ବାରବାଟୀ ପ୍ରସ୍ତୁତ; ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌, ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ...

Deviprasad Mohanty Picture
Published On

କଟକ: କାଉଣ୍ଟ ଡାଉନ ଶେଷ ହୋଇଛି। ପ୍ରତୀକ୍ଷାର ମଧ୍ୟ ଅନ୍ତ ଘଟିଛି। ରାତି ପାହିଲେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ସିରିଜର ଏହି ପ୍ରଥମ ମ୍ୟାଚ୍‌ ଲାଗି ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ବାରବାଟୀ ମଧ୍ୟ ପ୍ରସ୍ତୁତ ରହିଛି। ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଅଗ୍ରଣୀ ହାସଲ କରିବା ଉଭୟ ଦଳର ଲକ୍ଷ୍ୟ। ସେହିଭଳି ବର୍ଷକରେ ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ବାରବାଟୀରେ ଆୟୋଜିତ ହେବାକୁ ଯାଉଥିବାରୁ ଏହାକୁ ନେଇ ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା


ଟସ୍‌ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଆସନ୍ତାକାଲି ବାରବାଟୀରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଯେତେହୁ ବର୍ତ୍ତମାନ ଓଡ଼ିଶାରେ ଶୀତର ଲହରି ଜାରି ରହିଛି ତେଣୁ ମ୍ୟାଚରେ କାକର ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାତି ୮ଟାରୁ କାକରର ପରିମାଣ ବଢ଼ିବ। ‘ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ୩୦ରୁ ବାରବାଟୀରେ କାକର ପଡ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ବର୍ତ୍ତମାନ ଥଣ୍ଡା ପାଗ ସାଙ୍ଗକୁ କାକର ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟକୁ ଏବେ ବଙ୍ଗୋପସାଗର ପଟୁ କିଛିକାଂଶରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସୁଥିବାରୁ ଏହା କାକର ପାଇଁ ଅନୁକୂଳ ପାଗ ସୃଷ୍ଟି କରିଛି। ମ୍ୟାଚ୍‌ ଦିନ ସମାନସ୍ଥିତି ଜାରି ରହିବ’ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଯଦି କାକରର ପରିମାଣ ୮ଟା ପରେ ବଢ଼ିବ ତେବେ ଏଥିରେ ଦ୍ୱିତୀୟ ଇନିଂସରେ ଫିଲ୍ଡିଂ କରୁଥିବା ଦଳ ସମସ୍ୟାର ସମ୍ମୁଖୀନ ହେବ। କାକର ଯୋଗୁ ବଲ୍‌ ଓଦା ହୋଇ ହାତରୁ ଖସିବ। ଫଳରେ ବଲ୍‌କୁ ଗ୍ରୀପ୍‌ କରିବାରେ ସ୍ପିନରଙ୍କୁ ଅସୁବିଧା ହେବ। ଏ ସବୁ କାରଣରୁ ଟସ୍‌ ଜିତିଲେ ପ୍ରଥମେ ଫିଲ୍ଡିଂ କରିବାକୁ ଉଭୟ ଦଳ ପସନ୍ଦ କରିବେ। ସେହିଭଳି ସୋମବାର ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର କାକରକୁ ନେଇ କହିଛନ୍ତି ଯେ ଏହା ଆମ ହାତରେ ନାହିଁ। କାକର ପାଇଁ ଆମେ ସେତେଟା ବ୍ୟସ୍ତ ନାହୁଁ। ଆଇପିଏଲ୍‌ ସମେତ ଏକାଧିକ ଦିବା-ରାତ୍ର ମ୍ୟାଚରେ କାକରରେ କେଉଁଭଳି ଖେଳାଯିବ ଆମେ ସେଥିରେ ଅଭ୍ୟସ୍ତ ହୋଇଗଲୁଣି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଝାଳ ବୁହାଇଲେ ଗିଲ୍‌; ବିଶ୍ରାମ ନେଲେ କୁଲଦୀପ
ଟେଷ୍ଟ ସିରିଜକୁ ହାରିବା ପରେ ଭାରତୀୟ ଦଳ ଦିନିକିଆରେ ୨-୧ରେ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା। ଏହି ବିଜୟ ଟି-୨୦ ସିରିଜ ପୂର୍ବରୁ ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ଼ ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଘରୋଇ ଦଳ ସୋମବାର ବାରବାଟୀରେ ବେଶ୍‌ କିଛି ଘଣ୍ଟା ନେଟ୍ସରେ ଝାଳ ବୁହାଇଥିଲେ। ଅପରାହ୍ଣ ପାଖାପାଖି ୨ଟାରୁ ଆରମ୍ଭ କରି ସାଢେ଼ ୪ଟା ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫିଲ୍ଡିଂ, ବୋଲିଂ ଓ ନେଟ୍ସରେ ବ୍ୟାଟିଂ କରିଥିଲେ। ବାଉଣ୍ଡାରୀ ଲାଇନରେ ଥିବା ଦୁଇଟି ନେଟ୍ସରେ ପ୍ରଥମେ ଶୁବମନ ଗିଲ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଓ ସଞ୍ଜୁ ସାମସନ ବ୍ୟାଟିଂ ଅଭ୍ୟାସ କରିଥିଲେ। ବିଶେଷ କରି ଆହତ ସମସ୍ୟାରୁ ମୁକୁଳି ଥିବା ଗିଲ୍‌ ନେଟ୍ସରେ ବହୁତ ସମୟ ପର୍ଯ୍ୟନ୍ତ ନେଟ୍ସରେ ଦ୍ରୁତ ବୋଲରଙ୍କୁ ଖେଳିଥିଲେ। ଫଳରେ ଆସନ୍ତାକାଲି ଗିଲ୍‌ଙ୍କ ଖେଳିବା ସମ୍ଭାବନା ଉଜ୍ଜଳ ହୋଇଛି। ଅପରପକ୍ଷରେ ସ୍ପିନର କୁଲଦୀପ୍‌ ଯାଦବ ନେଟ୍ସରେ ବୋଲିଂ ନ କରି ବିଶ୍ରାମ କରୁଥିବାର ଦେଖିବାକୁ ମିଳିଥିଲା। ଅନ୍ୟତମ ସ୍ପିନର ବରୁଣ ଚକ୍ରବର୍ତ୍ତୀ କିନ୍ତୁ ଆରମ୍ଭରୁ ସୂର୍ଯ୍ୟକୁମାର ଓ ତିଲକଙ୍କୁ ବୋଲିଂ କରିଥିଲେ। ତେଣୁ ପ୍ରଥମ ଟି-୨୦ର ଚୂଡ଼ାନ୍ତ ଏକାଦଶରେ ରିଷ୍ଟସ୍ପିନର କୁଲଦୀପ୍‌ଙ୍କ ଖେଳିବା ଆଶା କ୍ଷୀଣ ହୋଇଛି। ସେହିଭଳି ଯଶପ୍ରୀତ୍‌ ବୁମ୍‌ରାଙ୍କ ସହ ଶିବମ ଦୁବେ ନେଟ୍ସରେ ବେଶ କିଛି ସମୟ ବୋଲିଂ ଅଭ୍ୟାସ କରିଥିଲେ। ତେଣୁ ବୁମରାଙ୍କ ସହ ପାଣ୍ଡ୍ୟା ନୂଆ ବଲରେ ବୋଲିଂ ଆରମ୍ଭ କରିବା ସ୍ପଷ୍ଟ ହୋଇଛି। ଦୁବେ ତୃତୀୟ ଦ୍ରୁତ ବୋଲର ଭୂମିକା ତୁଲାଇବେ। ସେହିଭଳି ବରୁଣଙ୍କ ସହ ଅକ୍ଷର ପଟେଲ ସ୍ପିନ ବିଭାଗ ସମ୍ଭାଳିବେ। ତେବେ ୱିକେଟ୍‌କିପର ଭାବେ କିଏ ଖେଳିବେ ତାହାକୁ ନେଇ ଦ୍ୱନ୍ଦ୍ୱ ରହିଛି। ଅଷ୍ଟ୍ରେଲିଆରେ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଜିତେଶ ଶର୍ମାଙ୍କୁ ଦଳ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଉଭୟ ସୋମବାର ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ପିଚର ସାଇଡ୍‌ରେ ରହିଥିବା ନେଟ୍ସରେ ଅଭ୍ୟାସ କରିଥିବା ଜିତେଶ ବଡ଼ ବଡ଼ ସଟ୍‌ ମାରି ଦର୍ଶକଙ୍କ ମନମୋହିଥିଲେ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

‘ପ୍ରତ୍ୟେକ ପୋଜିସନରେ ବ୍ୟାଟିଂ କରିପାରିବେ ସଞ୍ଜୁ’
ସେହିଭଳି ସଞ୍ଜୁ ସାମସନଙ୍କୁ ନେଇ ସୂର୍ଯ୍ୟକୁମାର କହିଛନ୍ତି, ‘ସେ ଯେତେବେଳେ ଆସିଥିଲେ ଉପର ଅର୍ଡର ବ୍ୟାଟିଂ କରିଥିଲେ। ମୁଁ ଭାବୁଛି ଓପନର୍‌ଙ୍କ ବ୍ୟତୀତ ଅନ୍ୟ ସମସ୍ତେ ସବୁ ପୋଜିସନରେ ବ୍ୟାଟିଂ କରିପାରିବାର ଦକ୍ଷତା ରଖୁଥିବା ଦରକାର। ଶୁବମନ ତାଙ୍କ ପୂର୍ବରୁ ଶ୍ରୀଲଙ୍କା ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଗିଲ୍‌ ସେହି ପୋଜିସନ (ଓପନିଂ) ପାଇଁ ଯୋଗ୍ୟ। ସଞ୍ଜୁଙ୍କୁ ଆମେ ମଧ୍ୟ ସୁଯୋଗ ଦେଇଥିଲୁ। ସେ ପ୍ରତ୍ୟେକ ପୋଜିସନରେ ଖେଳିବାକୁ ଯୋଗ୍ୟ। ଏପରି ଜଣେ ଖେଳାଳି ଦଳରେ ରହିବା ଭଲ’ ବୋଲି ଅଧିନାୟକ ଯାଦବ କହିଛନ୍ତି। ଫଳରେ ଆସନ୍ତାକାଲି ଗିଲ୍‌ ଇନିଂସ ଓପନ୍‌ କରିବା ଏକପ୍ରକାର ନିଶ୍ଚିତ ହୋଇଛି।

କଟକର ପ୍ରଶଂସକ ବେଶ ଉତ୍ସାହୀ; ମୁଁ ବି ବାମହାତରେ ଟସ୍‌ ପକାଇବି

ସେହିଭଳି କଟକରେ ପ୍ରଥମଥର ନାଲିମାଟିରେ ପିଚ୍‌ ପ୍ରସ୍ତୁତ ହୋଇଥିବା ନେଇ ସୂର୍ଯ୍ୟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ସେ କହିଛନ୍ତି ପୂର୍ବରୁ ଏଠାରେ ଆମେ ‘କଳା ମାଟି’ର ପିଚରେ ଖେଳିଛୁ। ବର୍ତ୍ତମାନ ସୁଦ୍ଧା ମୁଁ ଗ୍ରାଉଣ୍ଡକୁ ଯାଇନି। ପିଚ୍‌ ଯଦି ନାଲି ମାଟି ହୋଇଥିବ ତେବେ ଆହୁରି ଭଲ। ନାଲି ମାଟିରେ ପିଚ୍‌ ଫାଷ୍ଟ ରହିଥାଏ। ସେହିଭଳି ବାରବାଟୀରେ ପ୍ରଥମଥର ଖେଳିବାକୁ ଯାଉଥିବା ସୂର୍ଯ୍ୟ କହିଛନ୍ତି, ‘ଏଠାରେ ମୁଁ ପୂର୍ବରୁ ଆଇପିଏଲ୍‌ ଓ ଘରୋଇ କ୍ରିକେଟ୍‌ ମ୍ୟାଚ୍‌ ଖେଳିଛି। ଏଠାକାର ପ୍ରଶଂସକ ବେଶ ଉତ୍ସାହୀ। ଲୋକେଶ ରାହୁଲ ତୃତୀୟ ଦିନିକିଆରେ ବାମହାତରେ ଟସ୍‌ ପକାଇ ଯେଉଁଭଳି ବିଜୟୀ ହୋଇଥିଲେ ମୁଁ ମଧ୍ୟ କାଲି ବାରବାଟୀରେ ବାମହାତରେ ଟସ୍‌ ପକାଇବି’ ବୋଲି ମଜାରେ ସାମ୍ବାଦିକଙ୍କୁ କହିଥିଲେ ସୂର୍ଯ୍ୟକୁମାର।

ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ ରକ୍ଷକ), ଯଶ୍‌ପ୍ରୀତ୍‌ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ। ବେଞ୍ଚ୍‌ : ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା।

ଦକ୍ଷିଣ ଆଫ୍ରିକା : ଆଇଡେନ୍‌ ମାରକ୍ରମ (ଅଧିନାୟକ), କ୍ୱିଣ୍ଟନ ଡି କକ୍‌, ଟୋନି ଡି ଜୋର୍ଜି/ ରୀଜା ହେଣ୍ଡ୍ରିକ୍ସ, ଡିୱାଲ୍ଡ ବ୍ରେଭିସ୍‌, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, ମାର୍କୋ ଜାନସେନ, କବିନ ବୋଶ୍ଚ, କେଶବ ମହାରାଜ, ଲୁନ୍‌ଗି ଏନ୍‌ଗିଡି, ଆନରିଚ୍‌ ନୋର୍ଜେ। ବେଞ୍ଚ : ଡୋନୋଭାନ ଫେରେରା, ଜର୍ଜ ଲିଣ୍ଡେ, ଓଟ୍ଟନେଲ ବାର୍ଟମ୍ୟାନ୍‌, କ୍ୱେନା ମାଫକା।

ଖେଳ ଆରମ୍ଭ : ରାତି ୭ଟା

ଲାଇଭ୍‌ ଷ୍ଟ୍ରିମିଂ : ଜିଓହଟ୍‌ଷ୍ଟାର

ପ୍ରସାରଣ : ଷ୍ଟାର୍‌ସ୍ପୋର୍ଟ୍ସ ନେଟ୍‌ୱର୍କ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର