ଆତଙ୍କୀ ଆତ୍ମଘାତୀ ବିସ୍ଫୋରଣରେ ଥରିଲା କ୍ୱେଟ୍ଟା: ୧୦ ମୃତ, ୩୫ରୁ ଅଧିକ ଆହତ

The Sakala Picture
Published On

କ୍ୱେଟ୍ଟା, ପାକିସ୍ତାନ (ବାଲୁଚିସ୍ତାନ) - ପାକିସ୍ତାନର ଅସ୍ଥିରତାପୂର୍ଣ୍ଣ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟ୍ଟାରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି।

ଆକ୍ରମଣକାରୀ ବିସ୍ଫୋରକ ବୋଝେଇ ଏକ କାର୍ ସାହାଯ୍ୟରେ ପାକିସ୍ତାନୀ ପାରାମିଲିଟାରୀ ଫୋର୍ସ 'ଫ୍ରଣ୍ଟିଅର କର୍ପସ୍' (Frontier Corps- FC) ହେଡକ୍ୱାର୍ଟର ବାହାରେ ଧକ୍କା ଦେଇଥିଲା। ବିସ୍ଫୋରଣର ଶକ୍ତି ଏତେ ପ୍ରଚଣ୍ଡ ଥିଲା ଯେ ପୂରା ଅଞ୍ଚଳ ଥରି ଉଠିଥିଲା। ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ତୁରନ୍ତ ଗୁଳି ବିନିମୟର ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଧମାକା କାରଣରୁ ଆଖପାଖ ଅନେକ ବିଲ୍ଡିଂର ଝରକା ଏବଂ କବାଟ ଭାଙ୍ଗି ଯାଇଛି। ଭୟଭୀତ ଲୋକମାନେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଥିଲେ।

ତୁରନ୍ତ ପୋଲିସ ଓ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି କର୍ଡନ (Cordon) କରିଛନ୍ତି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ରାଜ୍ୟ ସରକାର ସହରର ସମସ୍ତ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି (Emergency) ଘୋଷଣା କରିବା ସହ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଘଟଣାସ୍ଥଳରୁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି, ଯେଉଁଥିରେ ବିସ୍ଫୋରଣ ସମୟରେ ବହଳ ଧୂଆଁ ବାହାରୁଥିବାର ଦେଖାଯାଉଛି। ତେବେ ଏହି ଆତ୍ମଘାତୀ ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିସ୍ଫୋରଣର କାରଣ ଏବଂ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

ବାଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ, ଯାହାକି ଦୀର୍ଘ ଦିନ ଧରି ହିଂସା ଏବଂ ବିଦ୍ରୋହର କେନ୍ଦ୍ର ପାଲଟିଛି। ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଚ୍ଛିନ୍ନତାବାଦୀ ଗୋଷ୍ଠୀ, ବିଶେଷ କରି ବାଲୁଚ ଲିବେରେସନ ଆର୍ମି (BLA), ସରକାରୀ ପ୍ରତିଷ୍ଠାନ ଓ ସୁରକ୍ଷା ବାହିନୀକୁ ବାରମ୍ବାର ଟାର୍ଗେଟ କରି ଆସୁଛନ୍ତି। ତେଣୁ, ଏହି ଆକ୍ରମଣ ପଛରେ ବିଦ୍ରୋହୀ ଗୋଷ୍ଠୀର ହାତ ଥିବାର ସନ୍ଦେହ କରାଯାଉଛି।

About The Author

ରାଶିଫଳ