ପୁରୀରେ ହବିଷ୍ୟାଳୀ ମା'ମାନଙ୍କ ଭକ୍ତିଭାବନାକୁ କୁଠାରାଘାତ କରୁଛି ବିଜେପି ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ରାଧାଦାମୋଦର ବ୍ରତ ପାଳନ ପାଇଁ ଆସିଥିବା ହଜାର ହଜାର ହବିଷ୍ୟାଳୀ ମା'ମାନଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଅବ୍ୟବସ୍ଥାକୁ ପଦାରେ ପକାଇଛି । ହବିଷ୍ୟାଳୀ ମା'ମାନଙ୍କ ରହଣି, ଖାଦ୍ୟ, ଚିକିତ୍ସା ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାରେ ବିଜେପି ସରକାର କ୍ରମାଗତ ଭାବେ ବିଫଳ ହୋଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଗତ ୩ ବର୍ଷ ଧରି ହବିଷ୍ୟାଳୀ ମା'ମାନଙ୍କ ପାଇଁ ସୁବ୍ୟବସ୍ଥା ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହା କେବଳ ଏକ ପ୍ରଶାସନିକ ଅବ୍ୟବସ୍ଥା ନୁହେଁ, ବରଂ ଓଡ଼ିଆଙ୍କ ଧାର୍ମିକ ଭାବନା, ପରମ୍ପରା ଓ ମହାନ ଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା । ହବିଷ୍ୟାଳୀ ମା'ମାନଙ୍କ ଆସ୍ଥା ଓ ଭାବାବେଗକୁ ସମ୍ମାନ ଦେବା ପରିବର୍ତ୍ତେ ସେମାନଙ୍କୁ ଅସୁବିଧାରେ ପକାଇବା ଅତ୍ୟନ୍ତ ଦୁଃଖଦାୟକ । ନବୀନ ସରକାର ସମୟରେ ହବିଷ୍ୟାଳୀ ମା'ମାନଙ୍କ ରହଣି, ଖାଦ୍ୟ, ଯାତାୟାତ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥିତ ଆୟୋଜନ କରାଯାଉଥିଲା । ଦୂରଦୂରାନ୍ତରୁ ଆସୁଥିବା ବୟସ୍କା ମହିଳାମାନେ ନିରାପଦରେ ରହି ବିନା ବାଧାରେ ନିଜର ବ୍ରତ ପାଳନ କରିପାରୁଥିଲେ । କିନ୍ତୁ ଆଜି ଅନେକ ହବିଷ୍ୟାଳୀ ମା' ମାନେ ରହିବା ପାଇଁ ସ୍ଥାନ ନପାଇ ରାସ୍ତାକଡ଼ରେ ଓ ଖୋଲା ଆକାଶ ତଳେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି । ପଞ୍ଜୀକରଣ ହୋଇନଥିବା ଅନେକ ହବିଷ୍ୟାଳୀଙ୍କୁ ଆଶ୍ରୟ ନଦେବା ଏବଂ ସୀମିତ ବ୍ୟବସ୍ଥା କରି ଅନ୍ୟମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିଦେବା ଅତ୍ୟନ୍ତ ନିନ୍ଦନୀୟ । 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ହବିଷ୍ୟାଳୀ ମା'ମାନେ କେବଳ ଯୋଜନାର ହିତାଧିକାରୀ ନୁହନ୍ତି; ସେମାନେ ଆମ ରାଜ୍ୟର ଧାର୍ମିକ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ବାହକ । ସେମାନଙ୍କ ବୟସ, ଶାରୀରିକ ଅସୁବିଧା ଓ ଭକ୍ତିଭାବନାକୁ ବିଚାରକୁ ନନେବା ସରକାରଙ୍କ ଅସମ୍ୱେଦନଶୀଳତାକୁ ପ୍ରମାଣିତ କରୁଛି । ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତିର ସୁରକ୍ଷା କଥା କହୁଥିବା ବିଜେପି ସରକାରଙ୍କ ଏଭଳି କାର୍ଯ୍ୟ ଓ ଆଚରଣ ମଧ୍ୟରେ ସ୍ପଷ୍ଟ ବିରୋଧାଭାସ ରହିଛି । ହବିଷ୍ୟାଳୀ ମା'ମାନଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ରହଣି ବ୍ୟବସ୍ଥା, ପୁଷ୍ଟିକର ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟସେବା, ନିରାପଦ ଯାତାୟାତ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଉ । ଦୂରଦୂରାନ୍ତରୁ ଆସିଥିବା କୌଣସି ହବିଷ୍ୟାଳୀ ମା'ମାନଙ୍କୁ କେବଳ ପଞ୍ଜୀକରଣ ନଥିବା କାରଣରୁ ଅସହାୟ ଅବସ୍ଥାରେ ଛାଡ଼ି ଦିଆନଯାଉ । ଆବଶ୍ୟକ ସ୍ଥଳେ ଅତିରିକ୍ତ ଅସ୍ଥାୟୀ ଶିବିର ଖୋଲି ସମସ୍ତଙ୍କ ପାଇଁ ମାନବିକ ଓ ସମ୍ମାନଜନକ ବ୍ୟବସ୍ଥା କରାଯାଉ । 

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କର ମୃତ୍ୟୁ

ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର ଆରାଧ୍ୟ ଦେବତା । ତାଙ୍କ ଦର୍ଶନ ଓ ବ୍ରତ ପାଳନ ପାଇଁ ଆସିଥିବା ମା'ମାନଙ୍କ ପ୍ରତି ଅବହେଳା କେବଳ ପ୍ରଶାସନିକ ଦାୟିତ୍ୱରେ ଅବହେଳା ନୁହେଁ, ଏହା ଏକ ଗୁରୁତର ମାନବିକ ଓ ଧାର୍ମିକ ପ୍ରସଙ୍ଗ । ବିଜୁ ଜନତା ଦଳ ହବିଷ୍ୟାଳୀ ମା'ମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଉଛି । ରାଜ୍ୟ ସରକାର ବିଳମ୍ୱ ନକରି ହବିଷ୍ୟାଳୀ ମା'ମାନଙ୍କ ସମ୍ମାନ, ସୁରକ୍ଷା ଓ ଭକ୍ତିଭାବନାର ମର୍ଯ୍ୟାଦା ରକ୍ଷା କରନ୍ତୁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର