କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: ଇଣ୍ଡିଗୋ ଫେଲ୍‌, ସରକାର କ’ଣ କରୁଥିଲେ ?

୪ ହଜାର ଟିକଟ୍‌ର ଦାମ୍‌ ୪୦ ହଜାର

Deviprasad Mohanty Picture
Published On

ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ନେଇ ଦିଲ୍ଲୀ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଶତାଧିକ ବିମାନ ବାତିଲ ହେଉଥିବାବେଳେ ଭଡ଼ା ବୃଦ୍ଧି ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିଲେ ବୋଲି କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନବାଣ ମଧ୍ୟ ମାରିଛନ୍ତି। କୋର୍ଟ ପଚାରି ଥିଲେ ଯେ ଏୟାରଲାଇନ ବିଫଳ ହେବା ପରେ ସରକାର କ’ଣ କରିଥିଲେ? ଏଭଳି ସଙ୍କଟରେ ସ୍ଥିତିର ଲାଭ ଉଠାଇବାକୁ ଅନ୍ୟ ଏୟାରଲାଇନ ଗୁଡ଼ିକୁ କାହିଁକି ଦିଆଗଲା? ୪ ହଜାର ଟଙ୍କାର ଟିକଟ ମୂଲ୍ୟ ୩୫-୩୯ ହଜାର ଟଙ୍କା ପର୍ଯ୍ୟନ୍ତ କେମିତି ପହଞ୍ଚି ଗଲା? ଏୟାରଲାଇନ ଗୁଡ଼ିକ ଏତେ ଟଙ୍କା କେମିତି ନେଇପାରିବେ? ଏ ସବୁ କିପରି ହୋଇପାରିଲା? ଏ ନେଇ ସରକାର କି କାର୍ଯ୍ୟାନୁଷ୍ଠାନ ନେଲେ? ସରକାରଙ୍କ ହିଁ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଦେଲେ ବୋଲି ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ ତୁଷାର ରାୱ ଗେଦେଲାଙ୍କ ଖଣ୍ଡପୀଠ କହିଛନ୍ତି। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

ଇଣ୍ଡିଗୋ ସଙ୍କଟର ନିରପେକ୍ଷ ନ୍ୟାୟିକ ଯାଞ୍ଚ ଦାବି ଏବଂ ବିମାନ ବାତିଲ ହେବା ଯୋଗୁଁ ବିମାନବନ୍ଦରରେ ଫସିଥିବା ଯାତ୍ରୀଙ୍କୁ ଆର୍ଥିକ କ୍ଷତିପୂରଣ ଦେବା ନିମନ୍ତେ ଏହି ଆବେଦନରେ ଦାବି କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ ଏହା କେବଳ ବ୍ୟକ୍ତିଗତ ଯାତ୍ରୀଙ୍କ ମାମଲା ନୁହେଁ, ବରଂ ଆର୍ଥିକ କ୍ଷତି ମଧ୍ୟ ହୋଇଛି। ଭବିଷ୍ୟତରେ ଯେଭଳି ଏପରି ସ୍ଥିତି ସୃଷ୍ଟି ନ ହେବ ତାହା ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ। ମୁଖ୍ୟ ବିଚାରପତି କହିଥିଲେ ଯେ ଏୟାରଲାଇନର କର୍ମଚାରୀ ଯାତ୍ରୀଙ୍କ ସହ ସଠିକ ବ୍ୟବହାର କରିବା ପାଇଁ କି ପଦକ୍ଷେପ ନିଆଯାଇଛି? ପାଇଲଟଙ୍କ କାର୍ଯ୍ୟ ନିର୍ଘଣ୍ଟ ନିୟମାବଳୀକୁ ଠିକ୍‌ ସମୟରେ କାହିଁକି କାର୍ଯ୍ୟକାରୀ କରାଗଲାନି ବୋଲି ପଚାରି ଥିଲେ। ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) କୋର୍ଟଙ୍କୁ ସୂଚନା ଦେଇଥିଲେ। ତେବେ ହାଇକୋର୍ଟ କହିଥିଲେ ଯେ ସଙ୍କଟ ସୃଷ୍ଟି ହେବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ। କିନ୍ତୁ ପ୍ରଶ୍ନ ଏହା ନୁହେଁ। ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା? ଆଉ ସରକାର କ’ଣ କରୁଥିଲେ? ପାଇଲଟଙ୍କୁ କାହିଁକି ଅଧିକ କାମ କରିବାକୁ ଦିଆଗଲା? ଏହାକୁ ରୋକିବା ପାଇଁ କି କାର୍ଯ୍ୟାନୁଷ୍ଠାନ ନିଆଯିବ? ଜବାବରେ ଏଏସଜି କୋର୍ଟଙ୍କୁ ଜଣାଇ ଥିଲେ ଯେ ଇଣ୍ଡିଗୋକୁ ଡିଜିସିଏ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଇଣ୍ଡିଗୋ କ୍ଷମା ମାଗିବା ସହ ଏହାର ଜବାବ ଦେଇଛି। ଏହାକୁ ନେଇ କୋର୍ଟ ସ୍ଥିତି ସମ୍ଭାଳିବା ପ୍ରୟାସକୁ ପ୍ରଶଂସା କରିଥିଲେ, କିନ୍ତୁ ସ୍ଥିତି ଏଭଳି ହେବାକୁ କାହିଁକି ଦିଆଗଲା ବୋଲି ପଚାରି ଥିଲେ। ଏହା ହିଁ ଚିନ୍ତାର ବିଷୟ। ବିନା ସହାୟତାରେ ଲକ୍ଷାଧିକ ଯାତ୍ରୀ ବିମାନବନ୍ଦରରେ ଫସି ରହିଥିଲେ। ଏହା କେବଳ ଯାତ୍ରୀଙ୍କ ପାଇଁ ନୁହେଁ, ସମଗ୍ର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥିଲା। ସରକାରଙ୍କ ହସ୍ତକ୍ଷେପ ସତ୍ତ୍ବେ ଇଣ୍ଡିଗୋ ସମସ୍ୟା କମ୍‌ ହେବାର ନା ଧରୁନି। ଇଣ୍ଡିଗୋ ସଙ୍କଟ ବୁଧବାର ନବମ ଦିନରେ ପହଞ୍ଚିଛି। ପରିଚାଳନା ଗତ ସମସ୍ୟାରୁ ଇଣ୍ଡିଗୋ ବାହାରି ପାରୁନି କି ଯାତ୍ରୀଙ୍କୁ ଆଶ୍ବସ୍ତି ମିଳୁନାହିଁ। ଆଜି ଏହି ଏୟାରଲାଇନ ୨୨୦ରୁ ଅଧିକ ବିମାନକୁ ବାତିଲ କରିଦେଇଛି। 

ଆହୁରି ପଢ଼ନ୍ତୁ: ପାକିସ୍ତାନର ଏୟାର ଷ୍ଟ୍ରାଇକକୁ ନେଇ ତାତିଲା ଆଫଗାନିସ୍ତାନ: ଉଚିତ ଜବାବ ଦେବାକୁ ତାଲିବାନର କଡ଼ା ଚେତାବନୀ

ଏହା ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ (ଡିଜିସିଏ) ଇଣ୍ଡିଗୋ ସିଇଓ ପିଟର୍ସ ଏଲବର୍ସଙ୍କୁ ସମନ ଜାରି କରିଛି। ତାଙ୍କୁ ଗୁରୁବାର ହାଜର ହେବା ପାଇଁ କୁହାଯାଇଛି। ଏବେ ଇଣ୍ଡିଗୋ ସଙ୍କଟକୁ ନେଇ ଡିଜିସିଏ ବି କେନ୍ଦ୍ର ସରକାରଙ୍କ ଯାଞ୍ଚ ରାଡାରରେ ରହିଛି। 

ଆହୁରି ପଢ଼ନ୍ତୁ: ବିହାର ଜାମୁଇ ଭାଇରାଲ ଭିଡିଓ ମାମଲା: ପୋଲିସ ଏନକାଉଣ୍ଟରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ସେୟାର କରି ୩ ଧରାପଡିଲେ

ଏକ ସାକ୍ଷାତକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଥିଲେ ଯେ ଇଣ୍ଡିଗୋ ବିଭ୍ରାଟକୁ ନେଇ କେବଳ ଏୟରାଲାଇନ ନୁହେଁ, ବରଂ ଡିଜିସିଏ କାର୍ଯ୍ୟର ବି ତଦନ୍ତ କରାଯିବ। ଯାତ୍ରୀଙ୍କ ସମସ୍ୟାକୁ ନେଇ ମନ୍ତ୍ରୀ କ୍ଷମା ମାଗିଛନ୍ତି। ଦାୟୀ ଲୋକଙ୍କ ବିରୋଧରେ ଉଚିତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଇଣ୍ଡିଗୋର ଏହି ବଡ଼ ବିଫଳତା ସାଧାରଣ ଭୁଲ୍‌ ନୁହେଁ। ଜାଣିଶୁଣି ଏଭଳି ଅବହେଳା କରାଯାଇଛି ବୋଲି ସଙ୍କେତ ମିଳୁଛି। ଏଭଳି ସଙ୍କଟ କାହିଁକି ସୃଷ୍ଟି ହେଲା, ପରିଚାଳନା ସତ୍ତ୍ବେ ସ୍ଥିତି କେମିତି ବିଗିଡ଼ିଲା ତାହା ଜାଣିବା ପାଇଁ ଯାଞ୍ଚ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଇଣ୍ଡିଗୋ ସିଇଓଙ୍କୁ ହଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁ ଆଇନଗତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ତାହା ନିଆଯିବ। ଗତ ୭ ଦିନ ହେଲା କ୍ରମାଗତ ଭାବେ ବୈଠକ କରିଚାଲିଛି। ବହୁ କଷ୍ଟରେ ନିଦ ହେଉଛି। କାରଣ ଯାତ୍ରୀଙ୍କ ସମସ୍ୟାକୁ ଦୂର କରିବାକୁ କେବଳ ଧ୍ୟାନ ଦିଆଯାଉଛି। ଯାତ୍ରୀଙ୍କୁ କ୍ଷତିପୂରଣ ଦେବା ସହିତ ସବୁ ବିକଳ୍ପ ଉପରେ ବିଚାର କରାଯିବ। ଭବିଷ୍ୟତରେ ଏଭଳି ସ୍ଥିତି ସୃଷ୍ଟି ନ ହେବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର