ନେତାଙ୍କ ଧୈର୍ଯ୍ୟଚ୍ୟୁତି: ଖୁବଶୀଘ୍ର ବୋର୍ଡ-ନିଗମ ନିଯୁକ୍ତି, ଦଳ ସଭାପତିଙ୍କ ସୁପାରିସ ଆପାତତଃ ଚୂଡ଼ାନ୍ତ...

Deviprasad Mohanty Picture
Published On

ଭୁବନେଶ୍ୱର: ବେଶ କିଛିଦିନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛି ରାଜ୍ୟରେ ବୋର୍ଡ, ନିଗମ ନିଯୁକ୍ତି ପ୍ରସଙ୍ଗ। କିଛିମାସର ବ୍ୟବଧାନ ପରେ ରାଜ୍ୟରେ ଖୁବଶୀଘ୍ର ବୋର୍ଡ, ନିଗମ ନିଯୁକ୍ତି ଦିଆଯିବ ବୋଲି ପୁଣି ଦୋହରାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର।  ରାଜ୍ୟସ୍ତରରେ ଚର୍ଚ୍ଚା, ଆଲୋଚନା ସରିବା ସହ ସମସ୍ତ ପ୍ରକ୍ରିୟା ସରିଛି ଓ କେନ୍ଦ୍ରୀୟ ନେତୃତ୍ୱ ଏ ନେଇ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ତେଣୁ ଧନୁ ମାସରେ ଆଶାୟୀଙ୍କୁ ନିଗମ ମୁଆଁ ବଣ୍ଟା ହେବା ଆଶା ଉଜ୍ୱଳ ହୋଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ରାଜ୍ୟରେ ସରକାର ଗଠନ କରିବାକୁ ବିଜେପିକୁ ୧୭ ମାସ ପୂରିଲାଣି। ମାତ୍ର ଏଯାଏଁ ଦଳ ବୋର୍ଡ, ନିଗମ ଏବଂ ବିଭିନ୍ନ ଅକାଦେମୀରେ ନିଯୁକ୍ତି ଦେଇପାରୁ ନାହିଁ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଧ୍ୟ ହୋଇପାରୁନଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପି ସରକାର ଏବଂ ସଂଗଠନକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ଏପଟେ  ଥଇଥାନ ହେବା ପାଇଁ ଅନେକ ଦିନ ଅପେକ୍ଷା କରି ଆଶାୟୀଙ୍କ ଧୈର୍ଯ୍ୟଚ୍ୟୁତି ହେଲାଣି। ଜୁଲାଇରୁ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏକାଧିକବାର ଦିଲ୍ଲୀ ଗସ୍ତ କରିଥିଲେ। ଦିଲ୍ଲୀରେ ପ୍ରମୁଖ ପଦରେ ଦଳୀୟ ନେତାଙ୍କୁ ଥଇଥାନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରତିଟି ଗସ୍ତ ବେଳେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା। ମାତ୍ର ଶେଷ ମୂହୂର୍ତ୍ତରେ କୌଣସି ନା କୌଣସି କାରଣ ପାଇଁ ଏହା ସମ୍ଭବପର ହୋଇପାରୁ ନଥିଲା। ତେବେ ନୂଆପଡ଼ା ନିର୍ବାଚନ ପାଇଁ ବୋର୍ଡ, ନିଗମ ନିଯୁକ୍ତି ଚର୍ଚ୍ଚା କିଛି ସମୟ ପାଇଁ ରାଜ୍ୟରେ ଥମି ଯାଇଥିବା ବେଳେ ଶ୍ରୀ ତୋମାରଙ୍କ ବୟାନ ଏହି ଚର୍ଚ୍ଚାକୁ ପୁଣିଥରପେ ଖୋରାକ୍‌ ଯୋଗାଇଛି। ନିଗମ ନିଯୁକ୍ତି ଖୁବଶୀଘ୍ର ହୋଇଯିବ ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଥିବା ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ କିଛି ସମୟ ଲାଗିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ତେବେ ବର୍ତ୍ତମାନ ରାଜ୍ୟ ବିଜେପି ରାଜନୀତିକୁ ଦୃଷ୍ଟି ରଖି ଶ୍ରୀ ତୋମାରଙ୍କ କଥାରେ ଦମ୍‌ ରହିଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ନୂଆପଡ଼ାରେ ମୋହନ-ମନମୋହନଙ୍କ ଯୋଡ଼ି ବେଶ୍‌ ସଫଳତା ପାଇଥିବାରୁ ଦିଲ୍ଲୀରେ ସେମାନଙ୍କର ପ୍ରଭାବ ବଢ଼ିଛି। ଏପରିସ୍ଥଳେ ନିଗମ ବଣ୍ଟନ ବେଳେ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ପାଖେ ମୋହନ-ମନମୋହନ ଏବେ ଅଧିକ ବିଶ୍ୱାସଭାଜନ ହୋଇପାରିଛନ୍ତି। ଉଭୟଙ୍କ ପରାମର୍ଶକୁ ଭିତ୍ତି କରି ରାଜ୍ୟର ତାଲିକାକୁ କେନ୍ଦ୍ର ସବୁଜ ସଙ୍କେତ ଦେବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ତେବେ ରାଜ୍ୟ ବିଜେପି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଏନେଇ କୌଣସି ସ୍ପଷ୍ଟ ପୂର୍ବାନୁମାନ କରିବା କଷ୍ଟକର ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର