ଛତିଶଗଡ଼ ମୁହାଁ ହୋଇଛି ଅବପାତ : ୧୩ ଯାଏ ଓଡ଼ିଶାରେ ପ୍ରବଳ ବର୍ଷିବ,୯ ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର : ଛତିଶଗଡ ମୁହାଁ ସକ୍ରିୟ ଅବପାତ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ […]
ଭୁବନେଶ୍ବର : ଛତିଶଗଡ ମୁହାଁ ସକ୍ରିୟ ଅବପାତ। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର ଓ ବରଗଡ଼ରେ ପ୍ରବଳ ବର୍ଷା ହେବ । କାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୨ ତାରିଖରେ ସାମାନ୍ୟ ବର୍ଷା କମିବ । ପରେ ୧୩ରୁ ପୁଣି ବର୍ଷାର ପରିମାଣ ବଢ଼ିବ ।
ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ । ଏହାର ପ୍ରଭାବରେ ସମୁଦ୍ରରେ ୩ରୁ ୪ ମିଟର ଉଚ୍ଚର ଜୁଆର ଉଠିବ । ଏଥିପାଇଁ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଅବପାତ ବର୍ଷା ପାଇଁ ପୁରୀ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି।
ଫଳରେ କିଛି କିଛି ସ୍ଥାନରେ ମୌସୁମୀଜନିତ ବର୍ଷା ମଧ୍ୟ ଜାରି ରହିଛି । ଆଜି ମଧ୍ୟ ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଅତିପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ଆଦି ସମସ୍ୟା ଦେଖାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି ।
୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ ଓ ବିସ୍ତୃତି କମିବ । କିନ୍ତୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ୧୧ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ୧୨ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାରେ ଭାରୀ ବର୍ଷାର ସମ୍ଭାବନା ରହିଛି । ୧୩ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ ।






