ମନୋରଞ୍ଜନ
ଓଡ଼ିଶା
୩ ଭଉଣୀଙ୍କ ଆତ୍ମହତ୍ୟା ପରେ ବାପାଙ୍କ ବଡ଼ ଖୁଲାସା: ‘ପ୍ରାଚୀ ଥିଲା ବସ୍’, କାନ୍ଥରେ ଲେଖାଥିଲା ‘ବ୍ରୋକନ୍ ହାର୍ଟ’
ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନିଜଣ ନାବାଳିକା ଭଉଣୀ ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍, ଡାଏରୀ ଏବଂ କାନ୍ଥରେ ଲେଖାଯାଇଥିବା କିଛି ଅଜବ କଥା ଏବେ ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ମୃତକଙ୍କ ବାପା ଚେତନ ଏହି ଘଟଣା ପଛରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟାଇଛନ୍ତି।
ଅନ୍ଲାଇନ୍ ଗେମ୍ ଓ କୋରିଆନ୍ କଲଚର୍ର ନିଶା
ଫେବୃଆରୀ ୪, ୨୦୨୬ ରାତି ପ୍ରାୟ ୨ଟା ସମୟରେ ଗାଜିଆବାଦର ଭାରତ ସିଟି ସୋସାଇଟିରେ ଏହି ଘଟଣା ଘଟିଥିଲା। ମୃତ ତିନି ଭଉଣୀ ହେଲେ ନିଶିକା (୧୬), ପ୍ରାଚୀ (୧୪) ଏବଂ ପାଖୀ (୧୨)। ବାପା ଚେତନଙ୍କ କହିବା ଅନୁଯାୟୀ, ତିନି ଭଉଣୀଙ୍କୁ ମୋବାଇଲ୍ରେ ଅନ୍ଲାଇନ୍ ଗେମ୍ ଖେଳିବାର ଭୟଙ୍କର ନିଶା ଥିଲା। ସେମାନେ କୋରିଆନ୍ ସଂସ୍କୃତି ଦ୍ୱାରା ଅତ୍ୟଧିକ ପ୍ରଭାବିତ ଥିଲେ ଏବଂ ସବୁବେଳେ କୋରିଆ ଯିବା କଥା କହୁଥିଲେ। ଗତ ଦୁଇ ବର୍ଷ ହେଲା ସେମାନେ ସ୍କୁଲ ଯିବା ମଧ୍ୟ ବନ୍ଦ କରିଦେଇଥିଲେ। ପରୀକ୍ଷାରେ ଫେଲ୍ ହେବା ପରେ ସେମାନେ ଘରେ ରହି କେବଳ ମୋବାଇଲ୍ରେ ସମୟ ବିତାଉଥିଲେ।
‘ପ୍ରାଚୀ ଥିଲା ବସ୍, ଅନ୍ୟମାନେ ମାନୁଥିଲେ କଥା’
ବାପା ଚେତନ ଆହୁରି ମଧ୍ୟ କହିଛନ୍ତି ଯେ, ତିନି ଭଉଣୀଙ୍କ ମଧ୍ୟରେ ଏକ ଅଦ୍ଭୁତ ବୁଝାମଣା ଥିଲା। ମଝିଆ ଝିଅ ପ୍ରାଚୀ ନିଜକୁ ‘ବସ୍’ ବୋଲି ଭାବୁଥିଲା ଏବଂ ଅନ୍ୟ ଦୁଇ ଭଉଣୀ ତା’ କଥା ମାନୁଥିଲେ। ସେମାନେ ଏକାଠି ଖାଉଥିଲେ, ଏକାଠି ଶୋଉଥିଲେ ଏବଂ ଏପରିକି ଟଏଲେଟ୍ ମଧ୍ୟ ଏକାଠି ଯାଉଥିଲେ। ଘଟଣା ଦିନ ବାପା-ମା’ ଶୋଇବା ପରେ ସେମାନେ ବାହାରୁ କବାଟ ବନ୍ଦ କରି ୯ମ ମହଲାରୁ ଡେଇଁ ପଡିଥିଲେ।
କାନ୍ଥ ଓ ଡାଏରୀରେ ଲେଖାଥିଲା ରହସ୍ୟମୟ କଥା
ପୋଲିସ ତଦନ୍ତ ବେଳେ ଝିଅମାନଙ୍କ ରୁମ୍ରୁ ଏକ ଡାଏରୀ ଓ ସୁଇସାଇଡ୍ ନୋଟ୍ ଜବତ କରିଛି। ସୁଇସାଇଡ୍ ନୋଟ୍ରେ ଲେଖାଥିଲା, "True Life Story (ଜୀବନର ସତ କାହାଣୀ)... I’m Really Sorry Papa"। ସେହିପରି ଡାଏରୀରେ "We Love Korean Games" ବୋଲି ଉଲ୍ଲେଖ ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସେମାନଙ୍କ ରୁମ୍ କାନ୍ଥରେ ଲେଖାଥିଲା- "Make me a heart of broken. I am very alone"।
ଗାଜିଆବାଦ ଡିସିପି ନିମିଶ ପାଟିଲ କହିଛନ୍ତି ଯେ, ଝିଅମାନଙ୍କର ନିଜର ଫୋନ୍ ନଥିଲା, ସେମାନେ ବାପା-ମା’ଙ୍କ ଫୋନ୍ ବ୍ୟବହାର କରୁଥିଲେ। କିଛି ଦିନ ତଳେ ପରିବାର ଲୋକେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲଗାଇଥିଲେ, ଯାହାକୁ ନେଇ ସେମାନେ ଆହତ ହୋଇଥିଲେ। ବର୍ତ୍ତମାନ ପରିବାରର ମୋବାଇଲ୍ ଫୋନ୍ଗୁଡ଼ିକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି ଏବଂ ଏହା କୌଣସି ଟାସ୍କ ବେସ୍ଡ ଗେମ୍ (Task-based game) କି ନୁହେଁ, ତାହାର ତଦନ୍ତ ଚାଲିଛି।





