ମନୋରଞ୍ଜନ
୧୦/୧୧ ବିସ୍ଫୋରଣ; ୩୭ ଦିନର ଷଡ଼ଯନ୍ତ୍ର, ବିବାହ କାର୍ଯ୍ୟକ୍ରମରେ ଗଠନ ହୋଇଥିଲା ଆତଙ୍କୀ ଗ୍ରୁପ୍...
ଟାର୍ଗେଟ୍ ଥିଲା ଡିସେମ୍ବର ୬
ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ (୧୦/୧୧) ଘଟଣାକୁ ‘ଆତଙ୍କୀ ଆକ୍ରମଣ’ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହି ଘଟଣା ପଛରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ (ଜେଇଏମ)ର ‘ନୂଆ ହ୍ବାଇଟ କଲାର ଟେରର ମଡ୍ୟୁଲୋ’ର ପର୍ଦ୍ଦାଫାସ ହୋଇଛି। ଏହି ମଡ୍ୟୁଲ୍ରେ ପେଶାଦାର ଡାକ୍ତର ସାମିଲ ଥିବା ସହ ପାକିସ୍ତାନୀ ହ୍ୟାଣ୍ଡଲର୍ସ ସହ ଯୋଗାଯୋଗରେ ଥିଲେ। ହରିୟାଣାର ଫରିଦାବାଦ, ଜମ୍ମୁ-କଶ୍ମୀରର ପୁଲୱାମା ଏବଂ ଉତ୍ତର ପ୍ରଦେଶର ସହାରନପୁର ସହିତ ଅନେକ ଅଞ୍ଚଳରେ ଏହି ମଡ୍ୟୁଲ୍ କାମ କରୁଥିଲା।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୦/୧୧ ବିସ୍ଫୋରଣକୁ ନିନ୍ଦା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି। ଏହି ବିସ୍ଫୋରଣକୁ ଅତ୍ୟନ୍ତ ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯିବା ସହ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଆପଣାଇବାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ ପୁଣି ଦୋହରାଇଛନ୍ତି ସରକାର। ଆକ୍ରମଣକୁ ବିଶ୍ୱର ଅନେକ ସରକାରଙ୍କ ନିନ୍ଦା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଦଣ୍ଡ ଦେବାକୁ ସୁରକ୍ଷା ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।
ଦିଲ୍ଲୀ ବିସ୍ଫୋରଣର ୩୭ ଦିନ ପୂର୍ବରୁ ଅକ୍ଟୋବର ୪ରେ ଏଥିସହିତ ସମ୍ପୃକ୍ତ ଗୋଷ୍ଠୀ ସକ୍ରିୟ ହୋଇଥିଲା। ସାହରନପୁରର ଏକ ବିବାହରେ ସବୁ ଆତଙ୍କୀ ଏକତ୍ରିତ ହୋଇ ଟେଲିଗ୍ରାମ୍ ଆପ୍ରେ ଏକ ଗ୍ରୁପ୍ ଆରମ୍ଭ କରିଥÒଲେ। ଏହା ପରେ ସେନାକୁ ଧମକାଉଥିବା ପୋଷ୍ଟର, ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ପାଣ୍ଠି ସଂଗ୍ରହ ପାଇଁ ନେଟୱର୍କ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ଥର ପାଇଁ ଅକ୍ଟୋବର ୧୯ରେ କଶ୍ମୀରରୁ ଜୈସର ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରୁ କୌଣସି ମଡ୍ୟୁଲୋ ସକ୍ରିୟ ଥିବା ଜଣାପଡ଼ିଥିଲା। ଏହି ଆତଙ୍କବାଦୀଙ୍କ ନେଟୱର୍କରେ ମହିଳା ସଦସ୍ୟ ଡ. ସାହିନ ସୈୟିଦ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭାରତରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମହିଳା ଶାଖାର ସେ ନେତୃତ୍ବ ନେଉଥିଲା। ଜୈସର ମୁଖିଆ ମାସୁଦ ଆଝାରର ଭଉଣୀ ସାଦିଆ ଆଝାର ସହ ସାହିନ ଯୋଗାଯୋଗରେ ଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ଅକ୍ଟୋବର ୪ରେ ସହାରନପୁରରେ ଡ. ଆଦିଲର ବିବାହ ଡ. ରୁକୈୟା ସହ ହେଉଥିବାବେଳେ ଏହି ମଡ୍ୟୁଲୋ ସକ୍ରିୟ ହୋଇଥିଲା। ଏହି ବିବାହରେ କିଛି ସ୍ବତନ୍ତ୍ର ଅତିଥି ସାମିଲ ହୋଇଥିଲେ। ଏବେ ସୁରକ୍ଷା ଏଜେନ୍ସିଗୁଡିକ ସେମାନଙ୍କୁ ଚିହ୍ନଟ କରୁଛନ୍ତି। ବିବାହର ଦିନକ ପରେ ଏହି ମଡ୍ୟୁଲୋ କାମ ଆରମ୍ଭ କରିଦେଇଥିଲା। ଡ. ଆଦିଲ ଲଜିଷ୍ଟିକ ଏବଂ ଆର୍ଥିକ ଚ୍ୟାନେଲକୁ ସମ୍ଭାଳୁ ଥିଲା। ମେଡିକାଲ ପ୍ରଫେସନ ଆଳରେ ପାଣ୍ଠି ସଂଗ୍ରହ ଏବଂ ଯୋଗାଣ ଚ୍ୟାନେଲ ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଥିଲା।
ଅକ୍ଟୋବର ୧୯ରେ କଶ୍ମୀର ନୌଗାମ ଅଞ୍ଚଳରୁ ଜୈସ ପୋଷ୍ଟର ମିଳିବା ପରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଏହାର କିଛି ଦିନ ପରେ ଅକ୍ଟୋବର ୨୭ରେ ୨୫ରୁ ଅଧିକ ପୋଷ୍ଟର ଲଗା ଯାଇଥିଲା। ୫୦ରୁ ଅଧିକ ଅଧିକାରୀ ଏହି ମାମଲାର ତଦନ୍ତ କରିଥିଲେ। ସିସିଟିଭିରେ ଡ. ଆଦିଲକୁ ଦେଖିବାକୁ ପାଇଥିଲେ। ସେ ପାକିସ୍ତାନୀ ହ୍ୟାଣ୍ଡଲର୍ସଙ୍କ ସହ ଜଡ଼ିତ ଥିବା ଫୋନ୍ ସର୍ଭିଲାନ୍ସରୁ ଜଣା ପଡ଼ିଥିଲା। ସହାରନପୁରରେ ତାର ଫୋନ ଥିବା ଜଣାପଡ଼ିଥିଲା। ଗତ ୬ ତାରିଖରେ ତାକୁ ଗିରଫ କରାଯାଇଥିଲା। ତା’ ନିକଟରୁ ଏକେ-୪୭, ଗ୍ରେନେଡ ଏବଂ ବିସ୍ଫୋରକ ଜବତ କରାଯାଇଥିଲା। ଜେରା ସମୟରେ ଫରିଦାବାଦରେ ପଢୁଥିବା ଡ.ମୁଜାମିଲ ପାଖରେ ବିପୁଳ ବିସ୍ଫୋରକ ଥିବା ସେ କହିଥିଲା। ଏହା ପରେ ଗତ ୯ ତାରିଖରେ ଜମ୍ମୁ-କଶ୍ମୀର ପୁଲିସ ହାଇଦରାବାଦରେ ପହଞ୍ଚି ୧୦ ତାରିଖରେ ମୁଜାମିଲକୁ ଧରି ଥିଲା। ଏ ପର୍ଯ୍ୟନ୍ତ ଏହି ମାମଲାରେ ୬ ଜଣ ଡାକ୍ତରଙ୍କୁ ଗିରଫ କରାଗଲାଣି। ଜଣେ ଡାକ୍ତର ମଧ୍ୟ ଫେରାର ରହିଛି।
ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ କମିଟି ବୈଠକ ଡକାଇ ଥିଲେ। ଏଥିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ବିଦେଶମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହୋଇଥିଲେ। ଏଥିରେ ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା ଏବଂ ୨ ମିନିଟ ପାଇଁ ମୌନ ରଖାଯାଇଥିଲା।
ଟାର୍ଗେଟ୍ ଥିଲା ଡିସେମ୍ବର ୬
-ବାହାରିଲା ତୁର୍କୀ, ଆଫଗାନିସ୍ତାନ ସହ ଉମର୍ର ଲିଙ୍କ୍
ଦିଲ୍ଲୀ ବିସ୍ଫୋରଣ ତଦନ୍ତରୁ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରକ ଭର୍ତ୍ତି କାର୍ ଚଲାଇ ନିଜକୁ ଲାଲକିଲ୍ଲା ନିକଟରେ ବିସ୍ଫୋରଣରେ ଉଡ଼ାଇ ଦେଇଥିବା ଡ. ଉମର ନବି ଲିଙ୍କ ଆଫଗାନିସ୍ତାନ ଏବଂ ତୁର୍କୀକୁ ଲମ୍ବିଛି। ସେହିପରି ସେ ଡିସେମ୍ବର ୬ରେ ସିରିଜ୍ ବିସ୍ଫୋରଣ କରିବାକୁ ଚାହୁଁଥିଲା; କାରଣ ଏହି ଦିନ ବାବ୍ରୀ ମସ୍ଜିଦ ଧ୍ବଂସ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ୩ ଡାକ୍ତରଙ୍କ ସହ ବିସ୍ଫୋରକ ଜବତ ହେବା ପରେ ବିଚଳିତ ହୋଇ ସେ ଲାଲ୍କିଲ୍ଲାରେ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ ଉମର୍ର ବିଦେଶୀ ଲିଙ୍କ୍ ସାମ୍ନାକୁ ଆସିଛି। ତୁର୍କୀ ଏବଂ ଆଫଗାନିସ୍ତାନର ନଙ୍ଗରହାରରେ ଥିବା ହ୍ୟାଣ୍ଡଲରଙ୍କ ସହ ନବି ଯୋଗାଯୋଗରେ ଥିଲା। ଡ. ମୁଜାମିଲ ଏବଂ ଡ. ଉମର୍ର ପାସପୋର୍ଟରୁ ଏହି ଦୁଇଜଣ ତୁର୍କୀ ଗସ୍ତ କରିଥÒବାର ପ୍ରମାଣ ମିଳିଛି। ତୁର୍କୀ ଏବଂ ନଙ୍ଗରହାରରେ ବସିଥିବା ଆତଙ୍କବାଦୀଙ୍କ ସଙ୍କେତରେ ଏହି ଆକ୍ରମଣ ହୋଇଥିଲା ବୋଲି କୁହାଯାଉଛି। ଏହି ହ୍ୟାଣ୍ଡଲରମାନେ କ୍ରମାଗତ ଭାବେ ଉମର୍ ସହ ଯୋଗାଯୋଗରେ ଥିଲେ। ଏହି ଡାକ୍ତର ମଡ୍ୟୁଲୋ ବିଷୟରେ ଉଭୟେ ତାଙ୍କ ହ୍ୟାଣ୍ଡଲରଙ୍କୁ ସୂଚନା ଦେଉଥିଲେ। ନିର୍ଦ୍ଦିଷ୍ଟ ଆପ୍ ଜରିଆରେ ହ୍ୟାଣ୍ଡଲର୍ମାନଙ୍କ ସହ ଯୋଗାଯୋଗ କରାଯାଉଥିଲା।





