ଶ୍ରୀମନ୍ଦିରରେ ବିଶ୍ୱବ୍ରହ୍ମାଣ୍ଡର ପରିକଳ୍ପନା

The Sakala Picture
Published On

ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି, ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନକାଳରୁ ଚଳିଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ତା’ର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ପୌରାଣିକ ଯୁଗରେ ମଧ୍ୟ ବଡ଼ଦେଉଳର ମହାପ୍ରସାଦ ମାହାତ୍ମ୍ୟ ଥିଲା। ଭାଗବତ ପୁରାଣ, ବିଷ୍ଣୁ ଧର୍ମ ପୁରାଣ, ବରାହ […]

ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି, ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନକାଳରୁ ଚଳିଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ତା’ର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ପୌରାଣିକ ଯୁଗରେ ମଧ୍ୟ ବଡ଼ଦେଉଳର ମହାପ୍ରସାଦ ମାହାତ୍ମ୍ୟ ଥିଲା। ଭାଗବତ ପୁରାଣ, ବିଷ୍ଣୁ ଧର୍ମ ପୁରାଣ, ବରାହ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ରୁଦ୍ରଯାମଳ, ବାୟୁ ପୁରାଣ ପ୍ରଭୃତିରେ ମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣିତ ଅଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଜଗନ୍ନାଥ ଦେଉଳ ଗୋଟିଏ ପ୍ରକାଣ୍ଡ ବ୍ରହ୍ମାଣ୍ଡ। ଦେଉଳର ନାମ ବଡ଼ ଦେଉଳ। ଦେଉଳର ଚତୁଃପାର୍ଶ୍ବରେ ଗୋଟିଏ ପ୍ରକାଣ୍ଡ ପ୍ରାଚୀର ଅଛି। ଏହାକୁ ବାହାର ବେଢ଼଼ା କୁହାଯାଏ। ମେଘନାଦ ପ୍ରାଚୀର ଅନ୍ୟ ଏକ ନାମ। ପ୍ରାଚୀର ଚାରିଦିଗରେ ଚାରିଦ୍ୱାର। ୧- ପୂର୍ବଦ୍ୱାର ବା ସିଂହଦ୍ୱାର, ୨- ପଶ୍ଚିମଦ୍ୱାର, ୩- ଉତ୍ତରଦ୍ୱାର ଓ ୪- ଦକ୍ଷିଣଦ୍ୱାର। ସିଂହଦ୍ୱାର ନିକଟରେ ପ୍ରକାଣ୍ଡ ଅରୁଣ ସ୍ତମ୍ଭ ଉପରେ ଗରୁଡ଼ ମୂର୍ତ୍ତି। ଏହି ସ୍ତମ୍ଭ କୋଣାର୍କରୁ ଆସିଥିବାର କଥିତ ହୁଏ। ପଥରରେ ନିର୍ମିତ। ସିଂହଦ୍ୱାର ଦୁଇପାର୍ଶ୍ବରେ ଦୁଇଟି ପ୍ରକାଣ୍ଡ ସିଂହମୂର୍ତ୍ତି। ସିଂହଦ୍ୱାର ଡେଇଁ ଭିତରେ ପ୍ରବେଶ କଲେ ପତିତପାବନ ମୂର୍ତ୍ତି ଦେଖାଯା’ନ୍ତି। ରାଜା ରାମଚନ୍ଦ୍ର ଦେବ ଏହି ମୂର୍ତ୍ତି ନିର୍ମାଣ କରିଥିଲେ। ଗୁମୁଟ ପାର ହୋଇଗଲେ ବାଇଶି ପାବଚ୍ଛ। ବାଇଶି ପାବଚ୍ଛର ବାମ ପାର୍ଶ୍ବରେ କାଶୀ ବିଶ୍ୱନାଥ, ବ୍ରହ୍ମା, ରାମ ଲକ୍ଷ୍ମଣ ପ୍ରଭୃତି ମୂର୍ତ୍ତି। ବାହାର ବେଢ଼଼ା ମଧ୍ୟରେ ରୋଷଘର, ସରଘର, ଚୈତନ୍ୟମୂର୍ତ୍ତି, ପୁଷ୍ପୋଦ୍ୟାନ, ନିର୍ମାଲ୍ୟଖଳା, ତୁଳସୀ ବଗିଚା, ବୀର ହନୁମାନ ମୂର୍ତ୍ତି, କୋଇଲି ବୈକୁଣ୍ଠ, ଈଶାନେଶ୍ୱର, ଶୀତଳା, ସୁନା କୂଅ, ଆନନ୍ଦ ବଜାର, ସ୍ନାନ ବେଦୀ। ବାହାର ବେଢ଼଼ା ଗୁମୁଟ ପାର ହୋଇ ଗଲେ ଭିତର ବେଢ଼଼ାରେ ପ୍ରବେଶ ହେବ। ଯେଉଁମାନେ ବେଢ଼଼ା ପରିକ୍ରମା କରନ୍ତି, ସେମାନେ ବାହାର ବେଢ଼଼ା ଗୁମୁଟ ପାର ହୋଇ ବାମ ଦିଗରେ ଯାଆନ୍ତି। ସତ୍ୟନାରାୟଣ, ବାଳମୁକୁନ୍ଦ, କଳ୍ପବଟ, ବଟଗଣେଶ, ବାଟମଙ୍ଗଳା, ଯମେଶ୍ୱର, ମାର୍କଣ୍ଡେଶ୍ୱର, ମୁକ୍ତିମଣ୍ଡପ, ନୃସିଂହ, ରୋହିଣୀକୁଣ୍ଡ, କାକଚତୁର୍ଭୁଜ, ବିମଳା, କାଞ୍ଚି ଗଣେଶ, ଶ୍ରୀକୃଷ୍ଣ, ଭଣ୍ଡଗଣେଶ, ଭୁବନେଶ୍ୱରୀ, ସରସ୍ୱତୀ, ଷଷ୍ଠୀଦେବୀ, ମଙ୍ଗଳା, କାଳୀ, ଲକ୍ଷ୍ମୀ, ପଦ୍ମପାଦ, ସୂର୍ଯ୍ୟନାରାୟଣ, ପାଦପଦ୍ମ ପ୍ରଭୃତି ଅନେକ ମୂର୍ତ୍ତି ଦେଖାଯା’ନ୍ତି। ଭିତର ବେଢ଼଼ା ମଧ୍ୟରେ ମୁଖଶାଳା, ଜଗମୋହନ ଓ ବଡ଼ଦେଉଳ। ଦେଉଳ ମୂଳଠାରୁ ଦଧିନଉତି ପର୍ଯ୍ୟନ୍ତ ଅନେକ ମୂର୍ତ୍ତି ଖୋଦିତ ଅଛି। ଉପରେ ଅନେକ ଦେବଦେବୀ ମୂର୍ତ୍ତି ମଧ୍ୟରେ ସଂସାରର ଚିତ୍ର, ପଶୁପକ୍ଷୀ ଇତ୍ୟାଦି। ଦେଉଳ ଭିତର ଜଗମୋହନ କାନ୍ଥରେ ଅନେକ ଖୋଦିତ ଓ ଚିତ୍ର ମୂର୍ତ୍ତି ଅଛି। ରତ୍ନସିଂହାସନରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚକ୍ର ବିରାଜମାନ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଜଗନ୍ନାଥ ଦେଉଳ ଦେଖିଲେ ମନେହୁଏ ଏ ଗୋଟିଏ ବିଶ୍ୱବ୍ରହ୍ମାଣ୍ଡର କ୍ଷୁଦ୍ର ପ୍ରତିକୃତି। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରର ଚିତ୍ର ଏଠାରେ ଦେଖାଯାଏ। ଅନେକ ଲୋକ ହିନ୍ଦୁମାନଙ୍କ ଦେଉଳ, ମୂର୍ତ୍ତି ପ୍ରଭୃତି ଦେଖି ସେମାନଙ୍କୁ ପୌତ୍ତଳିକ ବୋଲି କହିଥା’ନ୍ତି। ହିନ୍ଦୁ ଗ୍ରାମମାନ ଦିଅଁଦେଉଳରେ ପୂର୍ଣ୍ଣ। ପ୍ରତି ଗ୍ରାମ, ପ୍ରତି ସହରରେ ଦେବମନ୍ଦିର ଅଛି। ପୌତ୍ତଳିକ ବୋଲି ଯେଉଁମାନେ କହନ୍ତି, ସେମାନେ ସମ୍ଭବତଃ ହିନ୍ଦୁ ଧର୍ମର ସାର ବୁଝିନାହାନ୍ତି। ହିନ୍ଦୁମାନେ ପ୍ରକୃତରେ ନିର୍ଜୀବ କାଠ ପଥରକୁ ପୂଜା କରନ୍ତି ନାହିଁ। ସେମାନେ ଯେଉଁ ମୂର୍ତ୍ତି ପୂଜା କରନ୍ତି, ତହିଁରେ ସେହି ସର୍ବଶକ୍ତିମାନ, ସର୍ବବ୍ୟାପକ ପରମାତ୍ମାଙ୍କ ଆବାହନ କରି ପୂଜା କରନ୍ତି। ମୂର୍ତ୍ତି ନିମିତ୍ତ ମାତ୍ର। ଭଗବାନ କାଷ୍ଠ ପାଷାଣ ତରୁ ତୃଣ ସର୍ବତ୍ର ବ୍ୟାପୀ ରହିଅଛନ୍ତି। ମୂର୍ତ୍ତିରେ ତାଙ୍କ ସତ୍ତା ଉପଲବ୍‌‌ଧି କରିପାରିବାର ଅସମ୍ଭବ ହେବ କାହିଁକି ?

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଗୀତାରେ ମଧ୍ୟ ଅଛି- ନିରାକାର ଉପାସନା ଅପେକ୍ଷା ସାକାର ଉପାସନା ସହଜ। ସାକାର ଦ୍ୱାରା ନିରାକାର ଉପଲବ୍‌‌ଧି କରାଯାଇପାରେ। ମନୁଷ୍ୟ ସାକାର, ସସୀମ। ସେ ଏକାବେଳକେ ଅସୀମ ନିରାକାର। ବସ୍ତୁର ଧାରଣା କରିପାରିବା କଠିଣ। ଯିଏ କରିପାରିଲା କରୁ, ସେଥିରେ ଆପତ୍ତି ନାହିଁ; ମାତ୍ର ତହିଁପାଇଁ ଅନ୍ୟାନ୍ୟ ସାଧାରଣ ଧ୍ୟାନ ଧାରଣା ଶକ୍ତି ଆବଶ୍ୟକ। ପ୍ରଭୁଙ୍କ କୃପାରୁ ଯାହାର ସେ ଶକ୍ତି ଅଛି, ସେ କରୁ; ମାତ୍ର ଲୋକସାଧାରଣ ଲାଗି ସାକାର ଉପାସନା ସହଜ, ସୂକ୍ଷ୍ମ ଉପାୟ। ତେଣୁ ହିନ୍ଦୁ ଜଗତରେ ସାକାର ପୂଜାର ବହୁଳତା। ପ୍ରହଲ୍ଲାଦ ସ୍ତମ୍ଭରେ ଈଶ୍ୱର ଦେଖିପାରିଲେ। ସାକାର ପୂଜା ହେଉ ବା ନିରାକାର ପୂଜା ହେଉ, ମନଟାକୁ ଭଗବାନଙ୍କଠାରେ ଅର୍ପଣ କରିପାରିଲେ ହେଲା। ମନ ଦୃଢ଼ ହେଲେ ଗଡ଼ିଆ ଗଙ୍ଗା। ଯାହା ମନ ମୁନ ଭଗବାନଙ୍କଠାରେ ଥିବ, ସେ ତ ସର୍ବତ୍ର ଭଗବାନଙ୍କ ମୂର୍ତ୍ତି ଦର୍ଶନ କରିବ।

ଜଗନ୍ନାଥ ମନ୍ଦିରରେ ଯେଉଁ ସାମ୍ୟ ଧର୍ମ ପ୍ରଚଳିତ ଅଛି, ଅନ୍ୟତ୍ର ନାହିଁ। ଏଠାରେ ଜାତିଭେଦ ନାହିଁ। ଭଗବାନଙ୍କ ପ୍ରସାଦରେ ରୁଚି ବିକାର ନାହିଁ। ଭଗବାନ ଏଠାରେ ସ୍ୱୟଂ ଅଛନ୍ତି ବୋଲି ଲୋକେ ଯାହା ବିଶ୍ୱାସ କରନ୍ତି, ତାହା ଅନାଦି ଆବହମାନକାଳରୁ ଚଳିଆସୁଛି। ଜଗନ୍ନାଥ ଦେଉଳ ଉପରେ କେତେ ବିଧର୍ମୀ ବିପଦ ବାତ୍ୟା ବହିଗଲାଣି, ତା’ର ମାହାତ୍ମ୍ୟ ଅକ୍ଷୁଣ୍ଣ ରହିଛି। ପୌରାଣିକ ଯୁଗରେ ମଧ୍ୟ ବଡ଼ଦେଉଳର ମହାପ୍ରସାଦ ମାହାତ୍ମ୍ୟ ଥିଲା। ଭାଗବତ ପୁରାଣ, ବିଷ୍ଣୁ ଧର୍ମ ପୁରାଣ, ବରାହ ପୁରାଣ, ଗରୁଡ଼ ପୁରାଣ, ବିଷ୍ଣୁ ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ରୁଦ୍ରଯାମଳ, ବାୟୁ ପୁରାଣ ପ୍ରଭୃତିରେ ମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣିତ ଅଛି।

ଓଁକାର ଯନ୍ତ୍ରାନୁରୂପ ମୂର୍ତ୍ତିତ୍ରୟ ଗଠିତ ହୋଇଛନ୍ତି। ଉତ୍ତର ମୀମାଂସା ଓ ପୂର୍ବ ମୀମାଂସାର ମତ ଏଠାରେ ସାମଞ୍ଜସ୍ୟ କରାଯାଇଅଛି। ଓଁକାର ବିରାଟ ମୂର୍ତ୍ତିର ପରିଚାୟକ। ସୁତରାଂ କରଚରଣ ବିହୀନ। ଓଁକାର ତ୍ରିଗୁଣାତ୍ମକ ବୋଲି ତ୍ରିମୂର୍ତ୍ତିର ସୃଷ୍ଟି। ସତ୍ତ୍ୱ, ରଜ, ତମ ଅବା ପରମାତ୍ମା ଆତ୍ମା ମାୟାର ପରିଚାୟକ। ରାଜର୍ଷି ଇନ୍ଦ୍ରଦ୍ୟୁମ୍ନ କର୍ମକାଣ୍ଡ ଓ ଜ୍ଞାନ କାଣ୍ଡାତ୍ମକ ନବଭକ୍ତିରେ ଏହି ମୂର୍ତ୍ତି ସ୍ଥାପନ କରାଇଥିଲେ। ଏହି ହେତୁ ଆଗମ ଯୁଗର ବ୍ୟକ୍ତି, ପୌରାଣିକ ଯୁଗର ଲୋକ ଏବଂ ଶଙ୍କର ପ୍ରଭୃତି ପର ଯୁଗର ଭକ୍ତମାନେ ସମଭାବରେ ଆଦର କରନ୍ତି। ସକଳ ସମ୍ପ୍ରଦାୟର ଭକ୍ତମାନେ ଏହି ମୂର୍ତ୍ତିମାନଙ୍କୁ ଦେଖି ଆପଣା ଆପଣା ଇଷ୍ଟଦେବତାଙ୍କୁ ଅନୁଭବ କରିପାରନ୍ତି। ଦାରୁବ୍ରହ୍ମ ମୂର୍ତ୍ତି ସମ୍ବନ୍ଧେ ଅନେକ ପ୍ରାଚୀନ ପ୍ରମାଣ ଅଛି। ତୈତ୍ତରୀୟ ଶ୍ରୁତି, ବୃହତ୍‌‌ ବିଷ୍ଣୁ ପୁରାଣ, ଶ୍ରୀ ଭାଗବତ, ବ୍ରହ୍ମବୈବର୍ତ୍ତ, ସ୍କନ୍ଦ ପୁରାଣ, ଗରୁଡ଼ ପୁରାଣ, ନରସିଂହ ପୁରାଣ, ବାୟୁ ପୁରାଣ, ବିଷ୍ଣୁ ଯାମଳ, ବ୍ରହ୍ମ ଯାମଳ, ଉତ୍କଳ ପ୍ରଭୃତି ପ୍ରାଚୀନ ପୁରାଣମାନେ, ଦାରୁ ବ୍ରହ୍ମ ମୂର୍ତ୍ତି ଜଗନ୍ନାଥ, ପୁରୁଷୋତ୍ତମ କ୍ଷେତ୍ର ପ୍ରଭୃତି କଥା ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି। ଓଁକାର ମୂର୍ତ୍ତି ସମ୍ବନ୍ଧେ ଉତ୍କଳଖଣ୍ଡରେ ଲେଖା ଅଛି। ମହାଭାରତଠାରୁ ଆରମ୍ଭ କରି ସର୍ବଶେଷ ପୁରାଣ ଭାଗବତ ପର୍ଯ୍ୟନ୍ତ ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ କୀର୍ତ୍ତିତ ହୋଇଆସିଛି। ପୁରାଣ, ତନ୍ତ୍ର, ପ୍ରାଦେଶିକ ସ୍ମୃତି ଶାସ୍ତ୍ରମାନଙ୍କରେ ପୁରୁଷୋତ୍ତମ ମାହାତ୍ମ୍ୟ କୀର୍ତ୍ତିତ। ସମଗ୍ର ହିନ୍ଦୁଜାତିର ପବିତ୍ର ଶ୍ରେଷ୍ଠତମ ଧର୍ମକ୍ଷେତ୍ର ଏହି ପୁରୁଷୋତ୍ତମ।

ଦେବପ୍ରସାଦ ମିଶ୍ର
କଟକ, ମୋ: ୯୪୩୭୦୨୩୩୯୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର