ଗରିବଙ୍କ ସ୍ୱାର୍ଥ ପାଇଁ ପ୍ରତିବାଦର ସ୍ୱର

The Sakala Picture
Published On

କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ପ୍ରତାରଣା ନୀତି ବିରୁଦ୍ଧରେ ଓଡ଼ିଶାରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ରାଜନୀତିରେ, ବିଶେଷକରି କେନ୍ଦ୍ର-ରାଜ୍ୟ ସମ୍ପର୍କ ରକ୍ଷା କ୍ଷେତ୍ରରେ ବିରୋଧ ଓ ପ୍ରତିବାଦ ନୂଆ କଥା ହୋଇନଥିଲେ ହେଁ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଓ ଗରିବଙ୍କ ଆହାର ନେଇ କେନ୍ଦ୍ର ସରକାର ଯେଉଁ ନୀତି ଗ୍ରହଣ କରିଛନ୍ତି, ତାହା ଉଦ୍‌‌ବେଗଜନକ ଏବଂ ଏହାର ଦୃଢ଼ ପ୍ରତିରୋଧ ହେବା ସ୍ୱାଭାବିକ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା (ପିଏମ୍‌‌ଜିକେଏୱାଇ)ରେ ପୂର୍ବରୁ ଯେଉଁ […]

କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ପ୍ରତାରଣା ନୀତି ବିରୁଦ୍ଧରେ ଓଡ଼ିଶାରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ରାଜନୀତିରେ, ବିଶେଷକରି କେନ୍ଦ୍ର-ରାଜ୍ୟ ସମ୍ପର୍କ ରକ୍ଷା କ୍ଷେତ୍ରରେ ବିରୋଧ ଓ ପ୍ରତିବାଦ ନୂଆ କଥା ହୋଇନଥିଲେ ହେଁ ରାଜ୍ୟର ଚାଷୀଙ୍କ ସ୍ୱାର୍ଥ ଓ ଗରିବଙ୍କ ଆହାର ନେଇ କେନ୍ଦ୍ର ସରକାର ଯେଉଁ ନୀତି ଗ୍ରହଣ କରିଛନ୍ତି, ତାହା ଉଦ୍‌‌ବେଗଜନକ ଏବଂ ଏହାର ଦୃଢ଼ ପ୍ରତିରୋଧ ହେବା ସ୍ୱାଭାବିକ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା (ପିଏମ୍‌‌ଜିକେଏୱାଇ)ରେ ପୂର୍ବରୁ ଯେଉଁ ୫ କିଲୋ ଚାଉଳ ବିନା ମୂଲ୍ୟରେ ଗରିବ ଲୋକଙ୍କୁ ଯୋଗାଇ ଦିଆଯାଉଥିଲା, କେନ୍ଦ୍ର ସରକାର ତାହାକୁ ବନ୍ଦ କରି ଦେଇଛନ୍ତି। ଏହାଫଳରେ ଗରିବ ଲୋକମାନେ ଖାଦ୍ୟାଭାବ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆହୁରି ମଧ୍ୟ ଧାନ ସଂଗ୍ରହ ବାବଦରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ ଅର୍ଥ ଯୋଗାଉଥିଲେ ଚଳିତ ବଜେଟ୍‌‌ରେ ସେଥିରେ ୨୦ ହଜାର କୋଟି ଟଙ୍କା କମାଇ ଦିଆଯାଇଛି। ଏହାଫଳରେ ଚାଷୀମାନଙ୍କଠାରୁ ପୂର୍ବଭଳି କମ୍‌‌ ଧାନ ସଂଗୃହୀତ ହେବ ଏବଂ ସେମାନେ କ୍ଷତିଗ୍ରସ୍ତ ହେବେ। ବିଶେଷକରି ପଶ୍ଚିମ ଓଡ଼ିଶାର ଧାନଚାଷୀଙ୍କ ଉପରେ ଏହାର କୁପ୍ରଭାବ ଅଧିକ ପଡ଼ିବ।

କେନ୍ଦ୍ର ସରକାର ଆଗରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍‌‌ ଟନ୍‌‌ ଧାନ ସଂଗ୍ରହ କରୁଥିଲେ। ଏବେ ତାହାକୁ ୪ ଲକ୍ଷ ମେଟ୍ରିକ୍‌‌ ଟନ୍‌‌କୁ ହ୍ରାସ ପାଇବ। କେବଳ ବରଗଡ଼ ଭଳି ଜିଲ୍ଲାରେ ଏକା ୪ ଲକ୍ଷ ଟନ୍‌‌ ଧାନ ଉତ୍ପାଦିତ ହେଉଥିବାବେଳେ ରାଜ୍ୟର ମୋଟ୍‌‌ ୨୦ଟି ଜିଲ୍ଲାର ଚାଷୀମାନେ ଏହାଦ୍ୱାରା କେତେ ପରିମାଣରେ କ୍ଷତିଗ୍ରସ୍ତ ହେବେ ତାହା ସହଜେ ଅନୁମେୟ। ରାଜ୍ୟରୁ ଚାଉଳ ସଂଗ୍ରହ କୋଟା ହ୍ରାସ ପାଇଥିବାରୁ ଆମ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌‌ଏସ୍‌‌ପି ବାବଦ ଲାଭରୁ ବଞ୍ଚିତ ହେବେ। ଏତିକିବେଳେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ଅତିରିକ୍ତ ୫ କିଲୋ ମାଗଣା ଚାଉଳ ଯୋଗାଣ ବନ୍ଦ ଅଭାବୀ ଲୋକଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ଏହାର ଦୃଢ଼ ପ୍ରତିବାଦ ହେବା ସ୍ୱାଭାବିକ। ତେଣୁ ଏକ ଦାୟିତ୍ୱସମ୍ପନ୍ନ ରାଜ୍ୟସ୍ତରୀୟ ରାଜନୈତିକ ଦଳଭାବେ ବିଜେଡି ପ୍ରତିବାଦ କରିବା ଯଥାର୍ଥ। ଶାସକ ବିଜେଡିର ପକ୍ଷରୁ ପ୍ରତିବାଦ ଅପେକ୍ଷିତ ଥିଲା। ତେଣୁ ଦଳ ଫେବୃଆରୀ ୧୪ ତାରିଖରୁ ରାଜ୍ୟବ୍ୟାପୀ ତିନିଦିନିଆ ଆନ୍ଦୋଳନ ଆରମ୍ଭ କରିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଓଡ଼ିଶା ଭଳି ରାଜ୍ୟରେ ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନାର ଲାଭ ପାଉଥିଲେ। ଏବେ ସେମାନଙ୍କୁ ସେ ସୁବିଧାରୁ ବଞ୍ଚିତ କରାଯିବା ଫଳରେ ହିତାଧିକାରୀମାନେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ଏହା ଅନ୍ୟାୟ ଓ ଭୋକିଲାଙ୍କ ପେଟରେ ଲାତ ସଦୃଶ। ଏବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଛି ଏବଂ ଗରିବ ଓ ମଧ୍ୟବିତ୍ତବର୍ଗ ଦରଦାମ ବୃଦ୍ଧି ମାଡ଼ରେ ପେଷି ହୋଇଯାଉଛନ୍ତି। ମୁଦ୍ରାସ୍ଫୀତି ହାର ଅଣାୟତ୍ତ ଆକାର ଧାରଣ କରି ଗତ ତିନିମାସ ମଧ୍ୟରେ ସବୁଠୁ ଅଧିକ ହୋଇ ଏବେ ୬.୫୨ ଶତାଂଶରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୬.୮୫% ହୋଇଛି, ଯାହା ଅଧିକ ଚିନ୍ତାଜନକ। ଏହାଫଳରେ ସାଧାରଣ ଓ ଗରିବ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏଭଳି ସ୍ଥଳେ କେନ୍ଦ୍ର ସରକାର ଗରିବ ଲୋକଙ୍କର ଚାଉଳ କୋଟା କାଟିବା ସହିତ ଆମ ରାଜ୍ୟରୁ ଧାନ ସଂଗ୍ରହ ପରିମାଣ ହ୍ରାସ କରି ଚାଷୀଙ୍କ ଆୟ ଉତ୍ସକୁ ବନ୍ଦ କରି ଦେଇଛନ୍ତି। ଏହା ଘୋର ଅନ୍ୟାୟ।

କୋଭିଡ୍‌‌ର ପ୍ରକୋପ ଆଉ ନଥିଲେ ହେଁ ଅର୍ଥନୀତି ଏବଂ ଲୋକଙ୍କ ରୋଜଗାର ଉପରୁ ଏହାର କୁପ୍ରଭାବ ଏଯାଏ ହଟି ନାହିଁ। ତେଣେ ଆକାଶଛୁଆଁ ବଜାର ଦର, ତୈଳ ମୂଲ୍ୟବୃଦ୍ଧି ଓ ବ୍ୟାପକ ବେକାରୀ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସମୟରେ ଲୋକେ କେନ୍ଦ୍ର ସରକାରଙ୍କଠାରୁ ସ୍ୱତନ୍ତ୍ର ସହାୟତା ଚାହୁଁଛନ୍ତି। ତେବେ କେନ୍ଦ୍ରସରକାର ତାହା ନକରି ଚାଉଳ କୋଟା ହ୍ରାସ କରିବା ଏବଂ ଓଡ଼ିଶାରୁ ଧାନ ଓ ଚାଉଳ ସଂଗ୍ରହକୁ ଯଥେଷ୍ଟ କମାଇବା ଆଉ ଏକ ଜନବିରୋଧୀ ପଦକ୍ଷେପର ନଗ୍ନ ଉଦାହରଣ।

ଓଡ଼ିଶାର ସ୍ୱାର୍ଥକୁ ଜପିବା ଏବଂ ଏହାର ସୁରକ୍ଷା ପାଇଁ ଲଢ଼େଇ କରିବା ଶାସକ ବିଜେଡି ଦଳର ଏକ ରାଜନୈତିକ କର୍ତ୍ତବ୍ୟ। ପ୍ରତିଷ୍ଠା ଦିନରୁ ଏହା ରାଜ୍ୟର ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଲୋକଙ୍କ ସହିତ ରହି ଆସିଛି ଓ ସେମାନଙ୍କ ହିତ ପାଇଁ ସଂଗ୍ରାମ ଜାରି ରଖିଛି। ତାହାର ଫଳଶ୍ରୁତି ସ୍ୱରୂପ ରାଜ୍ୟବାସୀ ଲଗାତାର ପାଞ୍ଚଟି ନିର୍ବାଚନରେ ନବୀନ ବାବୁଙ୍କ ଦଳକୁ ବିଜୟଶ୍ରୀ ଦେଇ ଆସିଛନ୍ତି। ଏଥର ଏହି ପ୍ରତିବାଦରେ ମଧ୍ୟ ସାଧାରଣ ଜନତା, ଚାଷୀ ମୂଲିଆ, ଖଟିଖିଆ, ମହିଳା ଓ ଯୁବଛାତ୍ରମାନଙ୍କୁ ବିଜେଡି ସାମିଲ କରି ଏକ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବାକୁ ଯେଉଁ ପଦକ୍ଷେପ ନେଇଛି, ତାହା ନ୍ୟାୟପୂର୍ଣ୍ଣ ବୋଲି ମନେହୁଏ। କେନ୍ଦ୍ର ସରକାର ଯେତେବେଳେ ସହଯୋଗ, ସଂଘବାଦ ଓ ସୁସମ୍ପର୍କର ଭାଷା ନ ବୁଝନ୍ତି ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧୀ ପଦକ୍ଷେପ ଗ୍ରହଣ କରନ୍ତି, ସେତେବେଳେ ବିଜେଡି ଏକ ସତର୍କ ଆଞ୍ଚଳିକ ଦଳ ଏବଂ ଏକ ଦାୟିତ୍ୱବାନ ସରକାର ହିସାବରେ ଏହାର ପ୍ରତିବାଦ ଗଣତାନ୍ତ୍ରିକ ଉପାୟରେ କରିବା ବ୍ୟତୀତ ଅନ୍ୟ ମାର୍ଗ ନାହିଁ। କେବଳ ଧାନ ସଂଗ୍ରହ ଓ ମାଗଣା ଚାଉଳ ଯୋଗାଣ କ୍ଷେତ୍ରରେ ନୁହେଁ, ବରଂ ଅନେକ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ରାଜନୈତିକ ଅଭିସନ୍ଧି ଭଳି ହୋଇ ଆସିଅଛି। ପରିବେଶ ବିପର୍ଯ୍ୟୟ ବିରୋଧୀ ଭିତ୍ତିଭୂମି ନିର୍ମାଣ ଦାବି ହେଉ କି ନୂତନ ରେଳପଥ ପ୍ରକଳ୍ପ ନିର୍ମାଣ ହେଉ ସବୁ େକ୍ଷତ୍ରରେ ଏକାଭଳି ବୈମାତୃକ ମନୋଭାବ କେନ୍ଦ୍ର ପୋଷଣ କରି ଆସୁଛି। ରାଜ୍ୟର ଶାସକ ବିଜେଡି ଦଳ ତଥାପି ଏ ପର୍ଯ୍ୟନ୍ତ ସହଯୋଗୀ ସଂଘୀୟ ନୀତି ଅନୁସାରେ ବନ୍ଧୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଦେଖାଇ ଆସିଥିଲା। ସମ୍ପ୍ରତି ରାଜ୍ୟ ପ୍ରତି କେନ୍ଦ୍ର ଅବହେଳାର ସହ୍ୟ ସୀମା ଉଲ୍ଲଙ୍ଘନ ହୋଇଥିବାରୁ ରାଜ୍ୟର ଜନସାଧାରଣଙ୍କ ପ୍ରତିବାଦକୁ ଉପସ୍ଥାପନ କରିବା ରାଜ୍ୟ ଶାସକ ଦଳର ରାଜ୍ୟବାସୀଙ୍କ ପ୍ରତି ଉତ୍ତରଦାୟିତ୍ୱ। n

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର