ଭାରତ-ରୁଷ ସମ୍ପର୍କର ନୂଆ ଅଧ୍ୟାୟ; ଭାରତକୁ ଶକ୍ତି ସୁରକ୍ଷା ଗ୍ୟାରେଣ୍ଟି, ପାକିସ୍ତାନକୁ ସିଧାସଳଖ ଚେତାବନୀ

ଡ଼ଲାର ବଦଳରେ ‘ରୁପି’- ‘ରୁବେଲ୍‌‌’

Deviprasad Mohanty Picture
Published On

ନୂଆଦିଲ୍ଲୀ: ପଶ୍ଚିମ ଦେଶର ଧମକ, ଆମେରିକାର ନାଲିଆଖି ଓ ଚତୁର ରଣନୀତିକୁ ଉପେକ୍ଷା କରି ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନ୍‌‌ଙ୍କ ଭାରତ ଗସ୍ତ ବିଶ୍ୱ ଭୂ-ରାଜନୀତି ଇତିହାସରେ ସୃଷ୍ଟି କରିଛି ନୂଆ ଅଧ୍ୟାୟ। ଅନୁରୂପ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବଶ୍ରେଷ୍ଠ ବନ୍ଧୁଙ୍କୁ ଉତ୍ସାହର ସହ ସ୍ୱାଗତ ମଧ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରିଛି। ପୁତିନ୍‌‌ଙ୍କ ଏହି ଗସ୍ତ ଓ ଭାରତର ଆନ୍ତରିକ ସ୍ୱାଗତ କେବଳ କୁଟନୈତିକସ୍ତରରେ ନୁହେଁ, ପଶ୍ଚିମ ଦେଶ ଓ ଆମେରିକାକୁ ଶକ୍ତ ଆଘାତ ଦେଇଛି। ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିଗୁଡ଼ିକ ଭାରତ-ରୁଷ ସମ୍ପର୍କକୁ ଏପରି ଏକ ଶକ୍ତ ରଜ୍ଜୁରେ ବାନ୍ଧିଛି, ଯାହା କୌଣସି ଭୂ-ରାଜନୈତିକ ଝଡ଼ରେ ବି ତୁଟିବାର ସମ୍ଭାବନା ନାହିଁ। ୨୦୦୦ ମସିହାରେ ରାଷ୍ଟ୍ରପତି ଭାବରେ ଭ୍ଲାଦିମିର ପୁଟିନ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିବା ବେଳେ ବନ୍ଧୁତାର ଯେଉଁ ବୀଜବପନ ହୋଇଥିଲା ତାହା ୨୦୨୫ ମସିହାରେ ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନ ଏକ ମିଳିତ ବିବୃତ୍ତିରେ ଏହି ସମ୍ପର୍କକୁ ବିଶ୍ୱାସ ଓ ପାରସ୍ପରିକ ସମ୍ମାନର ମୂଳଦୁଆ ଉପରେ ପର୍ଯ୍ୟବେଶିତ ବୋଲି ଉଲ୍ଲେଖ କରି ଏହାକୁ କେହି ଦୋହଲାଇ ପାରିବେ ନାହିଁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବହୁଧୃବୀୟ ବିଶ୍ୱର ଶ୍ରେଷ୍ଠ ସ୍ଥପତି
ଡିସେମ୍ବର ୫ ତାରିଖରେ ଜାରି ହୋଇଥିବା ମିଳିତ ବିବୃତ୍ତିର ପ୍ରତ୍ୟେକ ଶବ୍ଦ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହି ବିବୃତି ଭାରତ ଓ ରୁଷକୁ ଏକ ‘ବହୁଧୃବୀୟ ବିଶ୍ୱ’ର ଶ୍ରେଷ୍ଠ ସ୍ଥପତି ଭାବରେ ପରିଚିତି ଦେଇଛି। ଦୁଇଟି ପ୍ରମୁଖ ଶକ୍ତି ଭାବରେ ସେମାନଙ୍କର ସହଭାଗୀତା ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ କାର୍ଯ୍ୟ କରିବ ବୋଲି ଦୁଇ ଦେଶ ପ୍ରତିବଦ୍ଧତା ଘୋଷଣା କରିଛନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ବିଶ୍ୱକୁ ନିୟନ୍ତ୍ରଣ ନିମନ୍ତେ ଆମେରିକାର ଏକଛତ୍ର ଆଧିପତ୍ୟକୁ ଏହା ସିଧାସଳଖ ଆହ୍ୱାନ ଦେବାକୁ ସକ୍ଷମ ହୋଇଛନ୍ତି। ଭବିଷ୍ୟତ ପାଇଁ ପ୍ରସ୍ତୁତ ରୋଡ଼ମ୍ୟାପରେ ଭାରତକୁ ଏକ ସାମରିକ ଓ ଆର୍ଥିକ ମହାଶକ୍ତିରେ ପରିଣତ କରିବାକୁ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତିରକ୍ଷା, ମହାକାଶ, ପରମାଣୁଶକ୍ତି, ବାଣିଜ୍ୟ ଆଦି କ୍ଷେତ୍ରରେ ଭାରତକୁ ରୁଷ ସହଯୋଗ ଦେବାକୁ ସମ୍ମତ ହୋଇଛି। 

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

‘ମେକ୍‌‌ ଇନ୍‌‌ ଇଣ୍ଡିଆ’କୁ ପ୍ରୋତ୍ସାହନ 
ପ୍ରତିରକ୍ଷା କ୍ଷେତ୍ର ସର୍ବଦା ଭାରତ-ରୁଷିଆ ସମ୍ପର୍କରେ ମେରୁଦଣ୍ଡ ରୂପେ ପରିଚିତ ହୋଇଛି। ମାତ୍ର ଏବେ ଭାରତ କେବଳ କ୍ରେତା ନୁହେଁ, ବିକ୍ରେତା ହେବାକୁ ସାମର୍ଥ୍ୟ ଅର୍ଜନ କରିବାକୁ ଯାଉଛି। ରୁଷ ରାଷ୍ଟ୍ରପତି ପୁଟିନ ‘ଆତ୍ମନିର୍ଭରଶୀଳ ଭାରତ’ ଅଭିଯାନକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ମିଳିତ ବିବୃତ୍ତିରେ ଏହା ପ୍ରତିଫଳିତ ହୋଇଛି ଏବଂ ଭାରତ-ରୁଷ ସମ୍ପର୍କ ‘କ୍ରୟବିକ୍ରୟ’ର ଊର୍ଦ୍ଧ୍ବକୁ ଯାଇ ‘ସହ-ବିକାଶ ଏବଂ ସହ-ଉତ୍ପାଦନ’ ପର୍ଯ୍ୟନ୍ତ ପ୍ରଲମ୍ବିତ ହେବ ବୋଲି ଘୋଷଣା କରାଯାଇଛି। ରୁଷିଆ ଭାରତରେ ଏହାର ଅସ୍ତ୍ରଶସ୍ତ୍ର ପାଇଁ ଯନ୍ତ୍ରାଂଶ ଓ ସାମଗ୍ରୀ ସମଷ୍ଟି ନିର୍ମାଣ ନିମନ୍ତେ ପ୍ରତିଶ୍ରୁତି ଦେଇଛି। ଏହାର ଅର୍ଥ ହେଉଛି ଯୁଦ୍ଧ ସମୟରେ, ଭାରତକୁ ଆବଶ୍ୟକୀୟ ଯନ୍ତ୍ରାଂଶ ପାଇଁ ମସ୍କୋ ଯିବାକୁ ପଡ଼ିବ ନାହିଁ। ଏହା ସବୁ ଭାରତରେ ନିର୍ମାଣ ହେବ। ସେହିପରି ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ ମାଧ୍ୟମରେ ଭାରତର ସାମରିକ ବାହିନୀକୁ ରୁଷ ଏପରି ଶକ୍ତି ଦେବାକୁ ଯାଉଛି ଯାହା ଭାରତର ଶତ୍ରୁମାନଙ୍କୁ ଥରାଇ ଦେବ। ଏହା ବ୍ୟତୀତ, ଭାରତରେ ନିର୍ମିତ ଏହି ରୁଷୀ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ‘ବନ୍ଧୁ ଦେଶ‘କୁ ମଧ୍ୟ ରପ୍ତାନି କରାଯାଇ ପାରିବ। ଯେଉଁ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରି ନିମନ୍ତେ ବିଭିନ୍ନ ସର୍ତ୍ତ ରଖୁଥିଲେ, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଏକ ବଡ଼ ଆଘାତ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଡ଼ଲାର ବଦଳରେ ‘ରୁପି’- ‘ରୁବେଲ୍‌‌’
ଆର୍ଥିକ କ୍ଷେତ୍ରରେ ମୋଦି ଏବଂ ପୁଟିନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଡଲାରର ଆଧିପତ୍ୟ ପ୍ରତି ଏକ ସିଧାସଳଖ ଆହ୍ୱାନ। ଉଭୟ ନେତା ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବାଣିଜ୍ୟ ଡଲାର ବଦଳରେ ଦୁଇ ଦେଶର ଜାତୀୟ ମୁଦ୍ରା (ଟଙ୍କା ଏବଂ ରୁବେଲ୍‌‌)ରେ କାରବାର ହେବ। ଉଭୟ ଦେଶ ସେମାନଙ୍କର ଜାତୀୟ ଦେୟ ବ୍ୟବସ୍ଥାକୁ ଏକୀକୃତ କରିବା ପାଇଁ କାମ କରିବେ। ଏହା ପାଶ୍ଚାତ୍ୟ ପ୍ରତିବନ୍ଧକକୁ ପ୍ରତିଘାତ କରିବ ଏବଂ ନିରବଚ୍ଛିନ୍ନ ବାଣିଜ୍ୟକୁ ସୁନିଶ୍ଚିତ କରିବ। ଏହା ବ୍ୟତୀତ ଭାରତ ଏବଂ ୟୁରେସିଆନ୍‌‌ ଅର୍ଥନୈତିକ ସଂଘ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମାଉପରେ ଆଲୋଚନାକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଭାରତ ପାଇଁ ଏକ ବିଶାଳ ବଜାର ଖୋଲିବ। ୟେକାଟେରିନବର୍ଗ ଏବଂ କାଜାନରେ ଦୁଇଟି ନୂତନ ଭାରତୀୟ କନସୁଲେଟ୍‌‌ ଖୋଲାଯିବ, ଯାହା ଭାରତୀୟ ବ୍ୟବସାୟକୁ ଅଧିକ ଗତି ଦେବ।

ଭାରତକୁ ଶକ୍ତି ସୁରକ୍ଷା ଗ୍ୟାରେଣ୍ଟି
ରୁଷ ଭାରତର ସର୍ବବୃହତ ଶକ୍ତି ସୁରକ୍ଷା ଅଂଶୀଦାର ଭାବରେ ଉଭା ହୋଇଛି। ମିଳିତ ବିବୃତ୍ତିରେ କୁଡାନକୁଲମ ପରମାଣୁ ଶକ୍ତି କେନ୍ଦ୍ରର କାର୍ଯ୍ୟ ତ୍ୱରାନ୍ୱିତ କରିବ। ଏହା ସହ ରୁଷ ଭାରତକୁ ୧୦୦ ଗିଗାୱାଟ ପରମାଣୁ ଶକ୍ତିର ଲକ୍ଷ୍ୟ ହାସଲ କରିବାରେ ସହାୟତା ଯୋଗାଇବ। ପୁନଶ୍ଚ ଭାରତକୁ ତେଲ, ଗ୍ୟାସ ଏବଂ ସାରର ଦୀର୍ଘକାଳୀନ ଯୋଗାଣର ଗ୍ୟାରେଣ୍ଟି ଦେଇଛି ରୁଷ। ବିଶ୍ୱ ଯେତେବେଳେ ଶକ୍ତି ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି, ସେତେବେଳେ ଭାରତରେ ପ୍ରଗତିର ପରିବହନ ଚକ କେବେ ବି ବନ୍ଦ ହେବ ନାହିଁ ବୋଲି ରାଷ୍ଟ୍ରପତି ପୁତିନ୍‌‌ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କୋଇଲା ଗ୍ୟାସିଫିକେସନ୍‌‌ ପ୍ରଯୁକ୍ତିବିଦ୍ୟା ହେଉ କିମ୍ବା ପେଟ୍ରୋକେମିକାଲ୍ସ, ପ୍ରତ୍ୟେକ ପଦକ୍ଷେପରେ ରୁଷ ଭାରତ ସହିତ ଠିଆ ହେବ ଏବଂ ଭାରତକୁ ତୈଳ, ଗ୍ୟାସ ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ସମୃଦ୍ଧ ଆର୍କଟିକ୍‌‌ର ସମ୍ପଦରେ ଅଂଶୀଦାର କରିବାକୁ ପୁତିନ୍‌‌ ସମ୍ମତ ହୋଇଛନ୍ତି। ଅନୁରୂପ ଭାବରେ ଚେନ୍ନାଇ-ଭ୍ଲାଡିଭୋଷ୍ଟକ୍‌‌ ସାମୁଦ୍ରିକ କରିଡର ଏବଂ ଉତ୍ତର ସମୁଦ୍ର ପଥରେ ସହଯୋଗ ବୃଦ୍ଧି କରି ଚୀନର ବେଲ୍ଟ ଆଣ୍ଡ୍‌‌ ରୋଡ୍‌‌ ଇନିସିଏଟିଭ୍‌‌କୁ ଭାରତ ଉପଯୁକ୍ତ ଜବାବ ଦେବାକୁ ସକ୍ଷମ ହୋଇଛି। ଏହି ନିଷ୍ପତ୍ତି ଫଳରେ ଆର୍କଟିକ ପଥ ଦେଇ ସିଧାସଳଖ ୟୁରୋପ ଓ ରୁଷ ସହିତ ସଂଯୋଗ କରିପାରିବ। 

ପାକିସ୍ତାନକୁ ସିଧାସଳଖ ଚେତାବନୀ
ଭାରତ-ରୁଷ ଶିଖର ସମ୍ମିଳନୀର ସଂଯୁକ୍ତ ବିବୃତ୍ତିର ଅନୁଚ୍ଛେଦ ୬୦ ପାକିସ୍ତାନ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍‌‌ ନୁହେଁ। ୨୨ ଏପ୍ରିଲ୍‌‌ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ୨୨ ମାର୍ଚ୍ଚ ୨୦୨୪ରେ ମସ୍କୋର କ୍ରୋକସ୍‌‌ ସିଟି ହଲ୍‌‌ ଆକ୍ରମଣକୁ ଏଥିରେ କଠୋର ନିନ୍ଦା କରାଯାଇଛି। ଦୁଇ ଦେଶର ନେତା ଆତଙ୍କବାଦ ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା‘ ନୀତି ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଦେଶ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳଗୁଡ଼ିକୁ ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛନ୍ତି। ଆଫଗାନିସ୍ତାନ ବା ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଭାରତ ଏବଂ ରୁଷ ମିଳିତ ଭାବରେ ନିପାତ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଜାତିସଂଘରେ ଭାରତକୁ ଭିଟୋ କ୍ଷମତା 
ରୁଷ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଓ ଭାରତର ସ୍ଥାୟୀ ସଦସ୍ୟତା ସମର୍ଥନକୁ ପୁନର୍ବାର ଦୋହରାଇଛି ରୁଷ। ସଂଯୁକ୍ତ ବିବୃତିର ଅନୁଚ୍ଛେଦ ୪୨ରେ ଏହା ସ୍ପଷ୍ଟ କରାଯାଇଛି। ରୁଷ ଏକ ସଂସ୍କାରିତ ଓ ବିସ୍ତାରିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ‘ଦୃଢ଼ ଭାବରେ ସମର୍ଥନ କରେ’ ବୋଲି ଉଲ୍ଲେଖ କରିଛି। ଜାତିସଂଘରେ ଭାରତର ପଥକୁ ଅବରୋଧ କରିବାକୁ ଚେଷ୍ଟା କରୁଥିବା ଦେଶମାନଙ୍କ ପାଇଁ ରୁଷ ସ୍ପଷ୍ଟ ବାର୍ତ୍ତା ଦେଇଛି। ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତ ହକଦାର ଏବଂ ଭିଟୋ କ୍ଷମତା ଓ କୂଟନୈତିକ ଲାଭ ବ୍ୟବହାର ଏହାର ଅଧିକାର ବୋଲି ରୁଷ କହିଛି। ଏହା ସହିତ ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ପ୍ରବେଶକୁ ରୁଷ ଦୃଢ଼ ସମର୍ଥନ ଜଣାଇଛି।

ଗଗନଯାନରୁ ଗ୍ରହ ଅନୁସନ୍ଧାନ 
ଦୁଇ ଦେଶ ମହାକାଶ କ୍ଷେତ୍ର, ମାନବ ମହାକାଶ ଉଡ଼ାଣ, ରକେଟ୍‌‌ ଇଞ୍ଜିନ୍‌‌ ବିକାଶ ଏବଂ ଗ୍ରହ ଅନୁସନ୍ଧାନରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଭାରତର ଗଗନଯାନ ମିଶନ ହେଉ କିମ୍ବା ଭବିଷ୍ୟତର ମହାକାଶ ଷ୍ଟେସନର ସ୍ୱପ୍ନ, ରୁଷ ପ୍ରଯୁକ୍ତିବିଦ୍ୟା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ। ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରକୁ ସୁଦୃଢ଼ କରିବାରେ ରୁଷ ଭାରତକୁ ସହଯୋଗ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମାର୍ଗ ଇରାନ ଓ ମଧ୍ୟ ଏସିଆ ଦେଇ ଭାରତକୁ ରୁଷ ଏବଂ ୟୁରୋପ ସହିତ ସଂଯୋଗ କରିବ। ଏହା ସ୍ୱରେଜ୍‌‌ କେନାଲର ଏକ ବିକଳ୍ପ ହୋଇପାରିବ ଓ ବାଣିଜ୍ୟିକ ପରିବହନ ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ। ରୁଷ ଓ ଭାରତୀୟ ରେଳବାଇ ମଧ୍ୟରେ ସହଯୋଗ ପ୍ରଯୁକ୍ତିବିଦ୍ୟା ବିନିମୟକୁ ସହଜ କରିବ।
ଭବିଷ୍ୟତ ସମୟ ପାଇଁ ପ୍ରସ୍ତୁତି

ଆଜି ସମୟରେ ଯାହା ନିକଟରେ ମୂଲ୍ୟବାନ ଖଣିଜ ପଦାର୍ଥ ଓ ସେମିକଣ୍ଡକ୍ଟର ଚିପ୍ପସ ଅଛି, ବିଶ୍ୱରେ ସେ ସବୁଠୁ ଶକ୍ତିଶାଳୀ। ମିଳିତ ବିବୃତ୍ତିର ଅନୁଚ୍ଛେଦ ୩୩ରେ ଉଚ୍ଚ ପ୍ରଯୁକ୍ତି ଶିଳ୍ପ ଏବଂ ବୈଦ୍ୟୁତିକ ଯାନବାହନ ପାଇଁ ଅତ୍ୟାବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ବିରଳ ପୃଥିବୀର ଅନୁସନ୍ଧାନ ଏବଂ ପ୍ରକ୍ରିୟାକରଣରେ ସହଯୋଗ ବିଷୟରେ ଆଲୋଚନା ହେଇଛି। ଦୁଇ ଦେଶ କ୍ୱାଣ୍ଟମ୍‌‌ କମ୍ପ୍ୟୁଟିଂ, ଇଓ ଏବଂ ଡିଜିଟାଲ୍‌‌ ସୁରକ୍ଷାରେ ମଧ୍ୟ ଏକାଠି କାମ କରିବେ ବୋଲି ନିଷ୍ପତ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର