ପୁଲିସ ଏସ୍‌ଆଇ ଚାକିରି ବିକ୍ରି ଘଟଣା; ଅନିଶ୍ଚିତତାରେ ପରୀକ୍ଷା; ଚିନ୍ତାରେ ଆଶାୟୀ ...

Deviprasad Mohanty Picture
Published On

ଭୁବନେଶ୍ୱର: ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ରାକେଟ୍‌ ଧରାପଡ଼ିବାକୁ ୨୫ଦିନ ବିତିଲାଣି। ପୁଲିସ୍‌ଠାରୁ କ୍ରାଇମ୍‌ବ୍ରାଞ୍ଚ ଏବଂ କ୍ରାଇମ୍‌ବ୍ରାଞ୍ଚଠାରୁ ସିବିଆଇକୁ ତଦନ୍ତ ଭାର ଦିଆଗଲାଣି। ଚାକିରି ବିକ୍ରି ରାକେଟ୍‌ର ଚେର ରାଜ୍ୟ ବାହ‌ାରକୁ ଲମ୍ବିଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡ଼ିଥିଲେ ମଧ୍ୟ ପ୍ରକୃତ ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚିବାକୁ ତଦନ୍ତକାରୀ ସଂସ୍ଥାମାନେ ସଫଳ ହୋଇନାହାନ୍ତି। ହେଲେ, ପୁନଃ ପରୀକ୍ଷା କେବେ ହେବ, ସେନେଇ ଓଡ଼ିଶା ପୁଲିସ୍‌ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ। ଫଳରେ ଆଶାୟୀଙ୍କ ମଧ୍ୟରେ ଆଶଙ୍କା ବଢ଼ିବା ସହ ସେମାନେ ମାନସିକ ଚିନ୍ତାରେ କାଳାତିପାତ କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗତ ୯ ତାରିଖରେ ଓପିଆର୍‌ବି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଖୋଦ୍‌ ଓପିଆର୍‌ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ସାମ୍ବାଦିକ ସମ୍ମିଳନୀ ଡାକିବା ସହ ଗଣମାଧ୍ୟମ ଜରିଆରେ ପରୀକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦିଆଯିବ ବୋଲି କହିଥିଲେ। ଫଳରେ ପରୀକ୍ଷା ନେଇ କିଛି ସ୍ପଷ୍ଟ ସୂଚନା ମିଳିବ ବୋଲି ପରୀକ୍ଷାର୍ଥୀମାନେ ଆଶା ବାନ୍ଧିଥିଲେ। ହେଲେ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ତାହାକୁ ବାତିଲ୍‌ କରିଦେଲେ। ଅନିବାର୍ଯ୍ୟ କାରଣବଶତଃ ସାମ୍ୱାଦିକ ସମ୍ମିଳନୀକୁ ସ୍ଥଗିତ ରଖାଯାଉଥିବା କହିବା ସହ ପରବର୍ତ୍ତୀ ସାମ୍ୱାଦିକ ସମ୍ମିଳନୀର ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇ ଖୁବ୍‌ଶୀଘ୍ର ସୂଚନା ଦିଆଯିବ ବୋଲି କହିଲେ। ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଆଶାୟୀମାନଙ୍କୁ ଅନୁରୋଧ କରିବା ସହ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଆଶ୍ୱାସନା ଦେଇଥିଲେ। ଏହାକୁ ୧୬ ଦିନ ବିତିଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଡାକି ବା ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରି ପରୀକ୍ଷା ସମ୍ପର୍କରେ ପଦୁଟିଏ କହିଲେ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଅପରପକ୍ଷେ, ୧୧ ତାରିଖ ଦିନ କିଛି ଗଣମାଧ୍ୟମର ପ୍ରତିନିଧିଙ୍କୁ ଏକ ଲେଖା ଧରାଇଦେଲେ। ତହିଁରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ପରେ ଯାଇ ନିଯୁକ୍ତି ପ୍ରକ୍ରିୟା ପୁନଃ ଆରମ୍ଭ କରାଯିବ ଓ ଯଥାଶୀଘ୍ର ଶେଷ କରାଯିବ ବୋଲି ଉଲ୍ଲେଖ କରିଥିଲେ। ହେଲେ କ୍ରାଇମ୍‌ବ୍ରାଞ୍ଚ ହାତରୁ ସିବିଆଇକୁ ତଦନ୍ତଭାର ଦିଆଯାଇଥିବାରୁ କେବେ ତଦନ୍ତ ସରିବ ଓ କେବେ ପୁନଃ ପରୀକ୍ଷା ହେବ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଅନୁରୂପ ଭାବେ ୨୨ତାରିଖରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସୁପାରିସ୍‌ କରିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଗଲା। ତହିଁରେ ପୁଲିସ୍‌ ପରି ସମସ୍ତ ପ୍ରକାର ୟୁନିଫର୍ମଧାରୀଙ୍କୁ ନିଯୁକ୍ତି ପାଇଁ ଏକ ନୂତନ ସ୍ଥାୟୀ ଆୟୋଗ ଗଠନ କରିବାକୁ ସରକାର ବିଚାର କରୁଥିବା ଉଲ୍ଲେଖ କରିଛନ୍ତି। ଫଳରେ ଓପିଆର୍‌ବିକୁ ଉଚ୍ଛେଦ କରିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଫଳରେ ପୁଲିସ୍‌ ଏସ୍‌ଆଇ ପରୀକ୍ଷା ଓପିଆର୍‌ବି କରିବ ନା ନୂତନ ଆୟୋଗ ଗଠନ ହେବା ପରେ ଯାଇ ପରୀକ୍ଷା ଅନୁଷ୍ଠିତ ହେବ, ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓପିଆର୍‌ବି ବା ସରକାରଙ୍କ ପକ୍ଷରୁ ପରୀକ୍ଷା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନଥିବାରୁ ପରୀକ୍ଷାର୍ଥୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ଜାନୁଆରୀରୁ ସ୍ନାତକ ପଢ଼ୁଆଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ବାହାରି ନଥିବା ବେଳେ ସେମାନେ ପରିବାର ଉପରେ ନିର୍ଭରଶୀଳ ହୋଇ କେତେଦିନ ପରୀକ୍ଷା ପ୍ରସ୍ତୁତି କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏଣୁ, ଦୁଇଥର ବାତିଲ୍‌ ହୋଇଥିବା ପୁଲିସ୍‌ ଏସ୍‌ଆଇ ପରୀକ୍ଷା କେବେ ଅନୁଷ୍ଠିତ ହେବ ଏବଂ କେଉଁ ସଂସ୍ଥା ପରୀକ୍ଷା ପରିଚାଳନା କରିବ, ସେ ସମ୍ପର୍କରେ ସରକାର ସ୍ପଷ୍ଟ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର