂପ ଭାବରେ ମାନ ଓ ମାନଦଣ୍ଡର ସ୍ଥିତିରେ ଅଭିମନ୍ତ୍ରିତ ଥିଲା ଯେ ତାହା ସମ୍ମାନର ଉପଯୁକ୍ତ ଅଧିକାରୀ।

ମାନରୁ ସୃଷ୍ଟି ହୋଇଥାଏ ସମାନତାର ମନୋନିବେଶ ଓ ସାମ୍ୟତାର ଭିତ୍ତିଭୂମି। ସମାନତା ନିଶ୍ଚିତ କରିଥାଏ ଯେ ପ୍ରତ୍ୟେକ ବ୍ୟକ୍ତିର ଜୀବନ ଓ ପ୍ରତିଭାକୁ ଅଧିକ ଉପଯୋଗ କରିବାକୁ ସମାନ ସୁଯୋଗ ଅଛି। ସାମାଜିକ ସମାନତା ହେଉଛି ଏକ ଅବସ୍ଥା, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମାଜର ସମସ୍ତ ବ୍ୟକ୍ତିଙ୍କର ସମାନ ଅଧିକାର, ସ୍ୱାଧୀନତା ଓ ସ୍ଥିତି ରହିଥାଏ। ସମାନତା ଆଇନଗତ ଭାବରେ ବ୍ୟକ୍ତି ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ କୌଣସି ପରିସ୍ଥିତିରେ ପାତର ଅନ୍ତର ନକରି ନିଷ୍ଠାର ସହ କର୍ତ୍ତବ୍ୟକୁ ଆଧାର କରି କର୍ମ ସମ୍ପାଦନର ପ୍ରବୃତ୍ତିକୁ ପାଳନ କରିବର ବ୍ୟବସ୍ଥା। ପରିବାରରେ, ସମାଜରେ, ଦେଶରେ ସମାନତା ହେଉଛି ଜୀବନର ଏକ ଅଙ୍ଗ ଓ ଏହାର ଉଲ୍ଲଙ୍ଘନ ହେଲେ ମୌଳିକ ଜୀବନ କ୍ଷୁଣ୍ଣ ହୋଇଥାଏ। ଫଳତଃ ସୃଷ୍ଟି ହୋଇଥାଏ ହିଂସା, ଦ୍ୱେଷ ଓ ଦ୍ୱନ୍ଦ୍ୱ। ସମୟକ୍ରମେ ସେଥିରୁ ସୃଷ୍ଟି ହୋଇଥାଏ ବୈଷମ୍ୟ ଓ ବିଭେଦ, ଯାହା ସମଗ୍ର ମାନବ ଜାତିକୁ ଧରାଶାୟୀ କରିଥାଏ। ସେଥିପାଇଁ ସମାନତା ହେଉଛି ସହବନ୍ଧନର ସୂତ୍ରଧର ଓ ତାହା ଉଭୟ ମାନ୍ୟତା ଓ ସମ୍ମାନ ସୃଷ୍ଟି କାରକ।

ସମ୍ମାନ ହେଉଛି ଏକ ସକାରାତ୍ମକ ଭାବନା ବା କାର୍ଯ୍ୟ। ଏହା ଭଲ କିମ୍ୱା ମୂଲ୍ୟବାନ ଗୁଣ ପାଇଁ ପ୍ରଶଂସାର ଭାବନା ପ୍ରଦାନ କରେ। ସମ୍ମାନ ପ୍ରଦର୍ଶନ କରୁଥିବା ସୌଜନ୍ୟରେ ନିହିତ ଥାଏ ଅତୀତ କର୍ମର ଗୌରବ ଓ ନିଷ୍ଠା। ସମ୍ମାନ ଦେଖାଇବା ହେଉଛି ନୈତିକ ଆଚରଣର ସଙ୍କେତ। ଦୁର୍ଭାଗ୍ୟବଶତଃ ସମସାମୟିକ ଯୁଗରେ ସମ୍ମାନର ମୂଲ୍ୟ କ୍ଷୁଣ୍ଣ ହୋଇଚାଲିଛି। ସମ୍ମାନର ଦୁଇଟି ଜରୁରୀ ଦିଗ ଅନୁଧ୍ୟାନ କରାଯାଏ। ଗୋଟିଏ ହେଉଛି ଆତ୍ମସମ୍ମାନ ଓ ଅନ୍ୟଟି ଅନ୍ୟମାନଙ୍କ ପ୍ରତି ସମ୍ମାନ। ଆତ୍ମସମ୍ମାନ ନିଜକୁ ଭଲପାଇବା ଓ ସମ୍ମାନ ସହିତ ଆଚରଣର କର୍ତ୍ତବ୍ୟକୁ ବୁଝାଇଥାଏ। ଯେଉଁ ବ୍ୟକ୍ତିଙ୍କର ଆତ୍ମସମ୍ମାନ ଅଛି, ସେ ନିଜକୁ ସମ୍ମାନର ସହିତ ବ୍ୟବହାର କରିପାରେ। ଅଧିକନ୍ତୁ, ଆତ୍ମସମ୍ମାନର ଅଭାବ ଅପମାନର ବିଷୟ। ଜଣେ ବ୍ୟକ୍ତି ଯିଏ ନିଜକୁ ସମ୍ମାନ କରେ ନାହିଁ ନିଶ୍ଚିତ ଭାବରେ ଅନ୍ୟମାନଙ୍କଠାରୁ ସମ୍ମାନ ଆଶା କରିବା ଉଚିତ୍‌‌ ନୁହେଁ। ଆତ୍ମସମ୍ମାନ ଏକ ସୁସ୍ଥ ସମ୍ପର୍କର ମୂଳଦୁଆ। ଜଣେ ଆତ୍ମସମ୍ମାନକାରୀ ବ୍ୟକ୍ତି ନିଜର ତ୍ରୁଟି ସହିତ ନିଜକୁ ଗ୍ରହଣ କରନ୍ତି। ଆତ୍ମସମ୍ମାନର ଅଭାବ ନକାରାତ୍ମକ ପରିଣାମ ଆଣିଥାଏ।

ଆତ୍ମସମ୍ମାନ କଠିନତା ଏବଂ ଆତ୍ମବିଶ୍ୱାସର ପ୍ରତିଫଳନ। ତେଣୁ ଆତ୍ମସମ୍ମାନ ଏକ ଉତ୍ତମ ବ୍ୟକ୍ତିତ୍ୱ ସୃଷ୍ଟି କରିଥାଏ। କିଛି ଲୋକ ନିଶ୍ଚିତ ଭାବରେ ବିଭିନ୍ନ ଗୁଣରେ ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରନ୍ତି। ମାତ୍ର ଅନେକ ଉତ୍ତମ ଗୁଣକୁ ଗ୍ରହଣ କରିବା ପରିବର୍ତ୍ତେ ନକାରାତ୍ମକ ଗୁଣ ପ୍ରତି ଅଧିକ ଆକର୍ଷିତ ହୋଇଥା’ନ୍ତି। ଯେ ସମ୍ମାନର ଯୋଗ୍ୟ ସେ ସମ୍ମାନ ପାଇବା ଉଚିତ। ସମ୍ମାନର ମାନଦଣ୍ଡକୁ ନିର୍ଦ୍ଧାରଣ କରିଥାଏ ମାନ, ମହତ ଓ ସମାନତା। ସେଥିରୁ ସୃଷ୍ଟି ହୋଇଥାଏ ବ୍ୟକ୍ତିର ନିଷ୍ଠା ଓ ସାର୍ବଜନୀନ ସଦ୍ଭାବ। ମାନବ ବଞ୍ଚିବା ପାଇଁ ସମ୍ମାନଜନକ ଆଚରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ସମାଜରେ ‘ସମ୍ମାନ’ ଶବ୍ଦ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରହିଛି। ତଥାପି କେବଳ ଗୋଟିଏ ପ୍ରକୃତ ଅର୍ଥ ହେଉଛି ସମ୍ମାନର ଉପଯୁକ୍ତ ବ୍ୟବହାର। ସମ୍ମାନର ପରିଭାଷା କାହା ପାଇଁ ଗଭୀର, ପ୍ରଶଂସାର ଅନୁଭବ, ଦକ୍ଷତା, ଗୁଣ, ସଫଳତା ଦ୍ୱାରା ବର୍ଣ୍ଣିତ କିଛି ସ୍ୱୀକୃତି ଓ ବିଚାର ଆଦି। ସମ୍ମାନର ଅର୍ଥ ହେଉଛି ନିଜକୁ ଅନ୍ୟମାନଙ୍କ ସହିତ ବ୍ୟବହାର କରୁଥିବା ଉପାୟର ନିଷ୍ଠା। ସମାଜରେ ସମ୍ମାନ ସାଧାରଣ ଭାବରେ ଗ୍ରହଣ କରାଯାଇଥିବା ଆଚରଣ ସଂହିତା ସହିତ ବହୁଭାବରେ ଜଡ଼ିତ, ଯାହା ସମସ୍ତଙ୍କ ଦ୍ୱାରା ଗ୍ରହଣ କରାଯିବା ଉଚିତ।
ମାନବ ସମାଜ ଅତୀତର ସୁଗୁଣକୁ ଶିକ୍ଷା କରି ବର୍ତ୍ତମାନରେ ପ୍ରୟୋଗ କଲେ ଭବିଷ୍ୟତରେ ସମ୍ମାନର ଉତ୍ତରାଧିକାରୀ ହୋଇପାରେ। ଆବ୍ରାହାମ୍‌‌ ଲିଙ୍କନ ବାପାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କର ମାନ, ମହତ ଓ ସମ୍ମାନ ଦୃଢ଼ୀଭୂତ ହୋଇପାରିଲା। ବାପାଙ୍କ କର୍ମ ପାଇଁ ଆବ୍ରାହାମ୍‌‌ ଗର୍ବିତ। ମାତ୍ର ବର୍ତ୍ତମାନର ଅବକ୍ଷୟ ପରିସ୍ଥିତିରେ ମଣିଷ ସମାଜ ମାନସମ୍ମାନର ଅଧିକାରୀ ହୋଇ ସମ୍ମାନର ଗୁଣଗ୍ରାହୀ ହେବା ଉଚିତ, ଯେଉଁଥିରେ ଭୟ, ସଙ୍କୋଚ, ଆତଙ୍କ, ଶଠତା ଓ ପ୍ରବଞ୍ଚନା ନଥିବ। ଗୁଣାତ୍ମକ ମାନ, ଜୀବନର ମାନ ସହ ସମନ୍ୱୟ ରକ୍ଷା କରି ନୀତି, ନିୟମ ଓ ନିଷ୍ଠାର ସମ୍ମାନରେ ଅଭିମନ୍ତ୍ରିତ ହେଲେ ମଣିଷ ସମ୍ମାନର ପଦବାଚ୍ୟ ବୋଲି ବିବେଚନା କରାଯାଏ।। ଡ.ସତ୍ୟ ନାରାୟଣ ମିଶ୍ର
ଭୁବନେଶ୍ୱର, ମୋ: ୯୯୩୭୩୪୫୯୦୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର