ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ଚିଲିକା ହ୍ରଦର ଦ୍ୱୀପାଞ୍ଚଳ ଓ ମଧ୍ୟଭାଗରେ ଥିବା ଗ୍ରାମଗୁଡ଼ିକର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଏବେ କେବଳ କାଗଜପତ୍ର ଓ ପ୍ରତିଶ୍ରୁତିରେ ସୀମିତ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଚିଲିକା ମଝିରେ ରହିଥିବା ମଏଁଷା, ବ୍ରହ୍ମପୁର, ଖୀରିସାହି ଓ ଜହ୍ନିକୁଦା ଭଳି ଗ୍ରାମବାସୀଙ୍କ ପାଇଁ ପ୍ରାୟ ୧୫ ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ଯୋଗାଇ ଦିଆଯାଇଥିବା ବୋଟ୍ ଆମ୍ବୁଲାନ୍ସ ଏବେ ସମ୍ପୂର୍ଣ୍ଣ ଅକାମୀ ଅବସ୍ଥାରେ ପଡ଼ିରହିଛି।ଚିଲିକା ହ୍ରଦର ଦ୍ୱୀପାଞ୍ଚଳବାସୀଙ୍କୁ ଭାଗ୍ୟର ଭରସାରେ ଛାଡ଼ିଦେଇଥିବା ଏହି ବୋଟ୍ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ନେଇ ସାତପଡ଼ାଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଏବେ ଚର୍ଚ୍ଚା ଜୋର୍ ଧରିଛି। ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କିପରି ଅବ୍ୟବହୃତ ହୋଇ ପାଣିରେ ପଡ଼ିରହିଛି ଏବଂ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଏହାକୁ ଦେଖି ମଧ୍ୟ ନ ଦେଖିଲା ଭଳି ରହୁଛନ୍ତି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

କେବଳ କାଗଜପତ୍ରର ବାହାନା ଓ ଯୋଜନାର ସଫଳତାର ପ୍ରଚାର କରି ବାଃ ବାଃ ନେଉଥିବା ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଏହାର ସଠିକ୍ ରକ୍ଷାବେକ୍ଷଣ କରୁନାହାନ୍ତି, ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଏକପଟେ ସରକାର ଦ୍ୱୀପାଞ୍ଚଳବାସୀଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଢେର୍ ଡିଣ୍ଡିମ ପିଟୁଥିବାବେଳେ, ଅନ୍ୟପଟେ ଚିଲିକାର ଏହି ଜଳପଥରେ ଜରୁରୀକାଳୀନ ଡାକ୍ତରୀ ସହାୟତା ଅଭାବରୁ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ରାତି ଅଧିଆ କିମ୍ବା ଅନ୍ୟ କୌଣସି ଜରୁରୀ ସମୟରେ ମଏଁଷା, ବ୍ରହ୍ମପୁର, ଖୀରିସାହି ଓ ଜହ୍ନିକୁଦା ଭଳି ଦ୍ୱୀପାଞ୍ଚଳର କୌଣସି ବ୍ୟକ୍ତି ଗୁରୁତର ଅସୁସ୍ଥ ହେଲେ, ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ପରିବାର ଓ ସ୍ଥାନୀୟ ଲୋକଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। ଏପରିକି ସାଧାରଣ ଲୋକଙ୍କ ବ୍ୟବହାର ପାଇଁ କୌଣସି ଟେଲିଫୋନ୍ ନମ୍ବର କିମ୍ବା ହେଲ୍ପଲାଇନ୍ ବ୍ୟବସ୍ଥା ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଏହି ଖବର ପ୍ରକାଶ ପାଇବା ଏବଂ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିବା ପରେ ପ୍ରଶାସନର ଚେତା ପଶୁଛି କି ନାହିଁ, ଏବଂ ତୁରନ୍ତ ଏହି ବୋଟ୍ ଆମ୍ବୁଲାନ୍ସକୁ ମରାମତି କରି ପୁନର୍ବାର କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଉଛି କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp