ଆଜିଠୁ ନୂଆ ସଂସଦ ଭବନରେ ଚାଲିବ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ, ସ୍ମୃତି ପାଲଟି ଯାଇଛି ପୁରୁଣା ସଂସଦ ଭବନ
ନୂଆଦିଲ୍ଲୀ : ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନବ ନିର୍ମିତ ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ ବୈଠକ ଆରମ୍ଭ ହେବ। ଏହାପୂର୍ବରୁ ଶେଷଥର ପାଇଁ ସୋମବାର ପୁରୁଣା ସଂସଦ ଭବନରେ ଏହି ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ଶେଷ ହୋଇଛି। ଏହାପରେ ପୁରୁଣା ସଂସଦ ଭବନ କେବଳ ଏକ ସ୍ମୃତି ପାଲଟି ଯାଇଛି। ସ୍ବାଧୀନତାର ପୂର୍ବ ଏବଂ ପର ପ୍ରାୟ ୯୬ ବର୍ଷ ଧରି ଭାରତୀୟ ଗଣତନ୍ତ୍ର ଏବଂ ରାଜନୀତିର ମୂକସାକ୍ଷୀ […]
ନୂଆଦିଲ୍ଲୀ : ଆଜି ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ନବ ନିର୍ମିତ ସଂସଦ ଭବନରେ ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନ ବୈଠକ ଆରମ୍ଭ ହେବ। ଏହାପୂର୍ବରୁ ଶେଷଥର ପାଇଁ ସୋମବାର ପୁରୁଣା ସଂସଦ ଭବନରେ ଏହି ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ଶେଷ ହୋଇଛି। ଏହାପରେ ପୁରୁଣା ସଂସଦ ଭବନ କେବଳ ଏକ ସ୍ମୃତି ପାଲଟି ଯାଇଛି। ସ୍ବାଧୀନତାର ପୂର୍ବ ଏବଂ ପର ପ୍ରାୟ ୯୬ ବର୍ଷ ଧରି ଭାରତୀୟ ଗଣତନ୍ତ୍ର ଏବଂ ରାଜନୀତିର ମୂକସାକ୍ଷୀ ହୋଇ ରହିଆସିଥିବା ଏହି ଭବନ ଏକ ଐତିହାସିକ ସ୍ଥଳ ପାଲଟିଯାଇଛି। ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି। ଏହାକୁ ସଂରକ୍ଷିତ କରାଯିବ। ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି।
ଆଜିଠୁ ଦେଶକୁ ମିଳିବ ନୂଆ ସଂସଦା ମଙ୍ଗଳବାର ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଚାଲିବ। ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଆସନ୍ତା ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ।
ନୂଆ ସଂସଦ ଭବନରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଏଠାରେ ଲୋକସଭାରେ ୮୮୮ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ରହିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସଂସଦ ଭବନ ନିର୍ମାଣ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ନୂଆ ପାର୍ଲାମେଣ୍ଟ ୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ତ୍ରିଭୂଜାକାର ଏହି ସଂସଦ ଭବନରେ ଲୋକସଭାକୁ ଜାତୀୟ ପକ୍ଷୀ ମୟୂର ଭଳି ଡିଜାଇନରେ ସଜ୍ଜିତ କରାଯାଇଥିବା ବେଳେ ରାଜ୍ୟସଭାକୁ ଜାତୀୟ ପୁଷ୍ପ ପଦ୍ମ ଭଳି ଡିଜାଇନ କରାଯାଇଛି । ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି ଓ ଭୂକଂପରୋଧୀ। ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି।
ପୁରୁଣା ସଂସଦ ଭବନର ଇତିହାସ
ବ୍ରିଟିଶ ଶାସନକାଳରେ ବ୍ରିଟିଶ-ଇଣ୍ଡିଆ ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବା ପରେ ରାଇସିନା ହିଲ୍ରେ ପ୍ରତିଷ୍ଠା କରାଯାଇଥିଲା ଏହି ଐତିହାସିକ ଭବନ। ବ୍ରିଟିଶ ସ୍ଥାପତ୍ୟ ଏଡୱିନ୍ ଲୁଟିଏନ୍ସ ଏବଂ ହର୍ବଟ ବେକରଙ୍କ ଦ୍ବାରା ଏହାର ନକ୍ସା ପ୍ରସ୍ତୁତ କରାଯାଇଥିଲା ବେଳେ ୧୯୨୧ ଫେବୃଆରୀ ୧୨ ତାରିଖରେ ବ୍ରିଟେନର ତତ୍କାଳୀନ କନ୍ନଟ୍ ଡ୍ୟୁକ୍ ଏହାର ଶିଳାନ୍ୟାସ କରିଥିଲେ। ଏହାର ପ୍ରାୟ ୬ ବର୍ଷ ପରେ ଅର୍ଥାତ୍ ୧୯୨୭ ଜାନୁଆରୀ ୧୮ ତାରିଖରେ ତତ୍କାଳୀନ ଭାଇସ୍ରୟ ଏବଂ ଗଭର୍ଣ୍ଣର ଜେନେରାଲ ଲର୍ଡ ଇରୱିନ୍ ଏହାର ଉଦ୍ଘାଟନ କରିଥିଲେ। ସେତେବେଳେ ପ୍ରାୟ ୮୩ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିଲା ଏହି ସଂସଦ ଭବନ। ବ୍ରିଟିଶ ଶାସନ କାଳରେ ସାରା ଭାରତ ବର୍ଷ ନିର୍ମାଣ କରାଯାଇଥିବା ବହୁ ଐତିହାସିକ ସ୍ଥାପତ୍ୟ ମଧ୍ୟରୁ ଏହା ଥିଲା ଅନ୍ୟତମ। ବ୍ରିଟିଶ ଶାସନ କାଳରେ ଏହି ଭବନ ‘ କାଉନସିଲ ହାଉସ୍’ ଭାବେ ପରିଚିତ ଥିଲା ବେଳେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ଏହା ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାର ହୃଦସ୍ପନ୍ଦନର କ୍ଷେତ୍ର ଭାବେ ପ୍ରତିଷ୍ଠାଲାଭ କରିଥିଲା। ୧୯୪୭, ଅଗଷ୍ଟ ୧୫ରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଅଭିଭାଷଣ ଠାରୁ ଆରମ୍ଭ କରି ଭାରତୀୟ ସମ୍ବିଧାନ ଆସେମ୍ବ୍ଲିର ପ୍ରଥମ ବୈଠକ ଏବଂ ପରେ ପରେ ଭାରତୀୟ ଗଣତନ୍ତ୍ରର ଦୀର୍ଘ ଯାତ୍ରାର ସାକ୍ଷୀ ଭାବେ ଏହି ସଂସଦ ଭବନ ରହି ଆସିଥିଲା।





