ଶିକ୍ଷାଦାନ ପାଇଁ ନାହାନ୍ତି ଅଧ୍ୟାପକ; କିରାଣି ସଜାଇଛି ଉଚ୍ଚଶିକ୍ଷା ବିଭାଗ...

ପ୍ରତ୍ୟାବର୍ତ୍ତନ ନିର୍ଦ୍ଦେଶନାମାକୁ ଅବମାନନା କରୁଛନ୍ତି ଗାଦିମଡ଼ା

Deviprasad Mohanty Picture
Published On

ଭୁବନେଶ୍ୱର: ପାଠ ପଢ଼ାଇବାକୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି। ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୨%ରୁ ଅଧିକ ଏବଂ ସରକାରୀ ମହାବିଦ୍ୟାଳୟ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ମଧ୍ୟ ୫୦%ରୁ ଅଧିକ ପଦ ଖାଲି ପଡ଼ିଛି। ଅପରପକ୍ଷେ, ଅନେକ ଅଧ୍ୟାପକ ଡେପୁଟେସନ୍‌ରେ ଉଚ୍ଚଶିକ୍ଷା ବିଭାଗରେ ନିୟୋଜିତ ହୋଇଛନ୍ତି। ଥରେ ବିଭାଗକୁ ବଦଳି ହୋଇଗଲେ ଫେରିବାକୁ କୁଣ୍ଠାବୋଧ କରୁଛନ୍ତି। ଯେନତେନ ପ୍ରକାରେ ଗାଦି ମାଡ଼ି ବସିବାକୁ ରାଜନୈତିକ ଚାପ ପ୍ରୟୋଗ କରୁଛନ୍ତି। ଫଳରେ ଶିକ୍ଷାନୁଷ୍ଠାନକୁ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶନାମାକୁ ମଧ୍ୟ ଖାତିର୍‌ କରୁନାହାନ୍ତି। ନିର୍ଦ୍ଦେଶନାମାକୁ ମାସାଧିକ କାଳ ବିତିଥିଲେ ମଧ୍ୟ ଶିକ୍ଷାନୁଷ୍ଠାନରେ ଯୋଗ ଦେଉନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ରାଜଧାନୀର ପ୍ରତିଷ୍ଠିତ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ ଶୁଭ୍ରାଂଶୁ କୁମାର ବେହେରା ଦୀର୍ଘ ଦିନରୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ଯାଇଛନ୍ତି। ଗତ ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ବିଜେବି କଲେଜକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ମାସାଧିକ କାଳ ବିତିଥିଲେ ମଧ୍ୟ ସମ୍ପୃକ୍ତ ଅଧ୍ୟାପକ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଅନୁରୂପ ଭାବେ ବିଜେବି କଲେଜରେ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା ଦେବା ଅଭିଯୋଗ ହେବା ପରେ ତତ୍କାଳୀନ କମ୍ପ୍ୟୁଟର୍‌ ସାଇନ୍ସ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଡ. ପାଣ୍ଡବ ପ୍ରଧାନଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ଡେପୁଟେସନ୍‌ରେ ପଠାଯାଇଥିଲା। ଗତ ସେପ୍ଟେମ୍ବର ୨୩ ତାରିଖରେ ତାଙ୍କୁ ନୂଆପଡ଼ାସ୍ଥିତ ମଡେଲ୍‌ ଡିଗ୍ରୀ କଲେଜକୁ ବଦଳି କରାଯାଇଛି। ଏହି ନିର୍ଦ୍ଦେଶନାମାକୁ ମଧ୍ୟ ପ୍ରାୟ ୨୦ଦିନ ବିତିଥିଲେ ମଧ୍ୟ ନୂତନ ଶିକ୍ଷାନୁଷ୍ଠାନରେ ଯୋଗ ଦେଇନାହାନ୍ତି। ଏପରିକି, ଉଭୟଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରିଲିଭ୍‌ ମଧ୍ୟ କରାଯାଉନାହିଁ। ରାଜନୈତିକ ଚାପ ପ୍ରୟୋଗ କରି ଯେନତେନ ଉପାୟରେ ବିଭାଗରେ ହିଁ ରହିବାକୁ ଉଭୟେ କସରତ କରୁଥିବା ଅଭିଯୋଗ ହୋଇଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମାକୁ ମଧ୍ୟ ଏମାନେ ଖାତିର୍‌ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ସେହିପରି ବିଜେବି କଲେଜରେ ମାନବଶାସ୍ତ୍ର (ଆନ୍ଥ୍ରୋ‌‌ପୋଲୋଜି) ବିଭାଗର ସହକାରୀ ପ୍ରାଧ୍ୟାପିକା ସମ୍ପ୍ରୀତି ପଣ୍ଡା ଉଚ୍ଚଶିକ୍ଷା ବିଭାଗରେ ଓ ଅର୍ଥନୀତି ବିଭାଗର ସହକାରୀ ପ୍ରାଧ୍ୟାପିକା ଲିପ୍‌ସା ମିଶ୍ର ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ମଧ୍ୟ ଡେପୁଟେସନ୍‌ରେ ଅଛନ୍ତି। ଅନୁରୂପ ଭାବେ ରାଜଧାନୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ ହୃଷୀକେଶ ନାୟକ, କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ଅଧ୍ୟାପିକା ପ୍ରଭାତୀ ମଞ୍ଜରୀ ମହାନ୍ତି, ପୁରୀ ମହିଳା ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ସହକାରୀ ପ୍ରଧ୍ୟାପକ ଶରତ ମାଝୀ, ବାରିପଦା ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପିକା ରୂପଶ୍ରୀ ମହାପାତ୍ର ପ୍ରମୁଖ ଡେପୁଟେସନ୍‌ରେ ଯାଇ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ସହ ବିଭିନ୍ନ ବିଏଡ୍‌ ଶିକ୍ଷାନୁଷ୍ଠାନରୁ ପ୍ରାୟ ୨୫ଜଣ ଅଧ୍ୟାପକ ବିଭାଗରେ କାର୍ଯ୍ୟରତ ଅଛନ୍ତି। 

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଅଧ୍ୟାପକ ଅଭାବରୁ ଉଚ୍ଚ ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି। ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଅପରପକ୍ଷେ, ୟୁଜିସି ସ୍କେଲ୍‌ରେ ଦରମା ପାଉଥିବା ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକାମାନେ ବିଭାଗକୁ ଯାଇ କିରାଣି କାମ କରୁଛନ୍ତି। ଅନେକଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମିଳି ନଥିବାରୁ କେବଳ ହାଜିରା ଦେଇ ଫେରୁଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର୍‌ ଷ୍ଟେଜ୍‌-୧, ଷ୍ଟେଜ୍‌-୨ ଓ ଷ୍ଟେଜ୍‌-୩ ରାଙ୍କର ଅଧ୍ୟାପକମାନେ ଯଦି କିରାଣି କାମ କରିବେ, ତାହେଲେ ଶିକ୍ଷାଦାନ କିଏ କରିବ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

ସରକାରଙ୍କ ଦାୟିତ୍ୱହୀନ ଓ ଦୂରଦୃଷ୍ଟିବିହୀନ କାର୍ଯ୍ୟ ପାଇଁ ଶୈକ୍ଷିକ ମାନ କ୍ରମାଗତ ହ୍ରାସ ପାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଉଚ୍ଚଶିକ୍ଷା ବିଭାଗ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି। ଡେପୁଟେସନ୍‌ରେ ନେବା ବା ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ବ୍ୟକ୍ତି ଚାପ ପକାଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ବିଭାଗକୁ ଡେପୁଟେସନ୍‌ରେ ଆଣିବାକୁ ଏକପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଫଳରେ ବିଭାଗରେ ମଧ୍ୟ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର