ପୁଣି ବାତ୍ୟା ଭୟ; ଆନ୍ଧ୍ର-ଓଡ଼ିଶା ପ୍ରତି ରହୁଛି ବିପଦ, ଉଜାଡ଼ି ଦେବ ଉପକୂଳର ଚାଷ

Deviprasad Mohanty Picture
Published On

ଭୁବନେଶ୍ୱର: ଚଳିତ ମାସ ଶେଷ ବେଳକୁ ରାଜ୍ୟକୁ ଆସୁଛି ବଡ଼ ବର୍ଷା। ରାଜ୍ୟର ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଅଧିକାଂଶ ଆଭ୍ୟନ୍ତରୀଣ ଜିଲ୍ଲା ପାଇଁ ସୃଷ୍ଟି ହୋଇଛି ବର୍ଷା ବିପଦ। ସମ୍ଭାବ୍ୟ ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେବାର ପୂର୍ବାନୁମାନକୁ ଆଧାର କରି ଆଉ ଏକ ସମ୍ଭାବ୍ୟ ବାତ୍ୟାର ମଧ୍ୟ ଆକଳନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଆସନ୍ତା ୨୨ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ।  ପରବର୍ତ୍ତୀ ୪୮ଘଣ୍ଟାରେ ଏହା ସମାନ ଦିଗରେ ଗତି ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେଣୁ ପ୍ରାଥମିକ ଭାବେ ଏହି ଲଘୁଚାପ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଇଁ ବିପଦ ବଢ଼ାଇଛି। ବଡ଼ କଥା ହେଉଛି ଯେ ଏହା ଅବପାତରେ ପରିଣତ ହେବା ପରେ ଆହୁରି ଘନୀଭୂତ ହେବାକୁ ଥିବାରୁ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇପାରେ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାକୁ ଥିବା ବେଳେ ଏହା ଆନ୍ଧ୍ର ଉପକୂଳକୁ ମୁହାଁଇବାର ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଏହା ଆନ୍ଧ୍ର ଉପକୂଳ ମୁହାଁ ହେଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ରହିବ। ୨୭ରେ କେନ୍ଦ୍ରାପଡ଼ାଠାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମେଘୁଆ ପାଗ ସହ  ବର୍ଷା ହେବ। ୨୮ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟରେ ବାକି ଅଞ୍ଚଳରେ ବର୍ଷା ହେବ। ୨୯ରେ ମୁଖ୍ୟତଃ ଗଞ୍ଜାମ ଓ ଗଜପତି ପ୍ରଭାବିତ ହେବ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଭାରି ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ପ୍ରାଥମିକ ଭାବେ ଏହି ସମ୍ଭାବ୍ୟ ଅବପାତ/ବାତ୍ୟାଟି ଆସନ୍ତା ୨୯ କିମ୍ବା ୩୦ ବେଳକୁ ସ୍ଥଳଭାଗ ଛୁଇଁପାରେ। ତେଣୁ ଏହା ପ୍ରଭାବରେ ୨୭ କିମ୍ବା ୨୮ ତାରିଖରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମତେ ଅନ୍ୟ କେତେକ ଜିଲ୍ଲାରେ ବର୍ଷା ହୋଇପାରେ। ଯଦି ଏହା ଆନ୍ଧ୍ର ନିକଟରେ ସ୍ଥଳଭାଗ ଛୁଏଁ, ତେବେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଭାବ ସୀମିତ ରହିବ। ମାତ୍ର ଏହା ଓଡ଼ିଶାର ନିକଟତର ହେଲେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଭାବ ସୃଷ୍ଟି ହେବ। ଏମିତି ହେଲେ ରାଜ୍ୟକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିପାରେ। କାରଣ ଏବେ ସାରା ଓଡ଼ିଶାରେ ଧାନ ଅମଳ ସମୟ ଚାଲିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ କ୍ଷେତରେ ହସୁଥିବା ବେଳେ ପଶ୍ଚିମ ଓଡ଼ିଶା ଧାନ ଅମଳ ଆରମ୍ଭ ହୋଇଯାଇଛି। ତେଣୁ ଏ ଦୃଷ୍ଟିରୁ ପ୍ରାୟ ଆସନ୍ତା ୨ ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ବର୍ଷା ଦୃଷ୍ଟିରୁ ବହୁ ସମ୍ବେଦନଶୀଳ ଭାବେ ଗଣାଯାଉଛି। ଏହା ପୂର୍ବରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ ଦିନେ ଅଦିନିଆ ବର୍ଷା ନେଇ ଚିନ୍ତା ବଢିଛି। ଏହା ପୂର୍ବରୁ ୨୦୨୧ ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ ଉପରେ ବାତ୍ୟା ଜୱାଦର ଗୁରୁତର ପ୍ରଭାବ ପଡ଼ିଥିଲା। ରାଜ୍ୟର ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ବାତ୍ୟା ଯୋଗୁଁ ଧାନ ଫସଲ ଉଜୁଡ଼ି ଯାଇଥିଲା। ଚଳିତ ବର୍ଷ ପୁଣି ଥରେ ଏହି ଆହ୍ୱାନ ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କ ପାଇଁ ଚିନ୍ତା ବଢ଼ିଛି। ତେଣୁ ସ୍ଥିତିକୁ ଦେଖି ଆଗୁଆ ଧାନ କାଟି ନିରାପଦ ସ୍ଥାନରେ ରଖିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର