ଆମ ପଖାଳ, ଆମ ପଖାଳ କଂସାର ଜୟଗାନ

The Sakala Picture
Published On

ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପଖାଳ ଅଛି ମାନେ ପଖାଳ କଂସା ବେଲା ବି ପଖାଳ ସହିତ ପାରମ୍ପରିକ ଭାବେ ଯୋଡ଼ି ହୋଇ ରହିଛି। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରୁ ନିସୃତ ‘ଆସ ଜୀବନ ଧନ, ମୋର ପଖାଳ କଂସା’ ଆଜି ସମସ୍ତ ଓଡ଼ିଆଙ୍କର ହୃଦୟରେ ଗୁଞ୍ଜରଣ ହେଉଛି। କବିଚନ୍ଦ୍ରଙ୍କ ଶେଷ ପଙକ୍ତିଟି ‘ଚାଖୀ ନାହିଁ ଯେ ଥରେ-ଧିକ୍‌ ତା’ […]

ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପଖାଳ ଅଛି ମାନେ ପଖାଳ କଂସା ବେଲା ବି ପଖାଳ ସହିତ ପାରମ୍ପରିକ ଭାବେ ଯୋଡ଼ି ହୋଇ ରହିଛି। କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ରଚିତ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରୁ ନିସୃତ ‘ଆସ ଜୀବନ ଧନ, ମୋର ପଖାଳ କଂସା’ ଆଜି ସମସ୍ତ ଓଡ଼ିଆଙ୍କର ହୃଦୟରେ ଗୁଞ୍ଜରଣ ହେଉଛି। କବିଚନ୍ଦ୍ରଙ୍କ ଶେଷ ପଙକ୍ତିଟି ‘ଚାଖୀ ନାହିଁ ଯେ ଥରେ-ଧିକ୍‌ ତା’ ଜନମରେ, ମଣିଷ ଯାକରେ ସେ ତ ଅଣପୁରୁଷ’ ବେଶ୍‌ ଥଟ୍ଟାଳିଆ ଓ ମଜାଳିଆ। ଏଥିରୁ ଜଣାଯାଏ, ଆମ ହାଣ୍ଡିଶାଳର ପଖାଳ ହେଉଛି ଓଡ଼ିଆର ଅନ୍ୟତମ ପରିଚୟ ଓ ଅସ୍ମିତା।
ଏବେ ବି ଅନେକ ପଖାଳ ଭାତ, ବାସିଭାତ, ତୋରାଣି, ବାସି ରୁଟିକୁ ନାକ ଟେକିଲା ବେଳେ ଅନେକ ପଖାଳର ଜୟଗାନ କରିଥାନ୍ତି। ଆମ ସଂସ୍କୃତିର ବାହାକ ପଖାଳର ଜୟଯାତ୍ରା କାହିଁ କେବେଠୁ ପିଢ଼ି ପରେ ପିଢ଼ି ଆଗେଇ ନେଇଛନ୍ତି।

ତାହା କିଛି ବର୍ଷ ଧିମା ପଡ଼ିଯିବାରୁ ୨୦୧୨ ମସିହାରୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ’ ଭାବେ ପାଳନ କରି ସବୁ ଓଡ଼ିଆ, ଓଡ଼ିଆଣୀ ବିଶ୍ବବ୍ୟାପୀ ଗ୍ରୀଷ୍ମଋତୁକୁ ସ୍ବାଗତ କରୁଛନ୍ତି। ଦେଖୀବାକୁ ଗଲେ ପଖାଳ ଓଡ଼ିଆଙ୍କର ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ମନ ପଖାଳ କଂସା ପାଖକୁ ଆପେ ଆପେ ଟାଣି ହୋଇଯାଏ। ୟାକୁ ନେଇ ପଶ୍ଚିମ ଓଡ଼ିଶାର ଢଗଟି ହେଲା, ‘ଅଖାଇ ନାନୀର ବାର ବରତ, ସକାଳୁ ଖାଇଲା ପଖାଳ ଭାତ।’ ଉପକୂଳିଆ ଢଗଟି ହେଲା, ‘ସେ କାଳ ପଖାଳ ଏ କାଳକୁ ନାହିଁ। ହଜିଲା ବଳଦ ମିଳଇ ନାହିଁ।’ ଧନୀଠାରୁ ଗରିବ ସମସ୍ତେ ଖୋଜନ୍ତି ପଖାଳ କଂସା, ଆଉ ଖାଇବା ପରେ ତୋରାଣି ଦି’ ଢ଼ୋକ ପିଇ ଦେଇ ଆତ୍ମତୃପ୍ତିରେ ଓ’ଡ଼ି ମାରି ପାଟିରୁ ବାହାରି ପଡ଼େ ‘ଓଃ କି ଶାନ୍ତି…।’

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଏହି ପଖାଳ ଶ୍ରୀମନ୍ଦିରରେ ଦୈନନ୍ଦିନ ଲାଗି ହେଉଥିବା (ଗୁଣ୍ଡିଚା ଯାତ୍ରାଠାରୁ ନିଳାଦ୍ରିବିଜେକୁ ଛାଡ଼ି) ଛପନ ଭୋଗ ମଧ୍ୟରେ ଅନ୍ୟତମ। ଯାହା ଚତୁର୍ଦ୍ଧା ବିଗ୍ରହଙ୍କ ପାଖରେ ଦହି ପଖାଳ ରୂପେ ଲାଗି ହୁଏ। ପ୍ରଭୁଙ୍କ ଦ୍ବିପହର ଧୂପରେ ‘ସୁବାସ ପଖାଳ’, ସନ୍ଧ୍ୟା ଧୂପରେ ‘ଚିପୁଡ଼ା ପଖାଳ’, ବଡ଼ ସିଂହାର ଧୂପରେ ‘ଘିଅ ପଖାଳ’ ଲାଗି ହୁଏ। ଏଭଳି ଭୋଗ ପ୍ରସ୍ତୁତି ଓ ଅର୍ପଣ ସାରା ସୃଷ୍ଟିରେ ବିରଳ। ଏହାକୁ ନେଇ ଲୋକକଥା ଅଛି, ‘ଏମିତି ଦିଅଁ କେଉଁଠି ଅଛି, ପଖାଳ ଭାତରେ ଘିଅ ଖାଉଛି।’

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ଭାରତ ଓ ଭାରତ ବାହାରେ ପଖାଳର ଚାହିଦା ଏବେ ଦେଖୀବାକୁ ମିଳିଲାଣି। ୟୁରୋପୀୟ ଦେଶରେ ପଖାଳକୁ ‘ୱାଟର ରାଇସ୍‌’ କୁହାଯାଏ। ଏବେ ଆମ ସହରୀବାବୁଙ୍କ ପଖାଳ ଖୀଆ ବହୁ ଚର୍ଚ୍ଚାରେ। ଝୁମ୍ପୁଡ଼ି ହୋଟେଲରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସବୁଠୁ ପଖାଳ ସହିତ ପ୍ରସ୍ତୁତି ହେଉଛି ସ୍ପେଶାଲ ମେନୁ। ସାଦା ପଖାଳ, ଦହି ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ, ଲେମ୍ବୁ ପଖାଳ, ଅଦା ପଖାଳ ସହିତ ମେନୁ ରହୁଛି ମଟନ କଷା, ଚିକେନ୍ କଷା, ମସଲା ଶୁଖୁଆ, କଙ୍କଡ଼ା ଛେଚା, ଚିଙ୍ଗୁଡ଼ି କଳମ ଶାଗ ଭଜା, ନଡ଼ିଆ ଚଟଣି, ଇତ୍ୟାଦି। ସେହିପରି ଗ୍ରାମାଞ୍ଚଳ ପଖାଳରେ ସଙ୍ଗାତ ଥିଲେ ଆମ୍ବ ଚଟଣୀ, ନିମକଢ଼ି ଭଜା, ପିଆଜ, ଉଲି ପିଆଜ, ମଦରଙ୍ଗା, ସୁନୁସୁନିଆ ଶାଗ, ସଜନା ଛୁଇଁ ବେସର ଭଜା, ବିଲ କେରଣ୍ଡି ଭଜା, ଇତ୍ୟାଦି। ଏବେ ବି ଅଛି।

ତେବେ ପଖାଳ ସହିତ ମିତ ବସିବା ସମୟ ଆସିଛି ବୋଲି ସମସ୍ତେ ପଖାଳକୁ ଆଦରି ନେବା ସଙ୍ଗେ ସଙ୍ଗେ ପଖାଳ କଂସା ବେଲା ଏବଂ ଅନ୍ୟାନ୍ୟ ବାସନକୁସନକୁ ସିନ୍ଦୁକରୁ ବାହାର କଲେଣି, ପଖାଳ ଦିବସକୁ ଝୁଙ୍କରେ ପାଳନ ପାଇଁ। ଏଠି କହି ରଖେ, ପଖାଳର ଯେପରି ଭିନ୍ନ ଭିନ୍ନ ନାମ ରହିଛି, ପଖାଳ କଂସା ବେଲାର ନାମ ଓଡ଼ିଶାର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମ ଥିଲା। ଯଥା- ‘ହାତୀ ପାହୁଲିଆ ବେଲା’, ‘ଟଭା ଫାଳିଆ ବେଲା’, ‘ଅଣ୍ଟାଭଙ୍ଗା’, ‘ପୋଚ କଂସା ବେଲା’ (ସବୁଠୁ ଗୋଦରମାନେ ୪/୫ ସେର ଓଜନ, ଦକ୍ଷିଣୀ ଚାଷୀପୁଅର ସକାଳ ଜଳଖୀଆ ପୋଚ ଭାତରୁ ପଖାଳ ତିଆରି), ‘ରାମସାଇ ବେଲା’(ବରଗଡ଼ ଜିଲ୍ଲାର ଚାଷୀର ବଡ଼ବୋହୂ ଏକାଥରକେ ୪ଟି ପଖାଳ କଂସା ପଗୁତ ଥାଳିରେ ଧରି ବିଲ ମୁଣ୍ଡକୁ ଯାଏ), ‘ଦୁଦୁରା ଫୁଲିଆ ବେଲା’, ;(୫/୬ ଲିଟର ତୋରାଣି ଧରୁଥିବା ବେଲା, ଯେଉଁଥିରେ ବାପ, ପୁଅ, ମା’, ଝିଅ ଏକସଙ୍ଗରେ ପଖାଳ ମଜା ନେଉଥିଲେ), ‘ମାଟୁ ବେଲା’, ‘ରେକାବି ବେଲା’ ଭଳି ଅନ୍ୟାନ୍ୟ ବେଲା ହେଉଛି ମୋ ସଂଗ୍ରହାଳୟର ଅନ୍ୟତମ ଆକର୍ଷଣ। ମୁଁ ସଂଗ୍ରହ କରିଥିବା ଚାରି ହଜାର ଜିନିଷ ମଧ୍ୟରୁ ୩୦ ପ୍ରକାର ପଖାଳ କଂସା ‘ଗୋପୀନାଥ ଐତିହ୍ୟ କଂସା ପିତ୍ତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହାଳୟ’ରେ ଶୋଭା ପାଉଛି।

ଗାଁ ହେଉ କି ସହର, ପଖାଳଖୀଆ ଓଡ଼ିଆ ଜାତିର ମିତବ୍ୟୟତାକୁ ପ୍ରମାଣ କରେ। କାରଣ ବଳିପଡ଼ିଥିବା ଭାତକୁ ଗାଈହାଣ୍ଡିରେ ନ ଦେଇ ରାତିଟା ରଖୀଦେଇ ସକାଳୁ ବାସି ପଖାଳ ଖୀଆହୁଏ। ଗାନ୍ଧୀ ତାଙ୍କ ଓଡ଼ିଶା ହରିଜନ ପଦଯାତ୍ରା ସମୟରେ ରାତ୍ରି ରହଣି ସମୟରେ (ପିପିଲି ଶିଉଳା ଛକ ଠାରେ) ପଖାଳ ଦେଖୀ ଓ ଚାଖି କେବଳ ପ୍ରଶଂସା କରି ନଥିଲେ, ମିତବ୍ୟୟତାକୁ ବି ତାରିଫ୍‌ କରିଥିଲେ। ସେ ଗୁଜରାଟ ଫେରି ଦୁଇ ଗୁଜରାଟୀ ଲୋକଙ୍କୁ ଓଡ଼ିଶା (କଟକ) ପଠାଇ ଥିଲେ ପଖାଳ ତିଆରି ଶିଖିବାକୁ। ସେମାନେ ଆମକୁ ବାରମଜା ମିକ୍ସର ଶିଖାଇଲେ, ଯାହା ଆମ ପଖାଳ ସଙ୍ଗେ ସେବେଠୁ ମିତ ବସିଛି। ପଖାଳର ଔଷଧୀୟ ଗୁଣ ଜାଣିବା ପାଇଁ ପ୍ରଥମେ ଆୟୁର୍ବେଦ ପଣ୍ଡିତ ଚରକଙ୍କର ‘ଚରକ ସଂହିତା’କୁ ଓଲଟାଇବାକୁ ପଡ଼ିବ। କଂସା ବାସନରେ ପଖାଳ ନିୟମିତ ସେବନ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି ବୃଦ୍ଧି ପାଏ। ତା’ସହ ଅଂଶୁଘାତରୁ ରକ୍ଷା ମିଳେ। ଶରୀରର ଭିତର ଓ ବାହାର ଘା’ ଶୁଖାଇବାରେ ପଖାଳ ତୋରାଣିର ଭୂମିକା ଗୁରୁତ୍ବପୂର୍ଣ୍ଣ। ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣରେ ରଖୀବା ସହ ଏହା ଆଳସ୍ୟ ଓ ଥକ୍କାପଣ ଦୂର କରେ।

ବିଳମ୍ବ ହେଲେ ବି ପଖାଳର ଅସୀମିତ ଗୁଣକୁ ସମସ୍ତେ ଚିହ୍ନିବା ଆରମ୍ଭ କଲେଣି । ତେବେ ଆଜି ମାର୍ଚ୍ଚ ୨୦ ତାରିଖରେ ପଖାଳର ଜୟଗାନ କରିବା ସଙ୍ଗେ ସଙ୍ଗେ ଆମ ପୂର୍ବସୁରୀମାନେ ବ୍ୟବହାର କରୁଥିବା କଂସା, ପିତ୍ତଳ, ତମ୍ବା ବର୍ତ୍ତନକୁ ଆଦରି ନେବା। ସୁସ୍ଥ ଓ ନିରାମୟ ରହିବା।
– ସୁଦର୍ଶନ ସାହୁ, ଗବେଷକ ତଥା ସଂଗ୍ରାହକ
ଜାଗମରା, ଭୁବନେଶ୍ବର
ମୋ: ୮୮୯୫୨୯୫୧୬୫

20 Mar 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର