ବାଦଲଫଟା ବର୍ଷା ପରେ ଭୂସ୍ଖଳନ ଓ ବନ୍ୟା ବିତ୍ପାତ : ଗଲାଣି ୨୨ ଜଣଙ୍କ ଜୀବନ, ୭ ନିଖୋଜ
ସିମଳା : ବିଗତ ଦୁଇ ଦିନ ଧରି ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସହିତ ଭୂ ସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହେବା ସହିତ ୭ ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ସାମ୍ବା, କାଣ୍ଡି ଭଳି କିଛି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ସଡ଼କପଥ ବିଛିନ୍ନ ହେବା ଯୋଗୁଁ […]
ସିମଳା : ବିଗତ ଦୁଇ ଦିନ ଧରି ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସହିତ ଭୂ ସ୍ଖଳନ ଘଟିବାରୁ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହେବା ସହିତ ୭ ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ସାମ୍ବା, କାଣ୍ଡି ଭଳି କିଛି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ସଡ଼କପଥ ବିଛିନ୍ନ ହେବା ଯୋଗୁଁ ଗମନାଗମନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।ଆଗକୁ ପୁଣି ବର୍ଷା ସମ୍ଭାବନା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ସତର୍କ କରିଦିଆଯାଇଛି। ସ୍ପର୍ଶକାତର ଅଞ୍ଚଳରେ ଆଗୁଆ ପଦକ୍ଷେପ ନେବା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗକୁ ପୂରା ଆଲର୍ଟ ରହିବାକୁ କୁହାଯାଇଥିଲା ବେଳେ କେତେକ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି।
ଶନିବାର ପ୍ରତ୍ୟୁଷରେ ଚମ୍ବା ଜିଲ୍ଲାର ଚୱାରି ତହସିଲରେ ଅଚାନକ ବନ୍ୟା ଆସିବା ସହିତ ଭୂ ସ୍ଖଳନ ଘଟିବାରୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହିତ କିଛି ଲୋକ ଆହତ ହୋଇଛନ୍ତି। ସେହିପରି ଗତକାଲି ବିଳମ୍ବିତ ରାତିରେ ମଣ୍ଡି ଜିଲ୍ଲାରେ ଭୂ ସ୍ଖଳନ ଘଟିବା ସହିତ ବନ୍ୟା ମାଡି ଆସିବାରୁ ଜଣେ ଯୁବତୀଙ୍କ ସମେତ ୧୩ ଜଣ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ସେହିପରି କଙ୍ଗ୍ରା ଜିଲ୍ଲା ମଧ୍ୟ ବନ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବା ସହିତ ଏଠାରେ ମଧ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ହାମିରପୁର ଜିଲ୍ଲାରେ ପାଣି ଘେରରୁ ପ୍ରାୟ ୨୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ସତର୍କ କରାଇ ଦିଆଯିବା ସହିତ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗକୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମଣ୍ଡି, କାଙ୍ଗରା ଓ ସାମ୍ବା ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତଜନିତ ୩୬ଟି ଅଘଟଣ ରିପୋର୍ଟ କରାଯାଇଛି।
ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ୭୪୩ଟି ରାସ୍ତା ଧୋଇ ଯାଇଛି। ଏହା ମଧ୍ୟରେ ମଣ୍ଡିଠାରେ ମନାଲି-ଚଣ୍ଡିଗଡ଼ ଜାତୀୟ ରାଜପଥ ଓ ଶୋଘି ଠାରେ ଥିବା ଶିମଲା-ଚଣ୍ଡିଗଡ଼ ରାଜପଥ ରହିଛି। ଏହି ଦୁଇ ରାଜପଥ କ୍ଷତିଗ୍ରସ୍ତ ହୋଇଥିବାରୁ ଏଗୁଡିକ ଦେଇ ଯାତାୟାତ ବନ୍ଦ କରାଯାଇଛି।ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ ସହାୟତା ଏବଂ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନ ମଧ୍ୟରେ ବର୍ଷା ଆହୁରି ବଢିବାର ସମ୍ଭାବନା ରହିଥିବାରୁ ସ୍ପର୍ଶକାତର ଅଞ୍ଚଳରେ ଆଗୁଆ ବ୍ୟବସ୍ଥା କରିବାକୁ ସଂପୃକ୍ତ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ହାମିରପୁର, ଶାମ୍ବା ଏବଂ ମଣ୍ଡି ଜିଲ୍ଲା ବ୍ୟତୀତ କାସାନ, ଗୋହାର ଓ କାଟୋଲା ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ଜିଲ୍ଲାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି। ଏପରିକି ଭୂ ସ୍ଖଳନକୁ ଦୃଷ୍ଟିରେ ରଖି ପାହାଡିଆ ଅଞ୍ଚଳର କେତେକ ସଡ଼କପଥରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି।






