ପଇତାଲାଗି ନୀତିକୁ ନେଇ ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ, ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ଭୁବନେଶ୍ବର : ଦୁଇ ସେବାୟତଙ୍କ ବିବାଦ ତୀବ୍ର ହେବା ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଛି। ଫଳରେ ବୁଧବାର ଶ୍ରୀଲିଙ୍ଗରାଜ ଉପାଷ ରହିଛନ୍ତି । ଏହାସହିତ ଆଜି ଅନୁଷ୍ଠିତ ହେବାକୁ ଥିବା ପଇତାଲାଗି ପାଇଁ ମଙ୍ଗଳବାର ଆବଶ୍ୟକୀୟ ନୀତିକାନ୍ତି ହୋଇ ନ ଥିବାରୁ ଏ ବର୍ଷ ପଇତାଲାଗି ନୀତି ହେବ କି ନାହିଁ । ମହାପ୍ରଭୁଙ୍କ ପଇତା ରୋପଣ ନୀତିକୁ କେନ୍ଦ୍ର କରି ଏହି ବାବଦ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାଧୂପ ପରଠାରୁ ଠାକୁରଙ୍କ ସବୁ ନୀତିକାନ୍ତି […]
ଭୁବନେଶ୍ବର : ଦୁଇ ସେବାୟତଙ୍କ ବିବାଦ ତୀବ୍ର ହେବା ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ହୋଇଛି। ଫଳରେ ବୁଧବାର ଶ୍ରୀଲିଙ୍ଗରାଜ ଉପାଷ ରହିଛନ୍ତି । ଏହାସହିତ ଆଜି ଅନୁଷ୍ଠିତ ହେବାକୁ ଥିବା ପଇତାଲାଗି ପାଇଁ ମଙ୍ଗଳବାର ଆବଶ୍ୟକୀୟ ନୀତିକାନ୍ତି ହୋଇ ନ ଥିବାରୁ ଏ ବର୍ଷ ପଇତାଲାଗି ନୀତି ହେବ କି ନାହିଁ । ମହାପ୍ରଭୁଙ୍କ ପଇତା ରୋପଣ ନୀତିକୁ କେନ୍ଦ୍ର କରି ଏହି ବାବଦ ହୋଇଥିବା ବେଳେ ଗତକାଲି ସନ୍ଧ୍ୟାଧୂପ ପରଠାରୁ ଠାକୁରଙ୍କ ସବୁ ନୀତିକାନ୍ତି ବନ୍ଦ ରହିଛି।
ପ୍ରତି ବର୍ଷ ସନ୍ଧ୍ୟା ଧୂପ ସମୟରେ ବଡୁନିଯୋଗ ବିନ୍ଦୁସାଗରକୁ ପଇତା ଧୋଇ ଆଣିବା ପରେ ପୂଜାପଣ୍ଡା ନିଯୋଗ ଅଧୀବାସ ପୂଜା କରନ୍ତି। ଏବର୍ଷ ବଡୁନିଯୋଗ ମନ୍ଦିର ପ୍ରଶାସନକୁ ପଇତା ଧୋଇବାର କିଛି ପ୍ରମାଣ ଦେଖାଇଲେ ପଇତା ଧୋଇବୁ ବୋଲି କହିଥିଲେ। ଫଳରେ ପଇତା ବିନ୍ଦୁସାଗରରେ ଧୂଆ ହୋଇପାରି ନ ଥିଲା ଓ ନୀତି ବଢ଼଼ି ନ ଥିଲା। ରାତି ପ୍ରାୟ ସାଢ଼େ ୮ଟା ପର୍ଯ୍ୟନ୍ତ ଏ ନୀତି ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ ଏଥିରେ କୌଣସି ସଫଳ ମିଳିପାରି ନାହିଁ। ସନ୍ଧ୍ୟାଧୂପ ପରେ ଏଭଳି ବିଭ୍ରାଟ ଉପୁଜିଥିଲା। ରାତିରେ ମନ୍ଦିରର ବଡ଼ସିଂହାର ବେଶ ହୋଇ ପହଡ଼ ପଡ଼ିପାରି ନ ଥିଲା। ଗତମାସଠାରୁ ଏହି ପ୍ରସଙ୍ଗ ଉଠିଥିବାବେଳେ ବିବାଦ ଆରମ୍ଭ ହୋଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନକୁ ହସ୍ତକ୍ଷେପ କରି ବିବାଦର ସମାଧାନ ପାଇଁ କୁହାଯାଇଥିଲା। ମାତ୍ର ମନ୍ଦିର ପ୍ରଶାସନ ଏହାକୁ ଗୁରୁତର ସହ ନେଇ ନ ଥିବା ବେଳେ ସେପରି କୌଣସି ପଦକ୍ଷେପ ନେଇନାହିଁ। ଯାହାଦ୍ୱାରା ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।
ସୂଚନା ଥାଉ କି, ୨୦୨୦ରୁ ବଡୁନିଯୋଗ ଏବଂ ପୂଜାପଣ୍ଡା ନିଯୋଗର ସେବାୟତଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଶ୍ରୀଲିଙ୍ଗରାଜଙ୍କ ପଇତା ରୋପଣ ନୀତିରେ ବଡୁନିଯୋଗ ପକ୍ଷରୁ ଦିଅଁଙ୍କୁ ପଇତା ରୋପଣରେ ପଇତା ଲାଗି କରିବା ତାଙ୍କର ଅଧିକାର ବୋଲି ଦର୍ଶାଇ ବିରୋଧ କରିଥିଲେ। ଅନ୍ୟପକ୍ଷରେ ପଇତା ରୋପଣ ପୂର୍ବ ଦିନ ପୂଜାପଣ୍ଡା ଅଧିବାସ ପୂଜା କରି ୨୭ ଶଙ୍ଗାଡ଼ି ପଇତା ଭଣ୍ଡାର ମେକାପଙ୍କୁ ଦେଇଥାନ୍ତି। ପଇତା ରୋପଣ ସମୟରେ ପୂଜାପଣ୍ଡା ତିନି ଶଙ୍ଗାଡ଼ି ଅଭିମନ୍ତ୍ରିତ କରି ଦିଅଁଙ୍କୁ ଲାଗି କରିବା ପରେ ବଡୁନିଯୋଗ ଅନ୍ୟ ଶଙ୍ଗାଡ଼ି ଦିଅଁଙ୍କୁ ଲାଗି କରନ୍ତି। ୨୦୧୯ ପର୍ଯ୍ୟନ୍ତ ଏପରି ହେଉଥିବାବେଳେ ୨୦୨୦ରୁ ଏହି ବିବାଦ ଆରମ୍ଭ ହୋଇଥିଲା। ୨୦୨୧ରେ ମଧ୍ୟ ସମାନ ବିବାଦ ଦେଖିବାକୁ ମିଳିଥିଲା।






