ପୁଣି ଅଶୁଭ ସାଜିପାରେ ଅକ୍ଟୋବର : ଶକ୍ତିଶାଳୀ ସିଷ୍ଟମ ଆଶଙ୍କା କଲେ ବିଦେଶୀ ମଡେଲ୍‍

The Sakala Picture
Published On

ଭୁବନେଶ୍ୱର : ଦୀର୍ଘ ୩ ବର୍ଷ ପରେ ପୁଣି ଅଶୁଭ ସାଜିପାରେ ଅକ୍ଟୋବର ମାସ। ଗତ ୩ ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ଼ ପାଣିପାଗ ଜନିତ ସ୍ଥିତି (ସିଷ୍ଟମ) ସୃଷ୍ଟି ହୋଇ ନାହିଁ। ହେଲେ ଚଳିତ ବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ଼ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି। କାରଣ ଆଣ୍ଡାମାନ ସାଗର ଅଶାନ୍ତ ହେବା ପାଇଁ ଏବେଠାରୁ ପରିବେଶ ଅନୁକୂଳ ଆଡ଼କୁ ଗତି କରୁଛି। […]

ଭୁବନେଶ୍ୱର : ଦୀର୍ଘ ୩ ବର୍ଷ ପରେ ପୁଣି ଅଶୁଭ ସାଜିପାରେ ଅକ୍ଟୋବର ମାସ। ଗତ ୩ ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ଼ ପାଣିପାଗ ଜନିତ ସ୍ଥିତି (ସିଷ୍ଟମ) ସୃଷ୍ଟି ହୋଇ ନାହିଁ। ହେଲେ ଚଳିତ ବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ଼ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି। କାରଣ ଆଣ୍ଡାମାନ ସାଗର ଅଶାନ୍ତ ହେବା ପାଇଁ ଏବେଠାରୁ ପରିବେଶ ଅନୁକୂଳ ଆଡ଼କୁ ଗତି କରୁଛି। ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରକଗୁଡ଼ିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି। ଯାହାଦ୍ୱାରା ସମ୍ଭବତଃ ଅକ୍ଟୋବର ତୃତୀୟ ସପ୍ତାହ ଶେଷ ଆଡ଼କୁ ଏକ ସିଷ୍ଟମ୍‍ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି। ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ପରବର୍ତ୍ତିକାଳୀନ ବାତ୍ୟା ଋତୁ ଭାବେ ଗଣନା କରାଯାଏ। ଅତିତରେ ଏହି ସମୟ ଏକାଧିକ ବାତ୍ୟା ଆସିଥିବା ବେଳେ ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଓ ଶକ୍ତିଶାଳୀ ହୋଇଥାଏ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଉତ୍ତର ଆଣ୍ଡାମାନ ସାଗରରେ ବର୍ତ୍ତମାନ ତାପମାତ୍ରା ୩୦-୩୧ ଡିଗ୍ରୀ ସେଲ୍‌ଫସିୟସ ରହିଛି। ଯାହାକି ବଡ଼ ସିଷ୍ଟମ ଘନୀଭୂତ କରିବାରେ ଏକ ବଳିଷ୍ଠ ବାତାବରଣ ସୃଷ୍ଟି କରୁଛି। ସେହିପରି ବଙ୍ଗୋପସାଗରରେ ଶକ୍ତିଶାଳୀ ସିଷ୍ଟମ ସୃଷ୍ଟି ହେବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ମାଡାନ୍‍ ଜୁଲିୟନ ଓସିଲେନସନ ୧୪ ତାରିଖ ପର୍ଯ୍ୟନ୍ତ ପଞ୍ଚମ ସ୍ତର ଦେଇ ଗତି କରିବ। ତୃତୀୟ ସପ୍ତାହ ଶେଷ ବେଳକୁ ଏହା ଷଷ୍ଠ ସ୍ତରକୁ ଗତି କରିବା ସହ ପଶ୍ଚିମ ପ୍ରଶାନ୍ତ ମହାସାଗର ଉପରେ ପ୍ରଭାବ ପକାଇବ। ଏହା ପ୍ରଭାବରେ ବଙ୍ଗୋପସାଗରରେ ଦ୍ୱିତୀୟ ସପ୍ତାହର ପ୍ରଥମ ଭାଗରେ ମେଘ ସୃଷ୍ଟିକାରୀ ଉପାଦାନଗୁଡ଼ିକୁ ଅଧିକ ସକ୍ରିୟ କରିବା ସହିତ ଏକତ୍ରୀକରଣ ପ୍ରକ୍ରିୟାରେ ସହାୟକ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଭିନ୍ନ ବିଦେଶୀ ପାଣିପାଗ ମଡେଲ୍‍ଗୁଡ଼ିକ ବଡ଼ ସିଷ୍ଟମ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ୟୁରୋପିଆନ୍‍ ମଡେଲ୍‍ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡ଼କୁ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଆଇଏମଡି ମଡେଲ୍‍ ମଧ୍ୟ ସମାନ ଆଶଙ୍କା କରିଛି। ସେହିପରି ଆଇଏମଡି ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ତୃତୀୟ ସପ୍ତାହ ଶେଷକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି। ଏହା ବ୍ୟତୀତ ଆମେରିକାର ଜାତୀୟ ପରିବେଶ ଆକଳନ କେନ୍ଦ୍ର ଦ୍ୱାରା ପରିଚାଳିତ ଗ୍ଲୋବାଲ ଫୋର୍କାଷ୍ଟ ମଡେଲ୍‍ ମଧ୍ୟ ଏହି ଘୂର୍ଣ୍ଣିବଳୟ ଏକ ଶକ୍ତାଶାଳୀ ସିଷ୍ଟମରେ ପରିଣତ ହେବା ନେଇ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ପୂର୍ବରୁ ୧୧ ଅକ୍ଟୋବର ୨୦୧୮ରେ ‘ତିତଲୀ’ ୧୨ ଅକ୍ଟୋବର ୨୦୧୩ ‘ଫାଇଲିନ’, ୧୨ ଅକ୍ଟୋବର ୨୦୧୪ରେ ‘ହୁଡ୍‍ହୁଡ୍‍’ ଭଳି ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହା ବ୍ୟତୀତ ୧୯୯୯ ମସିହାରେ ସୃଷ୍ଟି ହୋଇଥିବା ମହାବାତ୍ୟା ସାରା ଓଡ଼ିଶାକୁ ଛାରଖାର କରିବାର ନଜର ରହିଛି। ଓଡ଼ିଶା ପାଇଁ ଅକ୍ଟୋବର ମାସ ବାରମ୍ବାର ଅଶିଭ ସାଜି ଆସିଥିବାରୁ ବିଭିନ୍ନ ସଂସ୍ଥାଙ୍କ ଏହି ଆକଳନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ଅନ୍ୟପଟେ ଆଇଏମଡି ବିସ୍ତାରିତ ପରିସର ଆକଳନରେ ୧୪-୨୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ବହୁ ପରିମାଣରେ କମ୍‍ ବର୍ଷା ହେବ ବୋଲି କୁହାଯାଇଛି। ଏହାସହିତ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ମଧ୍ୟ ବଢ଼଼ିବ ବୋଲି ଦର୍ଶାଯାଇଛି। ଏହା ଦକ୍ଷିଣ ମୌସୁମୀ ବାୟୁ ଅପସାରଣକୁ ସୂଚାଇଛି। ଏମିତି ହେଲେ ବଡ଼ ସିଷ୍ଟମ ସୃଷ୍ଟିରେ ସହାୟକ ହେବା ସହ ଏହା ଶକ୍ତିଶାଳୀ ହେବା ନେଇ ମଧ୍ୟ ଆଶଙ୍କା ଦୃଢ଼ୀଭୂତ ହୋଇଛି। ସମାନ ଭାବେ ଆକ୍ୟୁୱେଦରର ଆନ୍ତର୍ଜାତୀୟ ଫୋର୍କାଷ୍ଟିଂ ମ୍ୟାନେଜର ମଧ୍ୟ ୧୫ ଅକ୍ଟୋବର ବେଳକୁ ମୌସୁମୀ ଅପସାରଣ ନେଇ ଆକଳନ କରିଛନ୍ତି। ବର୍ତ୍ତମାନ ବାତ୍ୟା ଋତୁ ଜାରି ରହିଥିବାରୁ ଗତ ୨୮ ତାରିଖରେ ଆଇଏମଡି ସମେତ ବାତ୍ୟା ମୁକାବିଲାକାରୀ ସଂସ୍ଥାଗୁଡ଼ିକୁ ବାତ୍ୟା ପରିଚାଳନାର ମକ୍‍ଡ୍ରିଲ୍‍ କରିଛନ୍ତି। ଏଥିରେ ଓଡ଼ିଶା ସରକାରଙ୍କ ଏସ୍‍ଆର୍‍ସି, ଓସଡମା ଓଏନନଡିଆରଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବାତ୍ୟା ଋତୁରେ ବିଭିନ୍ନ ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରିଛନ୍ତି। ଏହାସହିତ ବିଦେଶୀ ସଂସ୍ଥା ସମେତ ସମସ୍ତ ବାତ୍ୟା ଆକଳନକାରୀ ସଂସ୍ଥା ବର୍ତ୍ତମାନର ସ୍ଥିତି ଉପରେ କଡ଼ା ନଜର ରଖିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର