ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି
ଭୁବନେଶ୍ୱର: ୨୦୨୫ରେ ପ୍ରଶ୍ନପତ୍ର ଲିକ୍ ଯୋଗୁ ବାତିଲ ହୋଇଥିବା କମ୍ୱାଇନ ପୁଲିସ ସର୍ଭିସ ପରୀକ୍ଷା କେବେ ହେବ ବୋଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଶନିବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷା ରାଜ୍ୟ ସରକାର କରୁ ନାହାନ୍ତି ଏଥିପାଇଁ ବିଭିନ୍ନ ସଂସ୍ଥା ଦାୟିତ୍ୱରେ ଅଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ। ତେବେ ରାଜସ୍ୱ ମନ୍ତ୍ରୀ ଦେଇଥିବା ଟିପ୍ପଣୀକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି। ପୁଲିସ ନିଯୁକ୍ତି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ୱାରା ଆୟୋଜନ ହୁଏ, ଯାହା ଗୃହ ବିଭାଗର ଅଧୀନରେ ଅଛି। ଦୁଃଖ ଓ ପରିତାପର ବିଷୟ ଯେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ହୋଇ ମଧ୍ୟ ଏତିକି କଥା ଜାଣି ନାହାନ୍ତି ବୋଲି ବିଜେଡି କହିଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ସରକାରକୁ ଆସିବାର ଅଢେଇ ବର୍ଷ ବିତି ଯାଇଥିଲା ବେଳେ ରାଜ୍ୟ ସରକାର ଏହି ସମୟ ଭିତରେ ୪୫,୦୦୦ ନିଯୁକ୍ତି ପ୍ରଦାନ କରିଛନ୍ତି। କିନ୍ତୁ ଏହି ୪୫,୦୦୦ ନିଯୁକ୍ତି ଭିତରୁ ପ୍ରାୟ ୩୯,୦୦୦ ନିଯୁକ୍ତି ପାଇଁ ବିଜେଡି ସରକାରଙ୍କ ସମୟରେ ବିଜ୍ଞାପନ ହୋଇଥିଲା। ଡ. ମହାନ୍ତି କହିଥିଲେ ଯେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ହ୍ୟାଣ୍ଡଲରେ ଗତ ଶୁକ୍ରବାର ଦିନ ଏକ ପୋଷ୍ଟ କରି କହିଥିଲେ, ବିଜେଡି ସମୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବା ୩୩୬ ଜଣ ଏସଆଇ ଅଧିକାରୀ ଦୁଇ ବର୍ଷର ପ୍ରଶିକ୍ଷଣ ସାରିବା ପରେ ସେମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଲାମୀ ଗ୍ରହଣ କରିଥିଲେ । ରାଜ୍ୟ ବିଜେପି ସରକାର ଶ୍ରେୟ ନେବା ପାଇଁ ସବୁବେଳେ ଆଗରେ । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ପ୍ରଶ୍ନପତ୍ର ଲିକ୍ ଯୋଗୁ ୨୦୨୫ରେ ବାତିଲ ହୋଇଥିବା କମ୍ୱାଇନ୍ଡ ପୁଲିସ ସର୍ଭିସ ପରୀକ୍ଷା କେବେ ହେବ?
ନବୀନ ନିଜ ପୋଷ୍ଟରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଶ୍ରୀ ପୂଜାରୀ ନିଯୁକ୍ତି ପରୀକ୍ଷା ସରକାର କରୁ ନାହାନ୍ତି, ବିଭିନ୍ନ ସଂସ୍ଥା ମାନେ କରୁଛନ୍ତି ବୋଲି କହିଥଲେ। ଯଦି ସବୁ ଭଲ କାମ କରିଥିଲେ ତାହେଲେ ତାଙ୍କ ଦଳ ନିର୍ବାଚନ ହାରିଲା କାହିଁକି ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଥିଲେ। ଶ୍ରୀ ପୂଜାରୀଙ୍କ ମନ୍ତବ୍ୟ ଉପରେ ଜବାବ ଦେଇ ଡ.ମହାନ୍ତି କହିଥିଲେ, ଶ୍ରୀ ପୂଜାରୀ ବୋଧହୁଏ ଅବଗତ ନାହାନ୍ତି ଯେ ପୁଲିସ ବିଭାଗର ନିଯୁକ୍ତି ପରୀକ୍ଷା ଓପିଆରବି ଦ୍ୱାରା କରାଯାଏ। ଓପିଆରବି ରାଜ୍ୟ ସରକାରଙ୍କର ଗୃହ ବିଭାଗର ଅଧୀନରେ ରହିଛି, ଏହାର ବିଫଳତା ପାଇଁ ସିଧାସଳଖ ରାଜ୍ୟ ସରକାର ଦାୟୀ। ଗତ ନିର୍ବାଚନରେ ବିଜେଡିର ପରାଜୟ ନେଇ, ଡ ମହାନ୍ତି କହିଥିଲେ, ଅବ କି ବାର ଚାରଶୋ ପାର ନାରା ଦେଇଥିବା ବେଳେ ଏନଡିଏ ୨୪୦ରେ ସୀମିତ ହୋଇଗଲା କାହିଁକି । ସେହିପରି ରାମ ମନ୍ଦିର ନିର୍ମାଣ କରି ନିଜ ପିଠି ନିଜେ ଥାପୁଡେ଼ଉଥିବା ବିଜେପି ଅଯୋଧ୍ୟାରେ ନିର୍ବାଚନ ହାରିଲା କାହିଁକି । ପୁରୀରେ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୁମ୍ୱି ତୋଫାନ କରିଥିବା ବିଜେପି ପୁରୀ ବିଧାନସଭା କ୍ଷେତ୍ରରୁ ହାରିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି।






